✍ସନ୍ତୋଷ କୁମାର ସାହୁ
ହଁ ହଁ ମୁଁ ଲେଖୁଛି
ଅସୁମାରୀ ଶବ୍ଦ ଶବ୍ଦର ଶ୍ରଦ୍ଧାରେ
ନିତି ବାନ୍ଧିହୋଇ ଯାଉଛି
ଶୃଙ୍ଖଳିତ ଅଟେ
ମୋ ଶବ୍ଦ ବ୍ୟଞ୍ଜନ
ଯେତେ ମୁଁ ସ୍ୱାଧୀନ
ଲେଖା ପରାଧୀନ
କାହା ନିର୍ଦ୍ଦେଶରେ
ସତେ ନାଚୁଛି
ନିତି ନୂଆ ସୃଷ୍ଟି ରଚୁଛି
ହଁ ହଁ ମୁଁ ଲେଖୁଛି l
ସମୟ ନଥାଇ ସମୟ କାଢୁଛି
ପରିବାର ଛାଡ଼ି ମାତିଛି
ସମୟ ଶୃଙ୍ଖଳେ ବନ୍ଧା ତ ଜୀବନ
କେଉଁ ଖୁସିରେ ଲେଖନୀ ଧାଉଁଛି
ଦୁନିଆଁ ମାେ ଲେଖା ଦେଖୁଛି
କବିର ସଂଜ୍ଞା ମୁଁ ଖୋଜୁଛି
ହଁ ହଁ ମୁଁ ଲେଖୁଛି l
ଲେଖାରେ କାହାକୁ ଚାଞ୍ଚୁଛି
କିଏ ଟେକି ହୋଇ ଯାଉଛି
ପଦେ ପଦରେ ପ୍ରଶଂସା ନ କଲେ
କବିତା ବଞ୍ଚିତ ହେଉଛି
କବିତାବନିତା ଲେଖାମୋର ଲତା
ଆଶ୍ରୟ ତ ଲୋଡ଼ା ହେଉଛି
ବେଳେ ବେଳେ ସତେ
ଚାନ୍ଦା କସରତ ଲାଗିଛି
ନିଜ ଭଡ଼ାମୂଲ ଖୋଜୁଛି
ହଁ ହଁ ମୁଁ ଲେଖୁଛି l
ନିତି ସାହିତ୍ୟର ଚର୍ଚ୍ଚାରେ ବାଟୋଇ
ଶାଶ୍ବତ ରସକୁ ଆକଣ୍ଠ କରୁଛି
ସନ୍ତାନ ସାହିତ୍ୟ
ଚୁଲିକୁ ଗଲାଣି
ଶବ୍ଦକୋଷ ଦେଖା ଚାଲିଛି
ସଭାରେ ଶିରପା ବାନ୍ଧୁଛି
ହଁ ହଁ ମୁଁ ଲେଖୁଛି l
ଦୁନିଆଁ କଷଣ
ମୋ ଲେଖାରେ ସ୍ଥାନ
ମାନ ସମ୍ମାନ ତ ଶିଙ୍ଗ ଆଉ କାନ
ହଜି ତ ଗଲାଣି
ମୋଭାବ ଯୌବନ
ଲେଖାରେ ମୁଁ ପ୍ରୌଢ଼ ହେଉଛି
ହଁ ହଁ ମୁଁ ଲେଖୁଛି l
ପ୍ରଗଳ୍ଭ ଭାବୁକ ସାଜିଛି
କାନ୍ଥେ ମାନପତ୍ର ଝୁଲୁଛି
ଉତ୍ତରୀୟ ଧୂଳି ଖାଉଛି
ଲେଖକ ସ୍ୱାଧୀନ
ଭାଷା ଯେ ଅଧୀନ
କାହା ନିର୍ଦ୍ଦେଶରେ ହଲୁଛି
ଶଦ୍ଧରେ ତ ବନ୍ଧା ହେଉଛି
ହଁ ହଁ ମୁଁ ଲେଖୁଛି l
କିଏ କବିତାରେ ଜଳୁଛି
ନିଜେ ଜଳି ଜାଳି ହେଉଛି
କବିତାର ଧାର କାହାକୁ ଜଗାଇ
ପରିବର୍ତ୍ତନର ଖିଅକୁ ଲଂଘୁଛି
ନିଜ ରୂପାନ୍ତର ନିଜକୁ ହଜାଇ
ସତ୍ତା ସନ୍ଦିହିନ ହେଉଛି
ଅକ୍ଟୋପାସ ର ପଞ୍ଝାରେ ଆବଦ୍ଧ
ମୁକ୍ତିର ପଥ ମୁଁ ଖୋଜୁଛି
ହଁ ହଁ ମୁଁ ଲେଖୁଛି l
ନବରଙ୍ଗପୁର
No comments:
Post a Comment