Tuesday, October 27, 2020

ବାନପ୍ରସ୍ଥ

★★★★

✍ଅରବିନ୍ଦ ଦାସ

- ଶୁଣ ,ବାପା କହୁଛନ୍ତି ସେ ବାନପ୍ରସ୍ଥ ଗ୍ରହଣ କରି, ଆଶ୍ରମରେ ରହିବେ।"

ରିମା କଥା ଶୁଣି ଆବାକାବା ହୋଇଗଲା ଅନୀଲ।

-ବାନପ୍ରସ୍ଥ!!ବାପା ବାନପ୍ରସ୍ଥ ନେବେ!କାହିଁକି ? ତମେ କିଛି କହିଲକି ?କେଉଁ ଆଶ୍ରମ ?"

- ମୁଁ କେମିତି ଜାଣିବି ?ତମେ ପଚାର ତମ ବାପାଙ୍କୁ।ବୁଢା ହେଲାପରେ ଅନେକଙ୍କର ଆଳୁ ଦୋଷ ବାହାରେ।ଏଇଠି ସେଇ ପାର୍କରେ ସବୁ ବୁଢ଼ୀଙ୍କ ସହ ହେଁ ହେଁ ଫେଁ ଫେଁ ହେଉଥିଲେ।ଏବେ ହୁଏତ କେଉଁ ମାତାଜୀଙ୍କ ପାଲ ରେ ପଡିଥିବେ।"

  ମୋବାଇଲ ଟା ପକେଟରେ ରଖି ଅନୀଲ କହିଲା,

-ଏଭଳି ଫାଲତୁ କଥା କହି,ଅସଲ କଥା ବୁଲାଇବାକୁ ଚେଷ୍ଟା କରନା।ମୁଁ କଣ ଜାଣିନି ତମ ମନ କଥା ?ବୋଉ ଚାଲିଗଲା ପରେ ବାପା ଏଠି ଆମ ସହ ରହିବା କଣ ସତରେ ତୁମକୁ ପସନ୍ଦ ?ଦେଖେଇ,ଶୁଣେଇ,

ବୁଲେଇ ବଙ୍କେଇ କେତେ କଥା କୁହ।ଗାଁ ଘରେ କିମ୍ବା ମୋ ଭଉଣୀମାନଙ୍କ ପାଖରେ ବାପା କାହିଁକି ରହୁନାହାନ୍ତି ବୋଲି ପରା ମୋତେ ଅଭିଯୋଗ କର।ତାଙ୍କର ଏଠି ରହିବା ଯୋଗୁଁ ତମେ ବାନ୍ଧି ହୋଇଯାଇଛ,

ମନଇଚ୍ଛା କୁଆଡେ ବୁଲି ପାରୁନ,ଘରେ ପାର୍ଟି ଫାର୍ଟି କରିପାରୁନ ବୋଲି ରାଗ ,ଅଭିମାନ।ତମେ ନିଶ୍ଚେ କିଛି ତାଙ୍କ ମନ କୁ ଅତି ବାଧିଲା ଭଳି କଥା କହିଥିବ ବୋଲି କେଉଁ ବୃଦ୍ଧାଶ୍ରମ ,ଜରା ନିବାସ ଯିବାକୁ ଠିକ କରିଥିବେ ବାପା।ତିନି ଦିନ ପାଇଁ ମୁଁ ଟୁର ରେ ବାହାରକୁ ଗଲି ବୋଲି ଏତେ କାଣ୍ଡ ହୋଇଯାଇଛି।ଛିଃ।"

ଟିକେ ନିଶ୍ବାସ ନେଇ ପୁଣି କହିଲା,

-ଏ ବୟସରେ ବାପା ଏକୁଟିଆ କୁଆଡେ ,କେଉଁ ଆଶ୍ରମ ଯିବେ ?କେବେ ଭାବିଛ,ବନ୍ଧୁ ବାନ୍ଧବ,ସାହି ପଡିଶା କଣ ଭାବିବେ ?ବୁଢା ବାପାକୁ ଘରୁ ବାହାର କରିଦେଲେ ବୋଲି ଅପବାଦ ଦେବେ।"

ବିରକ୍ତ ହୋଇ ରିମା କହିଲା,

- ସବୁ ସ୍ବାମୀଙ୍କର ତମ ଭଳି ବଦଭ୍ୟାସ ହେଉଛି,ପ୍ରତ୍ୟେକ ଜିନିଷ ପାଇଁ ସ୍ତ୍ରୀ କୁ ଦୋଷ ଦେବା,ତା ମୁଣ୍ଡରେ ଅଠା ବୋଳିବା ଓ ନିନ୍ଦା କରିବା।ନହେଲେ ତମମାନଙ୍କ ଭାତ ହଜମ ହୁଏନା।କିହୋ ମୁଁ କେମିତି ଜାଣିବି ତମ ବାପା କେଉଁ ଆଶ୍ରମ ଯିବେ ?"

ଗୋଡ଼ କଚାଡି ଦୁମ ଦୁମ ହୋଇ ଚାଲିଗଲା ରିମା।

ଭାଵନାରେ ବୁଡ଼ିଗଲା ଅନୀଲ।ବାପାଙ୍କୁ କଣ କେମିତି ପଚାରିବ ?ଚୁପ କିନା ବାପାଙ୍କ ରୁମକୁ ଯାଇ କହିଲା,

- ଆପଣ କାହିଁକି ଆଶ୍ରମ ଯିବେ ?ଆମର ଯଦି କିଛି ଭୁଲ ହୋଇଯାଇଛି,ତେବେ କ୍ଷମା କରି ଦିଅନ୍ତୁ।ଏ ବୟସରେ ଆପଣ.....

   ହୋ ହୋ ହୋଇ ହସି ପ୍ରେମାନନ୍ଦ ବାବୁ କହିଲେ,

- କେହି କିଛି ଦୋଷ କରିନ।ମୁଁ ନିଜ ଇଛା କଥା ବୋହୂକୁ କହୁଥିଲି ଓ ଯିବାକୁ ମନସ୍ଥ କରିସାରିଲିଣି।ତୁ ତୋ କମ୍ପାନୀ କାମରେ ଅଧେ ସମୟ ବାହାରେ,ଛୁଆ ଦୁଇଟା ବାହାରେ ରହୁଛନ୍ତି;ଘରେ ମୁଁ ଓ ବୋହୁ।ସେ ନିଜ କାମରେ କୁଆଡେ ଗଲେ ଘରେ ମୁଁ ଏକୁଟିଆ।ତେଣୁ ଆଶ୍ରମ ରେ ରହିବି ବୋଲି ..."

- କିନ୍ତୁ କାହିଁକି ?"

- ସାଂସାରିକ ମୋହ ମାୟାରୁ ଟିକେ ମୁକ୍ତି ଦରକାର।ଏଇ ସହର ବାହାରେ ଥିବା ସେଇ ଛୋଟ ହିଲଷ୍ଟେସନ ପାଖରେ ଯୋଗୀ ଆତ୍ମାନନ୍ଦଙ୍କ ଆଶ୍ରମ"ବୈକୁଣ୍ଠପୁରେ"ରହିବାକୁ ଭାବିଛି।ମୋର କିଛି ସାଙ୍ଗ ସେଠାରେ ମେମ୍ବରସିପ ନେଇ ରହିବେ। ସେଠାର ଶାନ୍ତ ପରିବେଶ କାଳେ ବହୁତ ଭଲ।ବନ୍ଧୁମାନଙ୍କ ସହ ରହିବି ବୋଲି ଚିନ୍ତା କରିଛି।ଯଦି ଭଲ ନଲାଗିବ ତେବେ ଚାଲିଆସିବି।ଆସନ୍ତା କାଲି ମୋତେ ସେଠାରେ ଛାଡ଼ିଦେବୁ।ମେମ୍ବରସିପ ଓ ରୁମ ପାଇଁ ମୁଁ କଥାବାର୍ତ୍ତା କରିଦେଇଛି।"

   ରୁମ ବାହାରେ ଠିଆ ହୋଇଥିବା ରିମା ଚୁପ କିନା ବେଡ଼ରୁମକୁ ଯାଇ କବାଟ ବନ୍ଦ କରି ଫୋନ ଲଗାଇଲା ବାନ୍ଧବୀ ସୁପ୍ରିୟା କୁ ଓ ଘଟଶ୍ରମଣାଟି ଆମୂଳଚୂଳ କହିଲା।

- ତୁ ବହୁତ ଭାଗ୍ୟବତୀ।ତୋ ଶଶୁର ଜଣେ ମହାପୁରୁଷ, ଆପେ ଆପେ ଘରୁ ଯିବାକୁ କହୁଛନ୍ତି।ତୁ ଏବେ ବୋଝରୁ ମୁକ୍ତ ହୋଇଯିବୁ।ଆଉ ମୋତେ ଦେଖ,ଶୁଶର ଆମର ହୁଙ୍କା ଭଳି ବସିଛନ୍ତି।ମୁଁ କଣ ଫ୍ରି ହୋଇପାରୁଛି ନା ମାସେ ଦୁଇମାସ କୁଆଡେ ବୁଲିବାକୁ ଯାଇପାରୁଛି ?ମଉସାଙ୍କ ପାଦଧୂଳି ଟିକେ ଆଣି ମୋ ଶଶୁରଙ୍କ ମୁଣ୍ଡରେ ମାରିବାକୁ ଇଛା ହେଉଛି।"

ଦୀର୍ଘନିଶ୍ବାସ ନେଇ ରିମା କହିଲା,

- ଅନୀଲ ସନ୍ଦେହ କରୁଛନ୍ତି ମୁଁ  କାଳେ ବାପାଙ୍କୁ କିଛି କହିଛି ବୋଲି ବାପା ଆଶ୍ରମ ଯିବାକୁ ବାହାରିଛନ୍ତି।ଭାବୁଛି ବାପାଙ୍କୁ ମନା କରିବି।"

ସେପଟୁ ସୁପ୍ରିୟା କହିଲା,

- କେଡେ ବୋକୀ ତୁ ?ହୁଇସିଲ ମାରି କିଏ ପୋଲିସକୁ ଡାକେ ?ବରଂ ସେଠି ଅଧିକ ସୁବିଧା ବ୍ୟବସ୍ଥା କରିଦେ,ଯେମିତି ସେଇଠି ସବୁଦିନ ରହିବେ।"

  ଯେତେ ବୁଝାଇଲାପରେ ବି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ପ୍ରେମାନନ୍ଦ ବାବୁ।

   ପରଦିନ ତାଙ୍କ ଜିନିଷ ପତ୍ର ଦୁଇଟା ଆଟାଚିରେ ରଖି ଯୋଗୀଆତ୍ମାନନ୍ଦଙ୍କ ଆଶ୍ରମରେ ତାଙ୍କୁ ଛାଡିବାପାଇଁ  ଗଲେ ଅନୀଲ ଓ ରିମା।

     ଆଶ୍ରମ'ର ପରିବେଶ ସତରେ ବହୁତ ସୁନ୍ଦର ଥିଲା।ଗାଢ଼ ଖଇରିଆ ରଙ୍ଗର ପୋଷାକ ପିନ୍ଧି ସମସ୍ତ ପୁରୁଷ,ମହିଳାଆଶ୍ରମବାସୀ ଏକା ଭଳି ଦିଶୁଥିଲେ।

   ଆଶ୍ରମ ଅଫିସ କାଉଣ୍ଟରରେ ଫର୍ମ ପୂରଣ କଲାବେଳେ ସେଠାର ଇନଚାର୍ଯ୍ୟ ପଚାରିଲେ,

- ମେମ୍ବରସିପ କେତେଦିନ ପାଇଁ ନେବେ?ଅତି କମରେ ଛଅମାସ ପାଇଁ ରୁମ ଭଡା ଆଡ଼ଭାନ୍ସ ଦେବାକୁ ପଡିବ।ତେବେ ବର୍ଷେ ପାଇଁ ବୁକ କଲେ,ମାସେ ଓ ଦୁଇବର୍ଷ ପାଇଁ ବୁକ କଲେ ତିନିମାସ ଫ୍ରି ରହିବାର ସ୍କିମ ଅଛି।"

- ଆଉ କିଛି ଅଧିକ ଫ୍ରି ସ୍କିମ ?"ରିମା ପାଟିରୁ ବାହାରି ପଡ଼ିଲା।"

 -ପାଞ୍ଚବର୍ଷ ପାଇଁ ବୁକ କଲେ ଏକ ବର୍ଷ ଫ୍ରି ରହିବାର ସ୍କିମ ଅଛି।"

ଅନୀଲ ସାଙ୍ଗେସାଙ୍ଗେ କହିଲା,

- ଛଅ ମାସ ପାଇଁ ରସିଦ ଦିଅନ୍ତୁ।"

    ବାପାଙ୍କ ରୁମରେ ଜିନିଷ ରଖି ଫେରିଲା ବେଳକୁ ଅନୀଲ ମନଟା ଟିକେ ଭାରି ଲାଗୁଥିଲା। ଘରକୁ ଫେରିଲା ବେଳକୁ ରିମାକୁ ପଚାରିଲା,

- ଆମ ମାନଙ୍କୁ ଛାଡି ଏଠି ସତରେ  ବାପାଙ୍କ ମନ ଲାଗିବ?ନିଜ ମଣିଷଙ୍କୁ ଛାଡି କଣ ରହିହୁଏ ।"

- ତାଙ୍କ ସାଙ୍ଗ କିଏ ସବୁ ଅଛନ୍ତି ପରା।ବାବା,ମାତାମାନଙ୍କ ସହ ମଉଜ ମସ୍ତି କରିବେ।"

  ଦୁଇଦିନ ପରେ ହଠାତ ସକାଳୁ ରିମା ,ଅନୀଲକୁ ନିଦରୁ ଉଠାଇ କହିଲା,

- ଜଲଦି ବାହାର,ବାପାଙ୍କୁ ଆଶ୍ରମରୁ ଘରକୁ ନେଇ ଆସିବା।"

ଆବାକାବା ହୋଇ ଅନୀଲ ପଚାରିଲା,

- ବାପାଙ୍କୁ ଘରକୁ ନେଇ ଆସିବ ?ହଠାତ ଏମିତି ଉଛୁଳା ପ୍ରେମ ?କଣ ବାପାଙ୍କ ବିନା ଘରଟା ଖରାପ ଲାଗୁଛି ନା ?ମୁଁ କହୁ ନଥିଲି, ନିଜ ମଣିଷ ଙ୍କୁ ଛାଡି ରହିବା ସତରେ କଷ୍ଟ।" 

- ନିଜ ଲୋକଙ୍କୁ ଛାଡି ତମ ବାପା କାହିଁକି କୁଲୁକୁଲୁ ହୋଇ ଆଶ୍ରମ ଯାଇଛନ୍ତି ତା ପଚାର।ମୋର ତ ପ୍ରଥମରୁ ସନ୍ଦେହ ହେଉଥିଲା।ସେଠି ରାସଲୀଳା ଚଳାଇବା ପାଇଁ ତାଙ୍କର ପ୍ଲାନ।"

  ବିରକ୍ତି ଭରା ସ୍ୱରରେ ଅନୀଲ କହିଲା,

- ଅସଭ୍ୟଙ୍କ ଭଳି ବାପାଙ୍କ ନାଁ ରେ  କଣ ଏମିତି କହୁଛ ?"

- ଏଇନା ମୋ ସାଙ୍ଗ କହିଲା, ଆମ କଲୋନୀ ର ସେଇ ଫୁଲେଇ ଚନ୍ଦ୍ରିକାର ଶାଶୁ ରାଧିକା ମାଉସୀ ଓ ମିସେସ ମହାନ୍ତିଙ୍କ ଶାଶୁ ରୁକ୍ମିଣୀ ମାଉସୀ ବି କାଳେ ସପ୍ତାହେ ହେଲାଣି ସେଇ ଆଶ୍ରମରେ ଅଛନ୍ତି।ଏଇ ପାର୍କରେ ସେମାନଙ୍କ ସହ ତମ ବାପା ହେଁ ହେଁ ଫେଁ ଫେଁ ହେବା ସହ ଫୋନ ରେ ବି ଗପନ୍ତି।ଏଇନା ଯୋଡି ଜମିବ ସେଠି।ଆଉ ହଁ, ତମ ସାଙ୍ଗ ମାନଙ୍କୁ ଓ ବନ୍ଧୁ ବାନ୍ଧବଙ୍କୁ କହିଦେବ, କିଛି ବୋହୁ ଶାଶୁ ,ଶଶୁରଙ୍କୁ ବୃଦ୍ଧାଶ୍ରମ ବା ଆଶ୍ରମରୁ ଘରକୁ ଫେରାଇ ଆଣନ୍ତି।"

-କିନ୍ତୁ ଛ ମାସ ପାଇଁ ଆଡଭାନ୍ସ ପରା ଦେଇଛେ।ଛ ମାସ ଯାଉ।"

- ଚୁଲିକୁ ଯାଉ ସେ ଆଡଭାନ୍ସ।ଛ ମାସ ପରେ ବାପାଙ୍କ ସହ ହୁଏତ ସେଇ ଦୁଇଟା ବୁଢ଼ୀଙ୍କ ଭିତରୁ କିଏ ଗୋଟେ ମୋ ଘରକୁ ଆସିଯାଇପାରେ।"

- କିନ୍ତୁ ବାପା ତ ବାନପ୍ରସ୍ଥ .....

- ପାଟି ଚୁପ କର।ବାନପ୍ରସ୍ଥ ନୁହେଁ, ବାନର-ପ୍ରସ୍ଥ।ଘରକୁ ଆଣି ତମ ବାପାଙ୍କୁ ଏକପ୍ରସ୍ଥ କରିବାକୁ ପଡିବ।"


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy