ଡ଼. ଅଶୋକ କୁମାର ଷଡ଼ଙ୍ଗୀ,
ପ୍ରାଧ୍ୟାପକ
ପ୍ରାଧ୍ୟାପକ
ଆସିବ ଆସିବ ବୋଲି
ପାଦେ ମୋର ବାନ୍ଧିଲି ନୂପୂର
ନିଜ ବେଣୁ ସ୍ଵନେ ଏବେ
ନିଜେ ଥରହର।
ଘରେ ମୋ' ଜଳୁଛି ନିଆଁ
ଝର୍କା ପାଖେ ସୂର୍ଯ୍ୟଙ୍କ ତାଣ୍ଡବ
ଅଂଶୁଘାତ, ପାଦ ଦୁଇ ଟଳମଳ
ଛଳ ଛଳ ଆଖି ପତା
ଚର୍ମ - ଘର୍ମେ ଅବସନ୍ନ ପ୍ରାଣ
କେତେ ଦୂରେ ବୀରହିଣୀ ବର୍ଷା
ଛୁଇଁଲାଣି ମାଟିର ହିଆକୁ
ପ୍ରତୀକ୍ଷିତ ମନ ମୋ' ଉଦ୍ ବିଗ୍ନ।
ଦେଖିବାକୁ ଚାରୁ ଶୋଭା
ତୋର ଆପଣା ଆଖିରେ
ଚେଇଁଛି, ଚାହୁଁଛି ନିତି
ଝରକା ମୁକୁଳା କରି।
ପ୍ରଚଣ୍ଡ ନିଦାଘର ରଡ଼ ରଡ଼ ଆଖି ତଳେ
ସତର୍କ ନଜର ବନ୍ଦୀର ଜୀବନ
ଅବ୍ୟକ୍ତ ଭୟର ମୁଦ୍ରା
ଅଥୟ ଆବେଗ
ଶୂନ୍ୟତାର ନିବିଡ ସଂଚାର
ଶବ୍ଦହୀନ ଶୂନ୍ୟ - ହାହାକାର।
ଆସିବୁକି ଥରେ ତୁଇ
ବେପଥୁର ସ୍ପର୍ଶ ଦେଇ ପ୍ରାଣେ
ବଗିଚାର ମଉଳା ଫୁଲ ସବୁ
ନାଚି ଉଠିବେ ମଲା ଡାଳପରେ
ମୁହୁଃର୍ମୁହୂ ମୃତ୍ୟୁର ଯନ୍ତା ଭିତରୁ
ଅାତ୍ମୀୟତାର ହାତ ତୋ' ଲମ୍ବି ଆସିଲେ
ନିକ୍ଵଣିତ ପଦଯୁଗଳକୁ
ମୁକୁଳା କରିବି
ନିବିଡ ଆଶ୍ଲେଷେ ତୋର।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ
No comments:
Post a Comment