✍ ଅମରନାଥ ବାରିକ୍
ଡକା ହକା ହୋଇ ସାଥୀ ମେଳରେ,
ବାହାରିଲେ ସବୁ ଖରା ବେଳରେ ।
ପିଲେମାନେ ଗଲେ ପିଜୁଳି ଖାଇ,
ପଡ଼ିଶା ବାଡିକୁ ଆଙ୍କୁଡ଼ି ନେଇ ।
ନଟିଆ ଚଢ଼ିଲା ଗଛ ଅଗରେ
ଡାଳ ଭାଙ୍ଗି କରି ପଡିଲା ତଳେ ।
ତଳେ ଥିଲେ ଯେତେ ନଟିଆ ସାଙ୍ଗ,
ବାବୁଲା, ବୁଲୁଆ, କାଳିଆ, ଚେଙ୍ଗ ।
ଆଙ୍କୁଡ଼ି ଲଗାଇ ଭାଙ୍ଗିଲେ ଡାଇ,
ଗଛଟାକୁ ପୁରା ଦେଲେ ଥୁଣ୍ଟାଇ ।
ଡିଆଁ ଡେଇଁ କରି ମାଙ୍କଡ ପରି
ଗଛକୁ ଦେଲେ ଧରାଶାୟୀ କରି।
ପିଲା ମାନଙ୍କର ଶୁଣି ଶବଦ
ଭଗିଆ ଜେଜେ ଆସିଲେ ଗଦ୍ଗଦ।
ପିଲାଙ୍କ ଉପରେ ନ କରି ରାଗ
ପାଖକୁ ଡ଼ାକିଲେ ପିଲାଙ୍କୁ ଆଗ।
ଶୁଣ କାନ ଡେରି ମୋର କଥାକୁ
ଯାହା ମୁଁ କହୁଛି ତୁମ ମାନଙ୍କୁ ।
ଗଛ ପରା ଆମ ଜୀବନ ନାଟି
କରିବାନି ନାଶ ଏହାକୁ କାଟି।
ସୁସ୍ଥ ସମାଜରେ ରହିବା ପାଇଁ
ପ୍ରତିଦିନ ଯିବା ଗଛ ଲଗାଇ।
ଦେବ ସେ ଆମକୁ ଫଳ ପ୍ରଚୁର
ଅମ୍ଳଯାନ ଦେବ ପତ୍ର ତାହାର।
ଗୋଟି ଗୋଟି ଜେଜେ ଦେଲେ ବୁଝାଇ
କଥାଟି ପିଲାଙ୍କ ମନକୁ ପାଇ।
ବୁଝିଗଲାପରେ ଜେଜେଙ୍କ କଥା
କାନ ଧରି ପିଲେ ନଇଁଲେ ମଥା ।
କହିଲେ ଚଗଲା ହେବୁନି କେବେ
କ୍ଷମା ଦିଅ ଆଜି ଆମକୁ ତେବେ।
ତୁମ ଉପଦେଶ ପାଳନ କରି
ହୋଇଯିବୁ ସୁନା ପିଲାଟେ ପରି।
ଏଣିକି ପିଲାଏ ଯେବେ ଆସନ୍ତି
ଧିରେ ଡାଳ ନଇଁ ଫଳ ତୋଳନ୍ତି।
ସବୁ ଦିନେ ମିଳେ ଫଳ ଅଧିକ
ଯତ୍ନ ନେଲେ ଅଧିକରୁ ଅଧିକ।
. ସମାପ୍ତ
____●◆●____
💌 କୟାଁ,ମଙ୍ଗଳପୁର, ଯାଜପୁର
ଓଡ଼ିଶା - ୭୫୫୦୧୧
No comments:
Post a Comment