✍ ଅମରନାଥ ବାରିକ୍
ପ୍ରଭୁ ରାମଚନ୍ଦ୍ର ମର୍ଯ୍ୟଦା ପୁରୁଷ
ସନାତନ ସୃଷ୍ଟି ସ୍ରଷ୍ଟା
ସଙ୍ଗେ ଧରି ବୀର ପବନ ପୁତ୍ରକୁ
ସେତୁର କଲେ ପ୍ରତିଷ୍ଠା ।
ଚରଣାରବିନ୍ଦେ ଶରଣାର୍ଥୀ ହୋଇ
କାର୍ଯ୍ୟ ଚାଲିଲା ଆଗେଇ
ସହଯୋଗୀତାର ହାତକୁ ବଢ଼େଇ
ନିର୍ମାଣିଲେ ବନ୍ଧ ଥୋଇ ।
ଖଣ୍ଡ ଖଣ୍ଡ ଶିଳା ରୁଣ୍ଡିଭୂତ କରି
ନେଉଥିଲେ ଯହିଁ ସର୍ବେ
ରଘୁକୂଳମଣି ହସି ଚାହୁଁଥିଲେ
ବିଚିତ୍ର ଦୃଶ୍ୟକୁ ଗର୍ବେ ।
ନିରୀହ ଗୁଣ୍ଡୁଚି ବାଲୁକା କଣାରେ
ଗଡ଼ିଯାଇ ଉଠି ବସେ
ଓଦା ସଡ଼ ସଡ଼ ଦେହରେ ପୁଳାଏ
ବାଲି ଧରି ଚାଲିଆସେ ।
ସେତୁ ନିକଟରେ ଝାଡ଼ି ହୋଇ ପୁଣି
ଆଣୁଥାଏ ବାରମ୍ବାର
ନିରଳସ ଭାବେ ଲାଗି ରହିଥାଏ
ପରିଶ୍ରମେ ନିଷ୍ଠାପର ।
ପଚାରନ୍ତେ ପ୍ରଭୁ କୁହେ ସେ ଗୁଣ୍ଡୁଚି
କି ଅବା କରିବି ପ୍ରଭୁ
ଦେଇଛନ୍ତି ଶକ୍ତି ଯେତିକି ମୋ ଦେହେ
ପ୍ରୟୋଗ କରୁଛି ସବୁ ।
ପାରିବିନି ଶିଳା ଖଣ୍ଡକୁ ଉଠେଇ
ସେଥିଲାଗି ଆଣି ବାଲି
ମୁଁ ସାମାନ୍ୟ ଜୀବ ସେନା ସୈନ୍ୟ ସଙ୍ଗେ
ସେତୁ ଲାଗି ସମର୍ପିଲି ।
କଲେ ଆଶ୍ରିବାଦ ଗୁଣ୍ଡୁଚିକୁ ପ୍ରଭୁ
ପିଠିରେ ତା ହାତ ରଖି
ଅଙ୍ଗୁଳିର ଚିହ୍ନ ପିଠିପରେ ତା'ର
ତିନିଗୋଟି ରେଖା ଯୋଖି ।
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment