✍ପ୍ରଦୀପ ନାୟକ
କେତେ ସହଜରେ କହି ହୁଏ !
ହତ୍ୟା ହେଇଚି ତ ସେ ହତ୍ୟାକାରୀ
ବଳାତ୍କାର ହେଇଚିତ ବଳାତ୍କାରୀ
ମଦ ଅଛି ତ ମଦୁଆ
ମିଛ ଅଛି ତ ମିଛୁଆ
ଲୁଟ୍ ହେଇଛିତ ଲୁଟେରା
ହାଏ ! ମୁଁ ପୁରୁଷ ସିନା ବୋଲି
ଭାଣ୍ଡାମି ଅଛି ତ ଭଣ୍ଡଟିଏ
ଗୁଣ୍ଡାମି ଅଛି ତ ଗୁଣ୍ଡା
ଲାଞ୍ଚ ଅଛି ତ ଲାଞ୍ଚୁଆ
ଖଚ ଅଛି ତ ଖଚୁଆ
ମୁଁ ଥିବି
ହଳ ପାଇଁ ହଳୁଆ ହୋଇ
ଭାର ପାଇଁ ଭାରୁଆ
ନାଆ ପାଇଁ ନାଉରିଆ
ମହୁରୀ ପାଇଁ ମହୁରିଆ
ମୋତେ ସମୟ ଠିଆ କରେ
ମଙ୍ଗର ମଙ୍ଗୁଆଳ କରି
ଚଉକିର ଚଉକିଦାର
ପରବାସରେ ପ୍ରବାସୀ ।
ମୋତେ ବାଦ ଦେଇ କିଏ
ନିଶାରେ ନିଶାଖୋର କୁହତ(?)
କିଏ ଅଧମରେ ନରାଧମ
କାହା ମୁଣ୍ଡର ମଳିରୁ ମଳିମୁଣ୍ଡିଆ
ଅପବାଦର ଆଟଲାସ୍ ତଳେ
ମୋ କାନ୍ଦ କାନ୍ଦ କାନ୍ଧ
ନିନ୍ଦାର ନଡାରେ ବନ୍ଧାହୋଇ
ଅପାରଗ ଦୁଃଖ ପିଇ ପିଇ
ନିଅଣ୍ଟ ନିଆଁରେ ସେକି ହୋଇ
ଲୁହ ନଥିବା ଆଖି ହଳେ ନେଇ
ଗଢିହୁଏ ନିଜେ ନିଜେ
ହଳଦିଆ ଜରିରେ ଗୁଡା ଯନ୍ତ୍ରଣା ମୋର
ପୁରୁଷପଣିଆ ପ୍ରଚ୍ଛଦ ତଳେ
ଲୁଚେଇ ଲୁଚେଇ ବିକ୍ରି ହେଉଥାଏ
ସମୟରୁ ସମୟାନ୍ତର
ଯେଣୁ ମୁଁ ପୁରୁଷ
ମୋତେ ସବୁବେଳେ ଡରାଉଥାଏ
ମୋ କାପୁରୁଷର ଛାଇ
ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା।
No comments:
Post a Comment