Friday, October 16, 2020

ଚିଠି ପତ୍ର ସ୍ମୃତି ଏକ ରୂପା ଜହ୍ନ

ଅକ୍ଷୟ ଓଝା


        ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ । ଚିଠି , ଡାକ ଘର, ପୋଷ୍ଟ କାର୍ଡ ଲଫାପା, ତାର, ଅନ୍ତର୍ଦେଶୀୟ ପତ୍ର ପୋଷ୍ଟ ପିଅନ ସବୁ ଯେମିତି ଅତୀତର ଗର୍ଭରେ ଲୁପ୍ତ ପାଇ ଗଲାଣି । ସମୟ ଥିଲା ମଣିଷ ଜୀବନର ସବୁଠୁ ଆବଶ୍ୟକ ଅଙ୍ଗ ଥିଲା ଚିଠି ପତ୍ର ।

      ଗାଆଁରେ ଥିଲା ବେଳେ ଯୁବା ଅବସ୍ଥାରେ ଏକ ଅଭ୍ୟାସ ଥିଲା ଚାରିଟା ବାଜିଲେ ପାଦରେ ଚାଲି ଆମ   ନୂଆପଡ଼ା ପୋଷ୍ଟ ଅଫିସ ଠାକୁରାଣୀ ମାଳ ପର୍ଯ୍ୟନ୍ତ ଦୁଇ ତିନି ଜଣ ସାଙ୍ଗ ସହିତ ପହଞ୍ଚି ଯାଉଥିଲି ପୋଷ୍ଟ ଅଫିସ । ପୋଷ୍ଟ ବ୍ୟାଗ୍ ନ ଆସିବା ପର୍ଯ୍ୟନ୍ତ ବଡ଼ ଚାତକ ଭଳି ଅପେକ୍ଷା କରି ପୋଷ୍ଟ ଅଫିସ ସାମ୍ନାରେ ଘାସ ଉପରେ ବସି ପଡୁ ଠାକୁରାଣୀ ମାଳରେ । ଶେଷ ରେ ବାଟିପଡା ବଡ଼ ପୋଷ୍ଟ ଅଫିସରୁ ଡାକ ପିଅନ ଆସେ ସାଇକଲରେ । ପଛରେ ପୋଷ୍ଟ ବ୍ୟାଗ୍ ଓ ଆଗରେ ଚମଡା ବ୍ୟାଗ୍ ରେ ମନି ଅର୍ଡର୍ ,ତାର ଓ ଇନସିଓଡ଼ ଟଙ୍କା ପଇସା ଥାଏ । ସେ ଚମଡା ବ୍ୟାଗ ରେ ତାଲା ପଡି ଥାଏ । ପୋଷ୍ଟ ପିଅନ କୁ ଦେଖି ଆମେ ଆନନ୍ଦ ହେଇ ଯାଉ ପୁଣି ପୋଷ୍ଟ ଅଫିସ ରେ ଭିଡ଼ ଲଗାଉ ।

         ପୋଷ୍ଟ ମାଷ୍ଟର ପୋଷ୍ଟ ବ୍ୟାଗ୍ କୁ ଓ ଝାଡି ପକାନ୍ତି ଟେବୁଲ୍ ଉପରେ ତାପରେ ନାକ୍ ଉପରକୁ ଚଷମା ଲଗେଇ ପିଟି ଚାଲନ୍ତି ଷ୍ଟାମ୍ପ ଗୋଟିଏ ପରେ ଗୋଟିଏ ଚିଠି ରେ। ଷ୍ଟାମ୍ପ ହିନ୍ଦୀ ଅଂଗ୍ରେଜି ରେ ଲେଖା ଥାଏ ନୂଆପଡ଼ା ପୋଷ୍ଟ ଅଫିସ । ତା ପରେ ଚିଠି ବଛା ଚାଲେ କେଉଁ ସାହିର କେଉଁ ଗାଆଁର ଚିଠି । ଆମେ ଆମ ସାହିର ସବୁ ଚିଠି ନେଇ ଆସୁ ଓ ଯାହାର ତାକୁ ତାଙ୍କ ଘରେ ଦେଇ ଆସୁ ।

