Saturday, April 3, 2021

ସ୍ମୃତିର ଚିହ୍ନ

 ସ୍ମୃତି ହୃଦୟେ ସାଇତା
          ନିବୁଜ   କୋଠରୀଟିରେ
ଦୁଃଖ ସୁଖ ଭରା କେତେଯେ କାହାଣୀ
         ସ୍ମୃତିର ଝଲକ ଝରେ   l୧l

ଅତୀତ ବିତିଛି ଅତୀତ ଗର୍ଭରେ
        କିଛି ସ୍ମୃତି ରହି ଯାଏ
ଅଭୁଲା ସ୍ମୃତି ସେ ଭୁଲି ହୁଏ ନାହିଁ
        ପ୍ରାଣ ଦୋହଲାଇ ଦିଏ    l୨l

ମିଠା ସ୍ମୃତି ଦିଏ ମଧୁର ମହକ
        ଓଠେ ମିଠା ହସ ଝରେ
ମନ କୁଞ୍ଜବନେ ପ୍ରଜାପତି ଉଡେ
         ମନ ପକ୍ଷୀ ଆକାଶରେ   l୩l

ଦୁଃଖଦ ଘଟଣା କିଛି ଘଟିଥିଲେ
         ହୃଦୟରୁ ରକ୍ତ ଝରେ
ସେ ଆଘାତ କେବେ ମଉଳି ନ ଯାଏ
          ଦିନ ବିତେ ଯନ୍ତ୍ରଣlରେ l୪l

ଉତ୍ତମ ବାନ୍ଧବ ମିଳିଗଲେ କେବେ
        ପ୍ରେମ ମଲମ ଲଗାଏ
ନିଃସ୍ୱାର୍ଥର ସେବା ଆପଣାର କଥା
ସ୍ମୃତି ଚି଼ହ୍ନ ହୋଇ ଯାଏ     l୫l

ଜୀବନ କାଳରେ ଅନେକ ସ୍ମୃତି ତ
        ଚି଼ହ୍ନ ହୋଇ ରହି ଥାଏ
କେତେ ଆଶା ସ୍ବପ୍ନ ସଫଳ ହୁଅଇ
        କେତେ ଅଧା ରହି ଯାଏ   l୬l

ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ, ଗାନ୍ଧିନଗର, ନବରଙ୍ଗପୁର   l

ନ ପାହୁ ରାତି

✍ ଦେବେନ୍ଦ୍ର କୁମାର ନାଏକ 

ଧଡ଼ ଧଡ଼ ହେସି ଛାତି 
ରାଏତ ଷୁଲହ ଘଡ଼ି ଉସିନ୍ଦ୍ରା 
ଖଟେ ଛଟପଟାସି ମନ 
ଭରନ ଭରନ ସପନ 
କେତେବେଲେ କେନ୍ତା 
ସକାଲ ଘୁଚି ଘୁଚି ଯାଏସି 
ସତେ ନ ପାହୁ ରାତି।। 

କୁକରା ଡ଼ାକଲେ 
ପଙ୍ଗପଙ୍ଗକେ 
ନୂଆଁ ଭୁଆସେନ
ଘାଟକେ ଯିବାର ବତର 
ଛାତକି ଧଡ଼କି ଯାଏସି 
ଶାଗହାରୀର ଡ଼କରା 
ଗୁରସବାଲାର ଡ଼କରା 
ଲାଗୁଥିସି ବିଛୋ ଖଟେ 
ସତେ ନ ପାହୁ ରାତି।। 

ଫାଇଲ ଉପରେ ଫାଇଲ 
ସବୁ ମଏଲା ଟେବୁଲଥି 
କଲା ମିସମିସ ଚଉକି 
ଝାରୁନ ଝାରୁନ 
ଡ଼କରା ଆଏସି ଅଫିସରନୁ 
କେତେବାଟ ଗଲା 
ବିଲ୍'ଡିଙ୍ଗ କଥା 
ଇସ୍କୁଲ ଶୌଚାଳୟର କଥା 
ମନ ମରି ଯାଏସି 
ଭାବି ଭାବି ଅଫିସର କାମ 
ସତେ ନ ପାହୁ ରାତି।। 

          ***   ---   ***

       👉🏿 ତରଭା, ସୁବର୍ଣ୍ଣପୁର

ଡଷ୍ଟବିନ

ଅଳିଆରେ ଭର୍ତ୍ତି ସିନା ହେଉ ମୋର ଦେହ 
ପରିବେଶ  ସୁରକ୍ଷାରେ ଥାଏ ଅହରହ ।।

ମନରେ ଆସେନା ଖେଦ ଏଥିପାଇଁ ଥରେ 
ଅନ୍ୱେ ସୁଖ ବାଣ୍ଟି ଖୁସି ହୁଏ ଅନ୍ତରରେ  ।।

 ଜଡ଼ ମୁହିଁ ଜଗତରେ ରକ୍ତ ମାଂସହୀନ 
 ପର ହିତଲାଗି ତ୍ୟାଗ ନିର୍ଜୀବ ପରାଣ ।।

ଦୁର୍ଲ୍ଲଭ ଜୀବନ ପାଇ ହେ ମୁଢ଼ ମାନବ 
 ନିଜଲାଗି ବଂଚିବାଟା ଧରିଛି ସଗର୍ଵ    ।।

ସଂସାରର ସାରଜୀବ ବୋଲାଇ ନିଜରେ
ଶୋଷଣ କଷଣ ପୀଡ଼ା ପରଷେ ସବୁରେ।

ବେଳ  ଥାଉଥାଉ  ବନ୍ଧ ବାନ୍ଧ ସୁଧୀଜନ 
ସକଳେ ହୋଇଲେ ସୁଖୀ ନିଜେ ସୁଖୀଜାଣ

ମୋର ସମ ତ୍ୟାଗପୂତ ଜୀବକୁ ଆପଣି 
ଅନ୍ୟହିତ ଚିନ୍ତା ସିନା କରିଥାନ୍ତି ଗୁଣୀ  ।।

ତେବେ ଯାଇ ମଧୁମୟ ହୋଇବଟି ଧରା
ସର୍ବତ୍ର ଆନନ୍ଦମୟ  ଖେଳିବଟି ପରା   ।।

                    ପୁରୀ 
       

କବିତାଟିଏ

 ଡ. ଶ୍ୟାମା ପ୍ରସାଦ ମିଶ୍ର

କବିତାଟିଏ-
ତାରାଙ୍କ ଆଖି ମିଟିକାରେ 
ଛନ୍ଦାଇତ
କୁନି ଝିଅର ହସଟିଏ,
କବିତାଟିଏ-
ଜହ୍ନ ଦେହେ ଭର୍ତ୍ତି ଭର୍ତ୍ତି
ଯୌବନ ପ୍ରାପ୍ତି ଝିଅଟିର
ସ୍ବପ୍ନ ଭରା ରାତିଟିଏ ।
କବିତାଟିଏ-
ମହାଶୂନ୍ୟର ପେଟଚିରି
ଉଙ୍କି ମାରୁଥିବା ବାଦଲର 
ନିସଙ୍ଗ ଜୀବନର
ଛନ୍ଦାଇତ କାହାଣୀଟିଏ,
କବିତାଟିଏ-
ଅଦିନିଆ ବର୍ଷାର
କମାଣ ଗର୍ଜନ ଭିତରେ
ମଉଳି ଯାଉଥିବା
ଶ୍ୱାସରୁଦ୍ଧ ଜୀବନର 
ଛନ୍ଦହୀନ ଗୀତଟିଏ ।
କବିତାଟିଏ-
ପ୍ରତିଧ୍ୱନୀ ହୋଇ
ଫେରି ଆସୁଥିବା ଜୀବନର
ଅଦୃଶ୍ୟ କାହାଣୀଟିଏ,
କବିତାଟିଏ-
ଆକାଶର ନିରବ ଛାତିରେ
ହଜି ହଜି ଯାଉଥିବା
ସ୍ମୃତିର କାନଭାସଟିଏ ।
             🔅
                  ବ୍ରହ୍ମପୁର, ଗଂଜାମ

ସମୟର ବେଗ

ସମୟ କାହାକୁ ଅପେକ୍ଷା କରେନି
ଚାଲିଥାଏ ଅହରହ।
ଘଣ୍ଟାର କଣ୍ଟା ଟିକ୍ ଟିକ୍ କରଇ
କରି ତା କର୍ମର ଜୟ।
ଘଣ୍ଟା କହୁଥାଏ କର୍ମ କରିଚାଲ
ମୋରି ପରି ଅବିରତ।
ଅଳସୁଆ ହେଲେ ପଛରେ ରହିବ
ହାରିଯିବ ସୁନିଶ୍ଚିତ।
କର୍ମ ଏକା ସାକ୍ଷୀ ହେଇ ରହିଥିବ
ନାମ ଯାହା ଅରଯିବ।
ବାକି ସବୁତକଧନ ଦରବକୁ
ତୁମେକି ସାଥିରେ ନେବ?
ଆଜିର ଯୁବକ କାଲି ହୁଏ ବୃଦ୍ଧ
ଏସବୁ ସମୟ ଖେଳ।
ରାଜେନ୍ଦ୍ର ଆସନୁ ଭିକାରୀ ହୁଅଇ
କଡ ଲେଉଟିଲେ କାଳ।
କାଳର କରାଳ ଗରଭେ ମଣିଷ
ହେଇଯାଏ ଅବସାନ।
ସ୍ନେହ ଭାବ ପ୍ରୀତି  ପୁଣ୍ୟର ସମ୍ପତି
ସଞ୍ଚିଥାଏ ଗୁଣିଜନ।
ସମୟ ସ୍ରୋତରେ ଆମେ  କୁଟାଖିଅ
ଭାସିଭାସି ଚାଲିଥାଉ।
ଏକଥାକୁ ଯିଏ ଥରେ ବୁଝିଯାଏ
ଗରବ ନ କରେ ଆଉ।
ମାଧବୀପଟେଲ।
ଝାରସୁଗୁଡା।

ସ୍ମୃତିରେ ସ୍କୁଲ ଦିନ

ନିର୍ମଳ ନାୟକ
( କବିତା )
********* 

ଧବଳ ନୀଳ ସ୍କୁଲ ପରିଧାନ.. 
ପରିଷ୍କାର ଓ ପରିଛନ୍ନ... 
ସମୟନୁବର୍ତ୍ତିକା ଅନୁଶାସନ... 
ସାଥେ ଶକ୍ତ  ଅବଧାନ !! 

କୈଶୋର ର ପ୍ରଥମ ପାବଛ... 
ସ୍ନେହ,ଶ୍ରଦ୍ଧା, ର ଗୁଚ୍ଛ.. 
ମାନସେ ଅତ୍ମୀୟତା ର ଉତ୍ସ... 
ସାରା ସମ୍ବଦ୍ଧ  ତୁଚ୍ଛ !! 

ସେ କାଳ ସ୍ମୃତି ଆଜି ମନେପଡେ.. 
କିଛି ଅଲଗା ଲାଗେ... 
ଆଜି ଭାବିଲେ ମିଠା ମିଠା ଲାଗେ..
କିଛି ହସ,ଦୁଃଖ ସଙ୍ଗେ !! 

ଆଜି ନାତି, ନାତୁଣୀ, ଙ୍କ  ସହ... 
ପିଲାଦିନ ମନେପଡେ.. 
ସାଥି ମାନଙ୍କ ସହ  ବିତାବେଳ.. 
ସ୍ମୃତିର ତଟିନୀ କଡେ !! 

ଏବେ ଭାବ ର ଆଦାନ ପ୍ରଦାନେ.. 
ସ୍ମୃତିର ସୁନ୍ଦର ବଗିଚାରେ... 
ଆମ ପ୍ରାକ୍ତନ ଦିନର ସ୍ମୃତି ସନ୍ଧାନେ 
ଆଜିର ବ୍ୟସ୍ତତା ଆଇନାରେ !! 

ଅତ୍ମୀୟତା ଆଜିବି ସଙ୍ଗେ ଜୀବିତ.. 
ସ୍ମୃତିରେ ସ୍କୁଲ ଦିନ ସେତ..
ସମୟର ଅନ୍ତରାଳେ ପ୍ରୀତି ପ୍ରସମିତ..
ଅତୀତ  ଦିନ କଥନ କଥିତ !! 

ଏବେ ଭଲ ଲାଗେ ସାକ୍ଷାତ ଆଳାପେ.. 
ଆସନ୍ତାକି ସ୍କୁଲ ଦିନ ସମୀପେ... 
ବାକିତକ  ଖୁସି ବାଣ୍ଟି ସାଥୀଙ୍କ ସହିତେ.. 
ଖୁସିରେ ସେ ଦିନ କଟନ୍ତା ସତେ !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ମହିମା

ଗୁରୁଂକ ପାଖରେ
ଶିଷ୍ଯଟିଏ ରହି
ଜପ ଧ୍ୟାନ କରୁଥାଏ 
ମନଟା ତାହାର
ଅତୀବ ଚଂଚଳ
ଏଣେ ତେଣେ ଘୁରୁଥାଏ।

ନିକାଞ୍ଚନେ କେବେ
ଗୁରୁଂକୁ କହିଲା
"ଧ୍ୟାନେ ମନ ଲାଗୁ ନାହିଁ
ବୁଝି ହେଉନାହିଁ
ଅବୁଝା ମନଟା
 ଥୟ ହେଉ ନାହିଁ କାହିଁ???" 

ଗୁରୁ କହିଥିଲେ
"ଏହି କୁକୁରର
ଦିନ ରାତି ସେବା କର
ଖିଆ ପିଆ ଶୁଆ
ଗାଧୁଆ ପାଧୁଆ
ନେଇଯା କୁକୁର ଭାର।

ଧୀରେ ଧୀରେ ଶ୍ବାନ
ପୋଷା ମାନିଗଲା
ଶିଷ୍ଯକୁ ଛାଡିଲା ନାହିଁ
ଯେତେ ଚେଷ୍ଠା କଲେ
ଜମା ବୁଝିଲାନି
କୁଆଡେ ବି ଗଲା ନାହିଁ।

ଗୁରୁଂକ ପାଖରେ
ଶିଷ୍ଯ କହିଥିଲା
"ଶ୍ବାନ ତ ଛାଡୁନି ମୋତେ
ଯଦି ନ ଛାଡିବ
କୁଆଡେ ଯିବି ମୁଁ
ସଂଗେ ଧରି ତାକୁ କେତେ???" 

ଗୁରୁ କହିଥିଲେ
"ନିଷ୍ଠାର ସହିତ
କଲୁ ଯେତେ ଶ୍ବାନ ସେବା
ଇଷ୍ଟଂକ ସେବାରେ
ମନ ଯୋଡି ଦେଲେ
ମହିମା ତାଂକର କିବା???"
*******************
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ

ଡଷ୍ଟବିନ

ମୁଁ ଡଷ୍ଟବିନ ଭାଇ ଡଷ୍ଟବିନ
ମୋତେ ନ କର କେହି ହିନମାନି
ଘରେ ଯେପରି ମୁଁ ରାଣୀ
ବାହାରେ ସେପରି ରାଣୀ
ଅଳିଆ, ଆବର୍ଜ୍ଜନା,ସବୁ ମୁଣ୍ଡାଏ
ଜାଣି ଜାଣି 
ମୁଁ ଡଷ୍ଟବିନ ଭାଇ ଡଷ୍ଟବିନ.....(୧)
ମୋ ' ଦେଇ  ନ ହୁଏ  କେହି ରୋଗିଣୀ
ଘର,ମନ୍ଦିର,କାର୍ଯ୍ୟାଳୟ,
ବାଟରେ,ଘାଟରେ,
ସବୁଠି ପରା ମୁଁ ସୁହାଗିନି
କପାଳେ  କେବଳ ଲେଖା ମୋ'
ହତଭାଗିନୀ
ମୁଁ  ଡଷ୍ଟବିନ ଭାଇ ଡଷ୍ଟବିନ.....(୨)
ଶୌଚାଳୟ ଠାରୁ ପାର୍ଲିଆମେଣ୍ଟ 
ନିତି  ଯାଏ ଟାଣି ଟାଣି
ନୁହେଁ ମୁଁ ବ୍ୟଭିଚାରିଣୀ
ସବୁରି ଉପକାରିଣୀ
ଝାଡ଼ୁଦାର ଆଉ ପ୍ରଧାନମନ୍ତ୍ରୀଙ୍କ
ସବୁରି ମୁଁ ପରା
ପ୍ରିୟ ଡଷ୍ଟବିନ ରାଣୀ
ମୁଁ ଡଷ୍ଟବିନ ଭାଇ ଡଷ୍ଟବିନ....( ୩)।।"

 ଡମ୍ବରୁଧର ବେହେରା
ଶିକ୍ଷକ,ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)
🙏🙏🙏🙏🙏🙏🙏

ସକାଳ ଜଣାଣ

ଗୋଦାବରୀଶ ଦାସ

ଯିଏ ରାମ  ସିଏ କୃଷ୍ଣ
ସେହି ଜଗନ୍ନାଥ,
ପଢି ମୁଁ ବୁଝିଲି ସଖି
ଗୀତା ଭାଗବତ।,,,,,,,,,
ସେହି ଲକ୍ଷ୍ମୀନାରାୟଣ
ସେହି ରାମ ସୀତା,
ସେହି ସିନା ରାଧାକୃଷ୍ଣ
ଜଗତ କରତା।
କଳିରେ ସେ ଜଗନ୍ନାଥ
ଉଡାଉଛି ନେତ
ବସିଛି ମଉନ ହୋଇ
ଦେଖୁଛି ଜଗତ।
ଯିଏ ରାମ ସିଏ କୃଷ୍ଣ
ସେହି ଜଗନ୍ନାଥ,,,,,,,,,,,
କୌଶଲ୍ୟା ହେଲେ  ଦେବକୀ
କୈକେୟୀ ,ଯଶୋଦା
ଯୁଗେ ଯୁଗେ ଅବତାର
ସୀତା ସିନା ରାଧା।
ସୁଗ୍ରୀବଙ୍କ ସହ ରାମ
ବସିଥିଲେ ମିତ
ଖୁଦଭଜା ଖୁଆଇଲା
ବିଦୁର ଭକତ।,,
ଯିଏ ରାମ ସିଏ କୃଷ୍ଣ
ସେହି ଜଗନ୍ନାଥ,,,,,,,,,
ସତ୍ଯ ତ୍ରେତା ଦ୍ବାପରରେ
ତୁମେହିଁ ବିଦିତ
କଳିଯୁଗେ ଶ୍ରୀମନ୍ଦିରେ
ଆହେ ଜଗନ୍ନାଥ।
ଯିଏ ରାମ ସିଏ କୃଷ୍ଣ
ସେହି ଜଗନ୍ନାଥ
ପଢି ମୁଁ ବୁଝିଲି ସଖି
ଗୀତା ଭାଗବତ।
============..
ଶଙ୍ଖମୂଳ, ରଣପୁର
ନୟାଗଡ଼

ଦିଶାହୀନ ସମ୍ପର୍କ

ଲେଖକ - ରବୀନ୍ଦ୍ର କୁମାର ବେହେରା


ସମ୍ପର୍କ - ସୁନ୍ଦର ଓ ସବୁଜ ବନାନୀର ଶ୍ୱେତପଦ୍ମ
ହିଲ୍ଲୋଳିତ ତନୁ ମନ, ସୁନ୍ଦର ଅନୁଭୂତିର ଗନ୍ଧ
ପାଉଁଶ, ବିବଶ ମନର ମଧୁଚନ୍ଦ୍ରିକାର ସ୍ବର
ଦିଶାହୀନ , ରଙ୍ଗୀନ୍ ପ୍ରେମର ସେତୁବନ୍ଧ । ୧ ।
                                            

ରୈ।ଦ୍ର ତାପର ପ୍ରଚଣ୍ଡ ପ୍ରହାର 
ପୁନଶ୍ଚ ମାନସିକ ‌ବିକୃତିର ଦୋଛକିରେ                 
ହୃଦୟତନ୍ତ୍ରୀର ଅଧୁରା ମୂର୍ଛନା ସଙ୍ଗୀତର
ଖଣ୍ଡବିଖଣ୍ଡିତ, ହାଲୁକା ଏ ସମ୍ପର୍କର ନୀଡ଼ । ୨ ।


ଅଙ୍କାବଙ୍କା ପଥର ଛନ୍ଦହୀନ ଚାହାଣୀର ସ୍ବାଦ
ପ୍ଳାଷ୍ଟିକ୍ ରଙ୍ଗବୋଳା ହାଡ଼ ଓ ରକ୍ତର ମସ୍ତିଷ୍କ
ଅନ୍ଧାର ଆଲୁଅର ଲୁଚକାଳିର ଅନ୍ତରାଳେ
ଭୁଷୁଡି ପଡିଲା ଅଭଙ୍ଗା ସ୍ନେହର ତାସ୍ ଘର ।୩‌।


ବିଶୁଷ୍କ , ବିଦଗ୍ଧ ଆଶାର ନୀଳପ୍ତଳ
ସତେ ଅବା କଣ୍ଟକିତ ଜୀର୍ଣ୍ଣ ଜୀମୂତ
ସେଇ ନିର୍ଣ୍ଣିତ ଇତିହାସର ଅଫେରା ପଥିକ
ବିଧ୍ବଂସ , ବିଗଳିତ ସ୍ବପ୍ନର କୁତବମିନାର୍ । ୪ ।


ଟିକ୍ ଟିକ୍ ଡାକେ ସମୟର ସେକେଣ୍ଡ କଣ୍ଟା
ଉଦବେଳିତ ପାକସ୍ଥଳୀର ଅନସନ ବ୍ୟଥା
ଅତୀତର ଅନୁସନ୍ଧାନରେ ଉଦଭ୍ରାନ୍ତ ମନକଳିକା
ବାସ୍ ! ପରାଜିତ ସୈନିକ ଯୁଦ୍ଧ ଫେରନ୍ତା । ୫ ।


* * * * * * * * * * * * * * * * * * * *
ଚିକିଟୀ , ଗଞ୍ଜାମ 
* * * * * * * * * * * * * * * * * * * *

ସମ୍ପର୍କ

     ବାସନ୍ତୀ ଲତା ଜେନା
                      ଶିକ୍ଷୟିତ୍ରୀ

ମଣିଷ୍ୟ ଜୀବନ ନୁହଇଁ ସମ୍ପୂର୍ଣ୍ଣ
        ସମ୍ପର୍କରେ ଯୋଡି ଥାଏ
ପରିବାର ହୁଏ ରକ୍ତର ସମ୍ପର୍କ
       ସମାଜରେ ସ୍ଥାନ ନିଏ    l୧l
ମାତା ପିତା ସଙ୍ଗେ ସନ୍ତାନ ସମ୍ପର୍କ
       ମମତାରେ ଯୋଡି ଥାଏ
ଭାଇ ଭଗ୍ନୀ ମଧ୍ୟେ ସ୍ନେହର ସମ୍ପର୍କ
       ପବିତ୍ର ବନ୍ଧନ ହୁଏ        l୨l
ପତି ପତ୍ନୀ ମଧ୍ୟେ ପ୍ରେମର ସମ୍ପର୍କ
       ଲେଖେ ଅଭୁଲା କାହାଣୀ
ଦୁଇଟି ଶରୀର ଏକ ମନ ପ୍ରାଣ
       ନୂତନର ଅlଗମନୀ       l୩l
ବନ୍ଧୁ ବନ୍ଧୁ ମଧ୍ୟେ ସ୍ୱଚ୍ଛତା ସମ୍ପର୍କ
      ରଚି ଥାଏ ଇତିହାସ
ସ୍ୱାର୍ଥବାଦୀ ହେଲେ ସମ୍ପର୍କ ହୁଅଇ
       ଜୀବନର ଅବଶୋଷ      l୪l
ସମ୍ପର୍କ ଅଟଇ ବିଶ୍ୱାସ ଭରସା
      ମିଠା ମିଠା ସ୍ପର୍ଶ ଟିଏ
ଦୁଃଖ ସୁଖରେ ତ ସମାହାରଟିଏ
      ବିପଦେ ପାଖରେ ଥାଏ      l୫l
ସମ୍ପର୍କ ହୁଅଇ କାଚଘର ସମ
       ଅଯତ୍ନରେ ଭାଙ୍ଗି ଯାଏ
ନିଃସ୍ୱାର୍ଥ ପ୍ରେମରେ ଗଢି ତୋଳି ଥିଲେ
       ଆଦର୍ଶ ସମ୍ପର୍କ ହୁଏ         l୬l
ରାଧା କୃଷ୍ଣଙ୍କର ଶାଶ୍ୱତ ପ୍ରେମ ତ
       ଯୁଗର ଗୀତିକା ଗାଏ
କଇଁ କୁମୁନ୍ଦର ଅତୁଟ ସମ୍ପର୍କ
     ପ୍ରତି ପ୍ରାଣ ଛୁଇଁ ଯାଏ        l୭l
ବନ୍ଧୁ ପରି ବନ୍ଧୁ କୃଷ୍ଣ ହୋଇ ଥିଲେ
      ସୁଦାମାର ପ୍ରାଣ ସଖା
ଦୁର୍ଯ୍ୟୋଧନ ବନ୍ଧୁ କର୍ଣ୍ଣ ହୋଇ ଥିଲେ
      ଅନ୍ୟାୟ ନ ହେଲା ଦେଖା  l୮l
ଅଦେଖା ସୂତ୍ରରେ ବାନ୍ଧି ହୋଇ ଅଛି
       ଆମ ଏ ସାରା ସଂସାର
ସମୟ ସୁଅରେ ପବିତ୍ର ସମ୍ପର୍କ
      ସବୁଠୁ ଲାଗେ ମଧୁର       l୯l
ସୂତ୍ର ଛିଡି ଗଲେ ଅବିଶ୍ୱାସ ବଢେ
      ରହେ ନାହିଁ ଆଉ ଭାବ
ସମ୍ପର୍କର ସେତୁ ସମାଧି ନିଅଇ
      ଏତ ମନୁଷ୍ୟ ସ୍ଵଭାଵ       l୧୦l  

ସରକାରୀ ୟୁ. ଜି. ହାଇସ୍କୁଲ ସିନ୍ଧିଗାଁ, ନବରଙ୍ଗପୁର   l

ଉଡି ଗଲେ ପକ୍ଷୀ

 🖊କବିରତ୍ନ ନୂତନ କୁମାର ବେହେରା 

ଉଡିଗଲେ ପକ୍ଷୀ          ଛାଡି ଯାଏ ବସା 
           ସଂଜକୁ ଆସଇ ଫେରି,  
ଯେତେ ଦୂରେ ଉଡୁ       ଖୋଜି ବୁଲୁଥାଏ 
            ଖାଦ୍ୟକୁ ନଜର କରି। 
ଦୂର ଆକାଶର         ସୀମାରେଖା ଡେଇଁ 
            ଉଡିଯାଏ ପରଦେଶ,
ପ୍ରବାସରେ ରହି         ପେଟ ପୋଷୁଥାଏ      
            କରେନା କେବେ ଅଳସ। 
ଋତୁ ଅନୁଯାୟୀ             କରି ପରିକ୍ରମା 
          ପାଉଥାଏ ସେ ଆନନ୍ଦ, 
ଜନମ ମାଟିକୁ      ଫେରି ଆସେ ଯେବେ 
            ଦୂର ହୁଏ ଅବସାଦ। 
ମଣିଷ ଜୀବନ             ପକ୍ଷୀର ସମାନ 
         ସ୍ଥାୟୀ ନୁହେଁ ଏକ ସ୍ଥାନେ, 
ନିଜର ଜୀବିକା          ନିର୍ବାହ କରି ସେ 
            ଭ୍ରମୁ ଥାଏ ଅନୁକ୍ଷଣେ।
ଯିଏ ଥାଉ ଯେତେ      ଦୂରେ କି ନିକଟେ 
           ଆପଣାର ପ୍ରିୟଜନ, 
ମମତାର ଡୋରେ    ବନ୍ଧା ହୋଇ ଥିଲେ 
         ହୃଦେ ଥାଏ ତାର ସ୍ଥାନ। 
ଉଡିଗଲା ପକ୍ଷୀ             ହୁଏ ସିଏ ଯିଏ 
        ଫେରି ଆସେ ନାହିଁ କେବେ, 
ନିଜ ସ୍ଵାର୍ଥ ପାଇଁ           ଭୁଲି ଯାଇ ସବୁ 
           ପର ହୋଇ ଯାଏ ଭବେ। 
ଏ ଶରୀର ଘଟେ        ମନ ଅଟେ ପକ୍ଷୀ 
           କାମନା ଆକାଶେ ଉଡେ,
ମୋହମାୟା ବଶେ    ହେଲେ ସିଏ ଦାସ 
           ସଂପର୍କ ସବୁ ଉଜାଡେ। 
ଜୀବାତ୍ମା ରୂପରେ        ମନ ଉଡା ପକ୍ଷୀ 
          ସଂସାର ବନ୍ଧନେ ରହେ, 
ଚାଲି ଗଲେ ପ୍ରାଣ     ଫେରି ଆସେ ନାହିଁ 
         କେବେ ଆଉ ଏଇ ଦେହେ।
ଶରୀର ପଞ୍ଜୁରୀ         ରଖି ତାର ଶିରୀ 
          ଆତ୍ମାର କରେ ସଂସ୍କାର, 
ଜୀବନ ସାର୍ଥକ           କରିବାକୁ ବସା 
          ବାନ୍ଧେ ଜନ୍ମ ଜନ୍ମାନ୍ତର। 
       -=-      -=-      -=-      -=-      -=-
                ବାରିପଦା, 

ମିନତି ଘେନ

ପ୍ରିତି ପ୍ରଣତିର        ଗଜରାର ହାର
       ଗୁନ୍ଥିଛି ହରସ ମନେ
ପ୍ରିୟର ମଥାରେ      ଝୁଲାଇ ଦେବିରେ
        କହିବି ତାହାର କାନେ ।
ଅସ ଆସ ପ୍ରୟ      ସଜାଡିଛି ବାସ
       ଫୁଲର ଫଗୁଣ ଆଣି
ତୁମ ପୂଜନରେ       ସଜାଡି ଦେବି ହେ
      ପବିତ୍ର ତୁଳସୀ ପାଣି ।
ନରମ ଶେଯରେ         ଶୁଆଇବି ନେଇ
          ଗଜଦନ୍ତ ପଲଙ୍କରେ
ମନ ଲୋଭା ମନ୍ତ୍ର        ଗାଇବି ତୋ ପାଶେ
         ବୋଳି ଚନ୍ଦନ ଅଙ୍ଗରେ ।
ଅଙ୍ଗ ବାସ ତୁମ        ପାଲଟି ଦେବି ହେ
        ପାଟ ପିତାମ୍ବର ଦେଇ
ଗୀତ ଗୋବିନ୍ଦକୁ       ଗାଇବି ତୋ ପାଖେ
         ଦେବଦାସୀ ତୁଲ୍ୟ ହୋଇ ।
ମଳୟ ପବନ        ସୁଖ ନିଦ୍ରା ପାଇଁ
        ରଖିଛି ଜତନ ଭରେ
ମୋ ନୟନ ମଣୀ     ଭକ୍ତ ଦିନମଣି
      ସେବକ ହେବିରେ ଥରେ ।

*ଜୟ ଜଗନ୍ନାଥ.............🙏🏻*

                      *ରଞ୍ଜନ କୁମାର ପଣ୍ଡା*

ଏଇତ ଜୀବନ

"ଏଇତ ଜୀବନ"(ଜୟ କୁମାର ମିଶ୍ର)
*************************
ଏଇତ ଜୀବନ, ପାଣି ଫୋଟକାଟି 
କ୍ଷଣିକେ ମିଳାଇଯିବ, 
ଘଟ ପିଞ୍ଜରାରୁ, ପ୍ରାଣ ପକ୍ଷୀଟିତ 
ଛାଡି, ମଢା କରିଦେବ ll(1)
ପଞ୍ଚ ରିପୁ ହୃଦେ, କରି ଅଛି ବସା 
କାଳ ସର୍ପ ସରି ସିଏ, 
ସରାଗେ ଦଂଶନ, କରି ସାରି ଦେବ 
ଜାଣି ପରିବେନି କିଏ ll(2)
ମାୟା,ମୋହ ଜାଲେ,ବାନ୍ଧି,ଛନ୍ଦି ଅଛୁ 
ଜାଣି ପlରେ ନାହିଁ କେହି, 
ବନିଶ କଣ୍ଟାରେ, ଟାଣି ହୋଇ ମୀନ 
ଜୀବନଟି ହlରେ ଯହିଁ  ll(3)
ବଳବପୁ ସାଥେ, ସଞ୍ଚିତ ସଂଚୟ 
ଥିଲେ ଭରପୁର ପାଶେ, 
ଗୁଡ଼ ଖାଇବାକୁ, ଜନ୍ଦା ମାଳ ମାଳ 
ଧାଇଁ ଆସୁଥିବେ ଆଶେ ll(4)
ଖଲି ଖପରାଟି, ଅଖୋଜା, ଅଲୋଡ଼ା 
ଅତି ହୀନିମାନି ସେହି, 
ଦେଖାରେ ଅଦେଖା,
ଅଦେଖାରେ ଦେଖା 
ଭାବ ଭାବନାଟି ଥୋଇ  ll(5)
ବୃଥା ସରାଗର, ପସରା ମେଳିବ 
ଲାଭ ଲୋଭ ଗରାଖଙ୍କ 
ସୁଲଭ, ମୂଲ୍ୟର, ସଉଦା ଘେନିବା
ପ୍ରତିଯୋଗୀ ମନଯାକ  ll(6)
ଜୀବନ ସ୍ରୋତରେ, ଧସେଇ ଆସିବ 
ଶୈଶବ, ଯଉବନ ଜରା, 
ରେଳ ଗାଡି ପରି, ଛାଡି ଚାଲି ଯିବ 
ଷ୍ଟେସନେ କରି ଯାତରା ll(7)
ଆସିବା ଯିବାଟି,କେବଳ ଲଙ୍ଗଳା 
କିଛି ଯିବନାହିଁ ସାଥେ, 
ଭଲ, ମନ୍ଦ ବାଣୀ, ହେବେଟି ବଖାଣି 
ସର୍ବ ଶେଷ ଯାତ୍ରା ପଥେ ll(8)
ହୁଅ କୋଟି ପତି, କର ଭିକ୍ଷା ବୃତ୍ତି 
ଯାହା କର ଭାଗ୍ୟ ମତେ, 
ନ୍ୟାୟ,ଧର୍ମ, କର୍ମ, ପଥେ ପଥିକଟି 
ହେଲେ ସ୍ୱର୍ଗ ସୁଖ ସତେ ll(9)
ହେବ ଖୋଜାଲୋଡ଼ା,
ଦlଣ୍ଡେ ସବୁ ଛିଡା 
ଦେଖି ବଳ ପୁଞ୍ଜି,ତୋର 
ସବୁ ସରିଗଲେ, ନପଚାରିବେ ଭଲେ
କହିବେ ଏ ଖଣ୍ଟ ଚୋର ll(10)
ଫିକା ପଡିଯିବ, ଚହଳ ଗହଳ 
ସେନହ ସରାଗ, ସାଥେ 
ଅନୁରାଗ, ଆବେଗ,ସବୁ ଭାବାବେଗ 
ବାହାନାରେ ଚଳି ପଥେ ll, (11)
ସୁବିଧାବାଦୀଙ୍କ , ସ୍ୱାର୍ଥର ଦୁନିଆଁ 
ଏଇତ ଜୀବନ ସତ୍ୟ, 
ଅପ୍ରିୟ, ଅରୁଚି, ଲାଗୁଥାଉ ପଛେ 
କାଳ ଦର୍ପଣର ଚିତ୍ର ll(12)
***********************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, ପିନ-761206

ଡ଼ଷ୍ଟବିନ

*ଡ଼ଷ୍ଟବିନ*

*କବି ସୌରଭ*
*ବୈଜୟନ୍ତୀ ମାଳା ମହାପାତ୍ର*

ଆବର୍ଜନା ସବୁ ଘର ବାହାରର
ଯେଉଁଠି ପକାଉ ଆମେ,
ଡଷ୍ଟବିନ୍ ତାକୁ ବୁଝନ୍ତି ସଭିଏଁ 
ତା' ସରି କେ ଧରା ଧାମେ !

ନିଜେ ମଇଳାରେ ବୁଡ଼ି ରହି ସିଏ
ସବୁକୁ କରଇ ସ୍ବଚ୍ଛ,
ତା' ପାଇଁ ସୁନ୍ଦର ପରିବେଶ ଆମ
ଏ କଥାଟି ନୁହେଁ ମିଛ ll

ଜୀବନରେ ଆମେ ଡଷ୍ଟବିନ ଭାବି
ଯାହାକୁ ହେଳା କରୁଛେ,
ତା' ପାଇଁ ସୁନ୍ଦର ଘର ପରିବାର
ତା' ପାଇଁ ଆମେ ହସୁଛେ ll

ତେଣୁ ଯତ୍ନବାନ ସଭିଏଁ ହୋଇବା
ନେବାଟି ତାହାର ଯତ୍ନ,
ତା' ବିନା ମଇଳା ଜୀବନ ହୋଇବ
ହରାଇବା ଆମେ ରତ୍ନ ll

      ଫୁଲବାଣୀ,କନ୍ଧମାଳ

ଡ଼ଷ୍ଟବିନ

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy