✍ହରିହର ଭୂକ୍ତା
ଶୀତ ପ୍ରଭାତ ଛଅଟା ହୋଇଛି
ଦେଖ ସବିତା ମୟୁଖ ପଡିଛି ।
କିଆ ଗହିରିରେ ହୁକେ ହୁ ଶୁଭୁଛି
କାକ,ଶୁକ, ପିକ ରାବ ଶୁଭୁଛି ।
ଠିକ୍ ସମୟରେ ଘର ଚଟିଆଟି
ଗୃହ କାନ୍ଥ ଆଇନାକୁ ଦେଖୁଛି ।
କ'ଣ ହୋଇଛି ଜାଣେନା ତାହାର
ଆଇନାରେ ଅଛିକି ସେ' ନିଜର ।
ଆଇନାକୁ ବାରମ୍ବାର ଦେଖୁଛି
ଟିକି ଡେଣା ଝାଡି ଉଡି ଯାଉଛି ।
ନିଜ ପ୍ରତିବିମ୍ବ ବୋଲି ଜାଣିଛି
କିନ୍ତୁୁ ଆଇନାକୁ କିବା ଛାଡୁଛି ।
କିବା ନିଜର କିଏସେ ଭାବୁଛି
ପୁନର୍ବାର ପୁଣି ସେଠି ବସୁଛି ।
ମନ ଭାବ ବିହ୍ବଳିତ ହେଉଛି
ଗୋଟେ ପଶ୍ନ ମୋର ଉଙ୍କି ମାରୁଛି ।
ପୁତ୍ର ବଧୂ କଥା ମାନି ଚଳୁଛି
ଗୃହ ପରିତ୍ୟାଗ କରି ଯାଉଛି ।
ନାରୀ କୁଳିତା ପରାୟ ହୋଇଛି
ଲମ୍ପଟ, କାମୁକର ହାତ ଧରିଛି ।
ସ୍ବାମୀ, ପୁତ୍ର ମୋହ ସବୁ ଭୁଲିଛି
ପର ପୁରୁଷ ସହିତ ଯାଉଛି ।
କାମ, ଲମ୍ପଟ ପୁରୁଷ ହୋଇଛି
ଭାର୍ଯ୍ୟା ହସ୍ତ ଛାଡି ଚାଲି ଯାଉଛି ।
ନିଜ ପୁତ୍ର,କନ୍ୟା ହାତ ଛାଡୁଛି
ବାସନାରେ ପଡି ଗୃହ ଭାଙ୍ଗୁଛି ।
ଝିଅ ପିତା,ମାତା ସ୍ନେହ ଭୁଲିଛି
ପର ଯୁବକ ସହିତ ଯାଉଛି ।
ପୁତ୍ର ପିତା,ମାତା ବୋଲି ଭୁଲିଛି
ଗଳାକାଟି ଧନ,ରତ୍ନ ଲୁଟୁଛି ।
ଘର ଚଟିଆଟି କଥା ଭାବୁଛି
କେତେ ସେନେହ ସତେ ସେ' ପାଇଛି ।
ସ୍ବୟଂ ପ୍ରତିବିମ୍ବ କିବା ଛାଡୁଛି
ସଂସାରକୁ ବାର୍ତାଟିଏ ଦେଉଛି ।
ଆମ୍ଭେ ମଣିଷ ଜନମ ଲଭିଛୁ
ଏବେ ପଶୁ ତୁଲ୍ୟ କର୍ମ କରୁଛୁ ।
ଧିକ ଜୀବନକୁ ଆଜି ନିନ୍ଦୁଛୁ
ଘର ଚଟିଆଠୁ ଶିକ୍ଷା ପାଉଛୁ ।
ରାକସ
ତାଳଚେର
ଅନୁଗୋଳ
ହୃଦୟସ୍ପର୍ଶୀ
ReplyDelete