Friday, October 16, 2020

ପଚାଶ ବର୍ଷ ତଳର ମାଟି ଘର

 

ଆମ  ଗାଁ ମାଟି ଘର । ଆଠ ଖୁଣ୍ଟିଆ ଘର । ମଝରେ ଅଗଣା । ପଛକୁ ଦୁଇ ବଖରା। ଆଗକୁ ବି ଦୁଇ ବଖରା । ଆଗ ଦୁଇ ବଖରା ଘରେ ଆମ ଶୋଇବା ଘର । ସେଇ ଘରେ ଥାଏ ଗୋଟାଏ ଆଲମାରୀ ଓ  ସିନ୍ଦୁକ । ବୋଉ ସେଥିରେ କାରବାର କରେ । ପଇସା ପତ୍ର , ଜମି ଜମା କାଗଜ ପତ୍ର ସେଇ ଆଲମାରୀ ରେ ଥାଏ । ବୋଉ ଘରେ ଆମ ସମସ୍ତ ଭାଇ ଭଉଣୀ ଙ୍କ ଷଠି ଘର । କଉଡ଼ି ରେ ସଜାଇ ଥାଏ ଷଠି ଘର କୁ ବୋଉ । ଆଉ ଦାଣ୍ଡଘର  ବାହାରକୁ ଯିବା ଆସିବା ଘର । କେଇ ବନ୍ଧୁ କୁଣିଆ ଆସିଲେ ସେଇ ଘରେ ବନ୍ଧୁଚର୍ଚ୍ଚା ହୁଏ । ଦାଣ୍ଡ ଘରେ ବୋଉ ବାହାଘର ହାତ ବୁଣା ଚିତ୍ର ଫୋଟୋ ହେଇ ମାଟି କାନ୍ଥରେ ଓହଳି ଥାଏ । ତାଳପତ୍ର ଚଟରେ ପାଣି ଲୋଟା ସହିତ ସ୍ବାଗତ କରାଯାଏ ।

           ମଝିରେ ଅଲଙ୍ଗ। ଗୋଟିଏ ପଟରେ ଢ଼ିଙ୍କି ପଡ଼ିଥାଏ ଆର ପଟରେ ଅଲଙ୍ଗରେ ଖୋଲା ବାରଣ୍ଡା । ସେଇଠି ବସି ଆମେ ଭାଇ ଭଉଣୀ ଖାଉ । ଖରା ବେଳେ ସପ ପାରି ଶୋଇ ପଡୁ । ଥଣ୍ଡା ପବନରେ ନିଦ ଦେଇ ଯାଏ । ପଛକୁ ହାଣ୍ଡି ଶାଳ । ମଝିରେ ଅହ୍ମାର । ଆହ୍ମରକୁ ଲାଗି ଠାକୁର ଘର ।  ଭିତର ଘର ଟା ଶୋଇବା ଘର ।

          ଘର ବାହାରେ ଉଚ୍ଚା ପିଣ୍ଡା ସବୁ ବେଳେ ତାଳଚଟ ଟିଏ ପଡି ଥାଏ । ସକାଳୁ ସକାଳୁ ବୋଉ ଗୋବର ପାଣିରେ କାନ୍ଥ ଓ ପିଣ୍ଡା ଲିପେ । ସଂଜକୁ ଆମେ ବସି ଜେଜ କିମ୍ବା ମା ଙ୍କ ଠାରୁ ଗପ ଶୁଣୁ । ଘର ଆଗରେ ଚଉଁରା । ସଂଜ ହେଲେ ବୋଉ ଚଉଁରା ରେ ସଂଜ ବତୀ ଜଳାଏ । ଆମେ ମୁଣ୍ଡିଆ ମାରି ଚଉଁରା କୁ ଦଣ୍ଡବତ କରୁ । ଆମେ ଆଖି ବୁଜି ଆହେ ଦୟା ମୟୀ ବିଶ୍ଵ ବିହାରୀ ସ୍କୁଲ୍ ପ୍ରାର୍ଥନା ଗାଉ । ବୋଉ ହୁଳହୁଳି ପକାଏ । ଦୀପ ଜଳାଇ ଘରର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରେ । 

      ଜହ୍ନ ରାତିରେ ଆମେ ଆମ ଘର ଆଗ ଦାଣ୍ଡରେ ଏକାଠି ହେଇଯାଉ । ଜହ୍ନ ରାତିରେ ଗରମ ଦିନେ ଦାଣ୍ଡରେ ଖୁବ୍ ମନଭରି ଖେଳୁ । ଝିଅମାନେ ଗୀତ ଗାଇ ପୁଚି ଖେଳନ୍ତି । ନଡ଼ିଆ ଗଛ ଉହାଡରେ ପୁନେଇଁ ଜହ୍ନ ହସୁ ଥାଏ । ଆମ ପିଲାଙ୍କ କଳରବରେ ଗାଆଁ ଦାଣ୍ଡ ଜୀବନ୍ତ ହେଇ ଉଠେ ।

         ଘର ଅଗଣାରେ ଚୁଲି । ଖରା ଦିନେ ସେଇଠି ରୋଷେଇ ବାସ ହୁଏ । ସକାଳୁ ବୋଉ ପଲମରେ ପିଠା କରେ । ଆମେ ବେଢ଼ି ବସି ପିଠା ଖାଇ ସ୍କୁଲ୍ ଯାଉ । ଆମେ ତାଳ ପତ୍ର ଚଟ ପକାଇ ଖାଇ ବସୁ । ପିଠା ସାଙ୍ଗକୁ ଗୁଡ଼ କିମ୍ବା ଆଳୁ ଭଜା ଦିଏ ବୋଉ ଖାଇବାକୁ । ବର୍ଷା ହେଲେ ବୋଉ ହାଣ୍ଡିଶାଳ  ଆଗ ଅଲଙ୍ଗରେ ଚୁଲି ଲଗାଇ ରୋଷେଇ କରେ । ରାତିରେ ବି ବାରଣ୍ଡାରେ ରୋଷେଇ ହୁଏ । କାନ୍ଥରେ ଡିବି ଠଣାରେ କିରୋସିନ ବତି । ହାଲୁକା ପବନରେ ମିଞ୍ଜି ମିଞ୍ଜି କରେ । ଆମେ ପାଠ ପଢି ବସିଲେ ବୋଉ ଲଣ୍ଠନ କାଚ ସଫା କରି ଦେଇ ଯାଏ । ବତି ଆଲୁଅ ଠୁ ଭଲ ଜଳେ ଲଣ୍ଠନ ।ଆମେ ମନ ଦେଇ ପାଠ ପଢୁ। 

       ହାଣ୍ଡିଶାଳରେ ମାଟି ହାଣ୍ଡି । ଭାତ ରୋଷେଇ ପାଇଁ ଅଲଗା । ଡାଲି ହାଣ୍ଡି ଅଲଗା । ଭଜା ପାଇଁ ଲୁହା କଢେଇ । ପାଣି ପାଇଁ ମାଟି ମାଠିଆ ।

       ବାରି କୂଅରୁ ମାଠିଆରେ ପାଣି ରସି ପକେଇ କଢାଯାଏ । କାଚ କେନ୍ଦୁ ପାଣି । ଭାରି ଥଣ୍ଡା ଲାଗେ ମାଠିଆ ପାଣି । ଶୋଷ ମେଣ୍ଟି ଯାଏ । ବାରି ପଛ ଆଡେ କୂଅ । ଭାରି ମିଠା ପାଣି ।ବର୍ଷା ଦିନେ ହାତ ପହନ୍ତାରେ ଆଉ ଖରାଦିନେ ଖୁବ୍ ଲମ୍ବାରସି ପକେଇବାକୁ ପଡେ ପାଣିକାଢ଼ିବାକୁ ।

      ଆଗ ବାରଣ୍ଡାରେ ଢ଼ିଙ୍କିଶାଳ । ଖରା ବେଳରୁ ସଂଜ ବେଳ ଯାଏ ଧାନକୁଟା ଯାଏ । ଢ଼ିଙ୍କି ପାହର ପଡେ । ଆରଘର ବଡ ବୋଉ । ନୂଆ ହେଇ ବାହା ହେଇ ଆସିଥିବା ଭୁଆସୁଣୀ ଏକାଠି ହୋଇ ଯାଆନ୍ତି ଢ଼ିଙ୍କିଶାଳେ । ସାହି ଭାଇ , ଭୁଆସୁଣୀ ଗାଆଁ ଗୋଟାକ ଭଲ ମନ୍ଦ ଆଲୋଚନା ହୁଏ । ଢ଼ିଙ୍କି ପାହର ତାଳରେ ସବୁ ଚର୍ଚ୍ଚା ହୁଏ । ହସି ମଜାକ ହୁଏ । ଉଷୁନାଧାନ ତ କେତେବେଳେ ଅରୁଆ ଧାନ କୁଟାହୁଏ ଢ଼ିଙ୍କିରେ । ପର୍ବପର୍ବାଣୀ ଆସିଲେ ଢ଼ିଙ୍କିଶାଳରେ ଫୁରୁସତ ନ ଥାଏ । ସାହି ପଡୋଶୀ ସବୁ ଗୋଟିଏ ପରେ ଗୋଟିଏ ବରାଦ ଦେଇ ପାଳି କରି କୁଟା ଚାଲେ ଚାଉଳ ଚୁନା । ପୁନେଇଁ ପର୍ବରେ କେତେ ପ୍ରକାର ପିଠା ହୁଏ ଘରେ ଘରେ ।

    ଚାଷବାସ ଦିନେ ବିଲରୁ ଆସିଥବା ଧାନ ଅଖା ଢ଼ିଙ୍କିଶାଳେ ରଖା ଯାଏ । କୁଲାରେ ପାଛୁରି ବର୍ଷକ ଯାକ ଧାନ ଅହ୍ମାରରେ ରଖା ଯାଏ । 

 ଠାକୁର ଘରେ ବୋଉ ପୂଜାକରେ । ଠାକୁର ଘରେ ମା ଲକ୍ଷ୍ମୀ ଜଗନ୍ନାଥ ଓ ଶିବ ପାର୍ବତୀ ଗଣେଶ ସରସ୍ଵତୀ ପୂଜା ପାଆନ୍ତି । ଲକ୍ଷ୍ମୀପୂଜାରେ ଘର ଲକ୍ଷ୍ମୀପାଦ ଚିତାରେ ଅଙ୍କା ଯାଏ । ଦାଣ୍ଡ ପଟ କାନ୍ଥରେ ଚିତାରେ ସଜାଏ ବୋଉ । ଝୋଟି ଚିତା ରେ ଧାନ ଗୁଚ୍ଛ ତିଆରି କରେ କାନ୍ଥରେ ବୋଉ । ଠାକୁର ଘରୁ ଦାଣ୍ଡ ଦୁଆର ପର୍ଯ୍ୟନ୍ତ। ମଝି ଅଗଣା ଚୁଲିରେ ସକାଳୁ ସକାଳୁ କେଇ ପ୍ରକାର ପିଠା ତିଆରି ଆରମ୍ଭ ହେଇ ଯାଏ । ଘରେ ଘରେ ଆନନ୍ଦ । ପିଲା ମାନେ ଖୁସି । ରଜରେ ବାଡ଼ି ପଣସ ଗଛ ରେ ସାନ ଦୋଳି । ଅାମ ଛୋଟ ପିଲାଙ୍କ ପାଇଁ । ବଡ଼ ଦୋଳି ଆମ୍ବ ତୋଟା ରେ ଲାଗେ । ସବୁ ଗାଆଁ ଗୋଟାକ ଝିଅ ଏକାଠି ହୁଅନ୍ତି ରଜ ଦୋଳିଗୀତ ଗାଇ ଦୋଳି ଖେଳନ୍ତି ।

          ବାରିଆଡେ ଗୁହାଳ ଥାଏ । ଗାଈ ଘରେଘରେ ପାଳିବା ଗ୍ରାମୀଣଙ୍କ ଧର୍ମ ଥିଲା। ଗହ୍ମା ପୂର୍ଣ୍ଣିମାରେ ରେ ଗାଈ ପୂଜା ହୁଏ । ଅକ୍ଷୀମୁଠି ସଜ ହୁଏ । ଗାଈ ପାଳିକୁ ଗାଈ ଯାଆନ୍ତି ଗୋଧୂଳି ଉଡେଇ ସଂଜକୁ ଗୁହାଳ ଗୋଠକୁ ଫେରନ୍ତି । ସକାଳୁ ବାଛୁରୀର ହମ୍ବା ରଡ଼ି , ପିଜୁଳି ଗଛର ହଳଦୀ ବସନ୍ତ ପଣସ ଗଛରେ କୁମ୍ଭାଟୁଆ , ଚାଳରେ କାଉ । ଘର ପଛ ଆଡ ଚାଳରେ ଚୂଳିଆ ଚଢ଼େଇ ଖୁବ୍ ମନ ଭରି ଦିଅନ୍ତି ସକାଳ ନିଦ ଭାଙ୍ଗୁ ଭାଙ୍ଗୁ । କରଞ୍ଜ ସାହାଡ଼ା, ବେଗୁନିଆ ଦାନ୍ତ କାଠି ରେ ଦାନ୍ତ ଘଷା ଏକ ଅଦ୍ଭୁତ ଅନୁଭୂତି ଥିଲା ସେ ସମୟରେ ।

       ଘର ଚାଳରେ ପାଣି କଖାରୁ ଲାଉ , କଖାରୁ , ପୋଇ, ସିମ ଗଛ ଖୁବ୍ ଆନନ୍ଦରେ ଚାଳରେ ମାଡ଼ି ଥାଏ । ସାମାନ୍ୟ ବର୍ଷାରେ ଛନଛନ୍ ହେଉ ଉଠେ ଚାଳ ମଥାନରେ । ବର୍ଷାର ଓଦା ଚାଳ ର ରୋଷେଇ ଘରୁ ଚାଳ ଦେଇ ଉଠୁଥିବା ଧୂଆଁ ମନରେ ସ୍ବପ୍ନ ର ରଙ୍ଗ ଭରେ ।

       

         ଆଜି ସେ ଭଳି ଆଉ ଗାଆଁ ନାହିଁ । ପ୍ରାୟତଃ ସମ୍ପୂର୍ଣ ପରିବର୍ତ୍ତନ ହେଇ ଗଲାଣି ।

      ମାଟିଘର କୋଠା ହେଇ ଗଲାଣି କିନ୍ତୁ ସେ ସମୟର ଘର ଭିତରେ ବନ୍ଧା ସ୍ନେହ ଶ୍ରଦ୍ଧା ର ସମ୍ପର୍କ ନାହିଁ  । ଘରର ସୁନ୍ଦରତା ଓ ସୁରକ୍ଷା ବଢ଼ି ଯାଇଛି କିନ୍ତୁ ପରିବାରରେ ହୃଦୟର ଆନ୍ତରିକତା କମି ଯାଇଛି ।

       ସେଦିନର କିରୋସିନ ଡିବିରି ଆଲୁଅ ନାହିଁ । ବିଜୁଳି ଆଲୁଅରେ ଗାଆଁ ଚମକୁଛି । କିନ୍ତୁ ଆଖିର ଦୃଷ୍ଟି ଶକ୍ତି ଡିବିରୀ ଆଲୁଅରେ ଯେତେ ଦୃଷ୍ଟି ଶକ୍ତି ସ୍ପଷ୍ଟ ଥିଲା ଆଜି  ବିଜୁଳି ଆଲୁଅରେ ପଞ୍ଚାବନ୍ ପ୍ରତିଶତ ଯୁବା ଚଷମା ପିନ୍ଧୁଛନ୍ତି ।

     କୂଅ ପାଣି ପିଇ ଯେତେ ସୁସ୍ଥ ଥିଲେ ଆଜି ଆର ଓ ସିଷ୍ଟମ ଅତି ବିଶୁଦ୍ଧ ପାଣି ପୋଇ ବହୁ ସଂଖ୍ୟାରେ ଜଳ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

      ଠାକୁର ଘରେ ସେ ସମୟରେ ଜଗନ୍ନାଥ ,ଲକ୍ଷ୍ମୀ ସରସ୍ଵତୀ ଶିବ ପାର୍ବତୀ ପୂଜା ପାଉ ଥିଲେ ଆଜି  ଠାକୁର ଘରେ ବାବା ମାନଙ୍କର ଆଡ୍ଡା । ଆଜି ସେଇ ବାବା କି ଦେବତା ମାନେ ପୂଜା ପାଉଛନ୍ତି ଯେଉଁ ମାନେ ଜଲ୍ଦୀ ଭକ୍ତ ଙ୍କ ଦୁଃଖ ଦୂର କରି ଫଳ ପ୍ରଦାନ କରୁଛନ୍ତି । ପୁଣ୍ୟ ଭୂମି ର ଦେବତା ବିଶ୍ଵ ଠାକୁର  ଜଗନ୍ନାଥ ଥାଉଁ ଥାଉଁ ଭିନ୍ନ ଭିନ୍ନ ସାଇ ପୂଜା ପାଉଛନ୍ତି ।

                   ଢ଼ିଙ୍କି ରେ ଧାନ କୁଟି , ବିଲରୁ ଫସଲ ବୋହି ମହିଳା ପୁରୁଷ ଅସି ବର୍ଷ ବୟସ ପର୍ଯ୍ୟନ୍ତ ସୁସ୍ଥଥିଲେ ଆଜି ୬୦ ବର୍ଷ ରେ ଏକାନ୍ତ ଜୀବନରେ  ସନ୍ଧ୍ୟା ସକାଳ ପାର୍କ ପରିକ୍ରମା ରେ ସୁସ୍ଥ ରେ ବଞ୍ଚିବାର ରାହା ଖୋଜୁଛନ୍ତି  ।

        ସେ ସମୟରେ ପରିବାରରେ ଓ ପଡୋଶୀ ସହିତ ହସ ଖୁସିରେ ଦିନ ବିତୁଥିଲା ବେଳେ ଆଜି ଏକାନ୍ତରେ ପାର୍କ ରେ ବସି ନକଲି ହସ ହସୁଛନ୍ତି । ହସିଲେ କାଳେ ଦେହ ସୁସ୍ଥ ରହେ । ତେଣୁ ସୁସ୍ଥ ରହିବା ପାଇଁ  ଅସଲି ହସ ଘରେ ସମାଜରେ ଉଭେଇ ଯାଇଛି । ନକଲି ହସି ବଞ୍ଚିବାକୁ ଚେଷ୍ଟା କରୁଛି ।

         ମାଟି ହାଣ୍ଡିରେ ସେ ସମୟରେ ମଣିଷ ରୋଷେଇ କରୁଥିଲା । ଡାଲି ଦୁଇ ଦିନ ପର୍ଯ୍ୟନ୍ତ ବାସି ଗନ୍ଧିଆ ହେଉ ନଥିଲା ଆଜି ଆଧୁନିକ ଯୁଗର ରୋଷେଇ ରେ ଦୁଇ ଘଣ୍ଟାରେ ରୋଷେଇ ଖାଦ୍ୟ ନଷ୍ଟ ହେଇ ଯାଉଛି । ଫ୍ରୀଜ, କୁଲିଂ ସିଷ୍ଟମ ବାବଜୁଦ୍ ବି ବଳକା ରୋଷେଇ ଫୋପାଡି ବାକୁ ପଡୁଛି । ଦେଖନ୍ତୁ ଆଜିବି ଜଗତ ର ନାଥ ଜଗନ୍ନାଥ ବିଶ୍ଵ ଠାକୁର ମାଟି ଵର୍ତନ ରେ ରନ୍ଧା ରୋଷେଇ ଖାଉ ଛନ୍ତି । ଖୁବ୍ ସୁଆଦ ବୋଲି ଜଗତ ପ୍ରଶଂସା କରୁଛି ।

      ସମୟ ସହିତ ଜୀବନ ଶୈଳୀ ବଦଳୁଛି । ସମାଜର ନବୀକରଣ ହେଉଛି । ଅଧିକ ସୁବିଧାବାଦୀ ହେଇ ମୌଳିକତା ହରାଉଛି । ସମାଜ ତଥା ନିର୍ବାହୀ ଜୀବନ ପରିବର୍ତ୍ତନଶୀଳ । ଆହୁରି ପରିବର୍ତନ ଦେବ । ଏ ସମୟ ବି ବଦଳି ଯିବ ।

     ଏହି ସମୟ ସହିତ ବଞ୍ଚିଥିଲେ ବି ବିତି ଥିବା ବାଲ୍ୟକୁ, ଆଜିର ସମୟକୁ ସମର୍ପିତ କରୁଛି ।


ଅକ୍ଷୟ ଓଝା, ରାଇଁଲୋ, ନୂଆପଡ଼ା, ଆଳି,କେନ୍ଦ୍ରାପଡ଼ା 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy