Friday, October 2, 2020

ଗାନ୍ଧୀ ତୁମେ ‌ଫେରି ଆସ

 

ସ୍ବାଧୀନତା ପଥେ  ଚାଲିଛୁରେ ଆମେ

      ମୁକତିର ଭାବ ନେଇ

ଆନନ୍ଦ ଉଲ୍ଲାସେ  ନାଚିଲେରେ ସର୍ବେ

      ଜାତୀୟ ସଙ୍ଗୀତ ଗାଇ । ୧ ।


ଗାନ୍ଧୀଜୀ ତୁମେ  ଶାନ୍ତି ମୁକ୍ତିଦାତା

        ପ୍ରଗତିର ବାର୍ତ୍ତାବହ

ଜାଣିଛ କି ବାପୁ  ମାଟି ମାଆ ମୋର

       ହୃଦେ ଚାପିଅଛି କୋହ । ୨ ।


 କୃଷକ ହୋଇଛି  ଦାଦନ ଶ୍ରମିକ

     ପାଷାଣେ ପିଟୁଛି ମଥା

ନାରୀର ଆଖିରୁ  ଲୁହ ତ ଶୁଖୁନି

     ଵର୍ଣ୍ଣିବି କି ତାର ଗାଥା । ୩ ।


ଶିଶୁ ନିର୍ଯ୍ୟାତନା  ଯୈ।ନ ଯାତନା

     ଉତ୍ପିଡିତ ନାବାଳିକା

ଉତ୍ତର ଦକ୍ଷିଣେ  ପୂରୁବ ପଶ୍ଚିମେ

    ମିଛମାୟା କୁହେଳିକା । ୪ ।


ବିଜୟ ହୋଇଛି  ଅସତ୍ୟର ବାଣୀ

    ସତ୍ୟର ହତ୍ୟା ହୋଇଛି

ଗୁମୁରି ଗୁମୁରି   କାନ୍ଦୁଛି ମାଆଟି

     ଅତୀତକୁ ଝୁରି ହେଉଛି । ୫ ।


ଶିକ୍ଷାର ଆଚାର  ଶିକ୍ଷାର ପ୍ରସାର

    ହୋଇଛିରେ ମୂଲ୍ୟହୀନ

ମୂଲ୍ୟବୋଧଠାରୁ‌  ଦୂରେଇ ଯାଇଛି

     ବନ୍ଦୀ ଶିକ୍ଷକ ଜୀବନ । ୬ ।


ବିନା ପରିଶ୍ରମେ  କୋଟିପତି ଆଶା

     ବାନ୍ଧିଲାଣି ବସା ମନେ

ହତ୍ୟା ଲୁଣ୍ଠନର  ଆଶ୍ରୟ ନେଉଛି

    ଗହନ ମନର ବନେ । ୭ ।


ଫେରି ଆସ ପୁଣି  ଏ‌ ଧରା ପୃଷ୍ଠକୁ

      ଅହିଂସାର ଅସୀ ଧରି

ଜାତିପ୍ରେମ ବହ୍ନି  ପ୍ରଜ୍ବଳିତ କର

     ହିଂସାକୁ ଆହୂତି କରି । ୮ 


* * * * * * * * * * * * * * * 
ଲେଖକ -- ରବୀନ୍ଦ୍ର କୁମାର ବେହେରା
     ଚିକିଟୀ , ଗଞ୍ଜାମ
* * * * * * * * * * * * * * *

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy