Friday, September 3, 2021

ନୂଆଖାଇ

 ଶୀର୍ଷକ... *"ନୂଆଖାଇ"*


*ଶ୍ରୀ ଶରତ ଚନ୍ଦ୍ର ପଣ୍ଡା*

ଶୁଣ ପିଲା ମାନେ ପରବ ଗୋଟିଏ

ଆମ ରାଇଜରେ ଖ୍ୟାତ,,

ଜାଣିଥିଲେ ତମେ ଉପକୃତ ହେବ

କାମେ ଲାଗିବ ନିଶ୍ଚିତ ll...0


ଓଡିଶା ଅଟଇ ଅନ୍ୟତମ ରାଜ୍ୟ

ଆମ ଭାରତ ବର୍ଷର,,

ଆମ ଇତିହାସ ମୋ ଦେଶ ପରିକା

ଅଟଇ ପୁରା ଯୁଗର ll..... ୧


ଆମ ଜାତି ଇତିହାସ ବଖାଣଇ

ଓଡ଼ିଆ ପର୍ବ ପର୍ବାଣୀ

*ନୂଆଖାଇ* ଏକ ଗଣପର୍ବ ବୋଲି

ତା'ମଧ୍ୟରୁ ଅଛୁ ଜାଣି l..... ୨


*ନୂଆଖାଇ* ଅବା *ନବlନ୍ନ* କୁହନ୍ତୁ

ପଶ୍ଚିମ ଅଞ୍ଚଳ ପର୍ବ,,

ନୂଆ ଧାନ ଚାଷୀ ଅମଳ କରିଲେ

ପାଳନ୍ତି ଉଲ୍ଲାସେ ସର୍ବ l..... ୩


*ଭାଦ୍ରଵ ମାସର ଶୁକ୍ଳ ପଞ୍ଚମୀ**ରେ

ପାଞ୍ଜି ପଢ଼ି ରଖି ଚିହ୍ନ,,

*ଶ୍ରୀଗଣେଶ ପୂଜା ପରଦିନ* ପଡ଼େ

ସମୟ ଟି ଏକ ଦିନ ll..... 4



ଶରତ ଋତୁଟି ଉପଯୁକ୍ତ ବେଳା

ଶସ୍ୟ ଅମଳ ର ପରେ,,

*ଇଷ୍ଟଦେବୀଙ୍କୁ* ଯେ ସମର୍ପଣ କରି

ଆନନ୍ଦ ତ ଘରେ ଘରେ l.....୫



ପ୍ରଥମେ *ଲଗନ* ସ୍ଥିର ହୁଏ ପରେ

ଆରିସା ହୁଅଇ ଭୋଗ,,

ଗଣପର୍ବ ନେଇ ପରିବାର ମୁଖ୍ୟ

ସ୍ୱତନ୍ତ୍ର ତାହାଙ୍କ *ଯୋଗ*  l..... ୬



ମୁଖିଆ ହାତରୁ ଅନ୍ନ ପ୍ରାପ୍ତି ପରେ

ପ୍ରଣାମ ଵିଧି ରହିଛି,,

ପୂର୍ବ ମତଭେଦ ଏହି ପର୍ବେ *ଚ୍ଛେଦ*

ଏ ବିଧାନ ଅଛି କିଛି l..... ୭



ଯିଏ ଯହିଁ ଥିବେ ନିକଟେ କି ଦୂରେ

ଆସନ୍ତି ଶ୍ରଦ୍ଧାରେ ଫେରି,,

ଅତ୍ୟନ୍ତ ଦୂରରୁ ନଆସି ପାରିଲେ

*ଦଶରlଷ୍ଟମୀ* ରେ କରି l..... ୮



କଳାହାଣ୍ଡି ଜିଲ୍ଲା ଅନେକ ସ୍ଥାନରେ

*ଭାଦ୍ରଵ ଶୁକ୍ଳ ଦଶମୀ*,,

ପୂର୍ବ ଓଡିଶାରେ ଅlଶ୍ୱିନ ମାସରେ

*ମହାଳୟl* ରେ ଅରମ୍ଭୀ l..... ୯



ଏହା ଭାରତର ବିଭିନ୍ନ ପ୍ରାନ୍ତରେ

*ମୁଳ ବାସିନ୍ଦାଙ୍କୁ* ନେଇ,,

ଗୁଜୁରାଟ, ମୁମ୍ବାଇ, ଚେନାଇ ଓ ଦିଲ୍ଲୀ

ଛତିଶଗଡ଼ ରେ ତହିଁ ll..... ୧o



*ମlଉଳୀ* ଦେବୀଙ୍କୁ ଅନ୍ନ, କ୍ଷୀରି, ପିଠା

ସର୍ବାଗ୍ରେ ଅର୍ପଣ କରି,,

ଏକତ୍ରିତ ବସି ଭୋଜନ କରନ୍ତି

ଭେଟ ଘାଟ ଶେଷେ କରି l.....୧୧



*ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ*

*ହେମା ନୂଆଖଇ ଭେଟ୍,,*

*ସଂସାର ଡୋର୍ ଥି ବନ୍ଧା ହୋଇଥିମା*

*ଗାଁ ଯାକର୍ ହେଇ ମେଂଟ୍ l*..... ୧୨



ନୂଆଖାଇ ପରଦିନ *ବlସି* ବୋଲି

ଏକ ବିଧାନ ରହିଛି,,

ନୂଆଖାଇ ଦିନ ଆଇଁଷ ନ'ଥାଏ

ଏହିଦିନ ଵିଧି ଅଛି l..... ୧୩


 At.. *ନଗୁଆଁ, P. O..ଦରକୁଣ୍ଡି, Dist..ଯାଜପୁର l*

Thursday, September 2, 2021

"ମୋ ସୁଦଂର ବିଦ୍ୟାଳୟ"

🏫"ମୋ ସୁଦଂର ବିଦ୍ୟାଳୟ"🏫
----------------------------------------
ଗାଁରେ ଆମ ବିଦ୍ୟାଳୟ ,
ପଢେ ମୁଁ ସେଠି ପାଠ ।।
ଗୁରୁ କହନ୍ତି ତୁ ତ ଦିନେ , 
ହବୁ ଉତ୍ତମ ଚାଟ ।।
ଆମ ସୁଲ ଗାଁ ଠାରୁ ,
ଅଛି ଅଳ୍ପ ଦୂରେ ।।
ଦେଖି ବାକୁ ଅତି ସୁଂଦର ,
ସଭିଙ୍କ ମନହୋର ।।
ବଗିଚାରେ ଫୁଲ ଗଛ ,
ଲାଗିଛି ଧାଡି କି ଧାଡି ।।
ସଭିଏଁ ଖାଏ ଧାଡିରେ ବସି ,
ଲାଗେତ ରେଳ ଗାଡି ।।
ଛୁଆଁ ଅଛୁଆଁରେ ନାହିଁ ତ ଭେଦ ,
ନାହିଁ ତ ଏଠି ଇଷା ।।
ଗୁରୁଜି ଗୁରୁମା ଝରାନି ,
ନୂତନ ଶିକ୍ଷାର ବର୍ଷା ।।
ବିଦ୍ୟାଳୟ ଭିତରେ ,
ଛୋଟିଆ ପାଠାଗାରା ।।
ଶିକ୍ଷାର ବର୍ଷା ଏଠି ,
ସବୁ ଋତୁ ସାରା ।।
ସବୁ ଜାତରା ପଷରା ମେଲି ,
ଗଛ ଭଳିକି ଭଳି ।।
ମହାଖୁସିରେ ଡେଣା ହଲାଇ 
ମନକୁ ଯାଏ ଜିଣି
------------ସମାପ୍ତ-------------- 

ନାମ - ତୁଳସୀ ପ୍ରଧାନ 
ଶେଣି - ଅଷ୍ଟମ
ବିଦ୍ୟାଳୟ -  Odisha Adrasha Vidyalaya Jilundipalli Bhanjanagar

Wednesday, September 1, 2021

ରାକ୍ଷୀ ଓ ଜଗନ୍ନାଥ

*ଆଲୋକ କୁମାର ଜେନା*
ସୁନ୍ଦର କାହାଣୀ ଟିଏ ପଢ଼ିବେ ନିଶ୍ଚୟ , ଆଖିରେ ଲୁହ ଆସିଯିବ ।

ଆପଣ ମାନେ ପ୍ରାୟ ସମସ୍ତେ ପୁରୀ ଯାଇଥିବେ ଜଗନ୍ନାଥ ଦର୍ଶନ ପାଇଁ । ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ  "ମାଳତୀ ପାଟପୁର" । ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟକ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର  ।
ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି , ଆସନ୍ତୁ ପଢ଼ିବା ସେ କାହାଣୀ ।
ପାଟପୁର ଗ୍ରାମର ଏକ ଗରିବ ପରିବାର ।ଯେଉଁ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷ ଲୋକଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ ।
ବିଧାତା ର ନିଷ୍ଠୁରତା ଆଗରେ କେତେ ରଥୀ ମହାରଥୀ ମାନେ ମଧ୍ୟ ହାର୍ ମାନନ୍ତି ମଣିଷ ତ ଛାର ।
ହଠାତ୍ ଦିନେ ସନ୍ଧ୍ୟା ରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀ ର ମୃତ୍ୟୁ ହୋଇଗଲା , ଭାଙ୍ଗି ପଡ଼ିଲା ବିଚରା ସ୍ତ୍ରୀ ଜଣକ ।
ପୁଅକୁ ସେତେବେଳେ ୫ ବର୍ଷ ଆଉ ଝିଅ ମାଳତୀ କୁ ୩ ।
କର୍ପୂର ସିନା ଉଡିଗଲା ହେଲେ କନା ଖଣ୍ଡକ ତ ଅଛି । କୁନି ପୁଅର ଦୋରଣ୍ଡି କଥା ଓ କୁନି ଝିଅ ମାଳତୀ ର ଗୁରୁଣ୍ଡି ଚାଲିରେ ସ୍ଵାମୀ କୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଜଣକ ।

ବିଧିର ବିଧାନ କେ କରିବ ଆନ ? ବୋଝ ଉପରେ ନଳିତା ବିଡା ପରି ସ୍ଵାମୀ ର ମୃତ୍ୟୁ କୁ ମନରୁ ନ ଭୁଲୁଣୁ ସେମିତି ସର୍ପାଘାତରେ ପୁଅର ମୃତ୍ୟୁ ହେଲା । 
ଶରୀରରେ ମେରୁଦଣ୍ଡ ଭାଙ୍ଗିବା ପରେ ଶରୀରର ଅବସ୍ଥା ଯେମିତି ହୁଏ ସେମିତି ସ୍ତ୍ରୀ ଲୋକଟିର ମାନସିକ ଅବସ୍ଥା ହୋଇ ପଡ଼ିଲା ।

ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା । ସ୍ତ୍ରୀ ଲୋକ ଜଣକ କାହା ଘରେ ବାସନ ମାଜି, କାହା ଘରେ ଝାଡୁ କରି ଯାହା କିଛି ରୋଜଗାର କରେ ସେଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଚଳି ଯାଆନ୍ତି ଉଭୟ ମା ଓ ୫ ବର୍ଷର ଝିଅ ମାଳତୀ ।

ଖୁବ୍ ଜାକଜମକରେ ରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମଧ୍ୟ ବାଦ୍ ପଡେ ନାହିଁ । ରାକ୍ଷୀ ପୂର୍ଣ୍ଣିମା ର ଦୁଇ ଦିନ ଆଗରୁ ମାଳତୀ ର ସାଙ୍ଗ ମାନେ ରାକ୍ଷୀ କିଣୁଥିଲେ । 

ଛୋଟ ପିଲା ମାଳତୀ ଏହା ଦେଖି ମା ପାଖରେ ଯାଇ ଅଳି କରିଲା " ଏ ମା , ମା ଲୋ ମୋତେ ବି ପଇସା ଦେ ! ମୁଁ ବି ରାକ୍ଷୀ କିଣିବି " ।
ମା ମାଳତୀ ମୁଣ୍ଡକୁ ଆଉଁସି କାହା ଘରୁ କାମ କରି ଆଣି କାନିରେ ବାନ୍ଧି ରଖିଥିବା ଦଶ ପଇସି ଟେ ଧରେଇ ଦେଲା ମାଳତୀ ହାତକୁ ।
ପର ଦିନ ସକାଳୁ ମାଳତୀ ଦୋକାନ ଯାଇ ରାକ୍ଷୀ ଟିଏ କିଣିଲା , ସାଙ୍ଗ ମାନଙ୍କ ଠାରୁ ବୁଝିଲା ଯେ ଏଇଟା ଭାଇ ମାନଙ୍କ ହାତରେ ବନ୍ଧା ଯାଏ ।
ସନ୍ଧ୍ୟା ରେ ଖେଳା ଖେଳି ସାରି ଘରକୁ ଫେରିଲା ମାଳତୀ , ଦିନ ସାରା କାମରେ କ୍ଳାନ୍ତ ହୋଇ ଚିରା ସପ ଟିଏ ବିଛେଇ ତଳେ ଶୋଇଥାଏ ମା । ମା ପାଖରେ ବସି ମାଳତୀ ପଚାରିଲା "ମା ମୋ ଭାଇ କାହିଁ ? ମୋ ସବୁ ସାଙ୍ଗ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା , ମୋ ଭାଇ କଉଠି ଅଛି କହ ମୁଁ ବି ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ" ।
କାନ୍ଦି ପକେଇଲା ମା ଜଣକ । 

ମାଳତୀ କୁ କୋଳେଇ ନେଇ କହିଲା ତୋ ଭାଇ ର ନାଁ ହେଉଛି ଜଗା ଭାଇ ଆଉ ସିଏ ଶ୍ରୀମନ୍ଦିର ରେ ରହେ ତୁ ତା ହାତରେ ରାକ୍ଷୀ ବାନ୍ଧିବୁ ।

ଛୋଟ ପାଞ୍ଚ ବର୍ଷ ର କୁନି ଝିଅ ମାଳତୀ ,କଣ ବା ଜାଣେ ସଂସାର ବାବଦରେ , କଣ ବା ଜାଣେ ମୋହ,ମାୟା । ରାତି ୪ରୁ ଉଠି ହାତରେ ରାକ୍ଷୀ ଧରି ଚାଲିଲା ମାଳତୀ ଶ୍ରୀମନ୍ଦିର ଆଡ଼କୁ ତା ମା କହିଥିବା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ।
ବାଟ ସାରା ଲୋକଙ୍କୁ ରାସ୍ତା ପଚାରି ପଚାରି କୁନି କୁନି ଖାଲି ପାଦରେ ମାଳତୀ ଯାଇ ପହଞ୍ଚିଲା ଗାଁ ଠାରୁ ଦଶ କିଲୋମିଟର ଦୂର ଶ୍ରୀମନ୍ଦିର ରେ ।

ମନ୍ଦିର ର ସବୁ ପଣ୍ଡା ,ସେବାୟତ, ସୁଆର ଯାହାକୁ ଦେଖିଲା ପଚାରିଲା ମୋ ଜଗା ଭାଇକୁ କେହି ଦେଖିଛ କି ସିଏ ଏ ମନ୍ଦିର ରେ ରହେ । କିଏ ବା କାହିଁ ଜାଣିବ କିଏ ତା ଜଗା ଭାଇ , ସମସ୍ତଙ୍କର ସେହି ଗୋଟିଏ ଉତ୍ତର ନା ଆମେ ଜାଣିନାହୁଁ ।
ମନ୍ଦିର ର ସବୁ ପୂଜାର୍ଚ୍ଚନା , ନୀତିକାନ୍ତି ସରିଲା , ପହଡ଼ ପଡ଼ିଲା ମାଳତୀ ସେମିତି ଖୋଜୁଥାଏ ଜଗା ଭାଇକୁ ।
 ୫ ବର୍ଷର ପିଲାଟିଏ ଦିନ ସାରା ଅଖିଆ ଅପିଆ , ସେଥିରେ ପୁଣି ଦୀର୍ଘ ଦଶ କିଲୋମିଟର ଖାଲି ପାଦରେ ଚାଲି ଚାଲି ପାଦ ସାରା ଫୋଟକାମୟ ହୋଇ ଯାଇଥାଏ  , ଦିନ ସାରାର ଥକ୍କା ମେଣ୍ଟାଇବା ପାଇଁ ପହଡ଼ ପଡିବା ପରେ ଭାଇକୁ ନପାଇ କାନ୍ଦି କାନ୍ଦି ଶୋଇ ପଡ଼ିଲା ସିଂହ ଦ୍ଵାରା ର ଏକ କୋଣରେ ଜୀର୍ଣ୍ଣ ଶୀର୍ଣ୍ଣ ଏକ ମଣିଷ ପରି ମାଳତୀ ।

ମଧ୍ୟ ରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିସ୍ତବ୍ଧ , କେହି ଜଣେ ଆସି ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା " ମାଳତୀ ଏ ମାଳତୀ ଉଠ ଏବେ ! ମୁଁ ପରା ତୋ ଜଗା ଭାଇ , ଆସେ ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା ତୋ ବୋଉ ତତେ ଦିନ ସାରା ଖୋଜୁଛି "। 

ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇ ଗଲା ମାଳତୀ ଦେହରୁ । ଖୁସିରେ ରାକ୍ଷୀ ବାନ୍ଧି ବାହାରିଲା ଘରକୁ । ଯାଉ ଯାଉ ଅଟକି ଗଲା ପଛକୁ ଫେରି ଜଗା ଭାଇକୁ କହିଲା ଭାଇ ତୁ ବି ଚାଲ ମୋ ସାଙ୍ଗରେ ମୋତେ ଡ଼ର ଲାଗିବ ବାଟରେ ଏକା । 
ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା ମୋର  କାମ ଅଛି ମୁଁ ପରେ ଯିବି , ତୁ ଏକା ଯା ମୁଁ ତୋ ପଛେ ପଛେ ଯାଉଛି ଯେତେବେଳେ ଡ଼ର ଲାଗିବ ତୁ ଖାଲି ପଦେ କହିବୁ - ଜଗା ଭାଇ ତୁ କଉଠି , ମୋତେ ଡ଼ର ଲାଗୁଛି ।
ଆଉ ମୁଁ ଆସି ପହଞ୍ଚି ଯିବି ତୋ ପାଖରେ ।
ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଲା । ମା ମାଳତୀ କୁ ପଚାରି ବୁଝିଲା ଯେ ସେ ମନ୍ଦିର ଯାଇଥିଲା ଆଉ ତା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଲା । ମା ବୁଝି ପାରିଲା ନାହିଁ ଝିଅର କଥା ଭାବିଲା ଛୋଟ ପିଲାଟା ଯାହା ମନକୁ ଆସୁଛି କହୁଛି ।
ଦିନ ସାରା ମାଳତୀ କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ମାଳତୀ ର ମା ମାଳତୀ କୁ ପାଖରେ ପାଇ ଖୁସିରେ ଅନ୍ୟ କୌଣସି କଥା ମନକୁ ପୂରେଇଲା ନାହିଁ ।

ପର ଦିନ ଭୋରୁ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ଵକର୍ତ୍ତା , ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଡ଼ ଫିଟାଗଲା , ସମସ୍ତେ ଆଚମ୍ଵିତ , ସମସ୍ତେ ଆଶ୍ଚର୍ଯ୍ୟ ! ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ ?

ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ସଙ୍ଗେ ସଙ୍ଗେ ଆସି ମନ୍ଦିର ରେ ପହଞ୍ଚିଲେ ମହାରାଜ ।
ସବୁ ସେବାୟତ ମାନଙ୍କୁ ପଚରା ଗଲା ପହଡ଼ ପଡ଼ିବା ପରେ କିଏ ଆସିଥିଲା କାଲି ମନ୍ଦିର କୁ ?
ସମସ୍ତଙ୍କର ଗୋଟିଏ ଉତ୍ତର ଆମେ ଜାଣିନାହୁଁ !

ଅଧିଆ ପଡ଼ିଲେ ମହାରାଜ ଛାମୁ ଙ୍କ ପାଖରେ । ସ୍ଵପ୍ନାଦେଶ ରେ ମହାପ୍ରଭୁ ଜଣେଇଲେ " ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ , ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ । ହେଲେ ତମେ ମାନେ କେହି ବି ତାର ଦେଖା କରେଇଲ ନାହିଁ ମୋ ସହ । ରାତିରେ ସେ ସିଂହ ଦ୍ଵାର ପାଖରେ ଶୋଇଥିଲା , ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ " । ରାଜା  ବଡ଼ପଣ୍ଡା ଙ୍କ ଠାରୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ  କାଲି ଜଣେ ୫ ବର୍ଷର ଝିଅ ଆସିଥିଲା , ଖୋଜୁଥିଲା ତା ଜଗା ଭାଇକୁ ।

ସମସ୍ତ ପଣ୍ଡା ପଢିଆରୀଙ୍କୁ ଧରି ରାଜା ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀ ଘରେ ।
ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ , ଆଉ କୁନି ଝିଅ ମାଳତୀ ରାଜାଙ୍କୁ ଦେଖି ଭୟଭୀତ ହୋଇ ମା କୁ ଜାବୁଡି ଧରିଲା । ଗତକାଲି ମାଳତୀ ମନ୍ଦିର ଯାଇଥିଲା ବୋଲି ମା ଜାଣିଥିଲେ ।

ମାଳତୀ ର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା " ଛାମୁ ମୋ ଝିଅ କାଲି ମୋତେ ନ ଜଣେଇ ମନ୍ଦିର ଯାଇଥିଲା । ଛୋଟ ପିଲାଟା ସେ ଯାହା ବି ଭୂଲ କରିଛି କ୍ଷମା କରନ୍ତୁ ପ୍ରଭୁ । ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ ହେଲେ ମାଳତୀ କୁ କ୍ଷମା କରନ୍ତୁ ମହାରାଜ " ।

ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢିଆରୀ ଦୌଡି ଆସିଲେ ମାଳତୀ ପାଖକୁ ,ପଡିଗଲେ ମାଳତୀ ର ପାଦ ତଳେ । " ମା ଲୋ ଆମକୁ କ୍ଷମା କରିଦେ  ଆମେ ତୋତେ ଚିହ୍ନି ପାରିଲୁ ନାହିଁ । ସ୍ଵୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ ବାହାରକୁ ହେଲେ ଆମେ ଅଧମ ତୋତେ ମନ୍ଦିର ଭିତରକୁ ଛାଡିଲୁ ନାହିଁ । ମା ଲୋ ତୁ ଆମ କୋଟି ଓଡ଼ିଆ ଙ୍କ ମଉଡ଼ ମଣୀର ଭଉଣୀ ଆମେ ତୋ ଦାସାନୁଦାସ ର ଦାସ ଆମକୁ କଣ କ୍ଷମା ଦେବୁନାହିଁ" ।

ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିର କୁ ଆଉ ସେଦିନ ଠାରୁ ମହାରାଜା ପାଟପୁର ର ନାମ ପରିବର୍ତ୍ତନ କରି ମାଳତୀ ପାଟପୁର ରଖିଲେ ।

*ଧନ୍ୟବାଦ*
*ଆଲୋକ କୁମାର ଜେନା*

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy