Thursday, October 29, 2020

ତବ ସାଥେ ଅନୁଗାମେ

ତାପ୍ତିମୟୀ ପଣ୍ଡାମିଶ୍ର, 
ମେଲଛାମୁଣ୍ଡା ବରଗଡ ।

ଆହେ ଆର୍ତ୍ତତ୍ରାଣ କର ପରିତ୍ରାଣ 

ମୋକ୍ଷ ନିର୍ବାଣ ମୋ ଅର୍ଥେ 

କରେ ମୁଁ ବିନତି ହାତ ଯୋଡି ପଦେ 

ଭାଗ୍ୟ ଡୋରୀ ତୁମ ହାତେ ।।


ବିଧିର ବିଧାନ କରିଦିଅ ଆନ 

ନିରାଶା ଜୁଆରେ ଡୁବେ 

ପଥହରା ମୁଁ ଯେ ପଥିକ ଟିଏ ହେ

ଦୁଃଖ ସାଗର ଏଭବେ ।।


ପୂଣ୍ୟ ତରି ଟିଏ ତୁମେ ତ' କାଳିଆ 

ଭରସା କରି ଚାଲିଛି 

ଜୀବନ ପରିଧି ବେଷ୍ଟନୀ ଭିତରେ 

ନିତି ତୁମକୁ ଖୋଜୁଛି ।।


ତୁଣ୍ଡେ ହରି ନାମ ମହାମନ୍ତ୍ର ଧରି 

କୃଷ୍ଣମୟ କରି ପ୍ରାଣ 

ସାନିଧ୍ୟ ଟିକିଏ ପାଇବା ପାଇଁ କି 

ପ୍ରତିକ୍ଷିତ ଏ ଜୀବନ ।।


କୃଷ୍ଣ ନାମ ସାର ସବୁ ତ' ଅସାର 

କଳି ଯୁଗେ ତରିବାକୁ 

ହୃଦୟ ବୀଣା ମୋ ଝଙ୍କୃତ ହେଉଛି 

ସଂକିର୍ତ୍ତନ ଶୁଣିବାକୁ ।।


ନାମାମୃତ ପିଇ ତୃଷ୍ଣା ମେଣ୍ଟାଉଛି 

ମଜ୍ଜି ରହି କୃଷ୍ଣ ନାମେ 

ଛନ୍ଦି ଦିଅ ଥରେ ମୋ ହୃଦ ତନ୍ତ୍ରୀକୁ 

ତବ ସାଥେ ଅନୁଗାମେ ।।


🚩🚩ତୁହି ମା ଉତ୍କଳ ମାତା🚩🚩

✍🏻ରଶ୍ମିତା ଜେନା (ଶିକ୍ଷୟିତ୍ରୀ)

ନୟାପଲ୍ଲୀ,ଭୁବନେଶ୍ୱର


ବୀର ପ୍ରସବିନୀ ହେ ପୂଜ୍ୟା ଜନନୀ 

      ଅପରୂପା ଅନିନ୍ଦିତା 

ପୁଣ୍ୟ ଗର୍ଭେ ତୋର ପ୍ରଗତି ର ଭାର 

       ଯୁଗ ଯୁଗ ଦିବ୍ୟ ଗାଥା 

ଉତ୍କୃଷ୍ଟ ଗୌରବ ଉତ୍କର୍ଷ ଐତିହ୍ୟ

      ଯା ବକ୍ଷେ ସଦା ସାଇତା.......... 

 ପୂର୍ଣ୍ଣଗର୍ଭା ଚିର ନମସ୍ୟା

ତୁହି ମା ଉତ୍କଳ ମାତା        lll


ତୋ ସ୍ନେହୀ କୋଳ କୁ ଆବୋରି ବସିଲେ 

         ଐର ଯଯାତି ଅନଙ୍ଗ

  ମୁକୁନ୍ଦ ପ୍ରତାପ ଲାଙ୍ଗୁଳା ଚୋଡ଼ଗଙ୍ଗ 

       ଧନ୍ୟ ବୀର ଉତ୍ତମାଙ୍ଗ   

ବିଜୟ ବାହୁଡା଼ ପଥ ଧାର ଚାହିଁ                   

   ଓଡ଼ିଆଣୀ ଜାଳେ ସଳିତା.....

ପୁଣ୍ୟ ପ୍ରଦାୟିନୀ ମା ମୋର 

ତୁହି ମା ଉତ୍କଳ ମାତା         lll


ସ୍ୱର୍ଣ୍ଣାକ୍ଷରେ ଲେଖା କୋଣାର୍କ ମନ୍ଦିର 

       ଧର୍ମପଦ ର କଥା 

ପତିତ ପାବନ ଜଗନ୍ନାଥ ଧାମ 

      ଉତ୍କଳ ଆଦି ଦେବତା 

ପୟର ପଖାଳେ ପାରାବାର ଯାର 

    ତରଙ୍ଗ ଗାଉଛି ଗାଥା....... 

  ପୂର୍ଣ୍ଣଗର୍ଭା ଚିର ପବିତ୍ରା 

ତୁହି ମା ଉତ୍କଳ ମାତା          ll


ସାରଳା ଉପେନ୍ଦ୍ର ରାଧାନାଥ ଭଞ୍ଜ 

     ସୃଷ୍ଟି ତାଙ୍କ କାଳଜୟୀ

ଚଣ୍ଡାଶୋକ ହୁଏ ଧର୍ମ ରେ ଉଦବୁଦ୍ଧ  

     ଏହି ଭବ୍ୟ କ୍ଷେତ୍ର ସେହି 

ଭାଗ୍ୟବାନ କରେ ଭାଗବତ ମାଳା

ଓଡ଼ିଆ ଆତ୍ମା ର କଥା..........

ସଦା ବିଜେ ଶାନ୍ତି ସମତା..... 

ତୁହି ମା ଉତ୍କଳ ମାତା          lll


ସଙ୍ଗୀତ ନୃତ୍ୟ ରେ ବିଶ୍ୱରେ ବରେଣ୍ୟ             

         ଓଡ଼ିଆ ଙ୍କ କାରିଗରୀ 

କଳା ନୈପୁଣ୍ୟ ର ଭାସ୍କର୍ଯ୍ୟ ଭୂଇଁ ଏ 

      ଯୁଗ ଯୁଗ ଶୋଭା ଶିରୀ 

ଝାଞ୍ଜ ମର୍ଦ୍ଦଳ ରେ ନିତି ଶୁଭେ ଯାର 

         ମମତା ଓ ମହନୀୟତା...... 

 ବିଶ୍ୱେ ଦେଉ ଶାନ୍ତି ବାରତା  

ତୁହି ମା ଉତ୍କଳ ମାତା          lll

ଦଶହରା ଅନୁଭୁତି


          ସୁକାନ୍ତ ଖଣ୍ଡା

ଦିନେଶ ଦଶହରା ଦେଖିବାକୁ ଉତ୍ସୁକତା ବଶତଃ ଘଟଗାଁ ବୁଲି ଯାଇଥିଲା। ତାକୁ ମାଆ ଦଶଭୁଜା ଦର୍ଶନ କରିବାର ଥିଲା। ପ୍ରାର୍ଥନା,ପ୍ରଣାମ ଓ ଆଶୀର୍ବାଦ ନେବାର ଥିଲା। ଦେହ ଓ ମନରେ ଅସରନ୍ତି ଭାବନା। ମାଆ ଘରେ ନବରାତ୍ର ପାଳୁଥିଲେ ତ କୌଣସି ଆଡେ଼ ବୁଲିବାକୁ ଦେଉ ନ ଥିଲେ। ସବୁଦିନ ମାଆଙ୍କୁ ସାହାଯ୍ଯ ସହଯୋଗ ସାଙ୍ଗେ ନବରାତ୍ରରେ ସମୟ କଟେଇ ଦେଇଛି। ଆଜି ବିଜୟା ଦଶମୀ ମୋତେ ମାଆ ଦଶ ଭୁଜାଙ୍କର ଦର୍ଶନ ନେବାର ଅଛି।

          ଦିନେଶ ଘରେ କାହାକୁ କିଛି ନ କହି ଘଟଗାଁ ଚାଲିଚାଲି ଦଶ କି.ମି. ପଳେଇଲା। ତା'ର ତ  ନିଶା କି ମାଆଙ୍କୁ ଦର୍ଶନ କରିବ। ସେ ଭାରି ଆନନ୍ଦିତ ଯେ ଅଳ୍ପ ସମୟ ହେଉପଛେ ଦର୍ଶନ କରି ଫେରି ଆସିବ। ଦିନେଶ ଦୌଡି଼ଦୌଡି଼ ଯାଇ ଘଟଗାଁରେ ପହଂଚିଲା ଧଇଁସଇଁ ହୋଇ ମାଆ ଦର୍ଶନ କରିବାକୁ ଗଲାବେଳେ ପୋଲିସ୍ ହାବୁଡ଼ରେ ପଡି଼ଗଲା। ପୋଲିସ୍ କିଛି କହିବା ଆଗରୁ ଦୁଇଚାରି ଦେତ ଲଦିଦେଲେ। ଦିନେଶର ତ ଅଳ୍ପ ବୟସ ପୋଲିସଙ୍କ ନାଲି ଆଖି ଆଗରେ ସବୁ ଫିକା ପଡି ଯାଇଥିଲା। ସେ ଭେଁ କିନା କାନ୍ଦି ଉଠିଲା। ଦିନେଶ କିଛି କହିବା ଆଗରୁ ପୋଲିସ୍ କହିଲା,"ମୁହଁରେ ମାକ୍ସ କାହିଁ,ହାତରେ ସାନିଟାଇଜର ଲଗେଇଛୁ?" ଦିନେଶ ଏ ସବୁକୁ ବ୍ଯବହାର କରିବା ଜଣାଥିଲା ହେଲେ ମାଆଙ୍କର ଦର୍ଶନରେ ଏତେ ଆକୃଷ୍ଟ ଓ ବିଭୋର ହୋଇ ଯାଇଥିଲା ଯେ ଏସବୁ ଲଗେଇବା ଭୁଲି ଦୌଡି଼ ଆସିଲା। ପୋଲିସ୍ ଦେଖିଲା ମାତ୍ର ସାତ ଆଠ ବର୍ଷର ବାଳକଟିଏ । ମାଡ଼ ଦେଲେ ବି ହୃଦୟରେ ସ୍ଥାପନ ହେଲା ଦୟା ଓ କରୁଣା। ସେ ମାକ୍ସ ପିନ୍ଧାଇ ଓ ସାନିଟାଇଜର ଲଗେଇ ଦଶଭୁଜା ମାଆଙ୍କର ମେଢ଼ ବୁଲାଇ ପେଟେ ଭୋଗ ଖୁଆଇ ଥାନାରେ ଅଟକ ରଖିଲେ।

             କିଛି ସମୟ ପରେ ଦିନେଶକୁ ପଚାରି ବୁଝିଲେ କି ତୋ'ର ଘର ଠିକଣା ଓ ମୋବାଇଲ ନମ୍ବର। ଦିନେଶ ସବୁ ସତ କଥା କହିଲା ତ ପୋଲିସ୍ ମୋବାଇଲ ଲଗାଇଲେ। ମୋବାଇଲ ମାଆ କାନ୍ତିରାଣୀ ଧରିଲେ ଓ ନିଜ ସ୍କୁଟିରେ ଯାଇ ନେଇ ଆଣିବାକୁ ଗଲେ। ମାଆ ପୋଲିସ୍ ବାବୁଙ୍କୁ କୃତଜ୍ଞତା ଜଣାଇ ଓ ମାଆ ଦଶଭୁଜାଙ୍କୁ ପ୍ରଣାମ କରି ଦିନେଶକୁ ନେଇ ଆସିଲେ।

           ଘରେ ପହଁଚି ଦିନେଶ ମାଆ  ଦଶଭୁଜାଙ୍କ ଉଦ୍ଦେଶ୍ଯରେ ପ୍ରାର୍ଥନା କରି କହିଲା,"ମାଆ ! ଏମିତି କାହିଁକି ହେଲା। ମୁଁ ତ କେବଳ ଦର୍ଶନ ସାରି ଫେରି ଆସିଥାନ୍ତି। ଗହଳି ଭିତରକୁ କି କାହାକୁ ସୁଦ୍ଧା ଛୁଇଁ ନ ଥାନ୍ତି?" ଏ ଆକୁଳ ଡାକରେ ମାଆ ଆବିର୍ଭୁତା ହୋଇ ଦର୍ଶନ ଦେଇ କହିଲେ, "ଦିନେଶ ! କେତେବେଳେ ବି ନିଜକୁ ହାଲୁକା ଭାବରେ ନେବାକଥା ନୁହେଁ ଏବେ ତ ଚାରିଆଡେ଼ କଟକଣା। ସରକାରଙ୍କ ନୀତି ନ ମାନିବା ତ ବିପଦ ଘନେଇ ଆସିବ। ତୋତେ ଶିକ୍ଷା ଦିଆଗଲା କି ମାଆଙ୍କ ଉପଦେଶ ପାଳନ କରି ସୁକର୍ମ କରିବୁ ତ ଭଲ ମଣିଷ ହେବୁ। ଦିନେଶ ଦୁଇହାତ ଯୋଡି଼ଦେଇ ଆଖି ବନ୍ଦ ଓ ପ୍ରଣାମ କରି ପୁଣି ଅନେଇଲା ତ ମାଆ ଦଶଭୁଜା ପାଖରେ ନାହାଁନ୍ତି।

          ଅଥଚ ଦେହରେ ପୀଡା଼ ଦୂର ହୋଇ ଯାଇଛି। ଫଳି ଯାଇଥିବା ବେତର ଦାଗ ଲିଭିଯାଇଛି। ଆଉ ହୃଦୟ କୋଣରେ ଆନନ୍ଦର ଲହରୀ ଖେଳି ଯାଉଛି। ସେ ପୁଣି ଦୁଇହାତ ଯୋଡି଼ ପ୍ରଣାମ ଓ ଧନ୍ଯବାଦ ଜଣେଇଲା

                  *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

 

ସନ୍ଦେହ ତୁମକୁ

କବି ଗଗନ କୁମାର ଦାଶ


ସେ ଦିନ ସେଇଠି

ତୁମ ସ୍ମୃତି

ଖାଲି ମନେପଡେ ।


ତିନି ଛକିଆରେ

କେବଳ

ତୁମ ପ୍ରତିକ୍ଷାରେ ।


ଗାଁ ରେ

ମୃଦୁ ଗୁଞ୍ଜରଣ

ତୁମେ କୁଆଡେ ଅନ୍ୟ ପାଇଁ

ମନ୍ଦିରରେ ପ୍ରଦୀପ ଜାଳୁଛ।


ସନ୍ଦେହ ମୋର ତୁମକୁ

ଏଣୁ ଜଗି ରହେ

ସକାଳ ପାଞ୍ଚଟାରୁ

ପାହାନ୍ତିଆ ଚାରିଟା ଯାଏଁ

ତୁମ ଚଉହଦ ଚାରିପଟେ

ପଇଁତରା ମାରେ ।


ବାରଂବାର 

ମନ ମୋର ଚଞ୍ଚଳିତ

ଏ ପଟୁ ସେ ପଟ ହୁଏ

କାଳେ କଥା ଦି ପଦ

କିଛି ହସ କିଛି ଅଭିମାନ ।


କିମ୍ବା

ଯଦି ଦେଖା ହୁଏ 

ଆଡ ଚାହାଣିରେ

ମନ ମୋର ବ୍ୟତିବ୍ୟସ୍ତ

କିଛି ଜିଜ୍ଞାସା ଭିତରେ

କିଛି ସନ୍ଦେହରେ ।


ଏଣୁ 

ସନ୍ଦେହର ନିଆଁ ଜଳେ

ମୋର ହୃଦୟରେ

ମୋର ମନ ଜଳିଯାଏ ।


ତୁମେ କିନ୍ତୁ କୁହ

ନା

ମୁଁ ତୁମକୁ କେବଳ

ଭଲପାଏ।


ପ୍ରେରଣ ତାରିଖ = ୨୯.୧୦.୨୦୨୦
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ  ସାହି
ମୋହନା, ଗଜପତି-୭୬୧୦୧୫

ସନ୍ତାନ

 ସୂର୍ଯ୍ୟ ନାରାୟଣ ସାବତ


ସନ୍ତାନ ନିଶ୍ୱର ସର୍ବସ୍ୱ,

ସନ୍ତାନ ଜୀବର ମୂଳସ୍ୱ,

ସନ୍ତାନ ଏକ ସ୍ୱପ୍ନିଳ ବାସ୍ତବ,

ସନ୍ତାନ ଏକ ବାସ୍ତବିକ ସ୍ୱପ୍ନ ।


କେବେ ଦିନେ ଦେବ ଉପହାର,

କେବେ ହୁଏ ରାଷ୍ଟ୍ରିୟ ସମ୍ପତ୍ତି,

କେବେ ପୁଣି ବିଶ୍ୱ ସମୁଦାୟ

କଳି ବସେ ସୃଷ୍ଟିର ବିପତ୍ତି !


କେବେ ସିଏ ଅନ୍ଧର ଲଉଡି,

କେବେ ସିଏ ନିଧନ ସଙ୍ଖାଳି,

କେବେ ହୁଏ ଦୁଃଖର କାରଣ,

କେବେ ପୁଣି ପାଦର ସିଙ୍କୁଳି !


ସୁସନ୍ତାନ ଦୁନିଆକୁ ଶ୍ରେଷ୍ଠ ଅବଦାନ,

ଦେଶ ଦଶ ସପ୍ତ ପୁରୁଷର ଟେକ,

କୁପୁତ୍ର ଆଣେ ଅପଯ୍ୟଶ,

ଜାତି,କୁଳ କରେ ସର୍ବନାଶ ।


ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,
ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା

* ନାରୀ ରୂପେଣ ସଂସ୍ଥିତା *

 ଦେବଭୂମି ଆମ ଭାରତବର୍ଷ । "ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ..."ର ଅମୃତତ୍ଵକୁ ଆକଣ୍ଠ ଆସ୍ଵାଦନ କରେ ପ୍ରତିଟି ଜନମାନସ । ଅମୃତଶ୍ରାବୀ ମମତାମୟୀ ଜନନୀ - ଅର୍ଦ୍ଧାଙ୍ଗିନୀ ଧର୍ମଧାତ୍ରୀ ଜାୟା - ପ୍ରେରଣାଦାୟିନୀ ଭଗ୍ନୀ ଇତ୍ୟାଦି ନାରୀର ନାନା ସ୍ୱରୂପ । ମନୁଷ୍ୟ ନିଜ ଜୀବନ ଯଜ୍ଞର କର୍ତ୍ତା ହେଲେ ମଧ୍ୟ କର୍ତ୍ତ୍ରୀ ବିନା ଅସମ୍ପୂର୍ଣ୍ଣ ତା'ର ଅଗ୍ରଗତି । ସମସ୍ତ କାୟାର ସୃଷ୍ଟିକର୍ତ୍ତ୍ରୀ ସେ । ଲାଳନପାଳନ, ବାତ୍ସଲ୍ୟ, ସ୍ନେହାର୍ଦ୍ର ଶାସନରେ ଦେବକୀ-ଯଶୋଦାଙ୍କ ସମ ସିଦ୍ଧହସ୍ତା ସେ । ଅଭୟଦାୟିନୀ ହୋଇ ସନ୍ତାନକୁ ଘଣ୍ଟ ଘୋଡ଼ାଇ ରଖେ, ପୁଣି କରାଳବଦନା ହୋଇ ନାନବିଧ ଅସୂୟା ଦୋଷାବଳିର ଶିରଚ୍ଛେଦ କରେ କ୍ରୁରତାର ଖଣ୍ଡାଧାରେ...! ସେ ହିଁ ଈଶ୍ବରଙ୍କ ଅନବଦ୍ୟ ସୃଷ୍ଟି... ପ୍ରକୃତିର ସର୍ବଗୁଣଯୁକ୍ତା ପାରିଜାତ ସେ...। 

        ଅନନ୍ତ ଶକ୍ତିଧାରିଣୀ ସେ । କେବେ ସେ ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରା, ବିଶ୍ୱବାରାଙ୍କ ପରି ବିଦୁଷୀ - କେବେ ସେ ଲୀଳାବତୀଙ୍କ ପରି ଅମୃତଦ୍ରଷ୍ଟା - ସାହସିନୀ ଝାନ୍ସୀରାଣୀ ତ କେବେ ମଦର୍ ଟେରେସାଙ୍କ ପରି ସେବାର ପ୍ରତୀକ ତ ପୁଣି କେବେ ରମ୍ଭା ମେନକାଙ୍କ ପରି ଅପୂର୍ବ ଲାବଣ୍ୟମୟୀ । କ୍ଲୀଷ୍ଟତା ଯା'ଠାରୁ ଅନେକ ଦୂରରେ ସାବଲୀଳତା ଯା'ର ଧର୍ମ... ସେ ହିଁ 'ନାରୀ' , ସନ୍ତାନର ରକ୍ଷାକାରିଣୀ । 

        ଆଜିର ସମାଜରେ ନାରୀ ବିବିଧବର୍ଣ୍ଣା । ସର୍ବଗୁଣସମ୍ପର୍ଣ୍ଣା ସେ, ଉନ୍ନତି - ଅଗ୍ରଗତି ତା'ର ସଦା ସ୍ବାଗତଯୋଗ୍ୟ । ଅଦମ୍ୟ ସାହସ, ଉତ୍ସାହ, ଉଦ୍ଦୀପନାର ଠୁଳୀଭୂତ ସାକାର । ପ୍ରକୃତରେ ନାରୀର ପ୍ରସଙ୍ଗ ହିଁ ଅସୀମ । ତା'ର ଭୂମିକା ଓ କର୍ତ୍ତବ୍ୟ ଅତଳ ସାଗର ପରି ; ଦେଖିହୁଏ କିନ୍ତୁ ଅନୁଭବ କରାହୁଏନି ତା'ର ମହନୀୟତାକୁ ଖାସ୍ କରି ଆଜିର ସମାଜରେ । ନାରୀର ଶୁଦ୍ଧତା ଉପରେ ହିଁ ଜାତିର ଶୁଦ୍ଧତା ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ । ସମାଜରେ ଦୋଷଦୃଷ୍ଟି - ରୋଗର ପ୍ରତିଷେଧନ ଅନେକ ପ୍ରକ୍ରିୟା ମାଧ୍ୟମରେ କରାଯାଉଛି, କିନ୍ତୁ ଏହାର ମୂଳଉତ୍ସକୁ ଅନୁସନ୍ଧାନ କରି ମୂଳୋତ୍ପାଟନ ପୂର୍ବକ ନିରାକରଣର ପ୍ରଚେଷ୍ଟା ଲେଶମାତ୍ର ନାହିଁ ! ଏହି ଅନୁସନ୍ଧାନର ଚରମ ଓ ପରମ ଗନ୍ତବ୍ୟ ହେଉଛି ନାରୀ ; ସୃଷ୍ଟିକର୍ତ୍ତ୍ରୀ , ସନ୍ତାନର ସର୍ଜନାକାରିଣୀ । ସେଥିପାଇଁ ହିଁ ବିଶ୍ଵବିଜେତା ନେପୋଲିୟନ୍ କହିଥିଲେ - " ମୋତେ ମାତ୍ର ବାରଗୋଟି ଶୁଦ୍ଧ 'ମାଆ' ଦିଅ, ମୁଁ ତୁମକୁ ଏକ ଜାତି (Nation) ଦେବି ।" କାରଣ ନାରୀଠାରୁ ଜନ୍ମେ ଜାତି । ଏଇ ନାରୀର ଟିକିଏ ତ୍ରୁଟି ଯୋଗୁଁ ଅଭିମନ୍ୟୁର ନିଧନ, ତା'ର ଟିକିଏ ଅଟ୍ଟହାସ୍ୟରେ ମହାଭାରତର ସୂତ୍ରପାତ, ତା' ଗର୍ଭଯାତ ରାବଣ ପୁଣି ବିଭୀଷଣ, ସେ କେବେ ଦିତି ପୁଣି କେବେ ଅଦିତି । ସମସ୍ତ ସମାଜର ମୂଳଦୂଆ ହିଁ ନାରୀ । ଏଣୁ ତା'ର ବୈବାହିକ ଶୁଦ୍ଧତା, ଗର୍ଭଚର୍ଯ୍ୟା, ଶିଶୁର ଜ୍ଞାନଚକ୍ଷୁ ଉନ୍ମୀଳନ, ଜାଗତିକ ସଂଦର୍ଶନ ଆଦି ସାରଗର୍ଭକ ତତ୍ତ୍ଵର ନିଖୁଣ ପରିପାଳନ ହିଁ ସମାଜ ନିର୍ମାଣର ଗୂଢ଼ତତ୍ତ୍ଵ । କାରଣ କଞ୍ଚାମାଟି ନମନୀୟ ଓ ଗ୍ରହଣକ୍ଷମ । କିନ୍ତୁ ଥରେ ସାମାଜିକ ବିଚିତ୍ରତାର ଛିଟା ଲାଗିଲେ ଆଉ ସେ ନିୟନ୍ତ୍ରିତ ହୋଇପାରେନି ;ଯାହାକି ଭାରତୀୟ ସଂସ୍କୃତିଠାରୁ ଅନେକ ଦୂରରେ। 

        ଅନନ୍ୟା ସେ "ନାରୀ" । ହୋଇପାରେ ସେବିକା, ପ୍ରତିରକ୍ଷାକର୍ତ୍ତ୍ରୀ, ବୀରାଙ୍ଗନା ଅବା‌ ଚିରକର୍ମଜୀବୀ ; ଯାହାଦ୍ଵାରା ସମାଜର ବିବିଧ ସ୍ବାର୍ଥ ସାକାର ହୋଇଥାଏ ସତ, ମାତ୍ର ଗଠନର ମୂଳଭିତ୍ତିକୁ ସୁଦୃଢ଼ କରିବାରେ ଅସମର୍ଥ । ପ୍ରାୟତଃ ଅସଫଳ ଅନ୍ତଃଦୃଷ୍ଟିର ଦିଶା ନିରୂପଣରେ । ଏଣୁ ଆବଶ୍ୟକ ଶୁଦ୍ଧଆତ୍ମାର ଆବାହନ, ଅମୃତବର୍ଷୀ ଜୀବଦାନ, ସନ୍ତାନର ଶୁଦ୍ଧପୂତ ପରିପାଳନ - ପରିପୋଷଣ - ଉନ୍ନୟନ । ଆମର ସଂସ୍କୃତି କହେ :- 'ନାରୀ' ଏକ ସ୍ଵତନ୍ତ୍ର, ମହନୀୟ, ତତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୀତା । ଏହି ମହିମାନ୍ଵିତା 'ନାରୀ' ଭୂମିକାର ଗାମ୍ଭୀର୍ଯ୍ୟ ପ୍ରତିପାଦନ ପୂର୍ବକ ପ୍ରତିଟି ସାମାଜିକ ପ୍ରାଣୀ ଗାଇଉଠେ...." ନାରୀ ରୂପେଣ ସଂସ୍ଥିତା..." । 


ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

Tuesday, October 27, 2020

ବାଣ

ଝିର୍ଲାପାଲି ଗାଁ ମୋ ମାମୁଁଘର।ସେଇଠି ମୋ ଅଭିମାମୁଁ

ଙ୍କ ଝିଅ ବାହାଘର ପାଇଁ ମତେ ନିମନ୍ତ୍ରଣ ମିଳିଥିଲା।

ମୁଁ ବରାତିଦିନ ସକାଳୁ ପିଲାଦୁଇଟାଙ୍କ ଧରି ପହଞ୍ଚିଲି।

ଛୋଟବେଳୁ ମାମୁଁଘର ପ୍ରତି ମୋର ଏକ ଦୁର୍ବଳତା ରହିଛି।ବିଶେଷ କରି ବଏଲ୍ ଯାତ୍ରାବେଳେ ପ୍ରତିବର୍ଷ ଆମେ ମାଁ ସହିତ ସେଠାକୁ ଆସୁ ଓସମସ୍ତ ମାମୁଁ ମାଉଷୀଙ୍କ ସହିତ ମଜା ଉପଭୋଗ କରୁ।

ବାହାଘର ପରେ ଯଦିଓ ମୁଁ ଯାଇ ପାରୁନି ଏବେ।

ହେଲେ ଯେତେବେଳେ କିଛି ବହାଘର ବା ଉତ୍ସବରେ

ଆମନ୍ତ୍ରିତ ହେଲେ ଥରେ ଯାଇ ସମସ୍ତଙ୍କୁ ଭେଟି ଆସିବାକୁ ଇଛାହୁୁଏ।ସେହି ସୁଯୋଗ ନେଇ ଯାଇଥାଏ

ସେଦିନ।ଦିନସାରା ବାହାଘର ମଜା ଉପଭୋଗ କଲାପରେ ବାହାଘର ଭୋଜିର ମଜାନେଲୁ।ଗାଁଭୋଜିର ଏକ ନିଆରା ସ୍ବାଦ।ଟାଉନର ବଫେ ସିଷ୍ଟମ୍ ପରି

ତେଲ ମସଲା ସରସର ନଥାଏ।ଡାଲି ମିକ୍ସ ତରକାରୀ ଓ ଆମ୍ବିଲ ବହୁତ ଭଲ ସୁସ୍ବାଦୁ ଲାଗେ।ରାତ୍ରିରେ ବରାତ ଆସିବାର ସମୟ ହୋଇ ସାରିଥାଏ ।ବରାତି ଡିଜେର ତାଳେତାଳେ ବାଣ ରୋଷଣୀ ବଜାଇ ନାଚିନାଚି ଆସିଲେ।ପେଟେ ମଦପିଇ ମାତାଲ ହେଇ ନାଗିନ ନାଗିନ ର ନାଚ ଚାଲିଥାଏ।ବର ଗାଡିର ଆଗେ ଆଗେ

ବାଣବାଲା କେବେ କୁମ୍ପି କେବେ ରକେଟ୍ ପ୍ରଭୃତି ବାଣ

ଲଗାଉଥାଏ।ରକେଟ୍ ଗୁଡାକ ବହୁ ଉପରକୁ ଉଠି

ଫୁଟି ଫୁଲହାର ଆକାର ଧାରଣ କରୁଥାନ୍ତି।ପିଲାମାନେ ସେସବୁ ଖୁସିରେ ଉପଭୋଗ କରୁଥାନ୍ତି।ହେଲେ ଏ ଖୁସି

କ୍ଷଣକରେ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଗଲା।ଆମର ଆଖି ଆଗରେ ଏକ ଗୁହାଳରେ ଜମାରଖିଥିବା ପୁଆଲ ଗଦାରେ ବାଣର ଏକ ଫୁଲ୍କି କଣିକା ଯାଇ ପଡିଲା। ଧିରେ ଧିରେ ତାହା ସୁଲୁଗି ସୁଲୁଗି ପ୍ରଚଣ୍ଡ ନିଆଁର ରୂପ ଧାରଣ କଲା।ଘର ମାଲିକ

ଓ ବାକି ସଦସ୍ୟ ସମସ୍ତେ ବରାତ ର ମଜା ନେଉଥାନ୍ତି।

ଘରେ କେବଳ ଜଣେ ବୁଢୀଲୋକ ରହିଯାଇଥିଲେ ସେ

ଚାଲବୁଲ ପାଇଁ ଅସମର୍ଥ ଥିବାହେତୁ।ଯେତେବେଳେ ବାହାର ଗୁହାଳରେ ଆଲୁଅ ଦେଖାଗଲା ସେ କଷ୍ଟେମଷ୍ଟେ ବାହାରକୁ ଆସି ଦେଖିଲାବେଳକୁ

ଯୋର୍ରେ ନିଆଁ ଲାଗି ସାରିଥାଏ।ସେ ଜୋର୍ରେ ଲୋକଙ୍କୁ ପାଟିକରି ନିଆଁ ଲାଗିଛି ବୋଲି ଜଣାଇଲେ।ପଡୋସି କେହି ଜଣେ ଆସି ଗାଈ ବାଛୁରୀ ଓ ବଳଦ ଙ୍କ ଦଉଁରା

ଖୋଳୁଖୋଳୁ ସେମାନେ ଅର୍ଧ ଦଗ୍ଧ ହୋଇ ସାରିଥିଲେ।ବନ୍ଧନରେ ଥାଇ ମଲେ ବଡ ପାପ ହୁଏ ସେଥିରୁ ବଞ୍ଚିବାକୁ ଶୀଘ୍ରତାର ସହ ଖୋଲିଦେଲେ।ହେଲେ କେହି ବଞ୍ଚିଲେନି।ମାଲିକ ଆସି ବରଯାତ୍ରୀଙ୍କୁ

ଗାଲି ଗୁଲଜ ମରାମରି କରିବାକୁ ଲାଗିଲେ।ମାମୁଁ ଏପରି ଅବସ୍ଥାରେ ବାହାଘର ଭାଙ୍ଗି ନ ଯାଉ ବୋଲି ଘର ମାଲିକକୁ ବୁଝାଇଲେ।ଯଦି ବର ପାର୍ଟି ଖର୍ଚ୍ଚ ନଦେଲେ ସେ ନିଜେ କ୍ଷତି ପୂରଣ ଦେବେ ବୋଲି ମନାଇଲେ।ବାହାଘରର ଏତେଖର୍ଚ୍ଚ ପରେ ବି ବୋଝ ଉପରେ ନଳିତା ବିଡାପରି କ୍ଷତିପୂରଣ ବି ଦେଲେ।ହେଲେ ଯେଉଁ ଜୀବନ ହାନି ହେଲା ତାହା ତ ଆଉ ଫେରାଇ ହେବନି।ଏ ଘଟଣାରୁ ଲୋକେ ବୁଝିବା ଉଚିତ୍ ଯେ ବାଣ କେତେ କ୍ଷତି କାରକ।ଏହା ଦେଶକୁ ଖର୍ଚ୍ଚାନ୍ତ କରିବା ସଙ୍ଗ ସଂଗେ ପରିବେଶ ପ୍ରଦୁଷଣ ଓ ଜୀବନ ହାନୀ କରିଥାଏ।ଦିପାବଳୀ ବି ଏମିତି ଏକ ପର୍ବ ଯିଏ

ଖୁସି ଅପେକ୍ଷା ବେଶି କ୍ଷତି ଘଟାଇଥାଏ।ପରିବେଷ ବିଷାକ୍ତ ଦୂଷିତ କରିବା ସଂଗେ ସଂଗେଅନେକ ପଶୁପକ୍ଷୀଙ୍କ ମୃତ୍ୟୁର କାରଣ ହୋଇଥାଏ।ଯେତିକି ଟଙ୍କା ବାଣ ପାଇଁ ଖର୍ଚ୍ଚ ହୁଏ ସେତିକି ଟଙ୍କାରେ କେତେ ଗରିବ ଲୋକ ଉପକୃତ ହୁଅନ୍ତେ।

ମାଧବୀ ପଟେଲ।

ଇଣ୍ଟର୍ନେଟ୍ ଓ ଓଡ଼ିଆ ଭାଷା

         ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ | ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ |  ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ |  ତଥାପି, ମଳିନ ପଡିନି ଓଡିଆ ଭାଷା |  ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍‌ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି |  ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା |  ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ |  

        ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ | ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା | ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ | କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ | ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ | ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ? 

    ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା |  ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା | 

ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ | ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି | କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ |

  ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍‌ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ  |  ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ  | 

ସ୍ମୃତି ଅତୀତର

 ✍ସରୋଜ କୁମାର ସାହୁ
       ଆଠଗଡ,କଟକ


ଅତୀତର ସ୍ମୃତି ସପନେ ଆସଇ

ରୂପ ରଙ୍ଗ କେତେ ନେଇ

କେବେସେ କନ୍ଦାଏ କେବେସେ ହସାଏ

ଯାଏକିଛି ଲୁହ ହୋଇ।

ଛାଇଟିଏ ପରି ରହେ ପାଖରେ

ସଦା ସେ ହୃଦୟ କୋଣେ

ବେଦନାର ଲହୁ ଦେହର ଦରଦ

ସେ ଏକା ପାରି ଜାଣେ।

ଦୁଃଖସୁଖ ଅବା କଣ୍ଟକ ପଥରେ

ସାଜଇ ସେ ସହଚର

ପ୍ରେରଣାର ଉତ୍ସ ସାହାସ ସଂପର୍କ

ବାନ୍ଧିରଖେ ନିରନ୍ତର।

ଶରତ ମଳୟେ ଖେଳି ଶିହରଣ

ବହେ ସ୍ମୃତିର ବାଆ

ସମୟ ସୁଅରେ ନଉକା ରୂପରେ

ଜାହିର କରଇ ନାଅାଁ।

ଫୁଟିଅଛି କେବେ ହୋଇ ପାରିଜାତ 

ହୃଦୟ ବଗଚା ତୀରେ

ସ୍ବଗୀୟ ସୁଷମା ଚନ୍ଦନ ପ୍ରଲେପ

ଶୀତଳ ପବନ ଧାରେ।



ପ୍ରସନ୍ନଚିତ୍ତ

ସମସ୍ୟା ବହୁଳ ଜିବନ.. 

ବିବେକ ଚଗଲା କୁମନ.. 

ଦୁଃଖର ଖୁଚୁରା ଦୋକାନ. 

ସୁଖର ମିଳିବା ସପନ !!

ବ୍ୟସ୍ତତା ଜଡିତ ପରାଣ.. 

ସେଥିରେ ଅନେକ ଭିଆଣ.. 

ଭୁଲିଲେ  ପୋଥି  ପୁରାଣ.. 

ଜନ୍ମ  ହେଲା  ଅକାରଣ !!

ପ୍ରସନ୍ନ  ରହିବା  କାରଣ.. 

ଚିନ୍ତା ନକର  ଅକାରଣ.. 

ଆଶା ଊଣା କରିବା ଜାଣ.. 

ଚିତ୍ତ ପ୍ରଫୁଲୀତ  କାରଣ !!

ପ୍ରଫୁଲ୍ଲ ଚିତ୍ତେ ସର୍ବ ସିଦ୍ଧି.. 

ଆନନ୍ଦ ମନର ଏ  ଵିଧି.. 

ପ୍ରଫୁଲ୍ଲ ଚିତ୍ତ ଆତ୍ମ ଶୁଦ୍ଧି.. 

ପ୍ରସନ୍ନ ପ୍ରଭୁ ସେ ଅନାଦି !!

ଖୁସିରେ ପ୍ରଫୁଲ୍ଲ ଚେହେରା.. 

କୃତକାର୍ଯ୍ୟର ହିଁ  ଇସାରା.. 

ଦୁଃଖ  ଦରିଆ ର ସାହାରା.. 

ସୁସ୍ଥ  ଶାନ୍ତ ସୁନ୍ଦର ଧରା !!

ସକଳ ଘଟେ ସେ ଅଚ୍ୟୁତ.. 

ପ୍ରଭୁ  ଶକ୍ତି  ପ୍ରାଣେ  ନିହିତ... 

ପ୍ରାଣ ରଖନ୍ତୁ  ପ୍ରଫୁଲୀତ.. 

ସଭିଏଁ ଥାନ୍ତୁ "ପ୍ରସନ୍ନ ଚିତ୍ତ" !!


ନିର୍ମଳ ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର. 
440014

ଜଞ୍ଜାଳ

ଅରୁଣ କୁମାର ମହାପାତ୍ର


ଜନ୍ମଠାରୁ ଆରମ୍ଭ ଜୀବନ ଜଞ୍ଜାଳ

ଭୂମିଷ୍ଟ ସନ୍ତାନ ରୋଦନ କରଇ

ହେଉ ଥାଏ ଭୋକରେ ଡହଳ ବିକଳ।

କିଶୋର ଅବସ୍ଥା ଖେଳିବାର ବେଳ

ଗଡି ଗଡ଼ି ଲୋଟୁଥାଏ ଭୂଇଁ ପରେ

ହଜାଇ ସେ 

ଛୋଟ ଛୋଟ ପେଂଡୁ ବା କଣ୍ଢେଇ।

ଯୁବାବସ୍ଥା ଜଞ୍ଜାଳ ଯେ ମନରେ ସୀମିତ

ଚାପିରଖି ଛାତି ତଳେ

ମନର କୁହୁକ

ହସୁଥାଏ ମୁରୁକି ମୁରୁକି।

ଆରମ୍ଭ ତତ୍ପରେ ଜୀବନ ଜଞ୍ଜାଳ

ସମର୍ପିତ ବୟସଟା ସମ୍ପଦ ଅର୍ଜନେ

ଲାଗିପଡ଼ି ବଢାଏତା ସଂସାର ସମ୍ପର୍କ।

ବାୟସାତିକ୍ରମେ ସବୁ ଜଞ୍ଜାଳ ସଙ୍କୁଳି

ଇଛାହୁଏ ଦୂରେ ଫିଙ୍ଗି

ପାଇବାକୁ ମୁକ୍ତି।

ଆରମ୍ଭ ଏ ଜଞ୍ଜାଳ ଜନ୍ମରୁ

ବାନ୍ଧିରଖେ ମୃତ୍ୟୁ ଯାଏଁ

ଦୁର୍ବିସହ ଲାଗେ କିନ୍ତୁ 

ମୁକ୍ତି ନାହିଁ 

ବିଫଳତା ମିଳେ ଖାଲି

ମୃତ୍ୟୁ ଆସି ଯେ ପର୍ଯ୍ୟନ୍ତ 

ନେଇ ନାହିଁ ଯେ ସଂଖୋଳି।


ଅଶ୍ୱପୁରମ, ତେଲେଙ୍ଗାନା

ପ୍ରବଞ୍ଚନା


ଥରୁଛି

ଆଜି ମିଛ ପ୍ରବଞ୍ଚନାରେ

ମୋ ଦେହ ଥରୁଛି

ମେଘ ନାହଁ ତଥାପି

ମୁଁ ଭିଜିଛି

ଲୁହଧାରେ ଭିଜିଛି

ସ୍ବପ୍ନ ସବୁ ଚୁରମାର ପରେ

ବିନା ଶୀତେ ଥରୁଛି

ମାଟିତଳୁ କୋହ

ଜାତ ହେଉଛି

ପାଗ ଠିକ୍ ଥାଇ ବି

ମୋ ଦେହ ଖାଲି ଥରୁଛି

ପାଦ ତଳୁ ମାଟି ଧସିଯାଉଛି 

ମିଛ ପ୍ରବଞ୍ଚନା ମତେ

ତଳକୁ ତଳକୁ ଟାଣୁଛି ାା


ବିଶ୍ବାସ ଯାହାକୁ କରୁଛି

ସେ ଅଣ୍ଟି ଛୁରୀ ସାଜି

ନିଜ ତଣ୍ଟି ଆଗ କାଟୁଛି

ମଣିଷ ତ ଅଛି 

ଆଗକୁ ରହିବ ହେଲେ

ମଣିଷ ପଣିଆ ନିତି

ଏଠି ମରୁଛି 

ପ୍ରତାରଣା ଜାଲେ

ଏ ମନ ଖାଲି

ଛଟପଟ ହେଉଛି

ନିଜର ଲୋକ ହିଁ

ନିତି ବିଷ ମଞ୍ଜି ବୁଣୁଛି

ମୁଁ ଥରୁଛି 

ଭୟରେ ମୋ ଦେହେ

ଜର ଖଇ ଫୁଟାଉଛି ାା


ନିତି ସମୟର

ପ୍ରତିକୂଳେ ଧାଉଁଛି

ଅଜସ୍ର୍ ଅଜସ୍ର ଚିନ୍ତା

ମନେ ଘୁରି ବୁଲୁଛି

ମିଛ ମୋହ ମାୟା ବଳେ

ଏ ଦୁନିଆ ବକ୍ଷେ ବଞ୍ଚୁଛି

କର୍ତ୍ତବ୍ୟ ପଥେ ରହୁଛି

ହାତେମାପି ଚାଖଣ୍ଡେ ଯାଇ

ପୁଣି ସତର୍କ ହେଉଛି 

କେବେ ବିନା ମେଘରେ

ବିନା ଶୀତରେ ମୁଁ 

ଗୋଟାପଣେ ଥରୁଛି

ବିଶ୍ବାସ ଭାଙ୍ଗିଲେ

ଦେହ ମନ ସବୁ ଝୁରୁଛି

ନିଜକୁ ନିଜେ ପ୍ରତ୍ୟହ 

ଗୋଟା ଅଙ୍ଗେ ଜଗିଛି ାା

ତ୍ରିନାଥ ବେହେରା, 

ବଡକୋଦଣ୍ଡା, ଗଞ୍ଜାମ

ଭୁଲ ବୁଝିଲେ ପଂଚ ଇନ୍ଦ୍ରିୟ

               ସୁକାନ୍ତ ଖଣ୍ଡା

ସୂର୍ଯ୍ଯ ଈଶ୍ବରଙ୍କ ଆଦେଶରେ ନିଜର କର୍ମ କରି ଚାଲୁଥିଲେ। ସେ ନିଜର କର୍ମ ପାଇଁ ସୌଭାଗ୍ଯବାନ ମଣୁଥିଲେ। ନିତି ତାଙ୍କର କର୍ମ ପାଇଁ ଦିନରାତି ହେଉଥିଲା ତ ସକଳ ଉଦ୍ଭିଦ ଓ ପ୍ରାଣୀ ଆନନ୍ଦ ମନରେ କାଳ ଯାପନ କରୁଥିଲେ। 

           ଏକଦା ସୂର୍ଯ୍ଯଦେବ ଯାଉଥିବା ବାଟରେ ଜଣେ -କହିଲା,"ବିଚରାକୁ ଛୁଟି ମିଳୁ ନାହିଁ।"

-ଦ୍ବିତୀୟ ଜଣ କହିଲା,"ଏହାର ଏମିତି ଭାଗ୍ଯ ଯେ ନିତି ମରୁଥିବ ଆଉ ବଂଚୁଥିବ?"

-ତୃତୀୟ ଜଣ କହିଲା,"ନିର୍ଜୀବ ହେଲେ ବି ଅଗ୍ନି ବର୍ଷା କରିବାରେ ସକ୍ଷମ।"

-ଚତୁର୍ଥ ଜଣଙ୍କ କହିଲା,"ଏ ତ କୌଣସି ଅପରାଧର ଦଣ୍ଡ ଭୋଗୁଛି, ନୁହେଁ?"

-ପଂଚମ ଜଣଙ୍କ କହିଲା,"ନିଜର ନିର୍ବୋଧତା କାରଣରୁ କାହାର ନିର୍ଦ୍ଦେଶ ନିତି ମାନୁଛି।"

       ଏ କଥା ଯାଉଯାଉ ଶୁଣିଲେ ସୂର୍ଯ୍ଯଦେବ ତ କ୍ରୋଧ ଆସିଗଲା। କୌଣସି ଉତ୍ତର ନ ଦେଇ ଫେରି ଆସି ମଉନ ରହିଲେ। ପର ଦିନ ନିଜର କର୍ମ କରିବାକୁ ଗଲେ ନାହିଁ ତ ଅନ୍ଧାର ଆଉ ଅନ୍ଧାର ଘୋଟିଗଲା। ଦିନ ନ ଆସିବା କାରଣରୁ କୌଣସି ଦିବା ଚରମାନେ ବାହାରି ପାରିଲେ ନାହିଁ। ସେମାନେ ଶୋଇ ଶୋଇ ଦେହ ଓ ମନକୁ କଷ୍ଟ ଦେଲେ। ଆଜି କାହିଁକି ରାତି ପାହୁନାହିଁ ଭାବି ଈଶ୍ବରଙ୍କୁ ତ୍ରାହି ତ୍ରାହି ଡାକିଲେ।

         ନିଶାଚର ନିଜର କର୍ମ କରିକରି ଥକି ପଡି଼ଲେ। ରାତି ଯାଉନି କାହିଁକି ଭାବି ଈଶ୍ବରଙ୍କୁ ପ୍ରାର୍ଥନା କଲେ। ଈଶ୍ବର ପାଖରେ ଯାଇ ଉଭୟ ଦିବାଚର ଓ ରାତିଚର ମାନେ ଧର୍ମଘଟ କଲେ ତ ଈଶ୍ବର କହିଲେ,"ସୂର୍ଯ୍ଯଦେବ ରାଗିଛନ୍ତି। ସେ ମଧ୍ଯ ଏକାକି ଧର୍ମଘଟ ଚଲାଇଛନ୍ତି କି ସେ ଆଉ ଚାଲିବେ ନାହିଁ।" ଯଦି ସୂର୍ଯ୍ଯଦେବ ଚାଲିବେ ନାହିଁ ତ ଦିନରାତି ହେବ ନାହିଁ। ଦିବାଚର ଓ ରାତିଚର ମାନେ ସୂର୍ଯ୍ଯଦେବ ନ ଚାଲିବାର କାରଣ କ'ଣ ପଚାରିଲେ? 

           ଟିକିଏ ନିରବ ଅଥଚ ସ୍ମିତ ହସି ଈଶ୍ବର କହିଲେ,"ପଂଚ ଇନ୍ଦ୍ରିୟ ମାନେ ସୂର୍ଯ୍ଯଦେବଙ୍କ ଚାଲିବା ବାଟରେ ଅପଭାଷା ଓ ଅପକଥା ଫିଙ୍ଗିଲେ। ଫଳତଃ ସୂର୍ଯ୍ଯଦେବ ଧର୍ମଘଟରେ ବସିଛନ୍ତି।" ଏ କଥା ଶୁଣି ସବୁ ଦିବାଚର ଓ ରାତିଚରମାନେ ପଂଚ ଇନ୍ଦ୍ରିୟଙ୍କ ପାଖରେ ପହଂଚିଲେ ଆଉ କାହିଁକି ଅପବାଦ ଅପଭାଷା  ଫିଙ୍ଗିଲ ବୋଲି କହିଲେ? ଏଥର ପଂଚ ଇନ୍ଦ୍ରିୟ ଅନୁତାପ କଲେ। ଈଶ୍ବରଙ୍କ ନିର୍ଦ୍ଦେଶ,ଇଛା ଓ ଆଶାରେ ବାଧା ଦେଇଥିବାରୁ ଲଜ୍ଜିତ ମନେ କରି ସଭିଙ୍କୁ ଧରି ସୂର୍ଯ୍ଯଦେବଙ୍କ ପାଖରେ ପଂହଚି ନିଜର କର୍ମ କରିବାକୁ ଅନୁରୋଧ କଲେ। ଆଉ ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ।

          ଏଥର ସୂର୍ଯ୍ଯଦେବ କହିଲେ,"ମୋର ପାଇଁ ନୁହେଁ,ସଭିଏଁ ନିଜନିଜ କର୍ମ ସୁଚାରୁ ରୂପେ ସମ୍ପାଦନ କରିବ ତ ମୁଁ ଅବଶ୍ଯ ତୁମ ମାନଙ୍କ କଥା ରଖି କର୍ମ କରିବି।" ପଂଚ ଇନ୍ଦ୍ରିୟ ହଁ କଲେ ତ ସୂର୍ଯ୍ଯଦେବ ଚାଲିବା ଆରମ୍ଭ କଲେ। ଆଜି ସୂର୍ଯ୍ଯଦେବ ନିଜର କର୍ମ କରି ଚାଲିଛନ୍ତି ଅଥଚ ପଂଚ ଇନ୍ଦ୍ରିୟ କଥା ଦେଇ କଥା ରଖିବାଠୁ ବହୁତ ଦୂରରେ। 

        ହେ ଭାଇ ଭଉଣୀମାନେ ଆମକୁ ସୂର୍ଯ୍ଯ ପରି ଚାଲିବାକୁ ହେବ କିନ୍ତୁ ପଂଚ ଇନ୍ଦ୍ରିୟ ପରି କର୍ମ କରିବା ତ ଦେହ ଓ ମନ ସର୍ବଦା ସଭିଙ୍କର କଷ୍ଟ ହେବ।

                      *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ପୁଣିଥରେ ନବରାତ୍ରୀ

★★★★★

#ଅରବିନ୍ଦଦାସ

-ନବରାତ୍ରୀ, ନଅ ଦିନ ପୂଜାରେ  ନଅ ରଙ୍ଗର କଲର କୋଡ଼ ଅନୁଯାୟୀ ଶାଢ଼ୀ ପିନ୍ଧିବେ ବୋଲି, ଏବର୍ଷ ଆମ ମିସେସ ମାନେ ଏ ପୂଜାରେ ମିଶିଛନ୍ତି।ଯେଉଁ କଲର ଶାଢ଼ୀ ନଥିବ ତାହା କିଣା ହେବ।ଏସବୁ ଆମକୁ ଫସାଇବାର ଏକ ସୁଚିନ୍ତିତ ଚାଲ।"

  ସହକର୍ମୀ ଦୁଃଶାସନ ବାବୁଙ୍କ କଥା  ଶୁଣି କାନ ଭାଁ ଭାଁ ହୋଇଗଲା ମନୋଜ'ର।

    ସହଧର୍ମିଣୀ ଆରତୀ'ର ନବରାତ୍ରୀ ବ୍ରତ ପାଳନ କରିବାର ଜିଦି ର ଅସଲ ରହସ୍ୟ ଉନ୍ମୋଚିତ ହେଉଥିଲା ଏବେ  ମନୋଜ ସାମ୍ନାରେ।

   ମନୋଜ ମନେପକାଉ ଥିଲା ଗତ କାଲି ସନ୍ଧ୍ୟାରେ ସ୍ତ୍ରୀ କହିଥିବା କଥା ସବୁ।

- ଏବର୍ଷ ମୁଁ ଓ ବୋଉ, ନବରାତ୍ରୀ ବ୍ରତ କରିବୁ।ଶରତ ନବରାତ୍ରୀ।"

ଆରତୀ କଥା ଶୁଣି ମନୋଜ ଚିଡିଯାଇ କହିଲା,

- ଆଜି ଯାଏଁ ତ କରୁ ନଥିଲ, ଏବର୍ଷ କାହିଁକି ?ତା ଛଡା ଦଶହରାରେ ଆମ ଓଡ଼ିଆଙ୍କର ତ କେବଳ ଅଷ୍ଟମୀ ବ୍ରତ କରାଯାଏ।ଏଇ ବ୍ରତ ବୋଧେ ନର୍ଥ ଇଣ୍ଡିଆନ ମାନେ କରନ୍ତି।ତମେ...

- ଖାଲି ଉତ୍ତର ଭାରତୀୟ  ନୁହେଁ,ଦକ୍ଷିଣ ଭାରତୀୟ ମାନେ ବି ନବରାତ୍ରୀ କରନ୍ତି।ମିସେସ ପେରୁମଲ,ମିସେସ ରେଡ୍ଡୀ ବି କରୁଛନ୍ତି।ତାଛଡା ପୂଜା ବ୍ରତ ହେଉଛି ବିଶ୍ବାସ,ଭକ୍ତି କଥା,ସେଥିରେ ଉତ୍ତର ଦକ୍ଷିଣ କଣ ?ନଅ ଦିନ ଦେବୀ ଦୁର୍ଗାଙ୍କର ନଅ ଅଵତାରଙ୍କ ପୂଜା ହୁଏ।ଏବର୍ଷ ଆମ କ୍ଲବରେ ଆମେ ନିଷ୍ପତ୍ତି ନେଇଛୁ କି ସମସ୍ତେ ମିଶିକି ପୂଜା କରିବୁ ଓ ପ୍ରତ୍ୟେକ ଦିନ ଜଣେ ଜଣେ ମହିଳା ତାଙ୍କ ଘରେ ପୂଜା ବନ୍ଦୋବସ୍ତ କରିବେ ଓ ଅନ୍ୟମାନେ ସମସ୍ତେ ତାଙ୍କ ଘରକୁ ଯିବେ।ମୋ ଭାଗରେ ନବମୀ  ଦିନ ପଡିଛି।ଏଇ ନଅ ଦିନ ଘରେ ଆଇଁଷ ହେବନି କି ତମେ ବାହାରେ ଆଇଁଷ ଖାଇବନି।ଘରେ ପିଆଜ ରସୁଣ ବି ବନ୍ଦ। "

    ଟିକେ ବିରକ୍ତ ହୋଇ ମନୋଜ କହିଲା,

- ଓହୋ, ତମେ ଓପାସ କରିବ ବୋଲି ଆମେ କାହିଁକି ଆଇଁଷ ଛାଡ଼ିବୁ ?"

 ଏଇ ସମୟରେ ପ୍ରିୟମ୍ବଦା ଘର ଭିତରୁ ବାହାରି ଆସି ପଚାରିଲେ,

-"କିରେ ପାଟି କାହିଁକି କରୁଛୁ ?"

    ମନୋଜ କିଛି କହିବା ପୂର୍ବରୁ ଆରତୀ ଶାଶୁଙ୍କୁ ଅଭିଯୋଗ କରି କହିଲା 

-"ବୋଉ,ଏବର୍ଷ ଆମେ ଦୁହେଁ ନବରାତ୍ରୀ ଓପାସ କରିବା ଓ ସେଥିପାଇଁ ଘରେ ଆଇଁଷ ପଶିବନି ବୋଲି କହିଁବାରୁ ୟାଙ୍କର ରାଗ।ଏସବୁ ଆମେ ଓଡ଼ିଆ ଲୋକ କାହିଁକି କରୁଛୁ ବୋଲି କହୁଛନ୍ତି।"

  ମୁହଁକୁ ମୋଡି ପ୍ରିୟମ୍ବଦା କହିଲେ,

-"ପୁରା ତୋ ଶଶୁରଙ୍କ ଗୁଣ ।ସବୁ ପୂଜା ପର୍ବାଣୀରେ ସେ ବି ବଞ୍ଚିଥିଲା ବେଳେ ମୋ ସହିତ ଲଗାନ୍ତି,ଘରକୁ ଜିଦି କରି ଆଇଁଷ ଆଣନ୍ତି ।"

ତାପରେ ମନୋଜ ଆଡ଼କୁ ଅନାଇ କହିଲେ,

-"ହଇରେ, ପୂଜା ,ବ୍ରତ ମୋ ବୋହୁ କରିବ ବୋଲି କହିବାରୁ ମନା କରୁଛୁ ?ଚୁପ ଚାପ ସେ ଯାହା କହୁଛି ସବୁ ଆଣିକି ଦେ।"

    ଛେପ ଢୋକିଲା ମନୋଜ।ଶାଶୁ ,ବୋହୁ ଦୁହେଁ ଯେଉଁଠି ଏକାଠି,ସେଠି ପାଟି ଚୁପ କରିବା ହିଁ ଶ୍ରେୟଃଷ୍କର।ଏଇ ନଅ ଦିନ ପାଟି ଅରୁଚି ହୋଇଯିବ ।

- କଣ ଭାବୁଛନ୍ତି ମନୋଜ ବାବୁ ?"ଦୁଃଶାସନ ବାବୁଙ୍କ ପାଟି ଶୁଣି ଭାବନା ରାଜ୍ୟରୁ ଫେରି ଆସିଲା ମନୋଜ।

- ଅଷ୍ଟମୀରେ ଆମର ଖଣ୍ଡେ ନୂଆ ପିନ୍ଧୁଥିଲେ।ଏବେ ନଅ ଦିନରେ ନଅ ରଙ୍ଗର ଦାମୀ ଶାଢ଼ୀ ?ହେ ଭଗବାନ!ଠାକୁରାଣୀ କଣ ଏମିତି କହିଛନ୍ତି ?କିଏ ଏସବୁ ନିୟମ କଲା ?" ମନୋଜ ପାଟିରୁ ବାହାରି ପଡ଼ିଲା।

- ମନୋଜ ବାବୁ ,ଚିନ୍ତା କରନ୍ତୁ ;ଭାଗ୍ୟ ଭଲ ଏ ବ୍ରତ ଆମ କାର୍ତ୍ତିକ ମାସ ଭଳି ଗୋଟେ ମାସ ହେଉନି।"

ଚମକି ପଡ଼ିଲା ମନୋଜ।ସତେତ !ତା ଘରେ ପୁଣି ଦୁଇ ଜଣ ପୂଜା କରିବେ।ଅଠର ଟା ଶାଢ଼ୀ ?ମଲା ମଣିଷ।ଅବଶ୍ୟ ବାପା ଚାଲିଯିବା ପରେ ବୋଉ ତ ରଙ୍ଗୀନ ଶାଢ଼ୀ ଆଉ ପିନ୍ଧୁନି।ଆରତୀ ଯାହା ଝଡେଇବ।

  ଘରକୁ ଯାଇ ଆରତୀକୁ ପଚାରିବାରୁ ହସିଦେଇ ସେ କହିଲା,

-"ନଅ ଦିନ ରେ ମା'ଙ୍କ ନଅ ରୂପ।ପ୍ରତିପଦା ରେ ଶୈଳପୁତ୍ରୀ(କମଳା ରଙ୍ଗ), ଦ୍ଵିତୀୟାରେ ବ୍ରହ୍ମଚାରିଣୀ(ଧଳା ରଙ୍ଗ), ତୃତୀୟା ରେ ଚଂଦ୍ରକାନ୍ତା(ଲାଲ),ଚତୁର୍ଥୀରେ

କୁଷ୍ମାଣ୍ଡ(ଗାଢ଼ ନୀଳ),ପଞ୍ଚମୀରେ ସ୍କନ୍ଧ ମାତା(ହଳଦିଆ),ଷଷ୍ଠୀ ରେ କାତ୍ୟାୟନୀ(ସବୁଜ), ସପ୍ତମୀରେ କାଳରାତ୍ରୀ(ପାଉଁଶିଆ),ଅଷ୍ଟମୀ ରେ ମହାଗୌରୀ(ବାଇଗିଣୀ),ନବମୀରେ ସିଦ୍ଧିଦାତ୍ରୀ(ମୟୁରକଣ୍ଠିଆ) ଙ୍କ ପୂଜା ଓ ସେଇ ରଙ୍ଗ।ଆଉ ଦଶହରା ଦିନ ସରପ୍ରାଇଜ ଅଛି।ଆମ ଘରେ ନବମୀ ଦିନ ପୂଜା ହେବ।ସମସ୍ତେ ଖାଇବେ ଆମ ଘରେ।

- ଦେଖ ସରପ୍ରାଇଜ ଯାହା ଥାଉ,ନଅ ରଙ୍ଗର ନୂଆ ଦାମୀ ପାଟ ଶାଢ଼ୀ ପାଇଁ କହିବନି।

-କିଛି ନୂଆ ଶାଢ଼ୀ ତ ତମକୁ ଆଣିବାକୁ ହିଁ ପଡିବ "କହି ମନୋଜ କାନରେ ଆରତୀ ଯାହା କହିଲା,ତା ଶୁଣି ମନୋଜ ପାଟିରୁ କଥା ବାହାରିଲା ନାହିଁ।ତଥାପି ସେ ବିଶ୍ବାସ କରୁନଥିଲା ଆରତୀ କଥାକୁ।

  ମାର୍କେଟରୁ ଅଳ୍ପ କିଛି ନୂଆ ଶାଢ଼ୀ କିଣିଲାବେଳେ ବାରମ୍ବାର ମନେ ପଡୁଥିଲା ଆରତୀ କଥା।

   ଘରେ ବିନା ପିଆଜ ରସୁଣ ରେ ନିରାମିଷ ଖାଇବା,ସବୁଦିନ ବିଭିନ୍ନ ଲୋକଙ୍କ ଘରେ ପୂଜା ଓ ନବମୀରେ ନିଜ ଘରେ ପୂଜା।ବଡ଼ ହଲ ରେ ସବୁ ମହିଳା ମାନେ ପୂଜା ସାରି ,ହିନ୍ଦୀ ଗୀତ ଲଗାଇ ଗରବା ନୃତ୍ୟ ଅଭ୍ୟାସ କରୁଥିଲେ।

  ପାଖରେ ବସିଥିବା ଦୁଃଶାସନ ବାବୁ ପଚାରିଲେ,

-"ମନୋଜ ବାବୁ, ଦେଖିଲେ ?ମୁଁ କହୁ ନଥିଲି ,ଏସବୁ ଖାଲି ମଉଜ ମସ୍ତି କରି ଶାଢ଼ୀ ପିନ୍ଧିବାର ବାହାନା ବୋଲି ?କେତେ ଚୁନ ଲାଗିଲା ଆପଣଙ୍କୁ ?"

  ଦୀର୍ଘ ନିଶ୍ବାସ ଛାଡି ମୁହଁରେ ସ୍ମିତ ହସ ଖେଳାଇ ମନୋଜ କହିଲା,

-"କେବଳ ନିଜ ସ୍ତ୍ରୀ,ମା ଙ୍କ ଛଡା କିଏ ଆମ ଦୀର୍ଘ ଜୀବନ,ଖୁସି ପାଇଁ କଷ୍ଟ କରି ବ୍ରତ ଉପାସ ରଖେ ?ଦେବୀଙ୍କୁ ଫଟରେ ଦେଖୁ,ହେଲେ ଭୁଲି ଯାଉ ଜୀବନ୍ତ ଦେବୀମାନେ ଆମ ପାଖରେ ରହିଥାନ୍ତି।ଛୋଟ ମୋଟ ଝଗଡା,

ମନାନ୍ତର ହୁଏ ; ହେଲେ ସତ କଥା ହେଲା ଫଟ,ମୂର୍ତ୍ତି ରୂପରେ ଥିବା ଦେବୀଙ୍କ ଆଶୀର୍ବାଦ ଅପେକ୍ଷା ଆମ ଘରେ ଥିବା ଜୀବନ୍ତ ଦେବୀଙ୍କ ପୁଣ୍ୟବଳ ଯୋଗୁଁ ଆମ ନିଶ୍ବାସ ଚାଲିଛି।"

ଦୁଃଶାସନ ବାବୁ ବୋଧେ ଏଭଳି ଉତ୍ତର ଆଶା କରିନଥିଲେ।

ମନୋଜ ପୁଣି କହିଲା,

-"ଜାଣିଛନ୍ତି ଏ ବର୍ଷ ମୋ ପାଇଁ ନବରାତ୍ରୀ ପୂଜାର ସିକ୍ରେଟ ?ଘରେ ଥିବା ନିଜ ଶାଢ଼ୀରେ କାମ ଚଳାଇଛନ୍ତି ଶାଶୁ ବୋହୁ।ଅଳ୍ପ କିଛି କମ ଦାମର  ଶାଢ଼ୀ କିଣା ହୋଇଛି।ଆରତୀ କିନ୍ତୁ ଏଇ ପୂଜା ବାହାନାରେ ବୋଉକୁ ରଙ୍ଗୀନ ଶାଢ଼ୀ ପିନ୍ଧାଇବାରେ ସଫଳ ହୋଇଛି।ଫିକା ରଙ୍ଗ ଛାଡି,ଗାଢ଼ ରଙ୍ଗ ଶାଢ଼ୀ ପିନ୍ଧିଛି ବୋଉ।ଆମ କଲୋନୀର ଅନ୍ୟ କିଛି ବିଧବା ମହିଳା ବି ଧଳା ରଙ୍ଗ ଛାଡି ନ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି,ପୂଜା କରୁଛନ୍ତି ।ଅନ୍ୟମାନଙ୍କ ସହ ମନ ଖୁସିରେ ଗରବା ନାଚ ନାଚୁଛି ମୋ ବୋଉ।କାଲି ଦଶହରାରେ ପେଣ୍ଡାଲରେ  ନାଚିବେ ସମସ୍ତେ।ନବରାତ୍ରୀ ର 

ନଅ ରଙ୍ଗରେ ରଙ୍ଗେଇ ଯାଇଛି ମୋ ବୋଉ।ଇନ୍ଦ୍ରଧନୁ ବି ଈର୍ଷା କରିଥିବ ମୋ ବୋଉକୁ।ଏହାଠୁ ବଡ଼ ଖୁସି ମୋ ପାଇଁ ଆଉ କଣ ହୋଇପାରେ ?ଚମତ୍କାର ଏଇ ନବରାତ୍ରୀ।"

ଦୁଇ ଆଖି ଛଳଛଳ ହୋଇଯାଉଥିଲା ମନୋଜ'ର।


ବାନପ୍ରସ୍ଥ

★★★★

✍ଅରବିନ୍ଦ ଦାସ

- ଶୁଣ ,ବାପା କହୁଛନ୍ତି ସେ ବାନପ୍ରସ୍ଥ ଗ୍ରହଣ କରି, ଆଶ୍ରମରେ ରହିବେ।"

ରିମା କଥା ଶୁଣି ଆବାକାବା ହୋଇଗଲା ଅନୀଲ।

-ବାନପ୍ରସ୍ଥ!!ବାପା ବାନପ୍ରସ୍ଥ ନେବେ!କାହିଁକି ? ତମେ କିଛି କହିଲକି ?କେଉଁ ଆଶ୍ରମ ?"

- ମୁଁ କେମିତି ଜାଣିବି ?ତମେ ପଚାର ତମ ବାପାଙ୍କୁ।ବୁଢା ହେଲାପରେ ଅନେକଙ୍କର ଆଳୁ ଦୋଷ ବାହାରେ।ଏଇଠି ସେଇ ପାର୍କରେ ସବୁ ବୁଢ଼ୀଙ୍କ ସହ ହେଁ ହେଁ ଫେଁ ଫେଁ ହେଉଥିଲେ।ଏବେ ହୁଏତ କେଉଁ ମାତାଜୀଙ୍କ ପାଲ ରେ ପଡିଥିବେ।"

  ମୋବାଇଲ ଟା ପକେଟରେ ରଖି ଅନୀଲ କହିଲା,

-ଏଭଳି ଫାଲତୁ କଥା କହି,ଅସଲ କଥା ବୁଲାଇବାକୁ ଚେଷ୍ଟା କରନା।ମୁଁ କଣ ଜାଣିନି ତମ ମନ କଥା ?ବୋଉ ଚାଲିଗଲା ପରେ ବାପା ଏଠି ଆମ ସହ ରହିବା କଣ ସତରେ ତୁମକୁ ପସନ୍ଦ ?ଦେଖେଇ,ଶୁଣେଇ,

ବୁଲେଇ ବଙ୍କେଇ କେତେ କଥା କୁହ।ଗାଁ ଘରେ କିମ୍ବା ମୋ ଭଉଣୀମାନଙ୍କ ପାଖରେ ବାପା କାହିଁକି ରହୁନାହାନ୍ତି ବୋଲି ପରା ମୋତେ ଅଭିଯୋଗ କର।ତାଙ୍କର ଏଠି ରହିବା ଯୋଗୁଁ ତମେ ବାନ୍ଧି ହୋଇଯାଇଛ,

ମନଇଚ୍ଛା କୁଆଡେ ବୁଲି ପାରୁନ,ଘରେ ପାର୍ଟି ଫାର୍ଟି କରିପାରୁନ ବୋଲି ରାଗ ,ଅଭିମାନ।ତମେ ନିଶ୍ଚେ କିଛି ତାଙ୍କ ମନ କୁ ଅତି ବାଧିଲା ଭଳି କଥା କହିଥିବ ବୋଲି କେଉଁ ବୃଦ୍ଧାଶ୍ରମ ,ଜରା ନିବାସ ଯିବାକୁ ଠିକ କରିଥିବେ ବାପା।ତିନି ଦିନ ପାଇଁ ମୁଁ ଟୁର ରେ ବାହାରକୁ ଗଲି ବୋଲି ଏତେ କାଣ୍ଡ ହୋଇଯାଇଛି।ଛିଃ।"

ଟିକେ ନିଶ୍ବାସ ନେଇ ପୁଣି କହିଲା,

-ଏ ବୟସରେ ବାପା ଏକୁଟିଆ କୁଆଡେ ,କେଉଁ ଆଶ୍ରମ ଯିବେ ?କେବେ ଭାବିଛ,ବନ୍ଧୁ ବାନ୍ଧବ,ସାହି ପଡିଶା କଣ ଭାବିବେ ?ବୁଢା ବାପାକୁ ଘରୁ ବାହାର କରିଦେଲେ ବୋଲି ଅପବାଦ ଦେବେ।"

ବିରକ୍ତ ହୋଇ ରିମା କହିଲା,

- ସବୁ ସ୍ବାମୀଙ୍କର ତମ ଭଳି ବଦଭ୍ୟାସ ହେଉଛି,ପ୍ରତ୍ୟେକ ଜିନିଷ ପାଇଁ ସ୍ତ୍ରୀ କୁ ଦୋଷ ଦେବା,ତା ମୁଣ୍ଡରେ ଅଠା ବୋଳିବା ଓ ନିନ୍ଦା କରିବା।ନହେଲେ ତମମାନଙ୍କ ଭାତ ହଜମ ହୁଏନା।କିହୋ ମୁଁ କେମିତି ଜାଣିବି ତମ ବାପା କେଉଁ ଆଶ୍ରମ ଯିବେ ?"

ଗୋଡ଼ କଚାଡି ଦୁମ ଦୁମ ହୋଇ ଚାଲିଗଲା ରିମା।

ଭାଵନାରେ ବୁଡ଼ିଗଲା ଅନୀଲ।ବାପାଙ୍କୁ କଣ କେମିତି ପଚାରିବ ?ଚୁପ କିନା ବାପାଙ୍କ ରୁମକୁ ଯାଇ କହିଲା,

- ଆପଣ କାହିଁକି ଆଶ୍ରମ ଯିବେ ?ଆମର ଯଦି କିଛି ଭୁଲ ହୋଇଯାଇଛି,ତେବେ କ୍ଷମା କରି ଦିଅନ୍ତୁ।ଏ ବୟସରେ ଆପଣ.....

   ହୋ ହୋ ହୋଇ ହସି ପ୍ରେମାନନ୍ଦ ବାବୁ କହିଲେ,

- କେହି କିଛି ଦୋଷ କରିନ।ମୁଁ ନିଜ ଇଛା କଥା ବୋହୂକୁ କହୁଥିଲି ଓ ଯିବାକୁ ମନସ୍ଥ କରିସାରିଲିଣି।ତୁ ତୋ କମ୍ପାନୀ କାମରେ ଅଧେ ସମୟ ବାହାରେ,ଛୁଆ ଦୁଇଟା ବାହାରେ ରହୁଛନ୍ତି;ଘରେ ମୁଁ ଓ ବୋହୁ।ସେ ନିଜ କାମରେ କୁଆଡେ ଗଲେ ଘରେ ମୁଁ ଏକୁଟିଆ।ତେଣୁ ଆଶ୍ରମ ରେ ରହିବି ବୋଲି ..."

- କିନ୍ତୁ କାହିଁକି ?"

- ସାଂସାରିକ ମୋହ ମାୟାରୁ ଟିକେ ମୁକ୍ତି ଦରକାର।ଏଇ ସହର ବାହାରେ ଥିବା ସେଇ ଛୋଟ ହିଲଷ୍ଟେସନ ପାଖରେ ଯୋଗୀ ଆତ୍ମାନନ୍ଦଙ୍କ ଆଶ୍ରମ"ବୈକୁଣ୍ଠପୁରେ"ରହିବାକୁ ଭାବିଛି।ମୋର କିଛି ସାଙ୍ଗ ସେଠାରେ ମେମ୍ବରସିପ ନେଇ ରହିବେ। ସେଠାର ଶାନ୍ତ ପରିବେଶ କାଳେ ବହୁତ ଭଲ।ବନ୍ଧୁମାନଙ୍କ ସହ ରହିବି ବୋଲି ଚିନ୍ତା କରିଛି।ଯଦି ଭଲ ନଲାଗିବ ତେବେ ଚାଲିଆସିବି।ଆସନ୍ତା କାଲି ମୋତେ ସେଠାରେ ଛାଡ଼ିଦେବୁ।ମେମ୍ବରସିପ ଓ ରୁମ ପାଇଁ ମୁଁ କଥାବାର୍ତ୍ତା କରିଦେଇଛି।"

   ରୁମ ବାହାରେ ଠିଆ ହୋଇଥିବା ରିମା ଚୁପ କିନା ବେଡ଼ରୁମକୁ ଯାଇ କବାଟ ବନ୍ଦ କରି ଫୋନ ଲଗାଇଲା ବାନ୍ଧବୀ ସୁପ୍ରିୟା କୁ ଓ ଘଟଶ୍ରମଣାଟି ଆମୂଳଚୂଳ କହିଲା।

- ତୁ ବହୁତ ଭାଗ୍ୟବତୀ।ତୋ ଶଶୁର ଜଣେ ମହାପୁରୁଷ, ଆପେ ଆପେ ଘରୁ ଯିବାକୁ କହୁଛନ୍ତି।ତୁ ଏବେ ବୋଝରୁ ମୁକ୍ତ ହୋଇଯିବୁ।ଆଉ ମୋତେ ଦେଖ,ଶୁଶର ଆମର ହୁଙ୍କା ଭଳି ବସିଛନ୍ତି।ମୁଁ କଣ ଫ୍ରି ହୋଇପାରୁଛି ନା ମାସେ ଦୁଇମାସ କୁଆଡେ ବୁଲିବାକୁ ଯାଇପାରୁଛି ?ମଉସାଙ୍କ ପାଦଧୂଳି ଟିକେ ଆଣି ମୋ ଶଶୁରଙ୍କ ମୁଣ୍ଡରେ ମାରିବାକୁ ଇଛା ହେଉଛି।"

ଦୀର୍ଘନିଶ୍ବାସ ନେଇ ରିମା କହିଲା,

- ଅନୀଲ ସନ୍ଦେହ କରୁଛନ୍ତି ମୁଁ  କାଳେ ବାପାଙ୍କୁ କିଛି କହିଛି ବୋଲି ବାପା ଆଶ୍ରମ ଯିବାକୁ ବାହାରିଛନ୍ତି।ଭାବୁଛି ବାପାଙ୍କୁ ମନା କରିବି।"

ସେପଟୁ ସୁପ୍ରିୟା କହିଲା,

- କେଡେ ବୋକୀ ତୁ ?ହୁଇସିଲ ମାରି କିଏ ପୋଲିସକୁ ଡାକେ ?ବରଂ ସେଠି ଅଧିକ ସୁବିଧା ବ୍ୟବସ୍ଥା କରିଦେ,ଯେମିତି ସେଇଠି ସବୁଦିନ ରହିବେ।"

  ଯେତେ ବୁଝାଇଲାପରେ ବି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ପ୍ରେମାନନ୍ଦ ବାବୁ।

   ପରଦିନ ତାଙ୍କ ଜିନିଷ ପତ୍ର ଦୁଇଟା ଆଟାଚିରେ ରଖି ଯୋଗୀଆତ୍ମାନନ୍ଦଙ୍କ ଆଶ୍ରମରେ ତାଙ୍କୁ ଛାଡିବାପାଇଁ  ଗଲେ ଅନୀଲ ଓ ରିମା।

     ଆଶ୍ରମ'ର ପରିବେଶ ସତରେ ବହୁତ ସୁନ୍ଦର ଥିଲା।ଗାଢ଼ ଖଇରିଆ ରଙ୍ଗର ପୋଷାକ ପିନ୍ଧି ସମସ୍ତ ପୁରୁଷ,ମହିଳାଆଶ୍ରମବାସୀ ଏକା ଭଳି ଦିଶୁଥିଲେ।

   ଆଶ୍ରମ ଅଫିସ କାଉଣ୍ଟରରେ ଫର୍ମ ପୂରଣ କଲାବେଳେ ସେଠାର ଇନଚାର୍ଯ୍ୟ ପଚାରିଲେ,

- ମେମ୍ବରସିପ କେତେଦିନ ପାଇଁ ନେବେ?ଅତି କମରେ ଛଅମାସ ପାଇଁ ରୁମ ଭଡା ଆଡ଼ଭାନ୍ସ ଦେବାକୁ ପଡିବ।ତେବେ ବର୍ଷେ ପାଇଁ ବୁକ କଲେ,ମାସେ ଓ ଦୁଇବର୍ଷ ପାଇଁ ବୁକ କଲେ ତିନିମାସ ଫ୍ରି ରହିବାର ସ୍କିମ ଅଛି।"

- ଆଉ କିଛି ଅଧିକ ଫ୍ରି ସ୍କିମ ?"ରିମା ପାଟିରୁ ବାହାରି ପଡ଼ିଲା।"

 -ପାଞ୍ଚବର୍ଷ ପାଇଁ ବୁକ କଲେ ଏକ ବର୍ଷ ଫ୍ରି ରହିବାର ସ୍କିମ ଅଛି।"

ଅନୀଲ ସାଙ୍ଗେସାଙ୍ଗେ କହିଲା,

- ଛଅ ମାସ ପାଇଁ ରସିଦ ଦିଅନ୍ତୁ।"

    ବାପାଙ୍କ ରୁମରେ ଜିନିଷ ରଖି ଫେରିଲା ବେଳକୁ ଅନୀଲ ମନଟା ଟିକେ ଭାରି ଲାଗୁଥିଲା। ଘରକୁ ଫେରିଲା ବେଳକୁ ରିମାକୁ ପଚାରିଲା,

- ଆମ ମାନଙ୍କୁ ଛାଡି ଏଠି ସତରେ  ବାପାଙ୍କ ମନ ଲାଗିବ?ନିଜ ମଣିଷଙ୍କୁ ଛାଡି କଣ ରହିହୁଏ ।"

- ତାଙ୍କ ସାଙ୍ଗ କିଏ ସବୁ ଅଛନ୍ତି ପରା।ବାବା,ମାତାମାନଙ୍କ ସହ ମଉଜ ମସ୍ତି କରିବେ।"

  ଦୁଇଦିନ ପରେ ହଠାତ ସକାଳୁ ରିମା ,ଅନୀଲକୁ ନିଦରୁ ଉଠାଇ କହିଲା,

- ଜଲଦି ବାହାର,ବାପାଙ୍କୁ ଆଶ୍ରମରୁ ଘରକୁ ନେଇ ଆସିବା।"

ଆବାକାବା ହୋଇ ଅନୀଲ ପଚାରିଲା,

- ବାପାଙ୍କୁ ଘରକୁ ନେଇ ଆସିବ ?ହଠାତ ଏମିତି ଉଛୁଳା ପ୍ରେମ ?କଣ ବାପାଙ୍କ ବିନା ଘରଟା ଖରାପ ଲାଗୁଛି ନା ?ମୁଁ କହୁ ନଥିଲି, ନିଜ ମଣିଷ ଙ୍କୁ ଛାଡି ରହିବା ସତରେ କଷ୍ଟ।" 

- ନିଜ ଲୋକଙ୍କୁ ଛାଡି ତମ ବାପା କାହିଁକି କୁଲୁକୁଲୁ ହୋଇ ଆଶ୍ରମ ଯାଇଛନ୍ତି ତା ପଚାର।ମୋର ତ ପ୍ରଥମରୁ ସନ୍ଦେହ ହେଉଥିଲା।ସେଠି ରାସଲୀଳା ଚଳାଇବା ପାଇଁ ତାଙ୍କର ପ୍ଲାନ।"

  ବିରକ୍ତି ଭରା ସ୍ୱରରେ ଅନୀଲ କହିଲା,

- ଅସଭ୍ୟଙ୍କ ଭଳି ବାପାଙ୍କ ନାଁ ରେ  କଣ ଏମିତି କହୁଛ ?"

- ଏଇନା ମୋ ସାଙ୍ଗ କହିଲା, ଆମ କଲୋନୀ ର ସେଇ ଫୁଲେଇ ଚନ୍ଦ୍ରିକାର ଶାଶୁ ରାଧିକା ମାଉସୀ ଓ ମିସେସ ମହାନ୍ତିଙ୍କ ଶାଶୁ ରୁକ୍ମିଣୀ ମାଉସୀ ବି କାଳେ ସପ୍ତାହେ ହେଲାଣି ସେଇ ଆଶ୍ରମରେ ଅଛନ୍ତି।ଏଇ ପାର୍କରେ ସେମାନଙ୍କ ସହ ତମ ବାପା ହେଁ ହେଁ ଫେଁ ଫେଁ ହେବା ସହ ଫୋନ ରେ ବି ଗପନ୍ତି।ଏଇନା ଯୋଡି ଜମିବ ସେଠି।ଆଉ ହଁ, ତମ ସାଙ୍ଗ ମାନଙ୍କୁ ଓ ବନ୍ଧୁ ବାନ୍ଧବଙ୍କୁ କହିଦେବ, କିଛି ବୋହୁ ଶାଶୁ ,ଶଶୁରଙ୍କୁ ବୃଦ୍ଧାଶ୍ରମ ବା ଆଶ୍ରମରୁ ଘରକୁ ଫେରାଇ ଆଣନ୍ତି।"

-କିନ୍ତୁ ଛ ମାସ ପାଇଁ ଆଡଭାନ୍ସ ପରା ଦେଇଛେ।ଛ ମାସ ଯାଉ।"

- ଚୁଲିକୁ ଯାଉ ସେ ଆଡଭାନ୍ସ।ଛ ମାସ ପରେ ବାପାଙ୍କ ସହ ହୁଏତ ସେଇ ଦୁଇଟା ବୁଢ଼ୀଙ୍କ ଭିତରୁ କିଏ ଗୋଟେ ମୋ ଘରକୁ ଆସିଯାଇପାରେ।"

- କିନ୍ତୁ ବାପା ତ ବାନପ୍ରସ୍ଥ .....

- ପାଟି ଚୁପ କର।ବାନପ୍ରସ୍ଥ ନୁହେଁ, ବାନର-ପ୍ରସ୍ଥ।ଘରକୁ ଆଣି ତମ ବାପାଙ୍କୁ ଏକପ୍ରସ୍ଥ କରିବାକୁ ପଡିବ।"


ତୁଳସୀ ମେମୋରିଆଲ

✍ଶିବାଶିଷ ପାଢ଼ୀ 


ବିରାଟ ଧର୍ମସଙ୍କଟ ରେ ପଡ଼ିଥିଲେ ଡାକ୍ତର ଧିରେନ ପଟ୍ଟନାୟକ !ଗୋଟିଏ ପଟେ ବେଡ଼ ର ଅପେକ୍ଷା ରେ ବାରଣ୍ଡା ରେ ଚିକିତ୍ସିତ ହେଉଥିବା ଶହ ଶହ ରୋଗୀ ତ ଅନ୍ୟ ପଟେ ଜବରଦସ୍ତ ବେଡ଼ କୁ ମାଡ଼ି ବସିଥିବା ସମ୍ପୂର୍ଣ ସୁସ୍ଥ  ତୁଳସୀ !

ତିନି  ଦିନ ହେଲାଣି ତୁଳସୀ କୁ ଡ଼ିସଚାର୍ଜ କରିବା ପାଇଁ ମନସ୍ଥିର କରିଥିଲେ ବି ଆଜିଯାଏ କରି ପାରି ନାହାନ୍ତି ସେ !କେଜାଣି କାହିଁକି ବୁଢ଼ୀ ଟିକୁ ଦେଖୁ ଦେଖୁ କୁଆଡେ ଥାଏ ଦୟା ର ସରିତା ଯେ ସାଙ୍ଗେ ସାଙ୍ଗେ ବହିବାକୁ ଆରମ୍ଭ କରିଦିଏ ସେ ନିଜେ ବି ଜାଣି ପାରନ୍ତି ନାହିଁ !

କେଉଁ ରାସ୍ତା କଡ଼ ରୁ ମୁମୂର୍ଷୁ ତୁଳସୀ କୁ ଆଣି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଏକ ଦଳେ ଯୁବକ   !ଏକ ବଡ଼ ଘା ଯୋଗୁଁ ଫୁଲି ଯାଇ ପଚି ଯାଉଥିଲା ଗୋଡ଼ !ସାଲୁବାଲୁ ହେଉଥିଲେ ଲମ୍ବା ଲମ୍ବା ପୋକ !ଭୀଷଣ ଦୁର୍ଗନ୍ଧ ରେ ଫାଟି ଯାଉଥିଲା ନାକ !ସଂକ୍ରମଣ ବାଧୁଥିଲା !ବଞ୍ଚିବାର ଆଶା ବହୁତ କମ ଥିଲା !

ଡାକ୍ତର ପଟ୍ଟନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଡାକ୍ତରଖାନା କର୍ମଚାରୀ ଙ୍କ ପ୍ରାୟ ଦୁଇ ମାସ ର ଯତ୍ନ ପରେ ପ୍ରାୟ ଭଲ ହୋଇଯାଇଥିଲା ସେ !

ସମସ୍ତେ ଖୁସି ଥିଲେ କିନ୍ତୁ ଏକ ନୂଆ ସମସ୍ୟା ଦେଖା ଦେଇଥିଲା !କୁଆଡେ ଯିବାକୁ ଜମା ମଙ୍ଗୁ ନ ଥିଲା ତୁଳସୀ !ଗୋଡ଼ ଧରି ପକାଉଥିଲା !

"ବାବୁ ମୁଁ ବରଂ ଏଇଠି ଠିକ ଅଛି ମୋତେ ଏଠୁ ଯିବାକୁ କହ ନି ଆଜ୍ଞା ପୁଣି ସେ ରାସ୍ତା କୁ ଫେରିଲେ ଏ ଘା ବଢ଼ି ଯିବ ବାବୁ !ମୁଁ ମରିଯିବି !

ନିଜ ସିଟ ରେ ବସି ସମସ୍ୟା ର ଏକ ଅପାତତଃ ସମାଧାନ ଚିନ୍ତା କରୁଥିବା ବେଳେ ମନେ ପଡିଲା ଆଭା ଙ୍କ କଥା !ସକାଳୁ ସକାଳୁ ଆଭା କହୁଥିଲେ 


"ଆଉ ସପ୍ତହେ ପରେ ନିଜ ଡେଲିଭରି ପାଇଁ ବାସନ୍ତୀ ତା ଗାଁ କୁ ଯିବ କିଛି ମନେ ଅଛିକି !ମୁଣ୍ଡ କୁ ଡାକ୍ତରଖାନା ରୁ କିଛି ସମୟ ବାହାର କରି  କିଛି ବିକଳ୍ପ ବ୍ୟବସ୍ଥା କର !""

ଚିନ୍ତା କରୁଥିଲେ 

""ୟା ଠୁ ଭଲ ବିକଳ୍ପ ଆଉ କଣ ହୋଇପାରେ ""

ପ୍ରସ୍ତାବ ଟିକୁ ଶୁଣି ଆଭା ପ୍ରଥମେ ବିରକ୍ତ ହେଉଥିଲେ !କହିଥିଲେ 

"କି ଜାତି, କେଉଁଠୁ ଆସିଛି କିଛି ବୁଝାବୁଝୀ ନାହିଁ ଏମିତି କାହାକୁ ଘର କୁ ଆଣି ଆସିବା ମୋତେ କାହିଁ ଠିକ ଲାଗୁନି ""

ହେଲେ କିଛି ଦିନ ପରୀକ୍ଷମୂଳକ ଭାବେ ଦେଖିବା କହି ଆଭା ଙ୍କୁ ବୁଝାଇ ଦେଇଥିଲେ ଡାକ୍ତର !

ପ୍ରସ୍ତାବ ରେ ସାଙ୍ଗେ ସାଙ୍ଗ ରାଜି ହୋଇ ଯାଇଥିଲା ତୁଳସୀ କେବଳ କହିଥିଲା ବାବୁ ମୋର ଗୋଟିଏ ଛୋଟିଆ ସର୍ତ୍ତ ଅଛି !

ଡାକ୍ତର ଭାବୁଥିଲେ ଟଙ୍କା ପଇସା କଥା କହିବ କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ କରି ତୁଳସୀ କହିଥିଲା 

"ମୁଁ ସବୁକାମ କରିବି ବାବୁ !ଘର କୋଣ ରେ ଜାଗା ଟିଏ ହେଲେ ମୋ ପାଇଁ ଯଥେଷ୍ଟ କିନ୍ତୁ ମୋ ଅତିତ ବିଷୟରେ କେବେ ପଚାରିବ ନାହିଁ !ଆଉ ମୁଁ କୌଣସି ଦରମା ନେବି ନାହିଁ """

ସେଇ ଦିନଠୁ ଆଜି ଯାଏ ତୁଳସୀ ଅପା ର ସର୍ତ୍ତ କୁ ମାନି ଆସିଛନ୍ତି ଡାକ୍ତର ପଟ୍ଟନାୟକ !

ତୁଳସୀ ଅପା ବି କେବେ ଅଭିଯୋଗ ର ସୁଯୋଗ ଦେଇନି !ଦୁଇ ବର୍ଷ ରେ ଘର କୁ କୋଳେଇ ନେଇ  ବୁଢ଼ୀ ରୁ ତୁଳସୀ ପୁଣି ତୁଳସୀ ଅପା କୁ ପଦୋନ୍ନତି ପାଇ ଘର ର ଏକ ର ସମ୍ପୂର୍ଣ ଦାୟିତ୍ୱ କୁ ନିଜ କାନ୍ଧ ରେ ବୋହି ଆସିଛି ସେ !

ଆଭା ର ମୋବାଇଲ ର ଚାର୍ଜ ଠୁ ନେଇ ଡାକ୍ତର ପଟ୍ଟନାୟକ ଙ୍କ ମୋଜା !ଲିପୁନ ର ରଫ ଖାତା ଠୁ ନେଇ ରିମା ର ଲିପଷ୍ଟିକ ଯାଏ ସବୁ ଜିନିଷ  ତୁଳସୀ ଅପା ନ ହେଲେ କାହାକୁ ମିଳେନି !


ଆଜି ସବୁ କଥା ଗୋଟି ଗୋଟି କରି ମନେ ପଡ଼ି ଯାଉଥିଲା ଡାକ୍ତର ପଟ୍ଟନାୟକ ଦେଖୁଥିଲେ ଚିର ନିଦ୍ରା ରେ ଶୋଇଥିବା ତୁଳସୀ ଅପା କୁ !

ହଠାତ ଏସବୁ ଦାୟିତ୍ୱ ରୁ ନିଜକୁ ଏମିତି ମୁକ୍ତ କରିଦେଇ ଥିଲା ସେ ! ହତବାକ ଆଭା ଙ୍କ ମୁହଁ ରୁ କଥା ସ୍ପୁରୁ ନ ଥିଲା !ସକାଳୁ କାନ୍ଦି କାନ୍ଦି ଆଖି ଫୁଲି  ଯାଇଥିଲା !ଶବ ପାଖରେ ସେମିତି ବସି ରହିଥିଲେ ଡାକ୍ତର ପଟ୍ଟନାୟକ !ପାଖ କୁ ଆସି ଆଭା କହିଥିଲେ 

"ଅପା ଆମକୁ ଋଣୀ ସବୁଦିନ ପାଇଁ କରିଦେଲା !ରୋଗ କୁ ଲୁଚେଇ ଲୁଚେଇ ଶେଷ କୁ ଚାଲିଗଲା ସିନା କେବେ କିଛି କହିଲା ନାହିଁ !କିଛି ତ ନେଲା ନି କେବଳ ଦେବା ପାଇଁ ଆସିଥିଲା ସେ !""""

ସକାଳୁ ସମ୍ପର୍କୀୟ ଙ୍କୁ ଖବର ଦିଆ ହୋଇଥିଲା କିନ୍ତୁ ଏ ଯାଏ ଆସି ନ ଥିଲେ ସେମାନେ !ଡାକ୍ତର ଭାବୁଥିଲେ ଦେଢ଼ ଶହ କିଲୋମିଟର ବାଟ ଅତି ବେଶୀ ରେ ଚାରି ଘଣ୍ଟା ରେ ଆସିଯିବା କଥା କିନ୍ତୁ ଛଅ ଘଣ୍ଟା ହେଲାଣି ମାନେ ଆଉ ଆସିବେନି ସେମାନେ !

ସେମାନେ ସମ୍ପର୍କୀୟ କି କଣ ସେକଥା ବି ତ ଠିକ ଠାକ ଜାଣି ନ ଥିଲେ ସେ !ଛଅ ମାସ ତଳେ ହଠାତ ଦିନେ ଅପା କୁ ନେବାକୁ ଆସିଥିଲେ ସେମାନେ !କହିଥିଲେ 

"ସାର ହଠାତ ଦିନେ ବଡ଼ ମା ଘର ଛାଡି ଚାଲିଗଲା !ବହୁତ ଖୋଜି ଛୁ ସାର !ଆମ ଗାଁ ର ଜଣେ ରୋଗୀ ଆପଣ ଙ୍କ ନର୍ସିଂ ହୋମ କୁ ଆସିଥିଲା ସେ କହିବାରୁ ସିନା ଖବର ପାଇଲୁ !ଯା ହେଉ ଆପଣ ଙ୍କ ଯୋଗୁଁ ଅପା ବଞ୍ଚି ରହିଛି ""

ଯିବି ନ ଯିବି ହୋଇ ବାହାରି ଥିଲା ଅପା !କାହାରି ଇଛା ତ ନ ଥିଲା କିନ୍ତୁ ଅପା ନିଜ ଲୋକ ଙ୍କ ପାଖ କୁ ଫେରି ଯାଉଥିବାରୁ ବାଧ୍ୟ୍ୟ ହୋଇ ମନଂକୁ ବୁଝାଇ ଥିଲେ ସମସ୍ତେ !

ପ୍ରାୟ ପନ୍ଦର ଦିନ ଯାଏ ମାମା, ମାମା କହି ବାଉଳି ହେଉଥିଲେ ଛୁଆ ମାନେ !ଆଭା ଙ୍କ ମୁହଁ ରୁ ବି ହସ ଉଭେଇ ଯାଇଥିଲା କିନ୍ତୁ ଠିକ ପନ୍ଦର ଦିନ ପରେ ଫେରି ଆସିଥିଲା ତୁଳସୀ ଅପା !ପୁଣି ସମ୍ଭାଳି ନେଇଥିଲା ନିଜ ଦାୟିତ୍ୱ !ତା ସହ ଖୁସି ବି ଫେରି ଆସିଥିଲା ଥିଲା ଘର କୁ !

କାହିଁକି ଆସିଲା ଜାଣିବାକୁ ଚେଷ୍ଟା କରିଥିଲେ ଡାକ୍ତର ପଟ୍ଟନାୟକ କିନ୍ତୁ ପୂର୍ବ ସର୍ତ୍ତ କଥା ମନେ ପକାଇ ଦେଇଥିଲା ଅପା !

ହେଲେ ବି ନିଜ କୌତୁହଳ କୁ ଦମନ କରି ପାରି ନ ଥିଲେ ଡାକ୍ତର !ଗାଁ ର ନାଁ ତ ଜାଣି ଯାଇଥିଲେ ଏଣୁ ଦିନେ ସେ ଗାଁ ର ରୋଗୀ ଟିଏ ଆସିବାରୁ ଅପା ବିଷୟରେ  ପଚାରିଥିଲେ ସେ !

ଅପା ଙ୍କ ନାଁ ଶୁଣୁ ଶୁଣୁ ଦୁଃଖିତ ହୋଇ ଯାଇଥିଲା ଲୋକ ଟି !କହିଥିଲା 

"ସେ ବିଚାରି ଦୁଃଖିନୀ ଟିଏ ସାର !ଏକ ବିରାଟ ପରିବାର ର ବଡ଼ ବୋହୁ ଥିଲା !ଛୁଆ ପିଲା ହେଲେନି ବୋଲି ପୁତୁରା ଝିଆରୀ ଙ୍କୁ ନିଜ ପୁଅ ଝିଅ ଭଳି ଭଲ ପାଉଥିଲା !ସେ ଘରେ ଗଧ ଭଳିଆ ଖଟୁଥିଲା ଆଜ୍ଞା ହେଲେ ବୁଢ଼ା ଯିବାପରେ ସବୁ ସମ୍ପତ୍ତି ନିଜ ନାଁ ରେ କରି ଦେଇ ବୁଢ଼ୀ କୁ ଗଳା ଧକ୍କା ଦେଇ ତଡି ଦେଲେ ସେହି ପୁତୁରା ମାନେ !ଏଵେ ତ କୋଇଲା ଖଣି ପାଇଁ ଗାଁ ଉଠିବ !ବୁଢ଼ୀ ନାଁ ରେ କିଛି ବାହାରିଥିବ ସେଥିପାଇଁ ଆସିଥିବେ ସେ ବଦମାସ ମାନେ !ଟଙ୍କା ପଇସା ନେଇ ପୁଣି ତଡି ଥିବେ ଆଉ କଣ?? 

ତୁଳସୀ ଅପା ର ସତ ଅନେକ ଦିନ ପର୍ଯ୍ୟନ୍ତ ଦୁଃଖିତ କରି ଦେଇଥିଲା ଡାକ୍ତର ଙ୍କୁ !ଅପା ପ୍ରତି ବ୍ୟବହାର ବଦଳି ଯାଇଥିଲା !ଅପା ରୁ ଧୀରେ ଧୀରେ  ମା ଆଡକୁ ଯାଉଥିଲା ତୁଳସୀ ଅପା !କିନ୍ତୁ କଥା ଟିକୁ ନିଜ ଯାଏ ସୀମିତ ରଖି ଥିଲେ ସେ !


ଗୋଟାଏ ପାଖାପାଖି ହେବାକୁ ବସିଥିଲା ଏଣୁ ଆଉ ଅପେକ୍ଷା ନ କରି ନର୍ସିଂ ହୋମ କର୍ମଚାରୀ ଙ୍କ ସହାୟତା ରେ ଅପା ଙ୍କୁ  ଶେଷ କୃତ୍ୟ ପାଇଁ ନେଇ ଗଲେ ଡାକ୍ତର ଧିରେନ !

ଦୁଇ ଦିନ ଯାଏ ଅପା ର ଶୋକ ରେ ବୁଡି ରହିଥିଲା ଘର !

ତୃତୀୟ ଦିନ ସକାଳୁ ନର୍ସିଙ୍ଗ ହୋମ ରୁ ନରେନ୍ଦ୍ର କୁ ଡକାଇ ସର୍ଭେଣ୍ଟ କ୍ୱାଟର ରେ ଥିବା ଅପା ର କୋଠରୀ ସଫା କରାଉ ଥିଲେ ଡାକ୍ତର ଧିରେନ !

କ୍ୱାଟର ବାହାରେ ଏକ ଚୌକି ରେ ବସିଥିଲେ ସେ !ପାଖ ରେ ବସିଥିଲେ ଆଭା !ହଠାତ ଭିତରୁ  ନରେନ୍ଦ୍ର ର ଜୋର ପାଟି ଶୁଣି ସମସ୍ତେ ଦୌଡ଼ି ଗଲେ ରୁମ ଭିତର କୁ !

ଖଟ ତଳେ ଥିବା ଟ୍ରଙ୍କ ଟି ଖୋଲା ଥିଲା !ହାତ ରେ ପୁଳା ପୁଳା ଟଙ୍କା ଧରି ପାଟି କରୁଥିଲା ନରେନ୍ଦ୍ର !ଡାକ୍ତର ଙ୍କୁ ଦେଖି ଚିଠି ଟାଏ ବଢ଼ାଇ ଦେଲା ସେ !

ଚିଠି ତାକୁ ଟାଣି ନେଇଗଲେ ଆଭା !ପାଟି କରି ପଢୁଥିଲେ ସେ !ଲେଖାଥିଲା 

"ବାବୁ ରେ ମୁଁ ଜାଣିଛି ତୁ ସବୁକଥା ଜାଣିଛୁ !ଆଜି ଯାଏ ଜୀବନ ରେ ଅନେକ ଲୋକ ଙ୍କୁ ଅନେକ କିଛି ଦେଇଛି !ସବୁବେଳେ ଦେଇଛି ବୋଲି ପାଇଛି !ଆଉ ଦେଇ ପାରିବିନି ଜାଣିଲା ପରେ ଘରୁ ତଡା ଖାଇଛି !ସତର ବର୍ଷ ରେ ବାପ ଘର ଛାଡିଲା ପରେ ପଚାଶ ବର୍ଷ ର ଜୀବନ ରେ ବହୁତ ଦୁଃଖ ପାଇଛି !ଦୁଃଖ ସହି ସହି ଦୁର୍ବଳ ହୋଇ ଯାଇଛି ହୃଦୟ !କେତେବେଳେ ଥମି ଯିବ କିଏ ଜାଣିଛି? କିନ୍ତୁ ସବୁ ଦୁଃଖ କୁ ଭୁଲି ଯାଇଛି ଏଇ ଶେଷ ବର୍ଷ ସବୁ ରେ !ଏଇଠି ଆସି ମୁଁ ଜାଣିଛି ସବୁବେଳେ କିଛି ପାଇବା ପାଇଁ କିଛି ଦେବାକୁ ହୁଏ ନାହିଁ !ଏଇଠି ମୁଁ କିଛି ଦେଇନି କିନ୍ତୁ ଯେଉଁ ସ୍ନେହ ଶ୍ରଦ୍ଧା ମୁଁ ପାଇଛି ତାହା ମୁଁ ଆଉ କେଉଁଠି ପାଇନି !ଏଇଟା କୋଇଲା କମ୍ପାନୀ ଦେଇଥିବା ମୋ ଭାଗ ର ଚାଳିଶ ଲକ୍ଷ ଟଙ୍କା !ଏଇ ଟଙ୍କା ପାଇଁ ସେମାନେ ମୋତେ ନେବାକୁ ଆସିଥିଲେ !ମୁଁ ଜାଣିକି ଦେଉ ନ ଥିଲି !କାରଣ ମୁଁ ଏଇଟା ଦେଇଥିଲେ ମୋର ପୂର୍ବ ବିଶ୍ୱାସ କୁ ବଳ ମିଳିଥାନ୍ତା ଯେଉଁଟା ମୁଁ ଚାହୁଁ ନ ଥିଲି !

ତୁ ସବୁବେଳେ ନର୍ସିଂ ହୋମ କୁ ଆହୁରି ବଡ଼ କରିବା ପାଇଁ ଚାହୁଁଥିଲୁ ମୁଁ ଜାଣିଛି !ଏଇ ଟଙ୍କା ଙ୍କୁ ନର୍ସିଂ ହୋମ ରେ ଲଗାଇବୁ !ସେ ଚୋର ଖଣ୍ଟ ଖାଇ ଥିଲେ ମୋ ଆତ୍ମା କୁ ଶାନ୍ତି ମିଲି ନ ଥାନ୍ତା !ଏଵେ ମୋ ଆତ୍ମା କୁ ଶାନ୍ତି ମିଳିବ !!!!


ଆଖି ସବୁ ଛଳକୁ ଥିଲା !ଅପା କହି ଭୋ ଭୋ କାନ୍ଦି ଉଠୁଥିଲେ ଆଭା !ଟଙ୍କା ସବୁ କୁ କାଢି ଖଟ ରେ ସଜାଉ ଥିଲା ନରେନ୍ଦ୍ର !

ଆଖି ର ଲୁହ କୁ ବୋହିବାକୁ ଦେଇ ଲାଇଫ ଲାଇନ ନର୍ସିଂ ହୋମ ସ୍ଥାନ ରେ ତୁଳସୀ ମେମୋରିଆଲ ନର୍ସିଂ ହୋମ ର ନୂଆ ନାମ ଫଳକ ପାଇଁ ମେସେଜ କରୁଥିଲେ ଡାକ୍ତର ପଟ୍ଟନାୟକ !!!!!!!

Sunday, October 25, 2020

ଆସ ତୁମେ ମା

✍ସନାତନ ମହାକୁଡ଼

ଆସ ତୁମେ ମା

ଏ ଧରା ଧାମକୁ

ଏଇଠି ଅପେକ୍ଷାରତ

ଶିଶିର ସକାଳ କାଶତଣ୍ଡୀ ଫୁଲ ।

ଆସ ତୁମେ

ନାଶିବାକୁ 'ମୁଁ'ର ମହିଷାସୁରଙ୍କୁ

ନ ରହନ୍ତୁ ଘଟାଇବାକୁ

ନିର୍ଭୟା ହାଥରସ୍ ଘଟଣା ପ୍ରବାହ

ଲୋଡ଼ାନାହିଁ ସାମାଜିକ ଦୂରତା

ମାସ୍କ ହାତଧୂଆ

ଫିଙ୍ଗିଦିଅ ପାପୀଙ୍କର ମୃତଦେହ

ସୀମାନ୍ତ ସେପାରେ

ନଥାନ୍ତୁ ଦେଖିବାକୁ

ମହାମାରୀ ନୀରବତା

ସବୁ ହୃଦୟରେ ଚିତ୍କାରକରି ଜଣେ କହୁଥାଉ 

ବଂଚିବାକୁ ଚାହେଁନା ମୁଁ-

ଚାହେଁ 'ମୁଁ' ର ମୃତ୍ୟୁ ଦେଖିବାକୁ 

 ଏ ଧରାରେ ଶାନ୍ତି ଆଣିବାକୁ

ସମସ୍ତଙ୍କୁ ଆନନ୍ଦ ଦେବାକୁ ।

    *

ଗ୍ରାମ/ପୋ. ଅ: ଵେରୁଆଁବାରୀ 
ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।  

ଶରତର ଶୁଭ ଆଗମନ

✍ସୁଶ୍ରୀ ମନୋରମା ମିଶ୍ର

 

ଶରତ ଋତୁର ଶୁଭ ଆଗମନ

କାଶତଣ୍ଡି ଫୁଲ ସାଜସଜ୍ଜା ମାନ

ସାଥିରେ ବହୁଛି ମଳୟ ପବନ

ଦଶଭୂଜା ରୂପ ଧରି ଦୁର୍ଗା ମାତା

ଏହି ଧରଣୀରେ ବିରାଜମାନ।


ଅନ୍ୟାୟ ଅଧର୍ମ ବିନାଶ କରି 

ନ୍ୟାୟ ପ୍ରେମ ଆଜି ସବୁଠି ଭରି

ହିଂସା ଦ୍ୱେଷକୁ ଚ୍ଛିନ୍ନ କରି ମାଁ

ସ୍ନେହ ଡୋରେ ମନ ବାନ୍ଧିଥାଏ ସବୁରି।


ସଭିଙ୍କ ଘରେ ପିଠାପଣା ଆଜି

ପୁଜାରେ ଯାଆନ୍ତି ସମସ୍ତେ ମାତି

ନୁତନ ବସ୍ତ୍ର କୁ ପରିଧାନ କରି

ଅଜା ସାଥେ ମଜା ମାରୁଛି ନାତି ।


ଅଭିନନ୍ଦନର ଧ୍ବନିରେ ଏଠି

ଚାରିଆଡେ ଗୁଞ୍ଜରିତ ହୁଅଇ

ସର୍ବଦିଗେ ଖାଲି ନୁତନ ଆଭାଷ

ପୁରାତନ ଠାରୁ ଯାଏ ଦୁରେଇ।


ଚାଲିଆସି ମାଁ ଏ ଧରା ଧାମକୁ

ସଭିଙ୍କ ଦୁଃଖ କୁ ଦିଅ ଦୁରାଇ

ହସ ରହିଥାଉ ସଭିଙ୍କ ଓଠରେ

 ମାଁ ର ମହିମା ଦିଅ ଦେଖାଇ।


ମାଁ ଦଶଭୁଜା କରେ ତୁମ ପୁଜା

ପ୍ରଣିପାତ କରେ ପୟରେ ମୁହିଁ

ଯିଏ ମୋ ନିଜର ହେଉ ଅବା ପର

ଘଣ୍ଟଘୋଡାଇଥା ସଭିଙ୍କୁ ତୁହି।


ପ୍ରତାପଲକ୍ଷ୍ମଣପୁର (ଗାଙ୍ଗପୁର)
ଗଞ୍ଜାମ

କହ କାଶତଣ୍ଡି

 ✍ଡ.ଗୁରୁ ମୂର୍ତ୍ତି ନାୟକ


ବେଳଟା ଠିକ୍ ନାହିଁ

ଅଦୃଷ୍ଟର ଆଭାସ ଆସିଛି

କେତେବେଳେ କେଉଁ କଥା

ଜୀବନ ଡହକ ବିକଳ

ସଂସାର ମହାକାଳଫଳ

ଅଭିନୟରେ ଚାଲେ 

ସତ୍ୟ ଶ୍ମଶାନରେ ନୀରବତା

ପଞ୍ଚମହାଭୂତ ଖୋଜୁଥିଲେ ରାସ୍ତା 

ଧର୍ମ ପଡି ରହିଛି ମାଟିରେ

ମାନବିକତା ଧୂମ ହୋଇ ଉଠୁଛି

 ନୀଳନଭକୁ ଅଣନିଃଶ୍ବାସୀ ସେ ।

କାଶତଣ୍ଡି ଫୁଲ ଫୁଲେଇ ହୋଇ

ହସୁଛି ତ ହସୁଛି ପବନ ସ୍ୱର୍ଶରେ

ହସରୁ ପାଖୁଡା କରି ଛାଡୁଛି

ନଈଧାରେ ପ୍ରତିବିମ୍ବ ଦେଖାଇ

ଆକାଶର ନୀଳିମାକୁ ଦେହରେ ମଖି

ଭାବୁଛି ପାର୍ବଣ ଦେଖିବ

ମନେ ଖେଦ

ହସ ହସ ମୁହଁ ମୋର ଯିବନି ତ 

ମଉଳି ,ସଂକ୍ରମଣେ ହତଶିରୀ

ମୋ ପାଇଁ ନୀଳ ଆକାଶ ଥାଉ

ଗୋଳିଆ ଆବର୍ଜନା ଥାଉ

ବେଙ୍ଗ ଚେଙ୍ଗ ନଈଧାର ଥାଉ

ଅସନା ଅସନା ସନ୍ତସନ୍ତିଆ ଜାଗା

ପାହାଡ ପରି ହିଡ ଥାଉ

ପାଣିରେ ହସୁଥିବି ମୁହିଁ 

ପଲ ପଲ ଗାଈ ଗୋରୁ

ଘୃଷ୍ଟି ,ଛେଳି ମେଣ୍ଢା ଆସନ୍ତୁ

ମଣିଷ ଆସନ୍ତୁ ନାହିଁ

ଭୟ କାଳେ ମୋ ହସ

ହେବ କି କବଳିତ ?

ମାତା ଦୁର୍ଗା କହୁଛି କାଶତଣ୍ଡି

ତୁ ତ ଡରୁଛୁ ମୁଁ ତ ଡରୁଛି

ନର ଦହୁ କାଳେ ଆସିବ କି ?

ସାମାଜିକ ଦୂରତାରେ କେତେଜଣ

ଅଛନ୍ତି କେବଳ ମୁଖେ ମାସ୍କ ବାନ୍ଧି

ଭକ୍ତ ବିନା କାନ୍ଦୁଛି ହୃଦୟ

ମୁଁ ନିରୁପାୟ 

ଅସହାୟ ପାଲଟିଛି ଆଜି

ମନୁଷ୍ୟ ପାଖେ ଡର ମୋର

ଶ୍ରୀକୃଷ୍ଣ ପରି ନିଜେ ନିଜ

ଦ୍ୱାରିକା କରୁଛି ବିନାଶ ।

 ଦେଖ କାଶତଣ୍ଡି ଆଲୋକେ

ଝଲସୁ ନି ମୋ ଘର

ଉଚ୍ଚତା ପାଇଁ କନ୍ଦଳ

କି କରିବା କହ କାଶତଣ୍ଡି?

ତୋଫା ଜହ୍ନ ଆକାଶେ କହୁଛି

ତୁମେ କାହିଁ କରୁଛ ଦୁଃଖ

ମୋ ଦୁଃଖ ତୁମଠୁ ବଳି

ଲଘୁଚାପ ରାକ୍ଷସ ମୋତେ

ଦେଇଅଛି ଗିଳି

ହସି ବି ପାରୁନି 

ନାହିଁ ଶରତଚନ୍ଦ୍ର ହତାଶ କବି

ମନେମନେ ମୋର କ୍ଷୋଭ

କାଳେ ତାହାଠାରୁ ସଂକ୍ରମଣେ

ହେବି କି ବିନାଶ ଭାବି

ମୁହଁକୁ ମୋ ଦେଇଛି ଲୁଚାଇ

ଡରନି ଡରନି ମାନବେତର ପ୍ରାଣୀ

ନର ଆଜି ଅସହାୟ

ଛାଡ ନାହିଁ ତାକୁ ।

ଅଧ୍ୟାପକ
ଭଂଜନଗର, ଗଂଜାମ

ଦୁର୍ଗାପୂଜା

ମହିଷା ମର୍ଦ୍ଧିନୀ ଦୁର୍ଗତି ନାଶିନୀ 

ମୋକ୍ଷ ପ୍ରଦାୟିନି

ଦଶ ଭୁଜା ଧାରି ସଙ୍କଟ ହାରିଣୀ

ପାପ ବିନାଶିନୀ

ଜୟ ମାଁ ଦୁର୍ଗା ତାରିଣୀ।।୧।।

ଆଦି ଶକ୍ତି ମାତା ସର୍ବବ୍ୟାପୀ ଉଭା

ଅନ୍ନ ସ୍ୱରୂପିଣୀ

ଜଗତ ଜନନୀ ଅଭୟ ଦାୟିନୀ

ଶରଣ ରକ୍ଷଣୀ

ଜୟ ମାଁ ଦୁର୍ଗା ହାରିଣୀ।।୨।।

ଆର୍ତ୍ତ ଉଦ୍ଧାରିଣୀ ଶାନ୍ତି ବିତରଣୀ

ସନ୍ଥ ପରିତ୍ରାଣୀ

ମୃତ୍ୟୁ ସଂଜୀବନୀ ଦୈତ୍ୟ ନାଶିନୀ

ସଂସାରର ରାଣୀ

ଭୂମି ଭୁମା ଆହ୍ଲାଦିନୀ।।୩।।

ଶରତ ଋତୁରେ ଆଶ୍ୱିନ ମାସରେ

ହୋଇ ତୁମ୍ଭରି ପୂଜା

କେତେ ସଜବାଜ କେତେ ମେଢ଼ ସଜା

ଲାଗଇ ଦେଖିଲେ ମଜା।।୪।।

ତୁମ୍ଭ ଆଗ ମନେ ଧରଣୀ ବକ୍ଷରେ

ଫୁଟେ କାଶତଣ୍ଡୀ ଫୁଲ

ଚାଷୀ ଭାଇ ଆମ ଜମି ହିଢ଼ ପରେ

ହସନ୍ତି ଚାହିଁ ଅମଳ।।୫।।

ତୁମ୍ଭରି ଆଶିଷେ ସଂସାର ଚାଲଇ

ଆତଯାତ ହୁଏ ସର୍ବ

ଚନ୍ଦ୍ର,ତାରା ,ସୂର୍ଯ୍ୟ, ଏ ମହି ମଣ୍ଡଳ

ତୁମ୍ଭ ବିନା ହୁଏ ଖର୍ବ।।୬।।

ତୁମ୍ଭ ପାଦ ପଦ୍ମେ ରହୁ ଆମ ଭକ୍ତି

ଦୁନିଆ ହସନ୍ତୁ ନିତି

ବରଷକୁ ଥରେ ଆସୁଥାଅ ତୁମ୍ଭେ

ଧରି ସ୍ନେହ,ଶ୍ରଦ୍ଧା,ପ୍ରୀତି

ଜୟ ମାଁ ଦୁର୍ଗା ତାରିଣୀ।।୭।।

***********

ଡମ୍ବରୁଧର ବେହେରା
ସୁରଳା (ଗଞ୍ଜାମ

କବି ହୃଦୟରେ ଶରତ ଋତୁ

କବି ଗଗନ କୁମାର ଦାଶ


ଶରତ ଋତୁରେ ନିର୍ମଳ ଆକାଶେ

ଟିକେ ଖରା ଟିକେ ଛାଇ,

ବିଲରେ ସବୁଜ ଶସ୍ୟ କ୍ଷେତ୍ର ସବୁ

ଶ୍ୟାମଳୀ ହୋଇଛି ଯାଇ ।


ବାଡି ବଗିଚା ରେ ଭଳି ଭଳି ଫୁଲ

ଫୁଟି ପବନେ ହଲଇ,

ପ୍ରଜାପତିମାନେ ଫୁଲ ଗଛ ପରେ

ଆନନ୍ଦେ ଭ୍ରମନ୍ତି ଯାଇ ।


ଭ୍ରମର ବୁଲୁଛି ମଧୁ ଶୋଷୁଅଛି

ଉଡି ଫୁଲରୁ ଫୁଲକୁ,

ପକ୍ଷୀ କୁଳ ଆସି ଗଛ ଉହାଡରେ

ବସି ଗାଆନ୍ତି ଗୀତକୁ ।


ପଲ୍ଲୀ ବଧୁଟିଏ କାଖରେ କଳସୀ

ଧରି ଯାଏ ସେ ଗାଧୋଇ,

ଗାଁ ପାଖ ତଟିନୀ ପାବଛ ପାଖରେ

ଲୁଗାପଟା ଥୋଇଦେଇ ।


ଗାଆଁ ଝିଅ ବୋହୁ ଜହ୍ନି ଓଷା କରେ

ଦାଣ୍ଡରେ ମଣ୍ଡପ କରି,

ଜହ୍ନି ଫୁଲ ଗୀତ ଗାଆନ୍ତି ସମସ୍ତେ

ସନ୍ଧ୍ୟା ଆଳତି କୁ ଧରି ।

!!!!!!!!!!!!!!!!!୦୦୦୦୦!!!!!!!!!!!!!!!

ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫

Monday, October 19, 2020

💐💐ସାବତ ବୋଉ...💐💐

       ମୁଁ ଭୋକ ସମ୍ଭାଳି ପାରେନି, ଟିକେ ଡେରି ହେଇଗଲେ ଚିଡିଚିଡ଼ା ହେଇଯାଏ।ସେଇଥିପାଇଁ  ବୋଉ ମୋ ଖାଇବା ଟାଇମ ହେଲା ବେଳକୁ ରେଡି କରିଦେଇଥିବ।ଆଜି କିନ୍ତୁ ରାଗିକି ପଳେଇ ଆସିଲି ଅଫିସ, ନ ଖାଇ ନ ପିଇ।ଟିକେ ଡେରି କରିଦେଲା ବୋଲି।ପଳେଇ ସିନା ଆସିଲି ହେଲେ ଖାଇବା ଟାଇମ ବି ହେଲାଣି,ତା ଛଡ଼ା ମୁଁ ବାହାର ଖାଦ୍ୟ ଖାଏନି।ଅଫିସର ସମସ୍ତେ ଖାଇବାକୁ ନିଜ ନିଜ ଜାଗା କୁ ପଳେଇ ଗଲେଣି।ଏମିତି ବେଳକୁ ପର୍ସ ବି ଆଣିନି ଆଜି ଉପବାସ ରହିବାକୁ ପଡ଼ିବ ଜଣା ଯାଉଛି।ପାଣି ଗ୍ଲାସେ ପିଇକି aadjust କରିଦେବି ବୋଲି ଗ୍ଲାସ ଟା ଉଠେଇଲା ବେଳକୁ, ଆମ ଗାଆଁ ମନୁ ଭାଇ ମୋ ଅଫିସ କୁ ଆସି ଗୋଟେ ବ୍ୟାଗ  ବଢ଼େଇ ଦେଇ କହିଲା-ଏଇ ନେ ତୋ ବୋଉ କ'ଣ ଖାଇବା  ପଠେଇଛି, ଆଉ କହିଛି ଅଫିସ ରୁ ଗଲାବେଳେ ଥଣ୍ଡା ଆଉ ମୁଣ୍ଡ ବିନ୍ଧା ମେଡ଼ିସିନ ନେଇକି ଯିବୁ।ମୁଁ ନେଇ ଯାଇଥାନ୍ତି ଯେ ମୁଁ ଗଲା ବେଳକୁ ଡେରି ହେବ।ଏତିକି କହିଦେଇ ମନୁ ଭାଇ ପଳେଇଗଲା।

ବୋଉ ଜମା ମଣିଷ ହେବନି, ଗୋଟେ ଏଡିକି ବଡ଼ ବ୍ୟାଗରେ ଖାଇବା ଦେଇଛି, କେଡ଼େ କେଡ଼େ ସୁନ୍ଦର ବ୍ୟାଗରେ ସମସ୍ତେ ଖାଇବା ଆଣିଛନ୍ତି ଆଉ ମୋ ବ୍ୟାଗଟା ଯେମିତି ପରିବା କିଣା ବ୍ୟାଗ ଭଳି ଦିଶୁଛି।ସେ ଯାହାହେଉ ପେଟରେ ତ ମୂଷା ଦୌଡ଼ୁଛି ବ୍ୟାଗଟାକୁ ନେଇ ମୋ ଟେବୁଲ ତଳେ ବସିଗଲି, ଟିଫିନ ଖୋଲି ଦେଖେତ ବୋଉ ଭାତ, ଚୁନାମାଛ ଭଜା, ଶାଗ, ଆଉ ଡାଲି କରିକି ଦେଇଛି।ତାଟିଆ ଗୋଡ଼ିକ ତଳକୁ ସଜେଇ ଭାତ ଗୁଣ୍ଡାଟେ ପାଟିକୁ ନେଇଛି, ମନୁ ଭାଇର କଥା ମନେ ପଡ଼ିଗଲା।ବୋଉର ଦେହ ଭଲ ନାହିଁ, ତଥାପି ମୋ ପାଇଁ ଖାଇବା ପଠେଇଛି।ଲିଟିଲ(ସାନ ଭଉଣୀ)ତ ହାତ ମାରିଥିବନି କି ବୋଉ କୁ ସାହାଯ୍ୟ ବି କରିଥିବନି।ବୋଉ ଏକା କରିଥିବ ସବୁ।ଗରମ ଭାତ ଦିଇଟା ଖାଇଲା ବେଳେ ଆଜି କାହିଁକି ବୋଉ ପ୍ରତି ମୋର ଗୋଟେ ଅନ୍ତରଙ୍ଗ ଆତ୍ମୀୟତା ଖେଳିଗଲା।ତା ମୁହଁ ଟା ସେ ସବୁ ଭାତ, ତରକାରୀ ଆଉ ଲୁଣରେ ଜଳ ଜଳ କରିଦେଖା ଯାଉଥିଲା।


ମୋର ସେତେବେଳେ ଚତୁର୍ଥ ଶ୍ରେଣୀ, ଏତେଟା ବି ହେତୁ ହେଇ ନଥାଏ।ଏଇ ମୋର ବୋଉ ଆସିଥିଲା, ନୂଆ ନାଲି ଲୁଗା ଆଉ ସଜବାଜ ହୋଇ।ମୁଁ କବାଟ କୋଣରେ ଠିଆ ହୋଇ ଦେଖୁଥିଲି।ଆମ ସାହିର କେତେଟା ସ୍ତ୍ରୀ ଲୋକ ହୁଳହୁଳି ପକେଇ ଘରକୁ ଆଣିଲେ।ଆସୁ ଆସୁ ମୋତେ ତା କୋଳକୁ ଟାଣି ନେଇ କୋଳରେ ବସେଇ ମୋ ମୁଣ୍ଡରେ ହାତ ମାରିଦେଇ ମୋ କପାଳରେ ଗେହ୍ଲ କରିଦେଲା।ସମସ୍ତେ ମୋତେ ଚିହ୍ନେଇ ଦେଲେ ଇଏ ତୋ ନୂଆ ବୋଉ।ମୁଁ କହିଲି ଆଉ ମୋ ବୋଉ କାହିଁ?।ସେମାନେ କହିଲେ ସେ ମାମୁଁ ଘରକୁ ଯାଇଛି।ମୁଁ ଭାବିଲି ହଁ ସେ ତ ଯାଇଛି ଯଦି ଆସିବ ଆଉ... 

ମୋ ବୋଉ ଆ.ଏ ପାସ କରିଛି।ବହୁତ ପାଠ ପଢ଼ିଛି।ସ୍କୁଲ ଯିବା ବାଟରେ ନଣ୍ଡା କହୁଥିଲା ସିଏ ତୋ ନୂଆ ବୋଉ ନା ସାବତ ବୋଉ ବେ।ମୋ ମାଆ କହୁଥିଲା ସେ କାଳେ ତୋ ସାବତ ବୋଉ।ମୁଁ ଘରକୁ ଆସି ବୋଉ କୁ  ପଚାରିଥିଲି ତୁ ମୋ ନୂଆ ବୋଉ ନା ସାବତ ବୋଉ।ମୋ ବୋଉ ସେଦିନ ଟିକେ ହସିଦେଇ କହିଥିଲା-ମୁଁ ତୋର ନୂଆ ବୋଉ ନୁହଁ କି ସାବତ ବୋଉ ନୁହଁ।ମୁଁ ତୋର ଖାଲି ବୋଉ।ତୋ ବୋଉ।ତୁ ମୋତେ ବୋଉ ଡାକିବୁ।ସେବେଠାରୁ ସେ ମୋ ବୋଉ।

ବାପା ଆଉ ବୋଉ ମଝିରେ ମୁଁ ଶୁଏ, ଶୋଇଲାବେଳେ ବୋଉ ଉପରେ ଗୋଡ଼ ପକେଇ ଶୋଇବା ମୋର ଅଭ୍ୟାସ ହେଇଗଲା।ଆଉ ବୋଉ ପେଟ ଉପରେ ହାତ ରଖି ଶୋଇବା ବି।ଶୋଇଲା ବେଳେ ବୋଉ ମୋ ଗାଲ ଦିଇଟାରେ ଚୁମା ଦେଇଦିଏ ଆଉ ମୁଁ ବୋଉ କୁ କୁଣ୍ଢେଇକି ଶୋଇଯାଏ।

ବୋଉ ମୋତେ ବହୁତ ଭଲପାଏ।ମୋତେ ଆଖି ଆଗରୁ ଅଧିକ ସମୟ ନ ଦେଖିଲା ବ୍ୟସ୍ତ ହୋଇପଡ଼େ।ଆଇ ଘରକୁ ଗଲା ବେଳେ କେବେ ମୋତେ ଏକୁଟିଆ ଛାଡ଼ିକି ଯାଏନି।ମୋର ମନେ ଅଛି ଆଇ ମୋତେ ଥରେ ଟିକେ ପାତର ଅନ୍ତର କଲା ଭଳି କଥା କହିଦେଲା ଆଉ ବୋଉ ସେଇଠି ତା ସହ ଯୁକ୍ତି ଲଗେଇଦେଲା।ମୁଁ ଆଉ କାହାପାଖରେ ପାଠ ପଢିବାକୁ ଭଲ ପାଏନି।ବୋଉ ମୋତେ ସୁନ୍ଦର ଭାବରେ ଗୋଟି ଗୋଟି କରି ବୁଝେଇ ଦିଏ।ପାଠ ନ ପଢ଼ିଲେ କୁକୁର ବିଲେଇ ପରି ଛେଚି ପକାଏ, ପୁଣି ଗେହ୍ଲ କରି ଆଉଁସେଇ ଦେଇ ପଢାଏ।

ମୋର ସପ୍ତମ ଶ୍ରେଣୀ ବେଳେ ଲିଟିଲ ଜନ୍ମ ହେଲା।ମୋର ପାଠ ପଢ଼ାରେ କ୍ଷତି ହେବ ଭାବି, ବାପା ମୋତେ ହଷ୍ଟେଲ ରେ ଛାଡ଼ିଦେବାକୁ କହିଲେ।ବୋଉ କିନ୍ତୁ ମୁହଁ ମୋଡ଼ିଦେଲା।ମୁଁ ତାକୁ ପଢ଼େଇବି, ହଷ୍ଟେଲ ଗଲେ ଛୁଆଟା ମୋର ଏକୁଟିଆ ହୋଇଯିବ।ମୋତେ ବି ଭଲ ଲାଗୁନଥିଲା ଏ ହଷ୍ଟେଲ ଯିବା ଶୁଣି।ବୋଉ ଲିଟିଲ ଆଉ ମୋତେ ତା ଆଖିର ଦୁଇଟା ତାରା ବୁଲି କହୁଥିଲା।ଲିଟିଲ କୁ ଚୁଡ଼ାଗୁଣ୍ଡ,ହରଲିକସ,ସାରାଲକ ଆଦି ଖାଦ୍ୟ ଖୁଆଇଦେଲେ ବେଳେ, ବୋଉ ମୋ ପାଟିରେ ବି ଥରେ ଦୁଇଥର ଦେଇଦିଏ।ରାତିରେ ଜ୍ୱର ହେଲେ ପାଣିପଟି ଦେଇ ଔଷଧ ଖୁଆଇ ମୋ ପାଇଁ ରାତି ଅନିଦ୍ରା ରହେ।

ଏହାପରେ ବର୍ଷପରେ ବର୍ଷ ବିତି ଚାଲିଲା, ଲିଟିଲ ଧୀରେଧୀରେ ବଡ଼ ହେଲା।ମୁଁ  ବୋଉ ପାଖରେ ପଢ଼ି ମ୍ୟାଟ୍ରିକ ପାସ କଲି।ବୋଉ ବହୁତ ଖୁସିହେଇଥିଲା ସେଦିନ।ମୋର ଯୁକ୍ତ ଦୁଇର ପ୍ରଥମ ବର୍ଷରେ ଆମ ଘରର କାନ୍ଥରେ ଝୁଲୁଥିବା ମୋ ବୋଉର ଫୋଟୋଟିକୁ ବାପା କାନ୍ଥରୁ ଓହ୍ଲାଇ ଆଣି ତାକୁ କାଚର ଫ୍ରେମ କରି ଆମ ବାକ୍ସରେ ରଖିଦିଆଗଲା।ଏମତି ପାଇଁ ନୁହଁ କି ତାକୁ ଅପମାନ ଦିଆଗଲା।ଆମେ ଚାହୁଁଥିଲୁ ଲିଟିଲ କେବେ ମୁଁ ତାର ସାବତ ଭାଇ ବୋଲି ନ ଜାଣୁ।ସାବତ ଶବ୍ଦ ଟି ତା ଜୀବନର ଶବ୍ଦକୋଷରେ ଯେମିତି ନ ଲାଗୁ।ମୁଁ ବି କିଛି ପ୍ରଶ୍ନ ପଚାରୁ ନଥିଲି, କାରଣ ସେ ହେଉଛି ମୋ ଦେବକୀ ଯିଏ ଜନ୍ମ କରି ମୋତେ ଯଶୋଦା ହାତରେ ଟେକି ଦେଇଯାଇଛି।କେବେବି ମୁଁ ତା କଥା ପଚାରିନି, ଯେ ସେ କେବେ ମାମୁଁ ଘରୁ ଫେରିବ।କାରଣ କଳ୍ପନା ଆଉ ସନ୍ଦେହରେ ମୁଁ ଜାଣିସାରିଥିଲି ଯେ ସେ ଏଦୁନିଆରେ ନାହିଁ କିନ୍ତୁ ତାର କହ୍ନେଇକୁ ଯଶୋଦା ପାଖରେ ସମର୍ପି ଦେଇଛି।

ବୋଉ ମୋତେ କେବେ ଅନୁଭବ କରେଇବାକୁ ଦେଇନି ଯେ ସେ ମୋର ସାବତ ବୋଉ ଆଉ ମୁଁ ତାର ସାବତ ପୁଅ।ଏମିତି କେଉଁଦିନ ନାହିଁ, ବୋଉ ମୋତେ ନ ଦେଖି ରହିଯାଇଛି।ବିଭନ୍ନ ପରୀକ୍ଷା ଦେବାକୁ ଯାଇ ନ ଫେରିଲା ପର୍ଯ୍ୟନ୍ତ ନ ଖାଇ ଅନେଇଥିବ।ଏମିତି କେଉଁ ସୋମବାର ନାହିଁ ଯେ ମହାଦେବ ଙ୍କ ପାଦୁକା ସେ ମୋତେ ଖୁଆଇନି।ବାପାଙ୍କୁ ଲୁଚେଇ ମୋତେ ଅନେକ ଟଙ୍କା ଦିଏ, କେଉଁଠି ଅଭାବ ଅନୁଭବ ନ କରେ ସେଇଥିପାଇଁ ସେ ଯତ୍ନବାନ।ମାରେ, ଆକଟ କରେ, ଗାଳିଦିଏ ଆଉ ଦୁନିଆରେ ବଡ଼ ହେବାଲାଗି ମୋ ଶୁଭ ମନାସେ।

ଏବେ ବଡ଼ ହେବାପରେ ମୁଁ ଭାବେ, କାହିଁକି ଏ ଦେବୀ ଜଣକ ବାପାଙ୍କୁ ବିବାହ କଲା।ସେତ ପାଠ ପଢ଼ିଥିଲା,ଆଇ ଘର ଅନେକ ଯୌତୁକ ଦେଇ ତାର ଆଉ କେଉଁ ଜାଗାରେ ବାହାଘର କରିଦେଇଥାନ୍ତେ।ଏସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳେ ମୁଁ ଋଣୀ ହୋଇପଡ଼େ ତା ଆଗରେ।

ଆଜି ଆମେ ଲିଟିଲ ଆଉ ମୁଁ ବଡ଼ ହେଲୁଣି।କୁକୁର ବିଲେଇ ପରି ଝଗଡ଼ା ଲାଗୁ।ମୁଁ ଏକ ବେସରକାରୀ ଅନୁଷ୍ଠାନ ରେ ଉଚ୍ଚ ଦରମାରେ ଚାକିରୀ କଲିଣି।ବାପା ବୋଉ ଆମ ଦୁହିଁଙ୍କ ଖୁସିରେ ଖୁସି ହୋଇପଡ଼ନ୍ତି।

ଅଫିସ ରେ ଆଉ ମନ ଲାଗିଲାନି, ଅଧା ବେଳକୁ ପଳେଇ ଆସିଲି।ଆସିଲା ବେଳେ କିଛି ଥଣ୍ଡା ମୁଣ୍ଡବିନ୍ଧା ମେଡ଼ିସିନ ନେଇକି ଘରକୁ ଆସିଲି।ବୋଉ ବସି ନଡ଼ିଆ ବାହୁଙ୍ଗା ରୁ କଞ୍ଚି କାଢ଼ୁଥିଲା।ମଝିରେ ମଝିରେ ମୁଣ୍ଡରେ ହାତ ମାରି ଦେଉଥିଲା।ଔଷଧ ଟା ବଢ଼େଇ ଦେଇ, ତା କାନ୍ଧରେ ଲୋଟି ଗଲି ମୁଁ।ତା ଦେହର ଝାଳ ମୋ ଗାଲରେ ଲାଗି ଆଶୀର୍ବାଦ ଆଉ ସ୍ନେହର ବର୍ଷା ଭଳି ଓଦା ହେଇଗଲା।ବୋଉ କୁ ଆଜି ନିରୀକ୍ଷଣ କରି ଦେଖିଲା ବେଳେ, ତା ର ଉପର ଚୁଟି କେଇଟା ପାଚିଗଲାଣି।ବୋଉ ମୁହଁରେ କେତେ ଭଲପାଇବା କୁ ମୁଁ ଗଣିପାରୁଥିଲି।ମୋ ବୋଉ ସେ ଜଣେ ବୋଉ ନୁହଁ, ମୋ ଦେବୀ ଆଉ ଏ ସମାଜରେ ଜଣେ ଉତ୍ତମ ନାରୀ।


-ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଅଟେ ସତ, କିନ୍ତୁ ଆମ ସମାଜ ଅନେକ ସାବତ ମାଆଙ୍କୁ ସେହି ଦୃଷ୍ଟିରେ ଦେଖେ ଯିଏ ନିଜ ମାଆଠାରୁ ବି ବଳି ପଡ଼େ।ହାତ ଗଣତି ଉଦଣ୍ଡି ସାବତ ମାଆ କେଇଟା ପାଇଁ ଭଲ ସାବତ ମାଆଟେ ବି ବଦନାମ ହେଇଯାଏ।ସିଏ ହେଉଛି ପ୍ରକୃତ ମାଆ ଯିଏ ସନ୍ତାନ କୁ ସ୍ନେହ,ପ୍ରେମ ଆଉ ଭଲପାଏ, ତେଣିକି ସେ ତାର ନିଜ ସନ୍ତାନ ହେଉ କି ସାବତ ସନ୍ତାନ ହେଉ.

** ଦୁଇ ଭାଉଜ **

ଠାକୁର ଘରେ ଦୀପ ଜଳୁଛି। ତା ସହିତ ତାଳ ଦେଇ   

ଜଳୁଛି ପ୍ରଭାତୀର ଅନ୍ତର। ଟୋପା ଟୋପା ଲୁହ ଗୁଡାକ ଗଡି ଯାଉଛନ୍ତି ଆଖିରୁ। ଯେତେ ବୁଝାଇଲେ ମନ ତାର ଜମା ବୁଝୁନି। ଅନ୍ତରକୁ ବାଧିଲେ ମନ କଣ ସହଜେ ବୁଝେ? ତାର କେମିତି ଅବା ବୁଝିବ। ପିଲା ବେଳୁ ଭାଗ୍ଯରେ ତାର ଦୁଃଖ ଆଉ ଦୁଃଖ। ମାତ୍ର ପାଞ୍ଚ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲା। ଅଭାବ ଅନଟନ ଭିତରେ ମାଆ ତାର ପେଷିହୋଇ ଯାଉଥିଲା। ଓଳିଏ ଖାଇଲେ, ଆର ଓଳି ପାଇଁ  କଣ କରାଯିବ, ସେ ଚିନ୍ତାରେ ମାଆ ବୁଡି ରହୁଥିଲା। ପୁଅ ଦୁହେଁ ବଡ ଓ ଝିଅ ଦୁହେଁ ସାନ ଥିବାରୁ ମନକୁ ଧୀରେ ଧୀରେ ଟାଣ କଲା ମାଆ। ପୁଅମାନେ ପାରିଗଲେ ଘରର ଅବସ୍ଥା ବଦଳି ଯିବ ନିଶ୍ଚୟ। ସବୁ ବିଧବା ମାଆ ମାନେ ଏଇକଥା ଭାବି ନିଜକୁ ବୋଧେ ସାନ୍ତ୍ବନା ଦିଅନ୍ତି। ପ୍ରଭାତୀର ମାଆ ମଧ୍ୟ ସେଇଆ କଲେ। 

ଝିଅ ଦୁହିଁଙ୍କୁ ସବୁବେଳେ ବୁଝାନ୍ତି। ଭାଇମାନେ ପାରିଗଲେ, ତୁମ କଥା ବୁଝିବେ। ପାଠ ପଢାଇବେ, ବାହା କରିବେ, ତୁମେ ଖୁସିରେ ରହିବ। ଏବେ ମଧ୍ୟ ଭୁଲି ନାହିଁ ପ୍ରଭାତୀ ମାଆର ସେ ପ୍ରବୋଧନା। କିନ୍ତୁ ହେଲା କଣ? ମାଆ କଥାରୁ ପ୍ରଥମ କଥାଟି ସତ ହେଲା ସିନା, ଦ୍ବିତୀୟ କଥାଟି ସତ ହେଲାନି। ଭାଇମାନେ ଭଉଣୀ ମାନଙ୍କୁ ବୋଝ ବୋଲି ଭାବିଲେ। ଭାଉଜ ମାନେ ରାଣୀ ହୋଇ ରହିଲେ। ଦୁଇ ଭଉଣୀଙ୍କ ଦୁଃଖ ଆହୁରି ବଢି ଗଲା। ଅପାଠୋଇ ମାଆ ଡରି ମରି ଆଖିରୁ ଖାଲି ଲୁହ ଗଡାଇଲା। 

କାଲି ପରି ମନେ ପଡୁଛି ପ୍ରଭାତୀର। ପାଠ ପଢାରେ ବାରମ୍ବାର ଡୋରି ବାନ୍ଧିବାର ବ୍ୟବସ୍ଥା କରିଛନ୍ତି ଭାଉଜ। ଶେଷରେ ମାଟ୍ରିକ ପରୀକ୍ଷା ପରେ ସଫଳ ହୋଇଛନ୍ତି। ଖୁବ୍ ଭଲ ପଢୁଥିଲେ ବି ଭାଗ୍ୟ କୁ ଆଦରି ସବୁ ସହି ନେଇଛି ସେ। ଠାକୁରଙ୍କୁ କେତେ ଡାକିଚି। କାହିଁକି ବାପାଙ୍କୁ ତାର ଛଡାଇ ନେଲେ ଠାକୁର। ତା ପରି ଆଉ କେଉଁ ଝିଅର ବାପାଙ୍କୁ ଏପରି ଛଡାଇ ନ ନିଅନ୍ତୁ। ପ୍ରତିବାଦ କରିଥାନ୍ତା, ଯଦି ବାପା ଏମିତି କରି ଥାନ୍ତେ। ଏବେ କାହା ପାଖରେ କରିବ? ଯେଉଁ ମାନଙ୍କ ଉପରେ ସେ ବୋଝ, ତାଙ୍କ ପାଖରେ ପ୍ରତିବାଦ କରିବାର କୌଣସି ମାନେ ନ ଥାଏ। ଭାଇ, ଭାଉଜ ଓ ତାଙ୍କ ପିଲାମାନଙ୍କର ଆଦେଶ ବାଧ୍ଯ ଶିଶୁପରି ପାଳନ କରେ କେବଳ ତାଙ୍କ ପାଖରେ ରହି। ପଢାରେ ତ ଡୋରି ବନ୍ଧା ସରିଛି, ଆଉ ବା କ,ଣ କରିବ ସେ। ଭୁଲ୍ ନ ଥାଇ ବି ତାକୁ ଗାଳି ଶୁଣିବାକୁ ପଡେ। ବେଳେ ବେଳେ ଭାଇ ହାତ ବି ଉଠେଇ ଦିଅନ୍ତି। ଅବଶ୍ୟ ଏଥିପାଇଁ ଭାଇ ଦୁଃଖି ହେଇଥାନ୍ତି, ଅନୁତାପ ବି କରନ୍ତି, ଅପ୍ରକାଶ୍ଯରେ। ପ୍ରଭାତୀ ବୁଝି ପାରେ। ଏକା ରକ୍ତ ତ, ରକ୍ତ ରକ୍ତ କୁ ନିଶ୍ଚୟ ବୁଝେ ଓ ଅନୁଭବ କରିପାରେ। ଘର ର ସବୁକାମ ଭାଉଜ ତାଆରି ହାତରେ କରାଇ ନିଅନ୍ତି। ରାତି ବାରଟାରେ ସେ ବିଛଣାକୁ ଯାଏ। 

ଗାଁଆରେ ଥିବା ମାଆ ଓ ସାନ ଭଉଣୀ କଥା ତାର ଭାରି ମନେ ପଡେ। ମାଆ କୋଳରେ ମୁଣ୍ଡ ରଖି ମନଭରି କାନ୍ଦିବାକୁ ଇଛା ହୁଏ। ବହୁତ ରାତି ଯାଏ ତକିଆରେ ମୁହଁ ଗୁଞ୍ଜି ଆଖିରୁ ଲୁହ ଗଡାଏ। କେତେବେଳେ ନିଦ ଲାଗି ଯାଏ ଜାଣି ପାରେନା। ସକାଳୁ ଭାଇଙ୍କ ଡାକରେ ନିଦ ଭାଙ୍ଗେ। କେବେ ଯଦି ଭାଇ ସ୍ନେହ ମମତାଭରା କଥା ପଦେ କହନ୍ତି, ଭାଉଜ ସହି ପାରନ୍ତିନି। 

ଶିକ୍ଷିତା ଭାଉଜଙ୍କ ପାଟିରୁ ଅଲକ୍ଷଣୀ ପରି ଶବ୍ଦ ବି ବାହାରି ଆସେ ପ୍ରଭାତୀ ଉଦ୍ଦେଶ୍ଯରେ। ସେ କିନ୍ତୁ ନିର୍ବିକାର ଭାବେ ସହିଯାଏ। କେବେ ପାଟି ଖୋଲେନା। ଜମି ବାଡ଼ି କିଛି ଥିଲେ ବି ମାଆ କେବେ ବିକ୍ରି କରିବାକୁ ରାଜି ହୁଏ ନା। ସବୁବେଳେ କୁହେ, ଦୁଇ ଦୁଇଟା ପୁଅ ଥାଇ ଜମି ବିକିବି, ଲୋକେ କଣ କହିବେ? ହଠାତ୍ ଭାଉଜଙ୍କ ଡାକରେ ଭାବନା ରାଜ୍ୟରୁ ଫେରି ଆସିଲା ସେ। କାଲି ତାକୁ ଦେଖିବାକୁ ଆସିବେ। ଦୁଇଟା ପ୍ରସ୍ତାବ ଯୌତୁକ ପାଇଁ ଭାଙ୍ଗି ଯାଇଛି। ବହୁ ଦୂରରେ ଥିବା ଆଉ ଜଣେ ଭାଇ ଓ ଭାଉଜ ନିଜ କଥା ଛଡା ମାଆ ଭଉଣୀଙ୍କ କଥା ବୁଝିବା ପାଇଁ ସମୟ ପାଆନ୍ତି ନାହିଁ ସତ,କିନ୍ତୁ ସେମାନଙ୍କ ପାଇଁ କିଛି କରିବାର ଆଗ୍ରହ ଦେଖାନ୍ତି ନାହିଁ। ଠାକୁର ଘରୁ ଉଠିଲା ପ୍ରଭାତୀ। ବିନା ଯୌତୁକ ରେ ଏ ପ୍ରସ୍ତାବ ଟା ଆସିଛି। ତାକୁ କାଲି ପାଇଁ ପ୍ଲେଟ୍ କପ୍ ଗ୍ଲାସ୍ ଇତ୍ୟାଦି ସବୁ ସଜାଡି ରଖିବାକୁ ପଡିବ। ନିଜେ ସଜବାଜ ହେବା କଥା ସେ କେବେ ଭାବେନି। ତା ପାଇଁ ଏ ସବୁର ଆବଶ୍ୟକତା ସେ କେବେ ଅନୁଭବ କରିନି। ବାପ ନ ଥିବା ପିଲାର ଷଠି ପଞ୍ଚୁଆତି ନ ଥାଏ ବୋଲି ସେ ଶୁଣିଥିଲା। ଏବେ ଅଙ୍ଗେ ନିଭାଉଛି। ଯାହାହେଉ ପରଦିନ ତାକୁ ଦେଖିବାକୁ ଆସିଲେ। ସେଇଠି ବି ତାର ବାହାଘର ସ୍ଥିର ହେଇଗଲା। ଅନ୍ୟ ଭାଇ ଭାଉଜ ବି ଆସିଲେ। ବାହାଘର ଖର୍ଚ୍ଚ ପାଇଁ ମହାଭାରତ ଯୁଦ୍ଧ ହୋଇଗଲା, ଦୁଇ ଭାଇ ଭାଉଜଙ୍କ ମଧ୍ୟରେ। ମାଆର ଶଙ୍ଖା ଶୂନ୍ଯ ହାତରେ କିଛି କରିପାରିବାର କ୍ଷମତା ନ ଥିଲା ବଡଝିଅ ପ୍ରଭାତୀ ପାଇଁ। ନିଜର ଏକମାତ୍ର ସମ୍ବଳ ଲୁହ ଓ କୋହକୁ ଧରି ବଞ୍ଚୁଥିବା ମଣିଷ କଣ ବା କରିପାରିବ। ଯାହା ହେଉ ବହୁ ଝଡ ଝଞ୍ଜାକୁ ସାମ୍ନାକରି ପ୍ରଭାତୀ ବେଦୀ ରେ ବସିଲା। ବିକାଶ ଙ୍କ ସହିତ ତାର ବାହାଘର ହେଇଗଲା। ଧନରେ ଗରିବ ନ ଥିବା ଭାଇମାନେ ମନରେ କିନ୍ତୁ ଖୁବ୍ ଗରିବ ଥିଲେ। ଯାହା ପ୍ରଭାତୀକୁ ସବୁବେଳେ କଷ୍ଟ ଦେଉଥିଲା। ଜୀବନ ସାଥି ରୂପେ ପାଇଥିବା ବିକାଶଙ୍କ ସହିତ ପ୍ରଭାତୀ ଲୁହ ଢାଳି ଢାଳି ବାପ ନ ଥିବା ବାପଘର ଛାଡିଲା। ବାଟରେ ସାନ ଭଉଣୀଟି କଥା ଭାବୁଥାଏ। ତା ଭାଗ୍ଯରେ କଣ ଅଛି? ସେ ତ ଆଉ ଗୋଟିଏ ବୋଝ ଭାଇ ଭାଉଜଙ୍କ ପାଇଁ। ଭଗବାନ ତାକୁ ଭଲ ବର ଓ ଘର ଦିଅନ୍ତୁ। ଅନ୍ତତଃ ମାଆ ଟିକେ ଶାନ୍ତିରେ ମରିପାରିବ। ଆଉ କି ସୁଖ ବା ମାଆର ଅଛି। ନିଜେ ତ ତାଆରି ପରି ପିଲା ବେଳୁ ବାପ ଛେଉଣ୍ଡ ବିକାଶଙ୍କ ହାତ ଧରିଛି। ଶାଶୁ ଘରେ କଣ ତା ପାଇଁ ଅପେକ୍ଷା କରିଚି, ସେ କଥା ଭଗବାନଙ୍କୁ ଜଣା। ପ୍ରଭାତୀର ଭାବନାରେ ପୂର୍ଣ୍ଣଛେଦ ପଡିଗଲା। ଶାଶୁ ଘର ଦାଣ୍ଡରେ ଗାଡି ଅଟକି ଗଲା। ନିଜକୁ ସଜାଡି ନେଲା ପ୍ରଭାତୀ। ହିନ୍ଦୁ ଘରର ରୀତି ନୀତି ଅନୁସାରେ ସେ ଶାଶୁ ଘରେ ବା ନିଜ ଘରେ ପାଦ ଦେଲା। ଝିଅଟିଏର ପରିଚୟ ରେ ବଞ୍ଚୁଥିବା ପ୍ରଭାତୀ ଆଜି ଜଣଙ୍କର ସ୍ତ୍ରୀ, କାହାର ଖୁଡୀ, କାହାର ଭାଉଜ, ଆଉ କାହାର ବୋହୂ, ଏହିପରି ଅନେକ ପରିଚୟ ପାଇଲା ସେ ଘରେ। ବାହାଘର ର ଗହଳି ଧୀରେ ଧୀରେ କମି ଗଲା। ବନ୍ଧୁ ବାନ୍ଧବ ଯେ ଯାହା ଘରକୁ ଫେରି ଗଲେ। ଘରେ କେବଳ ଘର ଲୋକମାନେ ଥିଲେ। ଖରାବେଳେ ବାହାଘରର ସବୁ ଦାୟିତ୍ବ ତୁଲାଇଥିବା ବଡ ଯାଆ ଆସି ପ୍ରଭାତୀ ପାଖରେ ବସିଲେ। ଖୁବ୍ ଆଦର ଯତ୍ନରେ ମୁଣ୍ଡ ଆଉଁସି ଦେଲେ। କହିଲେ, ଜାଣିଚୁ - ଶଶୁରଙ୍କ ଦେହାନ୍ତ ପରେ ମୁଁ ବିକାଶକୁ ପଚିଶ ବର୍ଷ ଧରି ଲାଳନପାଳନ କରିଛି। ବାହାକରି ତତେ ଆଣିବା ପରେ ମତେ ଲାଗୁଛି ମୁଁ  ପୁଅ ବାହାକରି ବୋହୂ ଆଣିଛି। ତୁ ମୋର ଯାଆ ନୁହେଁ, ବୋହୂ ବା ଝିଅ। ପ୍ରଭାତୀ ଆଖିରେ ଆନନ୍ଦରେ ଅଶ୍ରୁ ଭରିଗଲା। ବିକାଶଙ୍କ ଭାଉଜ ଓ ନିଜ ଭାଉଜଙ୍କ ମଧ୍ୟରେ କେତେ ଫରକ ସତେ!

Friday, October 16, 2020

କାଶ୍ମୀର

 

ସନ୍ଦିପ୍ ଶତପଥୀ 

                ଯାହା କହିଥିଲି ତାହା କରିଦେଲି
                    କେତେ ଲୋକ ଜଳିଲେଣି
                ମୋ ଭାରତ ବାସି ଖୁସିରେ ହସନ୍ତି
                  କେତେ ଲୋକ କାନ୍ଦିଲେଣି ।।୧।।

                ୩୭୦ ଧରା ଉଠେଇଲି ବୋଲି 
                   କେତେ କଥା କହିଲେଣି
              ଯିଏ ଯାହା କହୁ ମୋର ଢୋ
                   ଧାରାତ ଊଠିଗଲାଣି ।।୨।।
             
              କାଶ୍ମୀର ଆଜିଠୁ ଆମର ହୋଇଗଲା
                     ବିଶ୍ବବାସି ହେଲେ କାବା
               ପଡୋଶୀ ଦେଶଟା ବିଦାରି ହେଉଛି 
                     ମିଛରେ ମାରୁଛି ଡାବା ।।୩।।
            
             ଏମିତି କରିବି  ସେମିତି କରିବି
                   ମନେ ମନେ ଗୁଡ ଖାଉଛି 
              ଭାବି ଅଛି ବୋଧେ ଭାରତ ଆମର 
                     ହାତରେ ଚୁଡି ପିନ୍ଧିଛି ।।୪।।
              
              ଜାଣି ନାହିଁ ସେ ଭାରତର ବଳ
                       ତେଣୁ ସେ ଫୁଟାଣି ମାରୁଛି
               ଚୁପ୍ ଚାପ୍ ଆମେ ସବୁ ଶୁଣୁ ଅଛୁ
                      କାରଣ ଭାରତ ଶାନ୍ତି ଶିଳ ।।୫।।

        ମାଷ୍ଟର ପଡା ଫୁଲବାଣୀ କନ୍ଧମାଳ ଜିଲ୍ଲା, ପିନ୍-୭୬୨୦୦୧

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy