ସ୍ୱପ୍ନ ଗୋ ତୁମେ ସାଧା କାଗଜରେ
କେବେ ଯେ ରଙ୍ଗର ଛୁଆଁ
ସ୍ବପ୍ନ ତୁମେ କେବେ ଓଦା ଆଖି ତଳେ
ଭବିଷ୍ୟର ଅନ୍ୟ ନାଁ
କେବେ କୁଆଁରୀ କନିଆ
ସ୍ବପ୍ନ ତୁମେ କେବେ ପ୍ରାପ୍ତିର ପୋତକୁ
ପ୍ରତିଶୃତି ହୀନ ବାଆ
ସ୍ବପ୍ନ ଗୋ ତୁମେ ଗୋଧୂଳି ବେଳରେ
ପ୍ରିୟାର ନିରୀହ ଆଖି
ସ୍ବପ୍ନ ତୁମେ କେବେ କଳ୍ପନା କୋଳରେ ସାଜ ପ୍ରିୟତମା ସଖି
କେବେ ଏକମାତ୍ର ସାକ୍ଷୀ
ସ୍ବପ୍ନ ତୁମେ କେବେ ଜୀବନ ଜୁଇରେ
ଯନ୍ତ୍ରଣାର ରଙ୍ଗ ମାଖି
ସ୍ବପ୍ନ ଗୋ ତୁମେ ଦୂର ତାଳ ବଣ
ସୀମା ସରହଦ ଡେଇଁ
ସ୍ବପ୍ନ ତୁମେ ପୁଣି ଅତି ସହଜରେ
ନୟନକୁ ଯାଅ ଛୁଇଁ
କେବେ କୁଳୁ କୁଳୁ ନଈ
ସ୍ବପ୍ନ ତୁମେ କେବେ ବେଦନାର ବନ୍ୟା
ଅଛୁଆଁ ଛଳନା ଛାଇ
ସ୍ବପ୍ନ ଗୋ ତୁମେ ଅନ୍ତର ତଳେ
ଭାବନାର ରୂପରେଖ
ସ୍ବପ୍ନ ତୁମେ ପୁଣି ଆଶା ବୈତରଣୀ
ନୟନ ସାଜେ ନାବିକ
ଜୀବନର ଦୁଇ ପାଖ
ସ୍ବପ୍ନ ଗୋ ତୁମେ ନିତି ତଉଲୁଛ
ହାନି ଲାଭର ମଳୁଖ
ସ୍ବପ୍ନ ଗୋ ତୁମେ ସର୍ବଦା ସୁନ୍ଦର
ଆସ ପଛେ ଯେଉଁ ବେଶେ
ସ୍ବପ୍ନ ତୁମେ ମୋର ଅତି ଆପଣାର
ନିଃସଙ୍ଗରେ ଥାଅ ପାଶେ
ହେଉ ପଛକେ ନିମିଷେ
ସ୍ବପ୍ନ ଗୋ ତୁମେ ହଜାଅ ଠିକଣା
ଅଜଣା ଦୂର ବିଦେଶେ
ବାଲେଶ୍ୱର
No comments:
Post a Comment