✍ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।
ମରିଚିକା ତୁହି ଏ ଶୁଷ୍କ ମରୁର ଆସି ଦେଖାଦେଲୁ କାହିଁ
ମୃଗତୃଷ୍ଣା ପଛେ ଧାଇଁ ଧାଇଁ ଆଜ ସର୍ବସ୍ବାନ୍ତ ହେଲି ମୁହିଁ ।
ମିଛ ମାୟା ଘେରା ମରୁଦ୍ୟାନେ ମୋର ଶୁଷ୍କ ପ୍ରାଣ ଛାଟିମରେ
ମୋହାଚ୍ଛନ ଦିଶେ ଚାରିଆଡ କେତେ ଅବସାଦ ମନେ ଭରେ।।
ହତାଶା,ନିରାଶା ହୃଦୟ ମରୁକୁ ସଂପୂର୍ଣ୍ଣ ଗ୍ରାସ କରିଲୁ
ହୃଦକୁ ବିକିଲୁ ସପନ ବଣିକ ତୁଚ୍ଛାରେ କିମିଆଁ କଲୁ।
ଉତ୍ତପ୍ତ ବାଲୁକା ଶଯ୍ୟାରେ ଶୋଇଛି କଣ୍ଠରୁଦ୍ଧ ହୁଏ ମୋରେ
ପ୍ରେମାମୃତ ଟିକେ ଝରାଇ ଦେବୁକି ଅତୃପ୍ତ ଆତ୍ମା ବୁକୁରେ ।।
ଦୁଃଖର ପାହାଡେ ଜୀବନ ଜଞାଳ ମରିଚିକା ପଛେ ଧାଇଁ
ସୁଖ ଖୋଜୁ ଖୋଜୁ ଦୁଃଖାଗ୍ନି ଜୁଇରେ ସମୟ ଯାଉଛି ଛୁଇଁ ।
ଭଙ୍ଗା ଗଢା ଏହି ମାୟାର ସଂସାରେ ହରାଇବା ଆଶଂକାରେ
ନିଇତି ବଞ୍ଚୁଛି ନିଇତି ମରୁଛି ସପନର ବାଲିଘରେ ।।
ତୃଷାର୍ତ୍ତ ଚକୋରୀ ମୃଗ ତୃଷ୍ଣା ପଛେ ଧାଉଁଅଛି ଅହରହ
ଅଟ୍ଟହାସ୍ୟ କରେ ଅତୀତର ଦିନ ପ୍ରାଣ ହୁଏ ଡହଡହ।।
No comments:
Post a Comment