Tuesday, October 13, 2020

ଜୀବନ--ଏକ ସମ୍ମୋହନ

 ଅସମାହିତ ପ୍ରଶ୍ନ ସମୂହର 

ବଳ ପୂର୍ବକ ଉପସ୍ଥିତିରେ... 

ପରିଚୟ ବି ଦିଏ ପଛ ଘୁଞ୍ଚା 

କେଉଁ ଏକ ଅଜଣା ଭୀତିରେ... 

ତଥାପି ଜୀବନ 

ଏକ ସମ୍ମୋହନ 

ଭିନ୍ନତାର ସଦ୍ୟ ଅନୁଭୂତିରେ...


ସ୍ବପ୍ନ ସବୁ ଭାସିଯାଏ ଦୂରକୁ 

ନିରାଶାର ପବନ ମାଡ଼ରେ... 

ଲୁଚିଯାଏ ସୌଭାଗ୍ୟର ତପନ 

ଦୁର୍ଭାଗ୍ୟର ମେଘ ଉହାଡ଼ରେ... 

ତଥାପି ଜୀବନ 

ଏକ ସମ୍ମୋହନ 

ସମ୍ପର୍କର ଅବିଭକ୍ତ ଭିଡ଼ରେ... 


ପ୍ରତିଶୃତିର  ପୋତ ଯାଏ ବୁଡି 

ଛଳନାର ଅଦିନ ଝଡ଼ରେ... 

ଆତ୍ମାପକ୍ଷୀ ବି ଗୁମୁରି କାନ୍ଦଇ 

ଆତଙ୍କର ତିନ୍ତିଲା ନୀଡ଼ରେ... 

ତଥାପି ଜୀବନ 

ଏକ ସମ୍ମୋହନ 

ବଞ୍ଚିବାର ଆଉ ଏକ ମୋଡ଼ରେ... 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy