Saturday, November 27, 2021

ପ୍ରଥମାଷ୍ଟମୀ

(ରାମକେରୀ ବୃତ୍ତ)
                  *ଶୁଭ୍ରାଂଶୁ ଶେଖର ପାଢୀ*
ଆଦ୍ୟ ମାସ ମାର୍ଗଶୀରର କୃଷ୍ଣ ପକ୍ଷ ଅଷ୍ଟମୀ ।
ଜ୍ୟେଷ୍ଠ ସନ୍ତାନର ଦିନ ସେ, ନାମ ପ୍ରଥମାଷ୍ଟମୀ ।
ମାଆ ପୂଜେ ଷଠୀ ଦେବୀଙ୍କୁ  ଭକ୍ତି ପୂର୍ଣ୍ଣ ମନରେ ।
ଜ୍ୟେଷ୍ଠ ସନ୍ତାନର ସୁଦୀର୍ଘ ଆୟୁଷ ଭିକ୍ଷା କରେ ।
ଯଶସ୍ୱୀ କରିକି ରଖ ମାଆ, ସନ୍ତାନକୁ ମୋହର ।
କୋଟିଏରେ ଜଣେ ହେଉ ସେ ବଢୁ ଯଶ ତାହାର ।
ହଳଦୀ ପତ୍ରରେ ପ୍ରସ୍ତୁତ ହୁଏ ଏଣ୍ଡୁରୀ ପିଠା ।
ସଜ ହୁଏ ଜ୍ୟେଷ୍ଠ ସନ୍ତାନ ମାଖି ଚନ୍ଦନ ଟିପା ।
ମାମୁଁ ଘରୁ ଆସେ ପୋଷାକ ଜ୍ୟେଷ୍ଠ ସନ୍ତାନ ପାଇଁ ।
ହଳଦୀ ଚାଉଳ ଦୂବରେ ମାଆ ଦିଏ ବନ୍ଦାଇ । 
ଆଶିଷ କାମନା କରେସେ ଗୁରୁଜନ ପ୍ରଣମୀ ।
ପଢୁଆଁ ସନ୍ତାନ ନାମରେ ଏହା ପଢୁଆଁଷ୍ଟମୀ ।
ମାନବୀୟ ଲୀଳା କରନ୍ତି ଲିଙ୍ଗରାଜ ଗୋସେଇଁ ।
ମାତୁଳାଳୟକୁ ଯାଆନ୍ତି ପଢୁଆଁ ହେବା ପାଇଁ ।
ବରୁଣେଶ୍ୱର ମାମୁଁ ତାଙ୍କ ବନଦେବୀ ଯେ ମାଇଁ ।
କପାଳୀ ମଠ ମାମୁଁ ଘର, ତାଙ୍କୁ ଥାଏ ଅନାଇ ।
ବନ୍ଦାପନା ପରେ ଫେରନ୍ତି ପ୍ରଭୁ ତାଙ୍କ ମନ୍ଦିର ।
ଲିଙ୍ଗରାଜଙ୍କ ଏ ଲୀଳାକୁ ଦେଖେ ସାରା ସଂସାର ।
ତନ୍ତ୍ର ସାଧନା ପାଇଁ ଏହା ଉପଯୁକ୍ତ ସମୟ ।
ପ୍ରଥମାଷ୍ଟମୀ ମଧ୍ୟ ରାତ୍ରୀ ଅଟେ ଉଲ୍ଲେଖନୀୟ ।
ଅଦ୍ୟା ଶକ୍ତି ନବ ଦୁର୍ଗା ସେ କାଳ ରାତ୍ରୀ ରୂପରେ ।
ଘୋର ରାତ୍ରର ସେ ମହିମା ଗାଥା ବର୍ଣ୍ଣନା କରେ ।
ତନ୍ତ୍ର ସାଧକ ମାନେ କରିଥାନ୍ତି ତନ୍ତ୍ର ସାଧନା ।
କାଳ ଭୈରବ ପୂଜି, ଥାନ୍ତି ସିଦ୍ଧି କାମନା ।

*ବୀରମହାରାଜପୁର, ସୁବର୍ଣ୍ଣପୁର*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy