Tuesday, October 27, 2020

ତୁଳସୀ ମେମୋରିଆଲ

✍ଶିବାଶିଷ ପାଢ଼ୀ 


ବିରାଟ ଧର୍ମସଙ୍କଟ ରେ ପଡ଼ିଥିଲେ ଡାକ୍ତର ଧିରେନ ପଟ୍ଟନାୟକ !ଗୋଟିଏ ପଟେ ବେଡ଼ ର ଅପେକ୍ଷା ରେ ବାରଣ୍ଡା ରେ ଚିକିତ୍ସିତ ହେଉଥିବା ଶହ ଶହ ରୋଗୀ ତ ଅନ୍ୟ ପଟେ ଜବରଦସ୍ତ ବେଡ଼ କୁ ମାଡ଼ି ବସିଥିବା ସମ୍ପୂର୍ଣ ସୁସ୍ଥ  ତୁଳସୀ !

ତିନି  ଦିନ ହେଲାଣି ତୁଳସୀ କୁ ଡ଼ିସଚାର୍ଜ କରିବା ପାଇଁ ମନସ୍ଥିର କରିଥିଲେ ବି ଆଜିଯାଏ କରି ପାରି ନାହାନ୍ତି ସେ !କେଜାଣି କାହିଁକି ବୁଢ଼ୀ ଟିକୁ ଦେଖୁ ଦେଖୁ କୁଆଡେ ଥାଏ ଦୟା ର ସରିତା ଯେ ସାଙ୍ଗେ ସାଙ୍ଗେ ବହିବାକୁ ଆରମ୍ଭ କରିଦିଏ ସେ ନିଜେ ବି ଜାଣି ପାରନ୍ତି ନାହିଁ !

କେଉଁ ରାସ୍ତା କଡ଼ ରୁ ମୁମୂର୍ଷୁ ତୁଳସୀ କୁ ଆଣି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଏକ ଦଳେ ଯୁବକ   !ଏକ ବଡ଼ ଘା ଯୋଗୁଁ ଫୁଲି ଯାଇ ପଚି ଯାଉଥିଲା ଗୋଡ଼ !ସାଲୁବାଲୁ ହେଉଥିଲେ ଲମ୍ବା ଲମ୍ବା ପୋକ !ଭୀଷଣ ଦୁର୍ଗନ୍ଧ ରେ ଫାଟି ଯାଉଥିଲା ନାକ !ସଂକ୍ରମଣ ବାଧୁଥିଲା !ବଞ୍ଚିବାର ଆଶା ବହୁତ କମ ଥିଲା !

ଡାକ୍ତର ପଟ୍ଟନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଡାକ୍ତରଖାନା କର୍ମଚାରୀ ଙ୍କ ପ୍ରାୟ ଦୁଇ ମାସ ର ଯତ୍ନ ପରେ ପ୍ରାୟ ଭଲ ହୋଇଯାଇଥିଲା ସେ !

ସମସ୍ତେ ଖୁସି ଥିଲେ କିନ୍ତୁ ଏକ ନୂଆ ସମସ୍ୟା ଦେଖା ଦେଇଥିଲା !କୁଆଡେ ଯିବାକୁ ଜମା ମଙ୍ଗୁ ନ ଥିଲା ତୁଳସୀ !ଗୋଡ଼ ଧରି ପକାଉଥିଲା !

"ବାବୁ ମୁଁ ବରଂ ଏଇଠି ଠିକ ଅଛି ମୋତେ ଏଠୁ ଯିବାକୁ କହ ନି ଆଜ୍ଞା ପୁଣି ସେ ରାସ୍ତା କୁ ଫେରିଲେ ଏ ଘା ବଢ଼ି ଯିବ ବାବୁ !ମୁଁ ମରିଯିବି !

ନିଜ ସିଟ ରେ ବସି ସମସ୍ୟା ର ଏକ ଅପାତତଃ ସମାଧାନ ଚିନ୍ତା କରୁଥିବା ବେଳେ ମନେ ପଡିଲା ଆଭା ଙ୍କ କଥା !ସକାଳୁ ସକାଳୁ ଆଭା କହୁଥିଲେ 


"ଆଉ ସପ୍ତହେ ପରେ ନିଜ ଡେଲିଭରି ପାଇଁ ବାସନ୍ତୀ ତା ଗାଁ କୁ ଯିବ କିଛି ମନେ ଅଛିକି !ମୁଣ୍ଡ କୁ ଡାକ୍ତରଖାନା ରୁ କିଛି ସମୟ ବାହାର କରି  କିଛି ବିକଳ୍ପ ବ୍ୟବସ୍ଥା କର !""

ଚିନ୍ତା କରୁଥିଲେ 

""ୟା ଠୁ ଭଲ ବିକଳ୍ପ ଆଉ କଣ ହୋଇପାରେ ""

ପ୍ରସ୍ତାବ ଟିକୁ ଶୁଣି ଆଭା ପ୍ରଥମେ ବିରକ୍ତ ହେଉଥିଲେ !କହିଥିଲେ 

"କି ଜାତି, କେଉଁଠୁ ଆସିଛି କିଛି ବୁଝାବୁଝୀ ନାହିଁ ଏମିତି କାହାକୁ ଘର କୁ ଆଣି ଆସିବା ମୋତେ କାହିଁ ଠିକ ଲାଗୁନି ""

ହେଲେ କିଛି ଦିନ ପରୀକ୍ଷମୂଳକ ଭାବେ ଦେଖିବା କହି ଆଭା ଙ୍କୁ ବୁଝାଇ ଦେଇଥିଲେ ଡାକ୍ତର !

ପ୍ରସ୍ତାବ ରେ ସାଙ୍ଗେ ସାଙ୍ଗ ରାଜି ହୋଇ ଯାଇଥିଲା ତୁଳସୀ କେବଳ କହିଥିଲା ବାବୁ ମୋର ଗୋଟିଏ ଛୋଟିଆ ସର୍ତ୍ତ ଅଛି !

ଡାକ୍ତର ଭାବୁଥିଲେ ଟଙ୍କା ପଇସା କଥା କହିବ କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ କରି ତୁଳସୀ କହିଥିଲା 

"ମୁଁ ସବୁକାମ କରିବି ବାବୁ !ଘର କୋଣ ରେ ଜାଗା ଟିଏ ହେଲେ ମୋ ପାଇଁ ଯଥେଷ୍ଟ କିନ୍ତୁ ମୋ ଅତିତ ବିଷୟରେ କେବେ ପଚାରିବ ନାହିଁ !ଆଉ ମୁଁ କୌଣସି ଦରମା ନେବି ନାହିଁ """

ସେଇ ଦିନଠୁ ଆଜି ଯାଏ ତୁଳସୀ ଅପା ର ସର୍ତ୍ତ କୁ ମାନି ଆସିଛନ୍ତି ଡାକ୍ତର ପଟ୍ଟନାୟକ !

ତୁଳସୀ ଅପା ବି କେବେ ଅଭିଯୋଗ ର ସୁଯୋଗ ଦେଇନି !ଦୁଇ ବର୍ଷ ରେ ଘର କୁ କୋଳେଇ ନେଇ  ବୁଢ଼ୀ ରୁ ତୁଳସୀ ପୁଣି ତୁଳସୀ ଅପା କୁ ପଦୋନ୍ନତି ପାଇ ଘର ର ଏକ ର ସମ୍ପୂର୍ଣ ଦାୟିତ୍ୱ କୁ ନିଜ କାନ୍ଧ ରେ ବୋହି ଆସିଛି ସେ !

ଆଭା ର ମୋବାଇଲ ର ଚାର୍ଜ ଠୁ ନେଇ ଡାକ୍ତର ପଟ୍ଟନାୟକ ଙ୍କ ମୋଜା !ଲିପୁନ ର ରଫ ଖାତା ଠୁ ନେଇ ରିମା ର ଲିପଷ୍ଟିକ ଯାଏ ସବୁ ଜିନିଷ  ତୁଳସୀ ଅପା ନ ହେଲେ କାହାକୁ ମିଳେନି !


ଆଜି ସବୁ କଥା ଗୋଟି ଗୋଟି କରି ମନେ ପଡ଼ି ଯାଉଥିଲା ଡାକ୍ତର ପଟ୍ଟନାୟକ ଦେଖୁଥିଲେ ଚିର ନିଦ୍ରା ରେ ଶୋଇଥିବା ତୁଳସୀ ଅପା କୁ !

ହଠାତ ଏସବୁ ଦାୟିତ୍ୱ ରୁ ନିଜକୁ ଏମିତି ମୁକ୍ତ କରିଦେଇ ଥିଲା ସେ ! ହତବାକ ଆଭା ଙ୍କ ମୁହଁ ରୁ କଥା ସ୍ପୁରୁ ନ ଥିଲା !ସକାଳୁ କାନ୍ଦି କାନ୍ଦି ଆଖି ଫୁଲି  ଯାଇଥିଲା !ଶବ ପାଖରେ ସେମିତି ବସି ରହିଥିଲେ ଡାକ୍ତର ପଟ୍ଟନାୟକ !ପାଖ କୁ ଆସି ଆଭା କହିଥିଲେ 

"ଅପା ଆମକୁ ଋଣୀ ସବୁଦିନ ପାଇଁ କରିଦେଲା !ରୋଗ କୁ ଲୁଚେଇ ଲୁଚେଇ ଶେଷ କୁ ଚାଲିଗଲା ସିନା କେବେ କିଛି କହିଲା ନାହିଁ !କିଛି ତ ନେଲା ନି କେବଳ ଦେବା ପାଇଁ ଆସିଥିଲା ସେ !""""

ସକାଳୁ ସମ୍ପର୍କୀୟ ଙ୍କୁ ଖବର ଦିଆ ହୋଇଥିଲା କିନ୍ତୁ ଏ ଯାଏ ଆସି ନ ଥିଲେ ସେମାନେ !ଡାକ୍ତର ଭାବୁଥିଲେ ଦେଢ଼ ଶହ କିଲୋମିଟର ବାଟ ଅତି ବେଶୀ ରେ ଚାରି ଘଣ୍ଟା ରେ ଆସିଯିବା କଥା କିନ୍ତୁ ଛଅ ଘଣ୍ଟା ହେଲାଣି ମାନେ ଆଉ ଆସିବେନି ସେମାନେ !

ସେମାନେ ସମ୍ପର୍କୀୟ କି କଣ ସେକଥା ବି ତ ଠିକ ଠାକ ଜାଣି ନ ଥିଲେ ସେ !ଛଅ ମାସ ତଳେ ହଠାତ ଦିନେ ଅପା କୁ ନେବାକୁ ଆସିଥିଲେ ସେମାନେ !କହିଥିଲେ 

"ସାର ହଠାତ ଦିନେ ବଡ଼ ମା ଘର ଛାଡି ଚାଲିଗଲା !ବହୁତ ଖୋଜି ଛୁ ସାର !ଆମ ଗାଁ ର ଜଣେ ରୋଗୀ ଆପଣ ଙ୍କ ନର୍ସିଂ ହୋମ କୁ ଆସିଥିଲା ସେ କହିବାରୁ ସିନା ଖବର ପାଇଲୁ !ଯା ହେଉ ଆପଣ ଙ୍କ ଯୋଗୁଁ ଅପା ବଞ୍ଚି ରହିଛି ""

ଯିବି ନ ଯିବି ହୋଇ ବାହାରି ଥିଲା ଅପା !କାହାରି ଇଛା ତ ନ ଥିଲା କିନ୍ତୁ ଅପା ନିଜ ଲୋକ ଙ୍କ ପାଖ କୁ ଫେରି ଯାଉଥିବାରୁ ବାଧ୍ୟ୍ୟ ହୋଇ ମନଂକୁ ବୁଝାଇ ଥିଲେ ସମସ୍ତେ !

ପ୍ରାୟ ପନ୍ଦର ଦିନ ଯାଏ ମାମା, ମାମା କହି ବାଉଳି ହେଉଥିଲେ ଛୁଆ ମାନେ !ଆଭା ଙ୍କ ମୁହଁ ରୁ ବି ହସ ଉଭେଇ ଯାଇଥିଲା କିନ୍ତୁ ଠିକ ପନ୍ଦର ଦିନ ପରେ ଫେରି ଆସିଥିଲା ତୁଳସୀ ଅପା !ପୁଣି ସମ୍ଭାଳି ନେଇଥିଲା ନିଜ ଦାୟିତ୍ୱ !ତା ସହ ଖୁସି ବି ଫେରି ଆସିଥିଲା ଥିଲା ଘର କୁ !

କାହିଁକି ଆସିଲା ଜାଣିବାକୁ ଚେଷ୍ଟା କରିଥିଲେ ଡାକ୍ତର ପଟ୍ଟନାୟକ କିନ୍ତୁ ପୂର୍ବ ସର୍ତ୍ତ କଥା ମନେ ପକାଇ ଦେଇଥିଲା ଅପା !

ହେଲେ ବି ନିଜ କୌତୁହଳ କୁ ଦମନ କରି ପାରି ନ ଥିଲେ ଡାକ୍ତର !ଗାଁ ର ନାଁ ତ ଜାଣି ଯାଇଥିଲେ ଏଣୁ ଦିନେ ସେ ଗାଁ ର ରୋଗୀ ଟିଏ ଆସିବାରୁ ଅପା ବିଷୟରେ  ପଚାରିଥିଲେ ସେ !

ଅପା ଙ୍କ ନାଁ ଶୁଣୁ ଶୁଣୁ ଦୁଃଖିତ ହୋଇ ଯାଇଥିଲା ଲୋକ ଟି !କହିଥିଲା 

"ସେ ବିଚାରି ଦୁଃଖିନୀ ଟିଏ ସାର !ଏକ ବିରାଟ ପରିବାର ର ବଡ଼ ବୋହୁ ଥିଲା !ଛୁଆ ପିଲା ହେଲେନି ବୋଲି ପୁତୁରା ଝିଆରୀ ଙ୍କୁ ନିଜ ପୁଅ ଝିଅ ଭଳି ଭଲ ପାଉଥିଲା !ସେ ଘରେ ଗଧ ଭଳିଆ ଖଟୁଥିଲା ଆଜ୍ଞା ହେଲେ ବୁଢ଼ା ଯିବାପରେ ସବୁ ସମ୍ପତ୍ତି ନିଜ ନାଁ ରେ କରି ଦେଇ ବୁଢ଼ୀ କୁ ଗଳା ଧକ୍କା ଦେଇ ତଡି ଦେଲେ ସେହି ପୁତୁରା ମାନେ !ଏଵେ ତ କୋଇଲା ଖଣି ପାଇଁ ଗାଁ ଉଠିବ !ବୁଢ଼ୀ ନାଁ ରେ କିଛି ବାହାରିଥିବ ସେଥିପାଇଁ ଆସିଥିବେ ସେ ବଦମାସ ମାନେ !ଟଙ୍କା ପଇସା ନେଇ ପୁଣି ତଡି ଥିବେ ଆଉ କଣ?? 

ତୁଳସୀ ଅପା ର ସତ ଅନେକ ଦିନ ପର୍ଯ୍ୟନ୍ତ ଦୁଃଖିତ କରି ଦେଇଥିଲା ଡାକ୍ତର ଙ୍କୁ !ଅପା ପ୍ରତି ବ୍ୟବହାର ବଦଳି ଯାଇଥିଲା !ଅପା ରୁ ଧୀରେ ଧୀରେ  ମା ଆଡକୁ ଯାଉଥିଲା ତୁଳସୀ ଅପା !କିନ୍ତୁ କଥା ଟିକୁ ନିଜ ଯାଏ ସୀମିତ ରଖି ଥିଲେ ସେ !


ଗୋଟାଏ ପାଖାପାଖି ହେବାକୁ ବସିଥିଲା ଏଣୁ ଆଉ ଅପେକ୍ଷା ନ କରି ନର୍ସିଂ ହୋମ କର୍ମଚାରୀ ଙ୍କ ସହାୟତା ରେ ଅପା ଙ୍କୁ  ଶେଷ କୃତ୍ୟ ପାଇଁ ନେଇ ଗଲେ ଡାକ୍ତର ଧିରେନ !

ଦୁଇ ଦିନ ଯାଏ ଅପା ର ଶୋକ ରେ ବୁଡି ରହିଥିଲା ଘର !

ତୃତୀୟ ଦିନ ସକାଳୁ ନର୍ସିଙ୍ଗ ହୋମ ରୁ ନରେନ୍ଦ୍ର କୁ ଡକାଇ ସର୍ଭେଣ୍ଟ କ୍ୱାଟର ରେ ଥିବା ଅପା ର କୋଠରୀ ସଫା କରାଉ ଥିଲେ ଡାକ୍ତର ଧିରେନ !

କ୍ୱାଟର ବାହାରେ ଏକ ଚୌକି ରେ ବସିଥିଲେ ସେ !ପାଖ ରେ ବସିଥିଲେ ଆଭା !ହଠାତ ଭିତରୁ  ନରେନ୍ଦ୍ର ର ଜୋର ପାଟି ଶୁଣି ସମସ୍ତେ ଦୌଡ଼ି ଗଲେ ରୁମ ଭିତର କୁ !

ଖଟ ତଳେ ଥିବା ଟ୍ରଙ୍କ ଟି ଖୋଲା ଥିଲା !ହାତ ରେ ପୁଳା ପୁଳା ଟଙ୍କା ଧରି ପାଟି କରୁଥିଲା ନରେନ୍ଦ୍ର !ଡାକ୍ତର ଙ୍କୁ ଦେଖି ଚିଠି ଟାଏ ବଢ଼ାଇ ଦେଲା ସେ !

ଚିଠି ତାକୁ ଟାଣି ନେଇଗଲେ ଆଭା !ପାଟି କରି ପଢୁଥିଲେ ସେ !ଲେଖାଥିଲା 

"ବାବୁ ରେ ମୁଁ ଜାଣିଛି ତୁ ସବୁକଥା ଜାଣିଛୁ !ଆଜି ଯାଏ ଜୀବନ ରେ ଅନେକ ଲୋକ ଙ୍କୁ ଅନେକ କିଛି ଦେଇଛି !ସବୁବେଳେ ଦେଇଛି ବୋଲି ପାଇଛି !ଆଉ ଦେଇ ପାରିବିନି ଜାଣିଲା ପରେ ଘରୁ ତଡା ଖାଇଛି !ସତର ବର୍ଷ ରେ ବାପ ଘର ଛାଡିଲା ପରେ ପଚାଶ ବର୍ଷ ର ଜୀବନ ରେ ବହୁତ ଦୁଃଖ ପାଇଛି !ଦୁଃଖ ସହି ସହି ଦୁର୍ବଳ ହୋଇ ଯାଇଛି ହୃଦୟ !କେତେବେଳେ ଥମି ଯିବ କିଏ ଜାଣିଛି? କିନ୍ତୁ ସବୁ ଦୁଃଖ କୁ ଭୁଲି ଯାଇଛି ଏଇ ଶେଷ ବର୍ଷ ସବୁ ରେ !ଏଇଠି ଆସି ମୁଁ ଜାଣିଛି ସବୁବେଳେ କିଛି ପାଇବା ପାଇଁ କିଛି ଦେବାକୁ ହୁଏ ନାହିଁ !ଏଇଠି ମୁଁ କିଛି ଦେଇନି କିନ୍ତୁ ଯେଉଁ ସ୍ନେହ ଶ୍ରଦ୍ଧା ମୁଁ ପାଇଛି ତାହା ମୁଁ ଆଉ କେଉଁଠି ପାଇନି !ଏଇଟା କୋଇଲା କମ୍ପାନୀ ଦେଇଥିବା ମୋ ଭାଗ ର ଚାଳିଶ ଲକ୍ଷ ଟଙ୍କା !ଏଇ ଟଙ୍କା ପାଇଁ ସେମାନେ ମୋତେ ନେବାକୁ ଆସିଥିଲେ !ମୁଁ ଜାଣିକି ଦେଉ ନ ଥିଲି !କାରଣ ମୁଁ ଏଇଟା ଦେଇଥିଲେ ମୋର ପୂର୍ବ ବିଶ୍ୱାସ କୁ ବଳ ମିଳିଥାନ୍ତା ଯେଉଁଟା ମୁଁ ଚାହୁଁ ନ ଥିଲି !

ତୁ ସବୁବେଳେ ନର୍ସିଂ ହୋମ କୁ ଆହୁରି ବଡ଼ କରିବା ପାଇଁ ଚାହୁଁଥିଲୁ ମୁଁ ଜାଣିଛି !ଏଇ ଟଙ୍କା ଙ୍କୁ ନର୍ସିଂ ହୋମ ରେ ଲଗାଇବୁ !ସେ ଚୋର ଖଣ୍ଟ ଖାଇ ଥିଲେ ମୋ ଆତ୍ମା କୁ ଶାନ୍ତି ମିଲି ନ ଥାନ୍ତା !ଏଵେ ମୋ ଆତ୍ମା କୁ ଶାନ୍ତି ମିଳିବ !!!!


ଆଖି ସବୁ ଛଳକୁ ଥିଲା !ଅପା କହି ଭୋ ଭୋ କାନ୍ଦି ଉଠୁଥିଲେ ଆଭା !ଟଙ୍କା ସବୁ କୁ କାଢି ଖଟ ରେ ସଜାଉ ଥିଲା ନରେନ୍ଦ୍ର !

ଆଖି ର ଲୁହ କୁ ବୋହିବାକୁ ଦେଇ ଲାଇଫ ଲାଇନ ନର୍ସିଂ ହୋମ ସ୍ଥାନ ରେ ତୁଳସୀ ମେମୋରିଆଲ ନର୍ସିଂ ହୋମ ର ନୂଆ ନାମ ଫଳକ ପାଇଁ ମେସେଜ କରୁଥିଲେ ଡାକ୍ତର ପଟ୍ଟନାୟକ !!!!!!!

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy