Saturday, September 19, 2020

କୁର୍ମ ଅବତାର

ଆହେ ନାରାୟଣ ପ୍ରଭୁ ଭଗବାନ 

ନମେ ଶ୍ରୀପଦ୍ମ ପୟର 

କରିବ ସୁଦୟା ଲେଖନୀ ମୁନକୁ 

ବର୍ଣ୍ଣୁଛି କୁର୍ମାବତାର ।।

ଭାବର ସାଗରେ ଭାସି ମୁଁ ଯାଉଛି 

ନାବ ଦେବ ଚକ୍ରଧର

ପ୍ରତି ପାଦେ ପ୍ରଭୁ ଲେଖି ଦେବ ସବୁ 

ଦୂର କରି ପାପ ଭାର ।।


ଶ୍ରୀଜଗନ୍ନାଥଙ୍କ କୁର୍ମ ଅବତାରେ 

ଅଛି ପୁରାଣ କାହାଣୀ 

କିମ୍ବଦନ୍ତୀ କହେ ଦୁର୍ବାସା ଋଷିଙ୍କ 

ଅଭିଶାପେ ଇନ୍ଦ୍ରମଣୀ ।।

ବିଷ୍ଣୁଙ୍କ ଦର୍ଶନେ ଚଳିଲେ ଦୁର୍ବାସା 

ବୈକୁଣ୍ଠ ପୁରକୁ ଦିନେ 

ପ୍ରଭୁ ପ୍ରୀତ ହୋଇ ପ୍ରଦାନ କରିଲେ 

ପ୍ରସାଦି ମାଳା ସମ୍ମାନେ ।।


ପ୍ରତ୍ୟାବର୍ତ୍ତନର ସମୟେ ସାକ୍ଷାତ 

ହୋଇଲେ ଇନ୍ଦ୍ର ଦେବତା 

ଅର୍ପଣ କରିଲେ ମାଳାଟିକୁ ତାଙ୍କୁ 

ଦେଇଥିଲେ ଯା ବିଧାତା ।।


ମଦମତ୍ତ ଗର୍ବି ଅହଂକାରୀ ଇନ୍ଦ୍ର 

ଫିଙ୍ଗି ଦେଲା ସେ ମାଳାଟି 

ଐରାବତ ହସ୍ତୀ ତକ୍ଷଣେ ତାହାକୁ 

ଗୋଡରେ ଦେଲା ଚକଟି ।।


ହେୟଜ୍ଞାନ କରି ମହତ୍ତ୍ୱ ନ ବୁଝି 

ଫିଙ୍ଗିଲା ମାଳା ଯେସନ 

କ୍ରୋଧାନ୍ବିତ ହୋଇ ଦୁର୍ବାସା ଋଷିଟି 

ଶାପ ଦେଲେ ତତକ୍ଷଣ ।।

ତ୍ରିଭୂବନ ତୋର ଲକ୍ଷୀ ହୀନ ହେବ 

ବୃଦ୍ଧ ଶରୀର ବହିବ 

ହାହାକାର ପଡେ ଡାକିଲେ ତ' ଦେବେ 

ତ୍ରାହିକର ବିଷ୍ଣୁ ଦେବ ।।


ବିଷ୍ଣୁଙ୍କ ନିର୍ଦ୍ଦେଶେ ସମୁଦ୍ର ମନ୍ଥନେ 

ଅମୃତ ଭାଣ୍ଡ ମିଳିବ 

ତାକୁ ପିଇ ସର୍ବେ ଲଭିବେ ସୌନ୍ଦର୍ଯ୍ୟ

ସର୍ବ ଶ୍ରୀ ଫେରି ଆସିବ ।।


ମନ୍ଦର ଗିରିକୁ ସମୁଦ୍ର ମନ୍ଥନେ 

ପକାଇ ଘର୍ଷଣ କଲେ 

ଟଳମଳ ତିଳେ ହେଲା ନି ତାହା ତ' 

ଆଧାର ଲୋଡା କରିଲେ ।।

ହାତ ଯୋଡି ବିଷ୍ଣୁ ଚରଣେ ନମିଲେ 

ଉଦ୍ଧାର କର ହେ ହରି 

ସ୍ମିତ ହାସ୍ୟ ହସି ଶ୍ରୀହରି ଆସିଲେ 

କୁର୍ମ ରୂପେ ଅବତରୀ ।।


ପିଠିରେ ବୋହିଲେ ମନ୍ଦର ପର୍ବତ 

ସହିଲେ କଷ୍ଟ ଅସହ୍ୟ 

ଦେବ ଉଦ୍ଧାରଣେ ଅମୃତ ପ୍ରଦାନେ 

କରିଲେ ବିଷ୍ଣୁ ଯେ ସହ୍ୟ ।।


ଉଦ୍ଧାର ହୋଇଲେ ଦେବଗଣ ସର୍ବେ 

ପାଇଲେ ସୌନ୍ଦର୍ଯ୍ୟ ନିଜ 

ଅମରତ୍ବ ପାଇ ଜୟ ଗାନେ ବିଷ୍ଣୁ 

ଅମୃତ ପିଇ ସତେଜ ।।

ପ୍ରତି ଅମାବାସ୍ୟା ତିଥିରେ ଯାଆନ୍ତି 

ଶ୍ବଶୁର ଘରକୁ ପ୍ରଭୁ 

ବନ୍ଦାପନା ନୀତି କରନ୍ତି ବରୁଣ 

ଆଦର ସତ୍କାରେ ବିଭୁ ।।


ଜଗତ କଲ୍ୟାଣେ କୁର୍ମ ଅବତାରେ 

କଷ୍ଟକୁ କଲେ ବରଣ 

ଜୟ ଜଗନ୍ନାଥ ଗୀତରେ ଭଣିଲା 

ତାପ୍ତି ଛୁଇଁ ଶ୍ରୀଚରଣ ।।

 

ତାପ୍ତିମୟୀ ପଣ୍ଡା ମିଶ୍ର ,
ମେଲଛାମୁଣ୍ଡା ବରଗଡ ।।



1 comment:

  1. ମଧୁଛନ୍ଦା ଇ ପତ୍ରିକା ରେ ମୋ କବିତା କୁ ପରିଚୟ ପ୍ରଦାନ କରିଥିବାରୁ ମୁଁ ମଧୁଛନ୍ଦା ର ସମସ୍ତ ସମ୍ପାଦନା ମଣ୍ଡଳୀ ଙ୍କୁ ସହୃଦୟ ଧନ୍ୟବାଦ ଜଣାଉଛି ।ଜୟ ଜଗନ୍ନାଥ ।🙏🙏🌹🌹

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy