✍ କଳ୍ପନା ରାୟ
ତୁମେ ନା ସେଇ ପଥର ମୂର୍ତ୍ତି
ଯାହାକୁ ମୋ ନିହାଣ ମୂନରେ
ଆଙ୍କି ଚାଲିଥିଲି ବାରବର୍ଷ ଧରି
ଚୁପ୍ ଚାପ୍ କାହାକୁ କିଛି ନ କହି
ସୁନ୍ଦର ହେବାରେ ବ୍ୟସ୍ତଥିଲ ତୁମେ
ମୁଁ କିନ୍ତୁ ଦିନ ଗଣୁଥିଲି
ପରିବାରଠାରୁ ଆସିବା ଆଉ ଯିବାର
ସରିବାର ନାଁ ଧରୁ ନ ଥିଲ ତୁମେ
ନା ଛାଡି ପାରୁ ନ ଥିଲ ଆମକୁ
ଆଉ ଟିକେ ସୁନ୍ଦର ହେବା ଆଶାରେ
କାମ ଆମର ସରି ଆସୁଥିଲା
କିନ୍ତୁ ଆଶଙ୍କା ବଢ଼ି ବଢ଼ି ଚାଲିଥିଲା
ସବୁ ଗାତ୍ର ମରିଥିଲେ ବି
ମନ୍ଦିରର ଚୂଳ ନା ଧରୁ ନ ଥିଲା ବସିବାର
ପ୍ରତାପୀ ରାଜା ଲାଙ୍ଗୁଳା ନରସିଂହ ଦେବ
ମାଆ ଇଛା ପୂରଣ କରିବାକୁ ଯାଇ
କେତେ ମାଆଙ୍କ ଇଛା ମାରିଥିଲେ
ସିଏ ଜାଣନ୍ତି, ନା ଜାଣିବାକୁ ଇଚ୍ଛା
କରିଛନ୍ତି କେବେ, ଠିକ୍ ତୁମ ପରି
ନିଜ ନିଜ ଇଛାର ପୂରଣ ପାଇଁ
ତତ୍ପର, ଅନ୍ୟ ବଳୀ ଦେଇ
ନିଜେ ଅଦ୍ୱିତୀୟ ସୌନ୍ଦର୍ଯ୍ୟ ହେଵାର
ଏତେ ସ୍ବାର୍ଥ ଆସିଲା କୁଆଡୁ ତୁମର
ରାଜାଙ୍କ ଅସ୍ମିତା ଓ ଟାଣପଣରୁ
ନା ଆମ ନିହାଣମୁନର ଆତ୍ମୀୟତାରୁ
କି କଠୋର ତପସ୍ୟା !! ଧୈର୍ଯ୍ୟ !!
ଶିଳ୍ପୀପଣ ନା ରାଜାଜ୍ଞା ପାଳନ
ଦେଖ ତୁମେ ନିଜକୁ ଆଉ ଧରମାକୁ
ତୁମେ ଶିଳ୍ପୀକଳାର ଆଉ ଧରମା ତ୍ୟାଗର
ଅତୁଳନୀୟ ଶୋଭାରେ ଦଣ୍ଡାୟମାନ
ଦୁହେଁ ଗୁଣଗାନ କରି ଆମ ଶିଳ୍ପୀକଳାର
କଳ୍ପନା ରାୟ, ଲଇଡା, ସମ୍ବଲପୁର
No comments:
Post a Comment