       ଅପୂର୍ବ ଆନନ୍ଦ ଥାଏ ସେଇ ଚିଠି ପାଇଁ ଅପେକ୍ଷାରେ । ଚିଠି ରେ ତ ଥାଏ ଆହୁରି ଅକୁହା  ଆନନ୍ଦ । ଆମେ ଚିଠି ଧରି ଘେରି ବନ୍ଧର ହାଲୁକା ପବନର ପାଦ ଚଲା ରାସ୍ତାରେ ଆନନ୍ଦ ନେଇ ଫେରୁ ଫେରୁ ସଂଜ ହେଇଯାଏ । ପୋଲ ବନ୍ଧରେ ଚାଲିବାରେ ଭାରି ଶାନ୍ତି ଲାଗେ। କିଛି ରାସ୍ତା ନିକାଞ୍ଚନ ଉଚ୍ଚା ବନ୍ଧ ସହିତ ଥାଏ। ଦୁଇ ପାଖରେ ଧାନ କ୍ଷେତ। ଲମ୍ବା ଦିଗନ୍ତ କୁ ଛୁଇଁଲା ଭଳି ଧାନ କିଆରୀ । ଅପୂର୍ବ ଆନନ୍ଦ ଉଲ୍ଲାସ ରେ ଚିଠି ବାହାନାରେ ଉପଭୋଗ କରୁ ଗ୍ରାମ୍ୟ ସନ୍ଧ୍ୟା କୁ ।

        ସାହିରେ ପହଞ୍ଚିଲା ବେଳକୁ।  ଟୁନି ଭାଉଜ ଦାଣ୍ଡ ଦୁଆରେ ଖୁଣ୍ଟ କୁ ଆଉଜି ଚାତକ ଭଳି ଅପେକ୍ଷା କରି ବସି ଥିବେ । କାଳେ ତାଙ୍କ ନାଁରେ ଚିଠି ଆସିନିତ ?ଏଇ ଚିଠି ପାଇଁ ଭାରି ଭଲ ପାଆନ୍ତି ମୋତେ ଟୁନି ଭାଉଜ ।ଭାରି କଅଁଲେଇ କଥା ହୁଅନ୍ତି ।

        ଟୁନି ଭାଉଜଙ୍କ ବାହାଘର ଗତ ବର୍ଷ ହେଇଛି । ବନୁ ଭାଇ କଲିକତାରେ ରହନ୍ତି । ଚାକିରୀ ରୁ ବେଶୀ ଛୁଟି ମିଲେନି । ବେଶି ଗାଆଁକୁ ଆସି ପାରନ୍ତିନି । ସପ୍ତାହ କୁ ଖଣ୍ଡେ ଲେଖାଏଁ ଚିଠି ଆସେ କଲିକତାରୁ  ଟୁନି ଭାଉଜଙ୍କ ନାଆଁ ରେ ।

      ଚିଠିରେ ଯେମିତି ଭାଉଜଙ୍କ ପ୍ରାଣ ଅଟକି ଥାଏ । କେତେ କଥା ଲେଖନ୍ତି ଗୋପନରେ । ମନ କଥା । ମାନ ଅଭିମାନ କଥା । କେତେ ବେଳେ ସ୍ବପ୍ନ ରେ ରାଇଜରେ ତ କେତେ ବେଳେ ଆଖିର ଲୁହରେ ଲେଖା ଯାଏ ଚିଠି । ବେଳେ ବେଳେ ପୁରା ରାତି ବିତିଯାଏ ଚିଠି ଲେଖାରେ। କେଉଁଠୁ ଆରମ୍ଭ କରନ୍ତି କେଉଁଠୁ ଶେଷ କରନ୍ତି ରାତି ବିତିଯାଏ ଭାବନା ରେ । ଇଛା ଲୁହ ହେଇ ବହିଯାଏ ଆଖିରୁ ତ ସ୍ବପ୍ନ ଉଡନ୍ତା ଖଟୁଲି ହେଇଯାଏ । ମନ ଉଡିବୁଲେ ଆକାଶରେ, ସ୍ବପ୍ନ ରାଇଜରେ ।  ତମେ ଆସିଲେ ........। କେତେ ଅନ୍ତରର କଥା କେତେ ମନର ବେଦନା ନବ ବିବାହିତା ଯୁବକ ଯୁବତୀ ଙ୍କ ମୁକ ସାକ୍ଷୀର ଏକ ମାତ୍ର ଉତ୍ସ ରହି ଥାଏ ଏହି ଚିଠି ।

     ବେଳେ ବେଳେ ପୁରୁଣା ସଂସାରୀ ଟିଏ ବିଦେଶରୁ ପତ୍ନୀକୁ ଚିଠି ଲେଖେ ।

     ପ୍ରାଣ ପ୍ରିୟେ,

ଏଇଠୁ ମୋର ଆଶୀର୍ବାଦ ନେବ। ଦରମା ପାଇଲେ ମନି ଅର୍ଡର୍ କରିବି । ଏ ମାସ ଟା ହାତ ଟାଇଟ୍ ରହିଲା । ଘର ଖବର କଣ ? ପିଲାଙ୍କ ଦେହ ପା ଧ୍ୟାନ ରଖିବୁ । ଝିଅ ସୁନିତା ର ଏଥର ଅଷ୍ଟମ ଶ୍ରେଣୀ ହେଲା । ବାବୁଲି ର ସ୍କୁଲ ଡ୍ରେସ୍ ନଥିଲା । ପଇସା ପାଇ ବାବୁଲି ସ୍କୁଲ ଡ୍ରେସ ବଜାରରୁ ଆଣି ଦେବୁ । ବଡ଼ ହେଲାଣି ସଫା ସୁତୁରା ହେଇ ସ୍କୁଲ ଯିବା ଦରକାର। ପିଲାଙ୍କ ପାଠ ପଢା ଉପରେ ନଜର ରଖୁଥିବୁ । ସମୟରେ ରାଧୁଆ କୁ ଡାକି ଘର ଛାଇ ଦେବୁ। ବାପାଙ୍କ ଦେହ ପା ଓଷଧ୍ ପତର ଆଣି ବାପାଙ୍କ ଧ୍ୟାନ କରିବୁ । ବୋଉକୁ କହିବୁ  ପାଣି କଖାରୁ ପକେଇ ଭଲ ବଡ଼ି ପାରିବ । ଏଠାରେ ଗଲେ ଦି ଡବା  ଭରି ଆଣିବି ।ଘର ଖିଆଲ ରଖିବୁ । ନିଜ ଦେହ ପା ଖବର ରଖିବୁ ।

    ଘରୁ ଚିଠି ଯାଉଥିଲା । 

ପ୍ରାଣ ନାଥ ।

ଭୂମିଷ୍ଟ ପ୍ରଣାମ ନେବ । ଧାନ କଟା ସାରିଲାଣି । ବାରି ଆଡେ ୩ଟା ଧାନ ଗଦା । ଗଣ୍ଡ ବନ୍ଧ ବିଲ ରେ ଭଲ ଧାନ ହେଇଥିଲା । ବଉଳା ଗାଈ ବାଛୁରୀ ଦେବ ସମୟ ହେଇ ଗଲାଣି । ଦୀନା ମାମୁଁ ପୁଅ ବାହାଘର ଆଗ ମାସରେ । ଭଲ ବେଭାର ଦେବାକୁ ପଡିବ। ଆମର ତ ପୁଣି ଇଜ୍ଜତ ଅଛି । ଆଗକୁ ପିଲାଙ୍କ ପରୀକ୍ଷା । ପିଲାଙ୍କ ଟୁସନ୍ ଲଗେଇଛି ଜଳିଆ ସାର୍ ଙ୍କ ପାଖରେ । ବାପାଙ୍କ କାଶ ଟିକେ କମିଛି । ଔଷଧ ଖାଉ ଛନ୍ତି ।ଇତ୍ୟାଦି...

ରହୁଛି । ବାହାର ଜାଗା ସାବଧାନ ହେଇ ଚଳୁଥିବ ।

ଇତି ତୁମର ......

ଗିରିଆ ଭାଇ ଥରେ ଚିଠି ଲେଖିଲେ  ହୁଣ୍ଡି  ଭାଉଜ ଙ୍କୁ ଭୁବନେଶ୍ୱର ରୁ । ହୁଣ୍ଡି ଭାଉଜ ପାଠ ପଢିନି । ପଡିଶା ଘର ନିତିଆ ପାଖକୁ ଚିଠି ଟା ନେଇକି ଗଲେ । ନିତିଆ ଚିଠି ଟା ପଢି ସୁଣେଇଲା ହୁଣ୍ଡି ଭାଉଜ ଙ୍କୁ ।

"ମୋର ପ୍ରମୋସନ୍ ହେଇ ପେ ବଢ଼ି ଯାଇଛି" । ଭାଇ ଲେଖିଥିଲେ ଚିଠି ରେ ।

          ହୁଣ୍ଡି ଭାଉଜ କଣ ବୁଝିଲା କେଜାଣି ଚିଠି ଶୁଣି କାନ୍ଦି କାନ୍ଦି  ନୟାନ୍ତ । ସେ ନିଆଁ ଲଗା ପେଟ ବେମାରୀ ପୁଣି ବାହାରିଛି । ପୁରା ଗାଆଁ ଗୋଟାକ ବୁଝେଇ ସୁଝେଇ ପାରିଲେନି ଭାଉଜକୁ । ସକାଳୁ ସକାଳୁ ବାହାରି ପଡ଼ିଲେ ପଟ୍ଟାମୁଣ୍ଡାଇ , ଭୁବନେଶ୍ୱର ଯିବ । ବସ ଧରିବ । ମୋତେ ସାଇକେଲରେ ପଟ୍ଟାମୁଣ୍ଡାଇ ଯିବାକୁ ଗୁହାରୀ କଲେ । ମୁଁ ସାଇକଲ ରେ ବସେଇ ବାହାରିଲି ପଟ୍ଟାମୁଣ୍ଡାଇ ଯାଏ । ବାଟରେ ବୁଝେଇଲି ଭାଉଜଙ୍କୁ  ପ୍ରୋମ ସନ ହେଇ ପେ ବଢ଼ି ଯାଇଛି ମାନେ ଚାକିରୀ ରେ ବଡ଼ ପୋଷ୍ଟ ମିଳିଛି ଭାଇଙ୍କୁ । ଦରମା ବି ବଢ଼ିଛି । ସେତେ ବେଳେ ଯାଇ ବୁଝିଲେ । ତଥାପି ମନ ମନିଲାନି ତାଙ୍କର । କହିଲେ ବାହାରିଛି ଯେତେ ବେଳେ ଯାଇ ଟିକେ ଦେଖି ଆସେ । 

      କେତେ ଅର୍ଦ୍ଧ ପ୍ରେମ, ଛାତି ଫଟା ବିଚ୍ଛେଦ, ଅକୁହା ଯନ୍ତ୍ରଣା, ପାଉ ପାଉ ହାରିଯିବା, ହାରୁ ହାରୂ ପାଇ ଯିବା ସବୁ ଏହି ଚିଠି ପୃଷ୍ଠାରେ ଅକୁହା ବେଦନା ହେଇ ରହି ଯାଇଛି । କେତେ ଅଭୁଲା ମନର ଘାଆ ହେଇ ଆଜିବି ଜୀବିତ ଅଛି ଏକଥା କେବଳ ଚିଠି ହିଁ କହି ପାରିବ ।

                   ଏହି ସବୁ ଥିଲା ଚିଠି ର ବିବିଧତା ।ସବୁ ଖବରର ଆଦାନ ପ୍ରଦାନ ହୁଏ ଏହି ଚିଠି ପତ୍ର ମାଧ୍ୟମରେ ।

        ସଂଜକୁ ଡାକ ପିଅନ ଆସେ ସାଇକଲ ଘଣ୍ଟି ବଜେଇ । ଗାଆଁରେ ଯେମିତି ଚହଳ ପଡି ଯାଏ । ଚାକିରୀ ବାକିରୀ , କଲେଜ୍ ଆଡ଼ମିଶନ ଦେହ ପା ଖରାପ ର ଖବର ବିବାହ ପାଇଁ ପିଲାମାନଙ୍କୁ ଚାକିରୀ ରୁ ଡକେଇବା ଖବର ଏହି ଡାକ ମାଧ୍ୟମରେ ହେଇ ଥାଏ ସେ ସମୟରେ ।

         ଆଜିର ଅତ୍ୟାଧୁନିକ ଯୁଗରେ ପୋଷ୍ଟ ଅଫିସ ,ଚିଠି ପତ୍ର ଏକ ଅବ୍ୟବହୃତ ମାଧ୍ୟମରେ  ପରିଣତ ହେଇଯାଇଛି । ସମୟ କ୍ରମେ ଏହାର ବ୍ୟବହାର ସମ୍ପୂର୍ଣ ରୂପେ ଅନ୍ତ ହେଇଯିବ କାରଣ ଆଜିର ଫୋନ ମୋବାଇଲ  ଜମାନା ରେ ଏ ସବୁ ନିରର୍ଥକ । ସମୟ କ୍ରମେ ଏହା ଇତିହାସ ହେଇଯିବ । କିନ୍ତୁ ଏହାବି ଇତିହାସରେ ଲେଖାଯିବ ଏକ ସମୟରେ ଚିଠି ମଣିଷ ସମାଜରେ ଭାବ ବିନିମୟରେ ଏକ ମାତ୍ର ଜୀବନ ସୂତ୍ର ଥିଲା ।


ଅକ୍ଷୟ ଓଝା ରାଇଁଲୋ, 
ନୂଆପଡ଼ା, ଆଳି,କେନ୍ଦ୍ରାପଡ଼ା 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy