Saturday, November 27, 2021

ପ୍ରଥମାଷ୍ଟମୀ

ଆଜି ପବିତ୍ର ପ୍ରଥମାଷ୍ଟମୀ ପର୍ବ
ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା
ଓ ଅଭିନନ୍ଦନ । 
     ପରିବାରର ବଡ଼ ପୁଅ କିମ୍ବା ଝିଅ
ପାଇଁ ଏହି ପର୍ବ ପାଳନ କରାଯାଏ ।
      ତେଣୁ ବଡ଼ ମାନେ ବଡ଼ ବଡ଼
କାମ କରି ଦେଶ ଓ ଦଶର ଯଶ 
ରଖିବା ସଙ୍ଗେ ସଙ୍ଗେ ସମସ୍ତଙ୍କର
ଚିର ସ୍ମରଣୀୟ ହେଲା ଭଳି କାମ 
କରି ଯାଆନ୍ତୁ ।

କବିସୌରଭ କୈଳାଶଚନ୍ଦ୍ର ବେହେରା

💐 ପ୍ରଥମାଷ୍ଟମୀ 💐
କବିସୌରଭ କୈଳାଶଚନ୍ଦ୍ର ବେହେରା

ପ୍ରଥମ ସନ୍ତାନ ଘରକୁ ଆସିଲେ
                  ସମସ୍ତଙ୍କ ମନ ଖୁସି ,
ପୁଅ ଜଗନ୍ନାଥ ଝିଅକୁ ମା' ଲକ୍ଷ୍ମୀ
                  ଆସିଲା କହନ୍ତି ହସି ।
ସ୍ନେହ ଆଦରରେ ବଢ଼ାଇ ଥାଆନ୍ତି
                ବାପା ମାଆ ଯତନରେ ,
କେଉଁଥିରେ ହେଲେ ହେଳା ନ କରନ୍ତି
                 ରଖିଥାନ୍ତି ଅନନ୍ଦରେ ।
ପ୍ରଥମ ସନ୍ତାନ ପାଇଁ ଏକ ପୂଜା
                  କରନ୍ତି ପ୍ରତି ବରଷ  ,
ଘରେ ଘରେ ଏହା ପାଳନ କରନ୍ତି
              ଏଇ ମାର୍ଗଶୀର ମାସ ।
ପ୍ରଥମାଷ୍ଟମୀ ନାମରେ ଜଣାଶୁଣା
                ଓଡ଼ିଆ ସ°ସ୍କୃତି ଏହା ,
ଅଷ୍ଟମୀରେ କରିଥାନ୍ତି ଲୋକେ ତେଣୁ
                 ବିଧାନ ରହିଛି ଯାହା ।
ଶନିବାର ଆଉ ସତେଇଶ ତାରିଖେ
              ପ୍ରଥମାଷ୍ଟମୀ ପଡ଼ିଛି ,
ମଘା ନକ୍ଷତ୍ର ଓ ସି°ହ ରାଶି ପୁଣି
             ଏହିଦିନେ ପଡ଼ିଅଛି । 
ଠାକୁରଙ୍କୁ ପୂଜା ଅର୍ଚ୍ଚନା ସାରିଲେ
              ନୂଆ ପୋଷାକ ପିନ୍ଧାଇ ,
ବନ୍ଦାନ୍ତି ପ୍ରଥମ ପୁଅ କିମ୍ବା ଝିଅ
              ପିଢ଼ା ଉପରେ ବସାଇ ।
ହଳଦୀ ପତ୍ରରେ ପିଠାକରି ତାଙ୍କୁ
              ପ୍ରଥମେ ଖୁଆଇଥାନ୍ତି ,
ତା'ପରେ ଘରର ସମସ୍ତ ସଦସ୍ୟ
              ଆନନ୍ଦେ ବସି ଖାଆନ୍ତି ।
ଓଡ଼ିଶାର ଏହା ପରମ୍ପରା ଅଟେ 
              ମାନନ୍ତି ସକଳଜନ ,
ଯିଏ ଯେଉଁଠାରେ ରହିଥାଉ ପଛେ
               ଆନନ୍ଦ ସଭିଙ୍କ ମନ ।
----------------------------------------
ବାଲିଗୁଡ଼ା , କନ୍ଧମାଳ

କାଳିଦାସ

ଅରୁଣ କୁମାର ମହାପାତ୍ର

ଭାରତର ସର୍ବୋତ୍ତମ କବିଗଣେ
ଥିଲ କବି ଅନ୍ୟତମ
ଦୂରଦୃଷ୍ଟି ଯୁକ୍ତ ଚିନ୍ତାଧାରା ଥିଲା
କାଳିଦାସ ଅଟେ ନାମ।
କାଳିଦାସ ନାମ ଆକ୍ଷରିକ ଅର୍ଥ
ମାଆ କାଳୀଙ୍କ ସେବକ
ଜନମାନସରେ ଅଛି ଏ ବିଶ୍ୱାସ
ଥିଲ ବଡ ଉପାସକ।
ଅନନ୍ୟ ବର୍ଣ୍ଣନ ଅନୁରୂପ ଛନ୍ଦ
ସଙ୍ଗୀତ ହେଉଛି ମୁଖ୍ୟ
ସାହିତ୍ୟରେ ଜ୍ଞାନ ପ୍ରତିଭାରେ ପୂର୍ଣ୍ଣ 
ଅବର୍ଣ୍ଣନୀୟ ଅସଂଖ୍ୟ।
ବିକ୍ରମାଦିତ୍ୟଙ୍କ ରାଜଦରବାରେ
ଥିଲ ନବରତ୍ନେ ଏକ
ଶୈଶବ କାଳରେ ଥିଲ ଅଶିକ୍ଷିତ
ପରେ କବି ଦାର୍ଶନିକ।
ଅଗାଧ ପାଣ୍ଡିତ୍ୟେ ସେ ରାଜକୁମାରୀ
କନ୍ୟା ନାମେ ବିଦ୍ୟୋତ୍ତମା
ବିତର୍କର ସର୍ତ୍ତେ କରି ପରାଜିତ
କରିଥିଲ ପ୍ରିୟତମା।
ପାଇ ଅପମାନ ନିଜ ପତ୍ନୀ ଠାରୁ
ଗୃହତ୍ୟାଗୀ ହୋଇ ଦିନେ
ସାହିତ୍ୟ ସାଧନା ମାଆଙ୍କ ଆଶିଷେ
ପରିଚିତ ଜ୍ଞାନୀ ଗଣେ।
ମହାକାବ୍ୟ ଅବା ପ୍ରସିଦ୍ଧ ନାଟକ
ଥିଲା ଅଛି ଅଦ୍ୱିତୀୟ
ହେ ମହାନାୟକ କବି ନାଟ୍ୟକାର
ଜ୍ୟୋତିଷ ଶାସ୍ତ୍ର ବି ପ୍ରିୟ।

ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ, ତେଲେଙ୍ଗାନା
(ପ୍ରତାପପୁର, ଗଞ୍ଜାମ)

ପ୍ରଥମାଷ୍ଟମୀ


        *ବାସନ୍ତୀ ଲତା ଜେନା*

ପ୍ରଥମାଷ୍ଟମୀ ମାର୍ଗଶିର ମାସେ
       କୃଷ୍ଣ ପକ୍ଷରେ ପଡଇ
ଓଡ଼ିଶାର ପର୍ବ  ପଢ଼ୁଆଁ ଅଷ୍ଟମୀ
       ପ୍ରଥମ ସନ୍ତାନ ପାଇଁ        l୧l

ପୁଅ ହୋଇଥାଉ ଅବା ଝିଅ ହେଉ
       ନୂଆ ବସ୍ତ୍ର ପିନ୍ଧି ଥାନ୍ତି
ପିଢାରେ ବସାଇ ଧୂପ ଦୀପ ଜାଳି
       ଜନନୀ ବନ୍ଦାଇ ଥାନ୍ତି      l୨l

ହଳଦୀ ଚାଉଳ ମସ୍ତକେ ପକାନ୍ତି
      ଶୁଭ ମନାସିଣ ଥାନ୍ତି
ପୂର୍ଣ୍ଣ କୁମ୍ଭ ତଳେ ପଞ୍ଚ ଶସ୍ୟ ଧାନ
       ପଞ୍ଚ ପଲ୍ଲଵ ରଖନ୍ତି      l୩l

ଷଠୀ ଦେବୀଙ୍କୁ ତ ପୂଜା କରି ଥାନ୍ତି
       ଗୁରୁ ଜନଙ୍କୁ ପ୍ରଣତି
ହଳଦୀ ପତ୍ରରେ ଏଣ୍ଡୁରି ପିଠା ତ
      ଘରେ ଘରେ କରି ଥାନ୍ତି    l୪l

ମାମୁଁ ଘରଠାରୁ ନବ ବସ୍ତ୍ର ଆସେ
      ଭଣଜା ଭାଣିଜୀ ପାଇଁ
ସାମାଜିକ ଵିଧି ବନ୍ଧନ ଶୃଙ୍ଖଳା
      ପରମ୍ପରା କହୁ ଥାଇ        l୫l

ବର୍ଷକରେ ଥରେ ଅଲକ୍ଷ୍ମୀଙ୍କୁ ପୂଜା
      ହୋଇ ଥାଏ ଏହି ଦିନ
ମାତା ମହାଲକ୍ଷ୍ମୀ ବଡ଼ ଭଗ୍ନୀ ସେତ
      ସ୍ୱଚ୍ଛତାରେ ନାହିଁ ମନ       l୬l

ପିତାଙ୍କର ଅନ୍ତେ ବଡ଼ ପୁତ୍ର ପରା
       ଘରର ମୁଖ୍ୟ ହୁଅନ୍ତି
ଛୋଟ ଭାଇ ଭଗ୍ନୀ ଦାଇତ୍ୱ ନିଅନ୍ତି
       ଘରକୁ ସାମ୍ଭଳି ଥାନ୍ତି     l୭l

ଶିରୀମନ୍ଦିରରେ ବଡ଼ ଠାକୁର ତ
       ନବ ବସ୍ତ୍ର ପିନ୍ଧି ଥାନ୍ତି
ନିଆଳି ମାଧବ ମାମୁଁ ତ ତାଙ୍କର
      ପଢୁଆଁ କରାଇ ଥାନ୍ତି    l୮l

ଲିଙ୍ଗରାଜ ପ୍ରଭୁ ମାମୁଁ ଘର ଯାନ୍ତି
     କପାଳୀ ମଠକୁ ଜାଣ
ପଢୁଆଁ ହୁଅନ୍ତି ନୂଆ ଲୁଗା ପିନ୍ଧି
       ଖୁସିରେ କଟଇ ଦିନ      l୯ l

ଆଦ୍ୟାଶକ୍ତି ମାତା କାଳରାତ୍ରି ରୂପେ
      ଆଜ ଦିନେ ଅବତୀର୍ଣ୍ଣl
ସନ୍ତାନ ଗଣକୁ ଆଶିଷ ଦେଇଣ
      ପୃଥିବୀକୁ କଲେ ଧନ୍ୟା    l୧୦ l


ଗାନ୍ଧିନଗର, ପୋଷ୍ଟ/ ଜିଲ୍ଲା :  ନବରଙ୍ଗପୁର

ପ୍ରଥମାଷ୍ଟମୀ

(ରାମକେରୀ ବୃତ୍ତ)
                  *ଶୁଭ୍ରାଂଶୁ ଶେଖର ପାଢୀ*
ଆଦ୍ୟ ମାସ ମାର୍ଗଶୀରର କୃଷ୍ଣ ପକ୍ଷ ଅଷ୍ଟମୀ ।
ଜ୍ୟେଷ୍ଠ ସନ୍ତାନର ଦିନ ସେ, ନାମ ପ୍ରଥମାଷ୍ଟମୀ ।
ମାଆ ପୂଜେ ଷଠୀ ଦେବୀଙ୍କୁ  ଭକ୍ତି ପୂର୍ଣ୍ଣ ମନରେ ।
ଜ୍ୟେଷ୍ଠ ସନ୍ତାନର ସୁଦୀର୍ଘ ଆୟୁଷ ଭିକ୍ଷା କରେ ।
ଯଶସ୍ୱୀ କରିକି ରଖ ମାଆ, ସନ୍ତାନକୁ ମୋହର ।
କୋଟିଏରେ ଜଣେ ହେଉ ସେ ବଢୁ ଯଶ ତାହାର ।
ହଳଦୀ ପତ୍ରରେ ପ୍ରସ୍ତୁତ ହୁଏ ଏଣ୍ଡୁରୀ ପିଠା ।
ସଜ ହୁଏ ଜ୍ୟେଷ୍ଠ ସନ୍ତାନ ମାଖି ଚନ୍ଦନ ଟିପା ।
ମାମୁଁ ଘରୁ ଆସେ ପୋଷାକ ଜ୍ୟେଷ୍ଠ ସନ୍ତାନ ପାଇଁ ।
ହଳଦୀ ଚାଉଳ ଦୂବରେ ମାଆ ଦିଏ ବନ୍ଦାଇ । 
ଆଶିଷ କାମନା କରେସେ ଗୁରୁଜନ ପ୍ରଣମୀ ।
ପଢୁଆଁ ସନ୍ତାନ ନାମରେ ଏହା ପଢୁଆଁଷ୍ଟମୀ ।
ମାନବୀୟ ଲୀଳା କରନ୍ତି ଲିଙ୍ଗରାଜ ଗୋସେଇଁ ।
ମାତୁଳାଳୟକୁ ଯାଆନ୍ତି ପଢୁଆଁ ହେବା ପାଇଁ ।
ବରୁଣେଶ୍ୱର ମାମୁଁ ତାଙ୍କ ବନଦେବୀ ଯେ ମାଇଁ ।
କପାଳୀ ମଠ ମାମୁଁ ଘର, ତାଙ୍କୁ ଥାଏ ଅନାଇ ।
ବନ୍ଦାପନା ପରେ ଫେରନ୍ତି ପ୍ରଭୁ ତାଙ୍କ ମନ୍ଦିର ।
ଲିଙ୍ଗରାଜଙ୍କ ଏ ଲୀଳାକୁ ଦେଖେ ସାରା ସଂସାର ।
ତନ୍ତ୍ର ସାଧନା ପାଇଁ ଏହା ଉପଯୁକ୍ତ ସମୟ ।
ପ୍ରଥମାଷ୍ଟମୀ ମଧ୍ୟ ରାତ୍ରୀ ଅଟେ ଉଲ୍ଲେଖନୀୟ ।
ଅଦ୍ୟା ଶକ୍ତି ନବ ଦୁର୍ଗା ସେ କାଳ ରାତ୍ରୀ ରୂପରେ ।
ଘୋର ରାତ୍ରର ସେ ମହିମା ଗାଥା ବର୍ଣ୍ଣନା କରେ ।
ତନ୍ତ୍ର ସାଧକ ମାନେ କରିଥାନ୍ତି ତନ୍ତ୍ର ସାଧନା ।
କାଳ ଭୈରବ ପୂଜି, ଥାନ୍ତି ସିଦ୍ଧି କାମନା ।

*ବୀରମହାରାଜପୁର, ସୁବର୍ଣ୍ଣପୁର*

ପ୍ରଥମାଷ୍ଟମୀ

କବିତା ଶୀର୍ଷକ- ପ୍ରଥମାଷ୍ଟମୀ 
!!!!!!!!!!!!!!!!!!!!!!!!!!!!!!!!!!!!!!!!!
      ପ୍ରଭାତ କୁମାର ମଲ୍ଲିକ 
     ××××××××××××××

ମାର୍ଗଶୀର କୃଷ୍ଣ  ଅଷ୍ଟମୀ ତିଥିରେ
      ପ୍ରଥମାଷ୍ଟମୀ ପରବ, 
ଗ୍ରାମରୁ ସହର   ଗୃହରୁ  ମନ୍ଦିର 
     ଖୁସିରେ ପାଳେ ମାନବ  ।।

ଉତ୍କଳ ପ୍ରଦେଶେ  ଜଗନ୍ନାଥ ଧାମେ 
     ପ୍ରଥମାଷ୍ଟମୀ ପରମ୍ପରା ,
ଜଗତ ମଧ୍ୟରେ   ସବୁଠୁ ନିଆରା
      କୁହନ୍ତି  ଦୁନିଆ ସାରା  ।।

ଓଡ଼ିଆ ଘରର ପ୍ରଥମ ସନ୍ତାନ 
     ପୁତ୍ରୀ ହେଉ ଅବା ପୁତ୍ର, 
ମାମୁଁଘର ଠାରୁ  ତାଙ୍କରି ପାଇଁକି 
      ଆସଇ  ନୂତନ  ବସ୍ତ୍ର  ।।

ସକାଳୁ ସକାଳୁ ସ୍ନାନ ଶୌଚ ସାରି 
        ନୂତନ ବସ୍ତ୍ର ପିନ୍ଧଇ ,
ଇଷ୍ଟ ଦେବ ଆଉ ଷଷ୍ଠୀ ଦେବୀଙ୍କୁ ସେ
        ଆନନ୍ଦ ମନେ ପୂଜଇ  ।।

ଶୀତ ସମୟରେ  ଶରୀର ପାଇଁକି 
        ହଳଦୀ ତ ଉପକାରୀ, 
ସେଥିପାଇଁ ମାଆ  ହଳଦୀ ପତରେ 
        ଗଢଇ ପିଠା ଏଣ୍ଡୁରୀ  ।।

ଝୋଟି, ମୂରୁଜରେ  ମାଆ ଭଉଣୀଏ 
        ସଜାନ୍ତି ଆମ ଘରକୁ, 
ଜାତି ଜାତି ଫୁଲ  ପକ୍ଷୀ ଓ ପଶୁର 
        ଚିତ୍ର କରନ୍ତି ମନକୁ  ।।

ଶିବପୁର, ଧାମନଗର, ଭଦ୍ରକ 
(ରାଇଘର, ନବରଙ୍ଗପୁର)

ପ୍ରଥମାଷ୍ଟମୀ

 ଡ. ପ୍ରିୟମ୍ବଦା ସାମଲ

ଉତ୍କଳୀୟ  ସଂସ୍କୃତି ପରମ୍ପରାର
ଆଦର ଅଟଇ ସରବ
ମାର୍ଗଶୀରର କୃଷ୍ଣ ଅଷ୍ଟମୀ ଅଟେ
ପ୍ରଥମାଷ୍ଟମୀ ପରବ।
ପ୍ରଥମ ସନ୍ତାନ ପଢୁଆଁ ହୁଅନ୍ତି
ନୂତନ ବସ୍ତ୍ରକୁ ପିନ୍ଧି
ପିଢାପରେ ବସି ପୂଜା ହୋଇଥାନ୍ତି
ଏ ଅଛି ଆମର ବିଧି। 
ମାମୁଁ ମାଇଁ ଆଣନ୍ତି ନୂତନ ବସ୍ତ୍ର
ପ୍ରଥମ ଭଣଜା/ଭାଣିଜୀ ପାଇଁ
ଅତ୍ଯନ୍ତ ଖୁସିରେ ଘର ଉଛୁଳଇ
ସତେକି ସରଗ ଭୂଇଁ। 
ଶୀତରେ ହଳଦୀ ରୋଗ ପ୍ରତିରୋଧ
ଦେହପାଇଁ ହିତକାରୀ
ହଳଦୀ ପତ୍ରର ଏଣ୍ଡୁରି ପିଠାର
ଶରୀର ପାଇଁ ଜରୁରୀ। 
ନଡିଆ ଛେନା ଖସାଏଣ୍ଡୁରି ପିଠା
ବାସ୍ନା ଅଟେ ଆକର୍ଷଣ
ମିଠା ମିଠା ତାର ସ୍ବାଦରେ ସତେ
ପୁରିଉଠେ ମନ ପ୍ରାଣ। 
ଜ୍ଯେଷ୍ଠ ସନ୍ତାନକୁ ଆଶିଷର ବାରି
ଦେଇଥାନ୍ତି ଗୁରୁଜନେ
ଆଶୀର୍ବାଦ ନେଇ ପ୍ରଥମ ସନ୍ତାନ
ପ୍ରଣମନ୍ତି ଖୁସି ମନେ। 
ଭୁବନେଶ୍ୱର।

ଜନ ସଚେତନ

ଯମଙ୍କ ଭଉଣୀ ଯମୁନା ନାମଟି

ବହୁ ଅଛି ନଈ ହୋଇ,

ଗଙ୍ଗା ,ଯମୁନା , ସରସ୍ବତୀ ନଈ

ଏକାଠି ସଙ୍ଗମ ସେହି

ଆହ୍ଲାବାଦ ଆଜି ପବିତ୍ର ହୋଇଛି

ତ୍ରିବେଣୀ ଘାଟକୁ ନେଇ ,

ହିନ୍ଦୁ ମାନଙ୍କର ପବିତ୍ର ତୀର୍ଥଟି

ଅସ୍ତି ବିଷର୍ଜନ ପାଇଁ

ତିବତୁ ବାହାରି ବାଙ୍ଗଲାଦେଶ ଦେଇ

ଭାରତ ଆସିଛି ସେହି

ଯମୁନା ନାମରେ ସୁକ୍ଷାତି ଲଭିଛି

ପବିତ୍ର ହିନ୍ଦୁଙ୍କ ପାଇଁ

ଭଗବାନ କୃଷ୍ଣ ଲିଳା କରୁଥିଲେ

ଗୋପି ଗୋପାଙ୍ଗନା ନେଇ

କଦମ୍ବ ମୂଳରେ ଯମୁନା କୂଳରେ

ରାଧାରାଣୀ ସଙ୍ଗେ ଥାଇ ା

ଅପବିତ୍ର ଆଜି ଯମୁନା ହୋଇଛି

କଳୁଷିତ ଲୋକ ପାଇଁ,

ଅବର୍ଜନା ବହି ଯମୁନା ଯାଉଛି

ଦେଖତ ଦୀଲ୍ଲୀରେ ଯାଇ

ମଣିଷ ପ୍ରକୃତି ଭୂଲେ ନାହିଁ କିଛି

ଜାଣେନା ନିଜ ସଣ୍ଠଣା ,

ଶବ ପଲିଥିନି ଅବର୍ଜନା ନେଇ

ନଦୀରେ ପକାନ୍ତି ସିନା

ନଦ ନଦୀ ଆଜି ଦୂଷିତ ହୋଇଛି

ଅବର୍ଜନା ଜରି ପାଇଁ,

ଲୋକଙ୍କ ଚେତନା ଯାଗ୍ରତ ନହେଲେ

ସ୍ବତ୍ସ ଭାରତ ନୁହଇ

ଶୁଣ ନର ନାରୀ ମୋ ଭାରତ ବାସୀ

ସଚେତନ ଆମେ ହେବା

ନଦ ନଦୀ ଆଉ ଆମ ପରିବେଶ

ନିର୍ମଳ ସଦା ରଖିବା

ସୁବାସ ଚଂଦ୍ର ତାରିଣୀ,

ତୁଳସି ପଲ୍ଲୀ ,

ଭଞନଗର,

ଗଞାମ

ପହିଲି ଶୀତ

# ନିଧି ସାହୁ #

(୧) 
ଗଙ୍ଗଶିଉଳିର ଭୁରୁ ଭୁରୁ ବାସ
ଝାପ୍ସା ଝାପ୍ସା ବସନ୍ତ ଆସରରେ
ହାଲ୍କା ହାଲ୍କା ମଳୟ ପରସ 
ଥିରି ଥିରି  ଶିରି ଶିରି ହାଓ୍ୱା
ଭରିଦିଏ ତନୁମନେ ଶୀତଳ ସମୀର ପରଶ
ଥଣ୍ଡା ଥଣ୍ଡା ପାଣିରେ ଦେହ ଭାଂଗେ ଅଳସ
   (୨) 

ଧୂଳି ଧୁଆଁ ଧୂସରିତ ଘନ କୁହୁଡିରେ 
ଲୁଚି ଲୁଚି ଯାଏ  ଜହ୍ନର ଜୋଚ୍ଛନା
ଫୁଲ ବଗିଚାରେ,ଘାସ ଗଲିଚାରେ ଝରିଯାଏ ମୁକୁତାର ପ୍ରୀତି ଭରା ବାସନା
ଓଦା ଆଖିର ମିଠା ସପନ ଗାଏ ଗୀତ
ପ୍ରୀତିର ଲଗନେ କରେ  ଆପଣା ଆପଣା
ସମୟର ଗଡାଣି ଉଠାଣିରେ
 ଜୀବନ ପାଏ ସରସେ ମୁହୂର୍ତ୍ତେ ଯନ୍ତ୍ରଣା। 

(୩) 
ଶିଶିର ଚାଦର ତଳୁ
ପରଦା ହଟେଇ ରବି ମୁହଁ ଝଲସେ
ଯୂଇ ଯାଇ ମଲ୍କୀ କଇଁ 
ଗେଣ୍ଡୁ ମାଳତୀ ଚମ୍ପାରେ ମହମହ ବାସେ
କେତେ ଯେ ମୂରୁଜେ ହସେ
ଦେବାଳୟ ପୁଣି ଚଉରାମୂଳ
ଟୋପା ଟୋପା  ଶିଶିର ବିନ୍ଦୁଙ୍କ ମଉଜେ
ମହକେ ଶୀତର ସୁନେଲି ସକାଳ
ଅଳସେ ଅଳସେ କଅଁଳ,  କଅଁଳିଆ ଖରା
ମନକୁ ନିଏ ଧିରେଧିରେ ମୋହି
ନୀରବି ଯାଏ ରଜନୀ ଥଣ୍ଡାର ଆଘାତେ
ନୀରବେ କଳାବାଦଲ ଘୋଡିହୋଇ
ଦିଗବଳୟରେ  ହଜେ ଘନ ଧୂଆଁ ସବୁ
ଅଦ୍ଭୂତ ତାତିର ପ୍ରୀତି ପାଇ
ଅଭୁଲା ସ୍ମ୍ରୁତି ର ଅମର ଗୀତକୁ ଗାଇ। 
*****************************

ସରାଟ, ବାଲିପାଟଣା,ଭୁବନେଶ୍ୱର

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy