Tuesday, October 13, 2020

-ଭୟଙ୍କର ବ୍ଯାଧି-

            ✍ସୁକାନ୍ତ ଖଣ୍ଡା 

ଆଜକୁ ଅନେକ ଦିନ ହୋଇଗଲାଣି ଗୋବର୍ଦ୍ଧନ ଚାକିରି କହିବାକୁ ଚାହିଁଲେ ବି କରିପାରୁ ନାହିଁ। ସେ ଆଜି ଯୁବକ ପାଠ ପଢ଼ି ଉଚ୍ଚ ଶିକ୍ଷିତ।ଅନେକ ପରୀକ୍ଷା ଦେଉଛି ହେଲେ ଫଳ ଶୂନ୍ୟ। କେଉଁଠି କେଉଁଠି ଟଙ୍କା ମାଗିବା ଶୁଣି ମିୟମାଣ ହୋଇ ଯାଇଛି । ଅନେକ ଆଶା ଥିଲା ଚାକିରି କରିବ ବାପାମାଆଙ୍କୁ ସୁଖରେ ରଖିବ। ବାପା କେନ୍ଦୁଝର ଜିଲ୍ଲା ଘଟଗାଁରେ ରିକ୍ସା ଚଲାଇ ପାଠ ପଢ଼ାଇ ଥିଲେ। ସେ ନିତି ପୁଅ ପାଇଁ ମାଆ ତାରିଣୀଙ୍କ ପାଖରେ ପ୍ରାର୍ଥନା କରୁଥିଲେ। ଗୋବର୍ଦ୍ଧନ ବି ବାପାଙ୍କୁ କହିଛି କି,"ବାପା ! ଆପଣ ପାଠ ପଢ଼େଇବାର ଅବଶ୍ୟ ଦିନେ ଉଚିତ୍ ମୂଲ୍ୟ ପାଇବେ।" ସେ ପାଣି ତୋରାଣି ପିଇ ପାଠ ପଢ଼ିଛି। ପ୍ରତି ବର୍ଷ ଭଲରେ ଭଲରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି।

      ସବୁଥର ପରି ଏଥର ବି.ଏସ୍.ଏଫ୍ ପରୀକ୍ଷା ଦେବାକୁ ମହାରାଷ୍ଟ୍ରର ପୁନେ ସହରକୁ ରେଳଯାତ୍ରାରେ ସାଙ୍ଗମାନଙ୍କ ସହ ଯାଇଥିଲା। ରେଳଗାଡ଼ିରୁ ଓହ୍ଲାଇ ଇଣ୍ଡିଆନ ଏକ୍ସପ୍ରେସ ପେପର ଧରି ପଢୁପଢୁ ଦେଖିବାକୁ ପାଇଲା କି ବଡ଼ବଡ଼ ଅକ୍ଷରରେ ଲେଖା ଯାଇଛି ସାବଧାନ ଭୟଙ୍କର ବ୍ୟାଧି ମାତିଛି ଯିଏ ଯେଉଁଠି ଅଛ ସେଇଠି ରହିଯାଅ। ନିଜ ରାଜ୍ୟର ସରକାର ସବୁ ଖର୍ଚ୍ଚ ବହନ କରିବେ। ଗୋବର୍ଦ୍ଧନ କରିବ କ'ଣ? ସାଙ୍ଗ ମାନଙ୍କ ସହ ସେଠାରେ ରଖିବାକୁ ବାଧ୍ୟ ହେଲା। ବି.ଏସ୍.ଏଫ୍ ପରୀକ୍ଷା ହେଲାନି। କେଇଦିନ ରହଣି ଭିତରେ ସବୁ ଅର୍ଥ ସରିଗଲା। 

        ଏବେ କ'ଣ କରିବ? ସହରକୁ ଯାଇ ମିଡ଼ିଆ ମାନଙ୍କ ସାହାଯ୍ଯ ମାଗିଲା। ମିଡ଼ିଆ ପ୍ରଚାର ଓ ପ୍ରସାର କଲେ କିନ୍ତୁ କିଏ ଶୁଣୁଛି? ମହାରାଷ୍ଟ୍ର ନା ଓଡ଼ିଶା ସରକାର? ସବୁ ରାଜ୍ୟ ନିଜ ନିଜ ରାଜ୍ଯକୁ ଆଣିବା ନିଷ୍ପତ୍ତି କଲେ କିନ୍ତୁ ସେତେବେଳେ ଭୟଙ୍କର ବ୍ଯାଧି ସାରା ଦେଶରେ କାୟା ବିସ୍ତାର କରି ସାରିଥିଲା। ମାକ୍ସ ପିନ୍ଧିବା,ଦୂରତା ବଜାୟ ରଖିବା ବାଧ୍ଯତା ମୂଳକ କିନ୍ତୁ ଓଡ଼ିଶା ସରକାର ସବୁ ଲୋକଙ୍କୁ ବସରେ ଆଣି ଛାଡ଼ିଲା ନିଜ ନିଜ ଗ୍ରାମରେ ଯାହା ସୁସ୍ଥ ଲୋକଙ୍କୁ ଅତି ସହଜରେ ସଂକ୍ରମଣ ହେଲା। ଗୋବର୍ଦ୍ଧନ ଆସି ନିଜ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ରହିଲା। ଅଳ୍ପ କେଇଦିନ ଭିତରେ ଗୋବର୍ଦ୍ଧନର ଜ୍ୱର,କାଶ,ସର୍ଦ୍ଦି ସହ ଅଥୟ ହୋଇଗଲା। ତାକୁ ପରୀକ୍ଷା କରାଗଲା ତ ଭୟଙ୍କର ବ୍ଯାଧିରେ ଆକ୍ରାନ୍ତ । ସେ ଭୀଷଣ କାନ୍ଦିଲା।ବାପାମାଆଙ୍କୁ ମନେ ପକାଇ ଏତେ ବ୍ୟସ୍ତ ଆଉ ବିବ୍ରତ ହୋଇ ଗଲା ଯେ ତାକୁ ଦେଖି ଉପସ୍ଥିତ ଜନତା ଭୟଭୀତ ହୋଇଗଲେ। ତାକୁ ଡାକ୍ତରଖାନାକୁ ନିଆଗଲା ଡାକ୍ତରଖାନାରେ ଭୟଙ୍କର ବ୍ଯାଧିଙ୍କ ଭିଡ଼। କେବଳ ଭିଡ଼ କାହିଁକି ନିତି ଶହ ଶହ ଲୋକେ ମରୁଛନ୍ତି। ଅନ୍ୟ ରୋଗୀଙ୍କୁ ଦେଖି ଗୋବର୍ଦ୍ଧନ ଏତେ ଭୟଭୀତ ହୋଇ ଗଲା ଯେ ଅଳ୍ପ କେଇକ୍ଷଣ ଡାକ୍ତରଖାନାରେ ରହଣି ଭିତରେ ମୃତ୍ୟୁ ହୋଇଗଲା। 

        ଆଜି ଓଡ଼ିଶା ଓଣାୟତ। ଦିନକୁ ମୃତ୍ୟୁ ଯେତିକି ସଂକ୍ରମଣ ଦୁଇଗୁଣା ହେଉଛି। ଗୋବର୍ଦ୍ଧନର ବାପାମାଆ ପୁଅକୁ ଝୁରିଝୁରି ଆର ପାଣିକୁ ଚାଲିଗଲେ। ଆଜି ସରକାରଙ୍କ ଅନ୍ଯ କୌଣସି ଉପାୟ ନାହିଁ। ନିତି ଈଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି ଏ ଭୟଙ୍କର ବ୍ଯାଧିରୁ କିପରି ମୁକୁଳିବେ ଏକ ପ୍ରଶ୍ନବାଚୀ?

         ଏ ଭୟଙ୍କର ବ୍ଯାଧିରୁ ମୁକୁଳିବା ଓଡ଼ିଶା କାହିଁକି? ସାରା ଦେଶ ଓ ବିଶ୍ୱ କାନ୍ଦୁଛି। ସବୁ ଦେଶ ଆଜି ଔଷଧ ଅପେକ୍ଷାରେ ଆଉ ଔଷଧ ଉଦ୍ଭାବନ ପାଇଁ ବି ଲାଗି ପଡ଼ିଛନ୍ତି। ରୁଷ,ଇଂଲଣ୍ଡ,ଆମେରିକା,ଚୀନ ସମେତ ଭାରତ ଔଷଧ ଉଦ୍ଭାବନ ଦୌଡ଼ରେ ହେଲେ କେହି ସଫଳ ଏ ଯାଏଁ ହୋଇ ପାରି ନାହାନ୍ତି ଅଥଚ ହସୁଛି ଭୟଙ୍କର ବ୍ଯାଧି। ଚାଟି ଚାଲିଛି ରକ୍ତ,ମେଦ ଆଉ ମାଂସ। ରକ୍ତ ଭୋଜିରେ ମସଗୁଲ ହୋଇ ତାଣ୍ଡବ ନାଚୁଛି ।

         ତାକୁ କିଏ ରୋକିବ ରୋକୁ?

                    *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy