Friday, October 16, 2020

ଶରତ

✍ମାଧବୀପଟେଲ

ଶୁଭ୍ର ଶୁଭ୍ର ବାଦଲରେ ଅମ୍ବର ସୁନ୍ଦର

ସ୍ବଚ୍ଛ ସ୍ବଚ୍ଛ ଲାଗିଲାଣି ପୃଥ୍ବୀ କଳେବର।

ରୂପେଲି ଜ୍ୟୋତ୍ସ୍ନାରେ ରାତ୍ରି ସଜାଇ ଅଞ୍ଚଳ

ଜୁଡାରେ ତାରାଫୁଲଙ୍କ ଖଞ୍ଜିଅଛି ମାଳ।

କୁମୁଦ ପ୍ରଫୁଲ୍ଲ ପାଇ ସୁଧାଂଶୁର ପ୍ରଭା

ଦିବାରେ ପଦ୍ମିନୀ ଦିଶେ କେତେ ମନଲୋଭା।

ସବୁଜ ଧାନ୍ୟର କ୍ଷେତ ଲହରେ ଦିଗନ୍ତ

ପୁଷ୍ପବାଟିକାର ଶୋଭା ବଢେ ଦ୍ବଗୁଣିତ।

ଗ୍ରୀଷ୍ମ କି ବରଷା ନାହିଁ ପ୍ରଫୁଲ୍ଲିତ ଧରା

ଶ୍ୟାମଳିମା ମହୀ ପୃଷ୍ଠେ ସ୍ବର୍ଣବର୍ଣି ଖରା।

ସମୀରଣେ ସିସିକାରି ମାରୁଥାଏ କ୍ଷେତ

ସବୁଜ ଧାନ୍ୟ କେଣ୍ଡାର ହଲାଇ ପଣତ।

ଭୂମିରୁ ଭୂମା ପର୍ଯ୍ୟନ୍ତ ଶିଶିରରେ ସ୍ନାତ

ଧିରେ ଧିରେ ଭୁରି ଭୁରି ଆସୁଅଛି ଶୀତ।

ମନ୍ଦ ମନ୍ଦ ସମୀରଣ ଆବାହନୀ ଗିତ

କାଶତଣ୍ଡି ଲହରାଏ ତାଶୁଭ୍ର ପଣତ।

କର୍ଦମ ଆବିଳ ଜଳ ଦିଶେ ସୁନିର୍ମଳ

ମାଳମାଳ ଉଡୁଛନ୍ତି ବକାଳିକା ଦଳ।

ଜହ୍ନିଫୁଲ ହଳଦିଆ ରଂଗରେ ଶୋଭିତ

ହରଗୌରା ଗେଣ୍ଡୁଫୁଲ ମନ୍ଦାର ସହିତ।

ଦଶଦିଶା ଚାରିଆଡେ ପବିତ୍ର ମଙ୍ଗଳ।

ଲାଗିଲାଣି ଦେବୀଙ୍କର ଆସିବାର ବେଳ।

ଘଣ୍ଟ ଘଣ୍ଟା ଶବଦରେ ପୃଥିବୀ ଚଞ୍ଚଳ

ଭକ୍ତିଭାବ ପ୍ରବାହିତ ପୃଥ୍ବୀରୁ ପାତାଳ।

ଶାରଦୀୟ ଆବାହନୀ ଭକ୍ତିର ମନ୍ତର

ପୁଲକିତ କରିଦିଏ ସବୁରି ଅନ୍ତର।

ଶରତରେ ଦେବାଦେବୀ ମର୍ତ୍ତ୍ବେ ଆଗମନ

ଧରା ଲାଗେ କିଛିଦିନ ସ୍ବର୍ଗର ସମାନ।

ଝାରସୁଗୁଡା।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy