✍ଶିଶିର କୁମାର ସ୍ଵାଇଁ
ଶୁଣିବନି ତୁମେ ହେ ଗାନ୍ଧୀ ମହାତ୍ମା
ଯେତେ ଡାକିଲେ ବି କେହି,
ପ୍ରତିଟି ଶବ୍ଦରେ ସ୍ଵାର୍ଥ ଅଛି ଭରି
ତୁମେ ନ ପାରିବ ସହି II
ଶିଖାଇଥିବା ସେ ଅହିଂସା ମନ୍ତ୍ରକୁ
ଯାଇଛୁ ସମସ୍ତେ ଭୁଲି,
ତୁମରି ହାତରୁ ବାଡି ନେଇଯିବୁ
ବାଟ ନ ପାରିବ ଚାଲି II
କଳା କଥା ସବୁ ଧଳା କରିବାକୁ
ଯିବୁ ନାହିଁ ଅଦାଲତ,
ତୁମରି ହାତର ଗୀତା ଛୁଇଁ ଦେଇ
ମିଛକୁ କରିବୁ ସତ II
ପିନ୍ଧୁ ଥିଲ ଯେଉଁ ଖଦି ଖଣ୍ଡିଏ ତ
ଆଣ୍ଠୁ ଜମା ଲୁଚେ ନାହିଁ,
ଛାତିକୁ ଆମର ପାଏ ନାହିଁ ଲୁଗା
ଦିଶୁଥାଏ ପେଟ ନାହି II
ସମୟ ଜ୍ଞାନ ତ ବହୁତ ସୁନ୍ଦର
ଆମ ଭାରତୀୟଙ୍କର ,
ସକାଳ ସଭା ତ ଅପରାହ୍ଣେ ହୁଏ
ଅପେକ୍ଷାରେ ନେତାଙ୍କର ,
ତୁମର ସ୍ଵପ୍ନର ସ୍ଵଚ୍ଛ ଭାରତକୁ
ଭ୍ରମଣେ ଯଦି ଆସିବ,
ଗୋଡ଼ ଲାଖିଯିବ ପଲିଥିନ ମଧ୍ୟେ
ଝୁଣ୍ଟି ତୁମେ ପଡିଯିବ II
ନିଶା ମୁକ୍ତ ଦେଶେ ବୁଲୁ ବୁଲୁ ତୁମେ
ନିଶାରେ ମୁଣ୍ଡ ଘୂରିବ ,
ନିଶା ପ୍ରିୟ ଲୋକ ଦେଖି ଭାରତରେ
ନିଜେ ଧିକ୍କାର କରିବ II
ତୁମେ ଆସିଲେ ତ ତୁମ ପାଇଁ କିଛି
ନାହିଁ ସ୍ଵଦେଶୀ ଦରବ,
ବିଦେଶୀ କୁକୁର ଘରେ ପାଳି ସବୁ
ମନେ କରନ୍ତି ଗରବ II
ସେବାର ଆଶାରେ ଆସିବ ତ ତୁମେ
ଯଦି ହୁଏ ମତି ଭ୍ରମ,
ଜନ୍ମଦାତା ଜନ୍ମଦାତ୍ରୀ ପାଇଁ ଖୋଲା
ଶହ ଶହ ବୃଦ୍ଧାଶ୍ରମ II
ହେ ଗାନ୍ଧୀ ତୁମେ ତ ଶୁଣିବନି କେବେ
ମିଛ ପ୍ରତାରଣା କଥା,
ଖୋଜି ଖୋଜି ତୁମେ ଥକି ଯିବ ନିଶ୍ଚେ
ସର୍ବାଙ୍ଗୀନ ଶିକ୍ଷା କଥା II
କାଟି ପିନ୍ଧି କୁଟି ଖାଇବାକୁ ପରା
ଶିଖାଇଥିଲ ଯେ ମନ୍ତ୍ର,
ଲୁଟି ଖାଇବାର ଅଭ୍ୟାସ ହେଲାଣି
ଜୀବନ ହେଲାଣି ଯନ୍ତ୍ର II
ଗଞ୍ଜାମ
No comments:
Post a Comment