Monday, October 19, 2020

💐💐ସାବତ ବୋଉ...💐💐

       ମୁଁ ଭୋକ ସମ୍ଭାଳି ପାରେନି, ଟିକେ ଡେରି ହେଇଗଲେ ଚିଡିଚିଡ଼ା ହେଇଯାଏ।ସେଇଥିପାଇଁ  ବୋଉ ମୋ ଖାଇବା ଟାଇମ ହେଲା ବେଳକୁ ରେଡି କରିଦେଇଥିବ।ଆଜି କିନ୍ତୁ ରାଗିକି ପଳେଇ ଆସିଲି ଅଫିସ, ନ ଖାଇ ନ ପିଇ।ଟିକେ ଡେରି କରିଦେଲା ବୋଲି।ପଳେଇ ସିନା ଆସିଲି ହେଲେ ଖାଇବା ଟାଇମ ବି ହେଲାଣି,ତା ଛଡ଼ା ମୁଁ ବାହାର ଖାଦ୍ୟ ଖାଏନି।ଅଫିସର ସମସ୍ତେ ଖାଇବାକୁ ନିଜ ନିଜ ଜାଗା କୁ ପଳେଇ ଗଲେଣି।ଏମିତି ବେଳକୁ ପର୍ସ ବି ଆଣିନି ଆଜି ଉପବାସ ରହିବାକୁ ପଡ଼ିବ ଜଣା ଯାଉଛି।ପାଣି ଗ୍ଲାସେ ପିଇକି aadjust କରିଦେବି ବୋଲି ଗ୍ଲାସ ଟା ଉଠେଇଲା ବେଳକୁ, ଆମ ଗାଆଁ ମନୁ ଭାଇ ମୋ ଅଫିସ କୁ ଆସି ଗୋଟେ ବ୍ୟାଗ  ବଢ଼େଇ ଦେଇ କହିଲା-ଏଇ ନେ ତୋ ବୋଉ କ'ଣ ଖାଇବା  ପଠେଇଛି, ଆଉ କହିଛି ଅଫିସ ରୁ ଗଲାବେଳେ ଥଣ୍ଡା ଆଉ ମୁଣ୍ଡ ବିନ୍ଧା ମେଡ଼ିସିନ ନେଇକି ଯିବୁ।ମୁଁ ନେଇ ଯାଇଥାନ୍ତି ଯେ ମୁଁ ଗଲା ବେଳକୁ ଡେରି ହେବ।ଏତିକି କହିଦେଇ ମନୁ ଭାଇ ପଳେଇଗଲା।

ବୋଉ ଜମା ମଣିଷ ହେବନି, ଗୋଟେ ଏଡିକି ବଡ଼ ବ୍ୟାଗରେ ଖାଇବା ଦେଇଛି, କେଡ଼େ କେଡ଼େ ସୁନ୍ଦର ବ୍ୟାଗରେ ସମସ୍ତେ ଖାଇବା ଆଣିଛନ୍ତି ଆଉ ମୋ ବ୍ୟାଗଟା ଯେମିତି ପରିବା କିଣା ବ୍ୟାଗ ଭଳି ଦିଶୁଛି।ସେ ଯାହାହେଉ ପେଟରେ ତ ମୂଷା ଦୌଡ଼ୁଛି ବ୍ୟାଗଟାକୁ ନେଇ ମୋ ଟେବୁଲ ତଳେ ବସିଗଲି, ଟିଫିନ ଖୋଲି ଦେଖେତ ବୋଉ ଭାତ, ଚୁନାମାଛ ଭଜା, ଶାଗ, ଆଉ ଡାଲି କରିକି ଦେଇଛି।ତାଟିଆ ଗୋଡ଼ିକ ତଳକୁ ସଜେଇ ଭାତ ଗୁଣ୍ଡାଟେ ପାଟିକୁ ନେଇଛି, ମନୁ ଭାଇର କଥା ମନେ ପଡ଼ିଗଲା।ବୋଉର ଦେହ ଭଲ ନାହିଁ, ତଥାପି ମୋ ପାଇଁ ଖାଇବା ପଠେଇଛି।ଲିଟିଲ(ସାନ ଭଉଣୀ)ତ ହାତ ମାରିଥିବନି କି ବୋଉ କୁ ସାହାଯ୍ୟ ବି କରିଥିବନି।ବୋଉ ଏକା କରିଥିବ ସବୁ।ଗରମ ଭାତ ଦିଇଟା ଖାଇଲା ବେଳେ ଆଜି କାହିଁକି ବୋଉ ପ୍ରତି ମୋର ଗୋଟେ ଅନ୍ତରଙ୍ଗ ଆତ୍ମୀୟତା ଖେଳିଗଲା।ତା ମୁହଁ ଟା ସେ ସବୁ ଭାତ, ତରକାରୀ ଆଉ ଲୁଣରେ ଜଳ ଜଳ କରିଦେଖା ଯାଉଥିଲା।


ମୋର ସେତେବେଳେ ଚତୁର୍ଥ ଶ୍ରେଣୀ, ଏତେଟା ବି ହେତୁ ହେଇ ନଥାଏ।ଏଇ ମୋର ବୋଉ ଆସିଥିଲା, ନୂଆ ନାଲି ଲୁଗା ଆଉ ସଜବାଜ ହୋଇ।ମୁଁ କବାଟ କୋଣରେ ଠିଆ ହୋଇ ଦେଖୁଥିଲି।ଆମ ସାହିର କେତେଟା ସ୍ତ୍ରୀ ଲୋକ ହୁଳହୁଳି ପକେଇ ଘରକୁ ଆଣିଲେ।ଆସୁ ଆସୁ ମୋତେ ତା କୋଳକୁ ଟାଣି ନେଇ କୋଳରେ ବସେଇ ମୋ ମୁଣ୍ଡରେ ହାତ ମାରିଦେଇ ମୋ କପାଳରେ ଗେହ୍ଲ କରିଦେଲା।ସମସ୍ତେ ମୋତେ ଚିହ୍ନେଇ ଦେଲେ ଇଏ ତୋ ନୂଆ ବୋଉ।ମୁଁ କହିଲି ଆଉ ମୋ ବୋଉ କାହିଁ?।ସେମାନେ କହିଲେ ସେ ମାମୁଁ ଘରକୁ ଯାଇଛି।ମୁଁ ଭାବିଲି ହଁ ସେ ତ ଯାଇଛି ଯଦି ଆସିବ ଆଉ... 

ମୋ ବୋଉ ଆ.ଏ ପାସ କରିଛି।ବହୁତ ପାଠ ପଢ଼ିଛି।ସ୍କୁଲ ଯିବା ବାଟରେ ନଣ୍ଡା କହୁଥିଲା ସିଏ ତୋ ନୂଆ ବୋଉ ନା ସାବତ ବୋଉ ବେ।ମୋ ମାଆ କହୁଥିଲା ସେ କାଳେ ତୋ ସାବତ ବୋଉ।ମୁଁ ଘରକୁ ଆସି ବୋଉ କୁ  ପଚାରିଥିଲି ତୁ ମୋ ନୂଆ ବୋଉ ନା ସାବତ ବୋଉ।ମୋ ବୋଉ ସେଦିନ ଟିକେ ହସିଦେଇ କହିଥିଲା-ମୁଁ ତୋର ନୂଆ ବୋଉ ନୁହଁ କି ସାବତ ବୋଉ ନୁହଁ।ମୁଁ ତୋର ଖାଲି ବୋଉ।ତୋ ବୋଉ।ତୁ ମୋତେ ବୋଉ ଡାକିବୁ।ସେବେଠାରୁ ସେ ମୋ ବୋଉ।

ବାପା ଆଉ ବୋଉ ମଝିରେ ମୁଁ ଶୁଏ, ଶୋଇଲାବେଳେ ବୋଉ ଉପରେ ଗୋଡ଼ ପକେଇ ଶୋଇବା ମୋର ଅଭ୍ୟାସ ହେଇଗଲା।ଆଉ ବୋଉ ପେଟ ଉପରେ ହାତ ରଖି ଶୋଇବା ବି।ଶୋଇଲା ବେଳେ ବୋଉ ମୋ ଗାଲ ଦିଇଟାରେ ଚୁମା ଦେଇଦିଏ ଆଉ ମୁଁ ବୋଉ କୁ କୁଣ୍ଢେଇକି ଶୋଇଯାଏ।

ବୋଉ ମୋତେ ବହୁତ ଭଲପାଏ।ମୋତେ ଆଖି ଆଗରୁ ଅଧିକ ସମୟ ନ ଦେଖିଲା ବ୍ୟସ୍ତ ହୋଇପଡ଼େ।ଆଇ ଘରକୁ ଗଲା ବେଳେ କେବେ ମୋତେ ଏକୁଟିଆ ଛାଡ଼ିକି ଯାଏନି।ମୋର ମନେ ଅଛି ଆଇ ମୋତେ ଥରେ ଟିକେ ପାତର ଅନ୍ତର କଲା ଭଳି କଥା କହିଦେଲା ଆଉ ବୋଉ ସେଇଠି ତା ସହ ଯୁକ୍ତି ଲଗେଇଦେଲା।ମୁଁ ଆଉ କାହାପାଖରେ ପାଠ ପଢିବାକୁ ଭଲ ପାଏନି।ବୋଉ ମୋତେ ସୁନ୍ଦର ଭାବରେ ଗୋଟି ଗୋଟି କରି ବୁଝେଇ ଦିଏ।ପାଠ ନ ପଢ଼ିଲେ କୁକୁର ବିଲେଇ ପରି ଛେଚି ପକାଏ, ପୁଣି ଗେହ୍ଲ କରି ଆଉଁସେଇ ଦେଇ ପଢାଏ।

ମୋର ସପ୍ତମ ଶ୍ରେଣୀ ବେଳେ ଲିଟିଲ ଜନ୍ମ ହେଲା।ମୋର ପାଠ ପଢ଼ାରେ କ୍ଷତି ହେବ ଭାବି, ବାପା ମୋତେ ହଷ୍ଟେଲ ରେ ଛାଡ଼ିଦେବାକୁ କହିଲେ।ବୋଉ କିନ୍ତୁ ମୁହଁ ମୋଡ଼ିଦେଲା।ମୁଁ ତାକୁ ପଢ଼େଇବି, ହଷ୍ଟେଲ ଗଲେ ଛୁଆଟା ମୋର ଏକୁଟିଆ ହୋଇଯିବ।ମୋତେ ବି ଭଲ ଲାଗୁନଥିଲା ଏ ହଷ୍ଟେଲ ଯିବା ଶୁଣି।ବୋଉ ଲିଟିଲ ଆଉ ମୋତେ ତା ଆଖିର ଦୁଇଟା ତାରା ବୁଲି କହୁଥିଲା।ଲିଟିଲ କୁ ଚୁଡ଼ାଗୁଣ୍ଡ,ହରଲିକସ,ସାରାଲକ ଆଦି ଖାଦ୍ୟ ଖୁଆଇଦେଲେ ବେଳେ, ବୋଉ ମୋ ପାଟିରେ ବି ଥରେ ଦୁଇଥର ଦେଇଦିଏ।ରାତିରେ ଜ୍ୱର ହେଲେ ପାଣିପଟି ଦେଇ ଔଷଧ ଖୁଆଇ ମୋ ପାଇଁ ରାତି ଅନିଦ୍ରା ରହେ।

