ଫୁଲେ ଫୁଲେ ଉଡ଼ି ସଂଗ୍ରହ କରଇ
ଫୁଲ ରସରୁ ସେ ମହୁ
ପରିଶ୍ରମୀ ସିଏ ଜୀବନ ପଥରେ
ବୁହାଏ ଲୋତକ ଲହୁ ।
ଅନ୍ଧାର ରାତ୍ରିରେ ଫେଣାଟି ଜମାଇ
ରହିଥାଏ ସଂଗତରେ
ପୂର୍ଣ୍ଣିମା ତିଥିରେ ପରିବାର ଧରି
ପଳାୟନ ସିଏ କରେ ।
ରାଣୀ ମହୁମାଛି ବଂଶ ବୃଦ୍ଧି କରେ
ବିସ୍ତାରି ଅଣ୍ଡକୋଷକୁ
ପୁରୁଷ ମକ୍ଷିଟି ଉଡ଼ି ଉଡ଼ି ବୁଲେ
ଖାଦ୍ୟ ଖୋଜେ ଆଣିବାକୁ ।
ନିଜେ ସିନା କରେ ଖାଦ୍ୟ ରାଶି ଠୁଳ
ସେବନ କରେନି ସିଏ
କରେ ସମର୍ପଣ ଅନ୍ୟ ହିତ ପାଇଁ
ଜଗତ ତାହାକୁ ନିଏ ।
ମନୁଷ୍ୟ ଜାତିଟା ବଡ଼ ଅବିବେକୀ
ଧାଏଁ ନିଜ ସ୍ୱାର୍ଥ ପାଇଁ
ସର୍ବଦା ନିଜର ସୁବିଧାକୁ ଦେଖେ
ନିଜ ଆଶା ପୂର୍ଣ ପାଇଁ ।
ଲଗାଇ ନିଆଁର ପେଣ୍ଡୁଳା ଜ୍ୱଳନ୍ତ
ଜାଳେ ନିରୀହ ଜାତିଙ୍କୁ
ମଧୁକୁ ହାସଲ କରିବା ସକାଶେ
ମାରେ ଅନେକ ମକ୍ଷିଙ୍କୁ ।
ସେଥିରୁ ବିଭିନ୍ନ ଔଷଧ ତିଆରି
କରେ ବିଜ୍ଞାନାଗାରରେ
ତୀର୍ଥକ୍ଷେତ୍ରଠାରେ ଦେବା ଦେବୀ ଲାଗି
କରିଥାଏ ଅର୍ପଣରେ ।
ସବୁତ ସୃଷ୍ଟିର ସ୍ରଷ୍ଟା ନିଜେ ପ୍ରଭୁ
ତାଙ୍କୁ ବା କି ଆମେ ଦେବା
କେବଳ ନିଜର ପବିତ୍ର ଆତ୍ମାକୁ
ଯୋଡ଼ି ହସ୍ତ ଟେକିଦେବା ।
ମଧୁଲିକା ପରି ହୋଇ ସ୍ୱାଭିମାନୀ
ଶ୍ରମ ଯେତେ କରିଯିବା
ଫଳର ଆଶାକୁ ମନରେ ନ ରଖି
ସାହାଯ୍ୟ ଅନ୍ୟକୁ ଦେବା ।
ମଧୁମକ୍ଷିକାଠୁଁ ଶିଖିବା ଅପାର
ସହିଷ୍ଣୁତା ଧୈର୍ଯ୍ୟ ଶକ୍ତି
ତେବେ ଯେ ସଂସାର ଦୁଃଖ ଯାତନାରୁ
ପାଇବା ଜୀବନେ ମୁକ୍ତି ।
. *ସମାପ୍ତ*
_____________●◆●_____________
✍ *ଅମରନାଥ ବାରିକ୍*
*କୟାଁ,ମଙ୍ଗଳପୁର, ଯାଜପୁର*
No comments:
Post a Comment