✍ସୁଜିତ କୁମାର ମହାପାତ୍ର
ସାତ ଜନ୍ମ ର ଜୀବନ ସାଥି ହେଵା ପାଇଁ ସୀମା ର ହାତ ଧରିଥିଲି I ଦୁଇଜଣ ଯାକ ପ୍ରତିଜ୍ଞା କରିଥିଲୁ ଶେଷ ସମୟ ପର୍ଯ୍ୟନ୍ତ କେହି କାହା ହାତ କୁ ଛାଡ଼ିବୁନି I ପୁଅ ଝିଅ ପାଠ ପଢି ମଣିଷ ହୋଇଗଲେ I ଚଢେଇ ଛୁଆ ଉଡି ଶିଖିଲେ ଯେମିତି ମା ପାଖରେ ରୁହେନି ,ଠିକ ସେମିତି ମଣିଷ ପିଲା ଉଡି ଶିଖି ଲେ ବାହାର ଦେଶ ରେ ପହଂଚି ଯାନ୍ତି I ଆମ ଅବସ୍ଥା ବି ସେଇଆ I ଝିଅ ଆଜି ତା ସ୍ୱାମୀ ସହ ଗୋଆ ରେ I ପୁଅ ତା ସ୍ତ୍ରୀ କୁ ଧରି ଅଷ୍ଟ୍ରେଲିଆ ରେ I ପୁଅ ଝିଅ ସବୁ ଦିନ ସ୍କାଇପ ଆଉ ଜୂମ ରେ ନିଶ୍ଚୟ କଥା ହୁଅନ୍ତି, ଭଲ ମନ୍ଦ ପଚାରି ବୁଝନ୍ତି I ପୁଅ ତ ତାର ଡକ୍ଟର ସାଙ୍ଗ କୁ ପ୍ରତି ସପ୍ତାହ ରେ ଥରେ ଆମ ଘର କୁ ଆସି ଚାହା ପିଇ ଯିବା ପାଇଁ କହି କି ରଖିଛି I ମୋଟା ମୋଟି ଭାବେ କହି ବାକୁ ଗଲେ ଆମେ କାଲି ଯାଏ ଏକ ସୁଖୀ ଦମ୍ପତି ହୋଇ ଖୁସି ରେ ଥିଲୁ I ହେଲେ ଗତ ରାତି ର ଘଟଣା ମୋ ଜୀବନ ର ସବୁ କିଛି ଓଲଟ ପାଲଟ କରି ଦେଲା I
ସୀମା କାଲି ରାତି ରେ ବାଥରୁମ ରେ ପଡି ଗଲା I ମୁଣ୍ଡ ରେ ଗୁରୁତର ଆଘାତ Iସଂଗେ ସଂଗେ ପୁଅର ସାଙ୍ଗ କୁ ଡାକିଲି Iଭଗବାନଙ୍କୁ ଅଶେଷ ଧନ୍ୟବାଦ ,ସେ ତୁରନ୍ତ ପହଂଚି ସୀମା କୁ ଆପୋଲୋ ହସ୍ପିଟାଲ ରେ ଆଡ୍ମିଶନ କରାଇଦେଲା I ସକାଳୁ ଅପେରସନ ହେଇଛି I ଝିଅ-ଜ୍ୱାଇଁ ଓ ପୁଅ- ବୋହୁ ଭୁବନେଶ୍ୱର ରେ ଆଜି ରାତି ସୁଦ୍ଧା ପହଁଚି ଯିବେ I କିନ୍ତୁ ଡାକ୍ତର କହି ସାରିଲେଣି ସୀମା ଏବେ କୋମା ରେ I ଡାକ୍ତର ଙ୍କ କଥା ଶୁଣି ମୋତେ ଏବେ ଚତୁର୍ଦିଗ ଅନ୍ଧାର ଦେଖା ଯାଉଛି I ସୀମା ଏମିତି କେମିତି କରି ପାରିବ ? ଆମେ ତ ପ୍ରତିଜ୍ଞା କରି ଥିଲୁ କେହି କାହାରି କୁ ଛାଡ଼ି ନ ଯିବା ପାଇଁ , ନା ନା ସୀମା ଏତେ ସ୍ୱାର୍ଥପର ହୋଇ ପାରିବ ନାହିଁ I ମୋତେ ସେ ଏକୁଟିଆ କରି ଯାଇ ପାରିବ ନି Iସୀମା ନିଶ୍ଚିନ୍ତ ରେ ଆଇସିୟୁ ଭିତରେ ରେ ସୋଇଛି , ମୁଁ ବାହାରେ ଅସହାୟ ହୋଇ କେବଳ ଚାହିଁ ରହିଥିଲି I
ଗୋଟି ଗୋଟି ହୋଇ ମୋର ସେ ପୁରୁଣା ସ୍ମତି ଗୁଡିକ ଆଖି ଆଗରେ ଭାସି ଯାଉଥିଲା I ଦୀର୍ଘ 35 ବର୍ଷ ତଳ ର କଥା I ମୁଁ ସେତେବେଳେ ନୂଆ ନୂଆ ଚାକିରୀ ରେ ଯୋଗଦାନ କରି ଥାଏଁ I ମୋର ଟ୍ରେନିଂ ପଡିଥାଏ ଗୋପାଳପୁର ରେ I ଟ୍ରେନିଂ ର ଶେଷ ଦିନ I ସମୁଦ୍ର କୂଳ ରେ ସାଙ୍ଗ ମାନଙ୍କ ସହ ଖଟି କରୁ ଥାଏ I ଛାଇ ଅନ୍ଧାର , କିଛି କଲେଜ ଝିଅ ସମୁଦ୍ର ପାଣି ଲହଡି ରେ ଖେଳୁ ଥିଲେ I ଦୂର ରୁ ଥାଇ ସେମାନଂକୁ ନେଇ କିଛି ମୋ ସାଙ୍ଗ ମାନେ ଥଟ୍ଟା ମଜା ବି କରୁ ଥାନ୍ତି I ହଠାତ ଗୋଟେ ବଡ଼ ଲହଡ଼ି ରେ ଝିଅ ଟିଏ ସମୁଦ୍ର କୁ ଭାସି ଗଲା I ସମସ୍ତେ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁ ଥାନ୍ତି I ଝିଅ ଟି କ୍ରମଶଃ କୁଳ ଠାରୁ ଦୂର କୁ ଭାସି ଯାଉଥାଏ Iହଠାତ କାହିଁକି କେଜାଣି ମୁଁ ତତକ୍ଷଣାତ ସମୁଦ୍ର ଭିତରକୁ ପଶି ଗଲି ଓ ଝିଅ ଟି ର ହାତ କୁ ଧରି କୌଣସି ମୋତେ କୁଳ କୁ ନେଇ ଆସିଲି Iକିନ୍ତୁ କୁଳ କୁ ନେଇ ଆସିଲା ବେଳେ କୁ ମୁଁ ବି ଲୁଣି ପାଣି ପିଇ କି ବେହୋସ ଅବସ୍ଥା କୁ ଆସିଯାଇଥାଏ I ମୋର ସ୍ୱାଭାବିକ ଅବସ୍ଥା ଫେରିଲା ବେଳକୁ ମୁଁ ହଷ୍ଟେଲ ରେ ବେଡ଼ ରେ I ସମସ୍ତେ ହସି କରି କହୁଥାନ୍ତି “ଯାହା ହେଉ ହିରୋଇନ କୁ ପାଣି ରୁ ଉଠାଇ ଆଣିଲୁ , ଟିକେ ହସ୍ପିଟାଲ ଯାଇ ଦେଖା କରି ଆସ I ତା' ଠିକଣା ଟା ବି ନେଇ ଆସି ଥିବୁ I ଖୁବ ସୁନ୍ଦରୀ ଝିଅ ଟା I ବାହାଘର ପ୍ରସ୍ତାବ ପକେଇଦେବା I” ସତ କହିଲେ , ମନେ ମନେ ଝିଅ ଟା କୁ ନଦେଖି ବି ତା ପ୍ରେମ ରେ ମୁଁ ପଡି ଯାଇଥିଲି I ସକାଳୁ ସକାଳୁ ହସ୍ପିଟାଲ ରେ ପହଂଚି ଦେଖେ ତ ସେ ଝିଅ ନାହିଁ I ଗତ ରାତି ରେ ହସ୍ପିଟାଲ ରୁ ଡିସ୍ଚାର୍ଜ ହୋଇ ଯାଇଛି Iଏତିକି ଜାଣିଲି କଟକ ରେଭେନ୍ଶା କଲେଜ ର ପିକନିକ ପାର୍ଟି ସେ ରେ ଆସିଥିଲା I ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ଝିଅ ଟି କୁ ନେଇ ମୋର ମନ ଆନ୍ଦୋଳିତ ହେଉଥିଲା I ଅନେକ ଆଶା ଓ ସ୍ବପ୍ନ ଆସୁଥିଲା ମନରେ I ସତ ରେ କଣ ସେ ଝିଅ ସହ ଆଉ ଥରୁ ଟିଏ ଦେଖା ହେବନାହିଁ ?
ହେଲେ ଭାଗ୍ୟ ର ବିଧାନ ଅଲଗା I ଘରେ ପହଂଚୁ ପହଂଚୁ ଖବର ପାଇଲି ବାବା ମୋ ବାହାଘର ଠିକ କରି ଦେଇଛନ୍ତି I ଆଉ ମୁଁ ବି ମୋର ସେଇ ଅଦେଖା ପ୍ରେମ ରେ ଡୋରି ବାନ୍ଧି ସୁନା ପୁଅ ଭଳି ବାବା ମାଆଙ୍କ କଥାରେ ସୀମା ସହ ବାହାଘର ରେ ରାଜି ହେଇଗଲି I ବାସର ରାତିରେ ସୀମା ଖୁବ ସୁନ୍ଦର ଓଢଣୀ ପକେଇ ବସି ଥିଲା I ମୁଁ ଓଢଣା ଖୋଲି ପଚାରିଲି , ତୁମେ ଏ ବାହାଘର ରେ ଖୁସି ତ ? ଖୁବ ମିଠା କିନ୍ତୁ ଗମ୍ଭୀର ସ୍ୱର ରେ ସୀମା କହିଲା –“ଏ ପ୍ରଶ୍ନ ରେ ଏବେ କିଛି ମୂଲ୍ୟ ନାହିଁ I ତେବେ ତୁମେ ପଚାରିବାରୁ କହୁଛି ଯେ, ମୋ ଜୀବନରେ ଏମିତ ଜଣେ ଦେବତା କିଛି ସମୟ ପାଇଁ ଆସି ଚାଲି ଯାଇଛନ୍ତି I ମତେ ବିଶ୍ୱାସ କର ମୁଁ ଜାଣେନି ସେ ମତେ ଭଲ ପାଆନ୍ତି କି ନାହିଁ I କିନ୍ତୁ ମୁଁ ତାଙ୍କ ମୁହଁ କୁ ଥରେ ବି ନଦେଖି ଭଲ ପାଇ ବସି ଥିଲି I ସେ ଯଦି ସେହି କ୍ଷଣ ପାଇଁ ମୋ ଜୀବନରେ ଆସି ନଥାନ୍ତେ , ଆଜି ମୁଁ ଏଇ ବାସର ରାତି ରେ ତୁମ ସହ ନ ଥାନ୍ତି Iମୋର ପ୍ରେମ କାହାଣୀ ର ସବୁ କଥା ଏଇ ଚିଠି ରେ ଲେଖିଛି I” ସୀମା ମୋ ହାତ କୁ ଲଫାପା ଟିଏ ବଢ଼େଇ ଦେଲା I ମୁଁ ଆଶ୍ଚର୍ଯ୍ୟ ହେଇ ଗଲି ସୀମା ର ଏମିତି ସ୍ପଷ୍ଟ କଥା ଶୁଣି I ହସି ହସି କହିଲି- ‘’ଆରେ ମୋ କଥା ବି ସେଇଆ I ମୁଁ ବି ଗୋଟେ ଝିଅ କୁ ମନେ ମନେ ଭଲ ପାଇ ବସିଥିଲି I ହେଲେ ପ୍ରେମ ନିବେଦନ କରିବା ପୂର୍ବରୁ ବାବା ମାଆ ମୋ ବାହାଘର ତୁମ ସହ ଠିକ କରି ଦେଲେ I ଖୁସି ଲାଗିଲା ଆମେ ଦୁଇଜଣ ଆମର ପ୍ରଥମ ପସନ୍ଦ ନୁହଁ I ତଥାପି ଆମେ ଆଜି ଠୁ ଏକ ହୋଇ ସଂସାର କରିବା I ମୁଁ ବି ମୋ ଅତୀତ କୁ ଏଇ ଲଫାପା ରେ ରଖି ଦେଉଛି I ତୁମେ ଯେବେ ଚାହିଁବ ସେଇ ଦିନ ଏଇଟି କୁ ମୁଁ ଖୋଲିବି I’” ସୀମା ସପ୍ରେମେ ଏହାକୁ ଗ୍ରହଣ କରି ନେଇଥିଲା I ବାସ , ସେଇଦିନ ଠୁ ଆମ ସଂସାର ସୁନ୍ଦର ଭାବରେ ଆଜି ଯାଏଁ ଚାଲିଆସିଛି I ମୁଁ କିନ୍ତୁ କୌତୁହଳ ରେ ବହୁତ ଥର ଚିଠି ଖୋଲି ବାକୁ ସୀମା କୁ ପ୍ରସ୍ତାବ ଦେଇଛି I ସୀମା କୁହେ -" ଖବରଦାର ସେ ଚିଠି ତୁମେ କେବେ ବି ଖୋଲିବିନି I ଯଦି ମୁଁ ମଲା ପରେ ବି ସେ ଚିଠି କୁ ଖୋଲିବ , ଦେଖିବ ତୁମ କୁ ମନା କରିବା ପାଇଁ ମୁଁ ଯମ ଦୁଆରୁ ବି ଉଠି ଆସବି I”
ଆଜି ସତରେ କଣ ମୋ ସୀମା ଆଉ କୋମା ରୁ ଉଠି ବନି ? କେମିତି ଚଳିବି ତା’ ବିନା ? ମୋତେ ବି ତା ସହ ଯମ ନେଇ ଯାଆନ୍ତାନି ? ଆଖି ରୁ ଲୁହ ପୋଛୁ ପୋଛୁ ଆଇସିୟୁ ବାହାର ବେଞ୍ଚ ରେ ବସି ରହିଥାଏ I ପୁଅ ଝିଅ ସବୁ ଅIସିଗଲେଣି Iଡାକ୍ତର, ଔଷଧ, ଟଙ୍କା ପଇସା ମୋତେ କିଛି ଆଉ ବୁଝି ବାକୁ ପଡୁ ନି I ମୁଁ କେବଳ ଚାହିଁକି ବସିଚି, କେତେବେଳେ ମୋ ସୀମା ଆଖି ଖୋଲିବ ? ଡାକ୍ତର କହି ଦେଲେ ,ଏବେ ରୋଗୀଙ୍କୁ ଘର କୁ ନେଇ ଯାଆନ୍ତୁ I ଘର ପରିବେଶ ରେ କାଳେ କିଛି ଉନ୍ନତି ହେବ I
ପୁଅ ଏଭିତରେ ଇଣ୍ଡିଆ କୁ ଫେରି ଆସିବା ପାଇଁ ତା କମ୍ପାନୀ କୁ ଜଣେଇ ଦେଇଛି I ଝିଅ ବି ତା’ ଛୁଟି କୁ ଆହୁରି ମାସେ ବଢ଼େଇ ଦେଇଛି Iସମସ୍ତେ ଏବେ ମୋ ପାଖରେ I ହେଲେ ସୀମା ନାହିଁ I ପାଖରେ ଥାଇ ବି ସାଥି ରେ ନ ରହିଲା ଭଳି I ଠାକୁରଙ୍କ ଉପରେ ଭରଷା କରି ବଂଚି ଥାଏ I ଏହି ଭିତରେ ମୋର ସେଇ ଲଫାପା କଥା ମନେ ପଡିଲା I ସୀମା କହୁଥିଲା ସେ ଚିଠି ଖୋଲିଲେ ସେ ଯମ ଦୁଆରୁ ବି ଉଠି ଆସିବ I ବୁଡି ଗଲା ଲୋକ କୁଟା ଖିଅ କୁ ଆଶ୍ରା କଲା ଭଳି ,ସେ ଦିନ ରାତି ରେ ବାକ୍ସ ରୁ ମୋର ସେଇ ଲଫାପା କୁ ଆଣି ସୀମା ର ବେଡ଼ ପାଖରେ ବସିଲି I ଆଖିରେ ଲୁହ, ତଥାପି ସୀମା କୁ ଧମକାଇ କହିଲି –“ଏଇ… କଥା କହିବ ନା ଏଇ ଚିଠି କୁ ଖୋଲିବି …. .. ତୁମେ ରାଣ ପକେଇ ଥିଲ , ମୁଁ ଏଇଟି କୁ ଖୋଲି ଲେ ଯମ ଦୁଆରୁ ବି ଉଠି ଆସିବ I ହେଇ ଦେଖ ମୁଁ ଏବେ ସେ ଚିଠି ଖୋଲୁଛି I ଏତିକି କହି ଲଫାପା ଟି କୁ ଚିରିଲି I 35ବର୍ଷ ତଳର ସେ ଲଫାପା ରେ ଚଉତା ହୋଇଥିବା ଦୁଇ ଖଣ୍ଡ ଚିଠି I ସୀମା ର ହାତ ରେ ହାତ ରଖି ଧୀରେ ଧୀରେ ମୋ ଲେଖା ଟି କୁ ପଢ଼ିଲି ସୀମା ର କାନ ପାଖରେ I ଯେମିତି ମୋ ର ଚିଠି ପଢା ସରିଛି, ମୁଁ ଅନୁଭବ କରୁ ଥିଲି ସୀମା ର ହାତ ରେ କିଛି କମ୍ପନ I ମୋ ଦେହ ରେ ବି ଶିହରଣ ଆସିଗଲା I ପୁରା ଆବେଗ ରେ ସୀମା ର ଚିଠି କୁ ଖୋଲି ଲି I
ସୀମା ଲେଖିଥିଲା, ମୋର ଏ ଚିଠି ପଢି ପ୍ଲିଜ ଖରIପ ଭାବିବନି I ମୁଁ ଏମିତି ଏକ ଦେବତା ଙ୍କୁ ଭଲ ପାଇ ବସିଛି , ନା ତାଙ୍କୁ ମୁଁ କେବେ ଭଲ କରି ଦେଖିଚି ନା ତାଙ୍କ ସହ କେବେ ମିଶିଛି , ତାହା ମୋର ମନ ର ଏକ କ୍ଷଣିକ ଆବେଗ ହୋଇପାରେ , କିନ୍ତୁ କଣ କରିବି, ସେଇ ଦେବତା ଙ୍କ ଯୋଗୁ ହିଁ ଆଜି ମୁଁ ବଂଚିଛି I ସେ ଦିନ ଗୋପାଳ ପୁର ସମୁଦ୍ର କୁଳ ରେ ଯେଉଁ ଦେବତା ମୋତେ ବଂଚେଇଥିଲେ ତାଙ୍କୁ ମୁଁ ନ ଦେଖି କି ମନେ ମନେ ଭଲ ପାଇ ବସିଥିଲି I ହେଲେ ତାଙ୍କ ଠିକଣା ଜାଣି ନଥିଲି I ସେଥି ପାଇଁ ବାପା ମାଆ ଙ୍କୁ କିଛି କହି ପାରି ନଥିଲି I ଥରୁ ଟିଏ ମୋ ଜୀବନ ବଞ୍ଚାଇ ଥିବାରୁ କୃତଜ୍ଞନ୍ତା ଜଣେଇ ପାରିଲିନି I ତେଣୁ ମୋ ଜୀବନରେ ଏହା ଏକ ଅବସୋସ ରହି ଗଲା I
ଆଖି ରେ ଆଖିଏ ଲୁହ I ସବୁ କିଛି କ୍ରମଶଃ ଅସ୍ପଷ୍ଟ ଦେଖା ଯାଉ ଥିଲା I ବୁଝି ବାକୁ ବାକି ରହିଲା ନାହିଁ ଯେ , ଗୋପାଳପୁର ସମୁଦ୍ର ରେ ମୁଁ ଉଦ୍ଧାର କରିଥିବା , ମୋର ମନ ର ପ୍ରେୟସି ହିଁ ମୋ ସୀମା I ସେହି କଥା ଜୋର ରେ ଚିତ୍କାର କରି ସୀମା କୁ କହି ବାକୁ ଇଛା ହେଉଥିଲା ମୋର I ହଠାତ ସୀମା ର ପାପୁଲି ର ଚାପ ଅନୁଭବ କଲି ମୋ ହାତରେ I ସେ ଚାପ କ୍ରମଶଃ ମୋ ମନ ଓ ଶରୀର ରେ ତରଙ୍ଗ ସୃଷ୍ଟି କରୁଥିଲା I ହଁ ସୀମା ହିଁ ମୋ ହାତ କୁ ଜୋର ରେ ଚାପି ଧରି ଥିଲା I ସେ କୋମା ରୁ ଫେରି ଆସିଥିଲା ମୋର ଚିଠି ପଢା ଶୁଣି I ସେ ବି ଜାଣି ଯାଇ ଥିଲା ଯେ ତାର ସେଇ ଦେବତା ମୁଁ ,ଯାହା ସହ ସେ ଦୀର୍ଘ 35 ବର୍ଷ ହେଲା ଛାଇ ପରି ଲାଗି ରହିଛି I
No comments:
Post a Comment