ଏହାପରେ ବର୍ଷପରେ ବର୍ଷ ବିତି ଚାଲିଲା, ଲିଟିଲ ଧୀରେଧୀରେ ବଡ଼ ହେଲା।ମୁଁ  ବୋଉ ପାଖରେ ପଢ଼ି ମ୍ୟାଟ୍ରିକ ପାସ କଲି।ବୋଉ ବହୁତ ଖୁସିହେଇଥିଲା ସେଦିନ।ମୋର ଯୁକ୍ତ ଦୁଇର ପ୍ରଥମ ବର୍ଷରେ ଆମ ଘରର କାନ୍ଥରେ ଝୁଲୁଥିବା ମୋ ବୋଉର ଫୋଟୋଟିକୁ ବାପା କାନ୍ଥରୁ ଓହ୍ଲାଇ ଆଣି ତାକୁ କାଚର ଫ୍ରେମ କରି ଆମ ବାକ୍ସରେ ରଖିଦିଆଗଲା।ଏମତି ପାଇଁ ନୁହଁ କି ତାକୁ ଅପମାନ ଦିଆଗଲା।ଆମେ ଚାହୁଁଥିଲୁ ଲିଟିଲ କେବେ ମୁଁ ତାର ସାବତ ଭାଇ ବୋଲି ନ ଜାଣୁ।ସାବତ ଶବ୍ଦ ଟି ତା ଜୀବନର ଶବ୍ଦକୋଷରେ ଯେମିତି ନ ଲାଗୁ।ମୁଁ ବି କିଛି ପ୍ରଶ୍ନ ପଚାରୁ ନଥିଲି, କାରଣ ସେ ହେଉଛି ମୋ ଦେବକୀ ଯିଏ ଜନ୍ମ କରି ମୋତେ ଯଶୋଦା ହାତରେ ଟେକି ଦେଇଯାଇଛି।କେବେବି ମୁଁ ତା କଥା ପଚାରିନି, ଯେ ସେ କେବେ ମାମୁଁ ଘରୁ ଫେରିବ।କାରଣ କଳ୍ପନା ଆଉ ସନ୍ଦେହରେ ମୁଁ ଜାଣିସାରିଥିଲି ଯେ ସେ ଏଦୁନିଆରେ ନାହିଁ କିନ୍ତୁ ତାର କହ୍ନେଇକୁ ଯଶୋଦା ପାଖରେ ସମର୍ପି ଦେଇଛି।

ବୋଉ ମୋତେ କେବେ ଅନୁଭବ କରେଇବାକୁ ଦେଇନି ଯେ ସେ ମୋର ସାବତ ବୋଉ ଆଉ ମୁଁ ତାର ସାବତ ପୁଅ।ଏମିତି କେଉଁଦିନ ନାହିଁ, ବୋଉ ମୋତେ ନ ଦେଖି ରହିଯାଇଛି।ବିଭନ୍ନ ପରୀକ୍ଷା ଦେବାକୁ ଯାଇ ନ ଫେରିଲା ପର୍ଯ୍ୟନ୍ତ ନ ଖାଇ ଅନେଇଥିବ।ଏମିତି କେଉଁ ସୋମବାର ନାହିଁ ଯେ ମହାଦେବ ଙ୍କ ପାଦୁକା ସେ ମୋତେ ଖୁଆଇନି।ବାପାଙ୍କୁ ଲୁଚେଇ ମୋତେ ଅନେକ ଟଙ୍କା ଦିଏ, କେଉଁଠି ଅଭାବ ଅନୁଭବ ନ କରେ ସେଇଥିପାଇଁ ସେ ଯତ୍ନବାନ।ମାରେ, ଆକଟ କରେ, ଗାଳିଦିଏ ଆଉ ଦୁନିଆରେ ବଡ଼ ହେବାଲାଗି ମୋ ଶୁଭ ମନାସେ।

ଏବେ ବଡ଼ ହେବାପରେ ମୁଁ ଭାବେ, କାହିଁକି ଏ ଦେବୀ ଜଣକ ବାପାଙ୍କୁ ବିବାହ କଲା।ସେତ ପାଠ ପଢ଼ିଥିଲା,ଆଇ ଘର ଅନେକ ଯୌତୁକ ଦେଇ ତାର ଆଉ କେଉଁ ଜାଗାରେ ବାହାଘର କରିଦେଇଥାନ୍ତେ।ଏସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳେ ମୁଁ ଋଣୀ ହୋଇପଡ଼େ ତା ଆଗରେ।

ଆଜି ଆମେ ଲିଟିଲ ଆଉ ମୁଁ ବଡ଼ ହେଲୁଣି।କୁକୁର ବିଲେଇ ପରି ଝଗଡ଼ା ଲାଗୁ।ମୁଁ ଏକ ବେସରକାରୀ ଅନୁଷ୍ଠାନ ରେ ଉଚ୍ଚ ଦରମାରେ ଚାକିରୀ କଲିଣି।ବାପା ବୋଉ ଆମ ଦୁହିଁଙ୍କ ଖୁସିରେ ଖୁସି ହୋଇପଡ଼ନ୍ତି।

ଅଫିସ ରେ ଆଉ ମନ ଲାଗିଲାନି, ଅଧା ବେଳକୁ ପଳେଇ ଆସିଲି।ଆସିଲା ବେଳେ କିଛି ଥଣ୍ଡା ମୁଣ୍ଡବିନ୍ଧା ମେଡ଼ିସିନ ନେଇକି ଘରକୁ ଆସିଲି।ବୋଉ ବସି ନଡ଼ିଆ ବାହୁଙ୍ଗା ରୁ କଞ୍ଚି କାଢ଼ୁଥିଲା।ମଝିରେ ମଝିରେ ମୁଣ୍ଡରେ ହାତ ମାରି ଦେଉଥିଲା।ଔଷଧ ଟା ବଢ଼େଇ ଦେଇ, ତା କାନ୍ଧରେ ଲୋଟି ଗଲି ମୁଁ।ତା ଦେହର ଝାଳ ମୋ ଗାଲରେ ଲାଗି ଆଶୀର୍ବାଦ ଆଉ ସ୍ନେହର ବର୍ଷା ଭଳି ଓଦା ହେଇଗଲା।ବୋଉ କୁ ଆଜି ନିରୀକ୍ଷଣ କରି ଦେଖିଲା ବେଳେ, ତା ର ଉପର ଚୁଟି କେଇଟା ପାଚିଗଲାଣି।ବୋଉ ମୁହଁରେ କେତେ ଭଲପାଇବା କୁ ମୁଁ ଗଣିପାରୁଥିଲି।ମୋ ବୋଉ ସେ ଜଣେ ବୋଉ ନୁହଁ, ମୋ ଦେବୀ ଆଉ ଏ ସମାଜରେ ଜଣେ ଉତ୍ତମ ନାରୀ।


-ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଅଟେ ସତ, କିନ୍ତୁ ଆମ ସମାଜ ଅନେକ ସାବତ ମାଆଙ୍କୁ ସେହି ଦୃଷ୍ଟିରେ ଦେଖେ ଯିଏ ନିଜ ମାଆଠାରୁ ବି ବଳି ପଡ଼େ।ହାତ ଗଣତି ଉଦଣ୍ଡି ସାବତ ମାଆ କେଇଟା ପାଇଁ ଭଲ ସାବତ ମାଆଟେ ବି ବଦନାମ ହେଇଯାଏ।ସିଏ ହେଉଛି ପ୍ରକୃତ ମାଆ ଯିଏ ସନ୍ତାନ କୁ ସ୍ନେହ,ପ୍ରେମ ଆଉ ଭଲପାଏ, ତେଣିକି ସେ ତାର ନିଜ ସନ୍ତାନ ହେଉ କି ସାବତ ସନ୍ତାନ ହେଉ.

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy