Monday, October 19, 2020

** ଦୁଇ ଭାଉଜ **

ଠାକୁର ଘରେ ଦୀପ ଜଳୁଛି। ତା ସହିତ ତାଳ ଦେଇ   

ଜଳୁଛି ପ୍ରଭାତୀର ଅନ୍ତର। ଟୋପା ଟୋପା ଲୁହ ଗୁଡାକ ଗଡି ଯାଉଛନ୍ତି ଆଖିରୁ। ଯେତେ ବୁଝାଇଲେ ମନ ତାର ଜମା ବୁଝୁନି। ଅନ୍ତରକୁ ବାଧିଲେ ମନ କଣ ସହଜେ ବୁଝେ? ତାର କେମିତି ଅବା ବୁଝିବ। ପିଲା ବେଳୁ ଭାଗ୍ଯରେ ତାର ଦୁଃଖ ଆଉ ଦୁଃଖ। ମାତ୍ର ପାଞ୍ଚ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲା। ଅଭାବ ଅନଟନ ଭିତରେ ମାଆ ତାର ପେଷିହୋଇ ଯାଉଥିଲା। ଓଳିଏ ଖାଇଲେ, ଆର ଓଳି ପାଇଁ  କଣ କରାଯିବ, ସେ ଚିନ୍ତାରେ ମାଆ ବୁଡି ରହୁଥିଲା। ପୁଅ ଦୁହେଁ ବଡ ଓ ଝିଅ ଦୁହେଁ ସାନ ଥିବାରୁ ମନକୁ ଧୀରେ ଧୀରେ ଟାଣ କଲା ମାଆ। ପୁଅମାନେ ପାରିଗଲେ ଘରର ଅବସ୍ଥା ବଦଳି ଯିବ ନିଶ୍ଚୟ। ସବୁ ବିଧବା ମାଆ ମାନେ ଏଇକଥା ଭାବି ନିଜକୁ ବୋଧେ ସାନ୍ତ୍ବନା ଦିଅନ୍ତି। ପ୍ରଭାତୀର ମାଆ ମଧ୍ୟ ସେଇଆ କଲେ। 

ଝିଅ ଦୁହିଁଙ୍କୁ ସବୁବେଳେ ବୁଝାନ୍ତି। ଭାଇମାନେ ପାରିଗଲେ, ତୁମ କଥା ବୁଝିବେ। ପାଠ ପଢାଇବେ, ବାହା କରିବେ, ତୁମେ ଖୁସିରେ ରହିବ। ଏବେ ମଧ୍ୟ ଭୁଲି ନାହିଁ ପ୍ରଭାତୀ ମାଆର ସେ ପ୍ରବୋଧନା। କିନ୍ତୁ ହେଲା କଣ? ମାଆ କଥାରୁ ପ୍ରଥମ କଥାଟି ସତ ହେଲା ସିନା, ଦ୍ବିତୀୟ କଥାଟି ସତ ହେଲାନି। ଭାଇମାନେ ଭଉଣୀ ମାନଙ୍କୁ ବୋଝ ବୋଲି ଭାବିଲେ। ଭାଉଜ ମାନେ ରାଣୀ ହୋଇ ରହିଲେ। ଦୁଇ ଭଉଣୀଙ୍କ ଦୁଃଖ ଆହୁରି ବଢି ଗଲା। ଅପାଠୋଇ ମାଆ ଡରି ମରି ଆଖିରୁ ଖାଲି ଲୁହ ଗଡାଇଲା। 

କାଲି ପରି ମନେ ପଡୁଛି ପ୍ରଭାତୀର। ପାଠ ପଢାରେ ବାରମ୍ବାର ଡୋରି ବାନ୍ଧିବାର ବ୍ୟବସ୍ଥା କରିଛନ୍ତି ଭାଉଜ। ଶେଷରେ ମାଟ୍ରିକ ପରୀକ୍ଷା ପରେ ସଫଳ ହୋଇଛନ୍ତି। ଖୁବ୍ ଭଲ ପଢୁଥିଲେ ବି ଭାଗ୍ୟ କୁ ଆଦରି ସବୁ ସହି ନେଇଛି ସେ। ଠାକୁରଙ୍କୁ କେତେ ଡାକିଚି। କାହିଁକି ବାପାଙ୍କୁ ତାର ଛଡାଇ ନେଲେ ଠାକୁର। ତା ପରି ଆଉ କେଉଁ ଝିଅର ବାପାଙ୍କୁ ଏପରି ଛଡାଇ ନ ନିଅନ୍ତୁ। ପ୍ରତିବାଦ କରିଥାନ୍ତା, ଯଦି ବାପା ଏମିତି କରି ଥାନ୍ତେ। ଏବେ କାହା ପାଖରେ କରିବ? ଯେଉଁ ମାନଙ୍କ ଉପରେ ସେ ବୋଝ, ତାଙ୍କ ପାଖରେ ପ୍ରତିବାଦ କରିବାର କୌଣସି ମାନେ ନ ଥାଏ। ଭାଇ, ଭାଉଜ ଓ ତାଙ୍କ ପିଲାମାନଙ୍କର ଆଦେଶ ବାଧ୍ଯ ଶିଶୁପରି ପାଳନ କରେ କେବଳ ତାଙ୍କ ପାଖରେ ରହି। ପଢାରେ ତ ଡୋରି ବନ୍ଧା ସରିଛି, ଆଉ ବା କ,ଣ କରିବ ସେ। ଭୁଲ୍ ନ ଥାଇ ବି ତାକୁ ଗାଳି ଶୁଣିବାକୁ ପଡେ। ବେଳେ ବେଳେ ଭାଇ ହାତ ବି ଉଠେଇ ଦିଅନ୍ତି। ଅବଶ୍ୟ ଏଥିପାଇଁ ଭାଇ ଦୁଃଖି ହେଇଥାନ୍ତି, ଅନୁତାପ ବି କରନ୍ତି, ଅପ୍ରକାଶ୍ଯରେ। ପ୍ରଭାତୀ ବୁଝି ପାରେ। ଏକା ରକ୍ତ ତ, ରକ୍ତ ରକ୍ତ କୁ ନିଶ୍ଚୟ ବୁଝେ ଓ ଅନୁଭବ କରିପାରେ। ଘର ର ସବୁକାମ ଭାଉଜ ତାଆରି ହାତରେ କରାଇ ନିଅନ୍ତି। ରାତି ବାରଟାରେ ସେ ବିଛଣାକୁ ଯାଏ। 

ଗାଁଆରେ ଥିବା ମାଆ ଓ ସାନ ଭଉଣୀ କଥା ତାର ଭାରି ମନେ ପଡେ। ମାଆ କୋଳରେ ମୁଣ୍ଡ ରଖି ମନଭରି କାନ୍ଦିବାକୁ ଇଛା ହୁଏ। ବହୁତ ରାତି ଯାଏ ତକିଆରେ ମୁହଁ ଗୁଞ୍ଜି ଆଖିରୁ ଲୁହ ଗଡାଏ। କେତେବେଳେ ନିଦ ଲାଗି ଯାଏ ଜାଣି ପାରେନା। ସକାଳୁ ଭାଇଙ୍କ ଡାକରେ ନିଦ ଭାଙ୍ଗେ। କେବେ ଯଦି ଭାଇ ସ୍ନେହ ମମତାଭରା କଥା ପଦେ କହନ୍ତି, ଭାଉଜ ସହି ପାରନ୍ତିନି। 

ଶିକ୍ଷିତା ଭାଉଜଙ୍କ ପାଟିରୁ ଅଲକ୍ଷଣୀ ପରି ଶବ୍ଦ ବି ବାହାରି ଆସେ ପ୍ରଭାତୀ ଉଦ୍ଦେଶ୍ଯରେ। ସେ କିନ୍ତୁ ନିର୍ବିକାର ଭାବେ ସହିଯାଏ। କେବେ ପାଟି ଖୋଲେନା। ଜମି ବାଡ଼ି କିଛି ଥିଲେ ବି ମାଆ କେବେ ବିକ୍ରି କରିବାକୁ ରାଜି ହୁଏ ନା। ସବୁବେଳେ କୁହେ, ଦୁଇ ଦୁଇଟା ପୁଅ ଥାଇ ଜମି ବିକିବି, ଲୋକେ କଣ କହିବେ? ହଠାତ୍ ଭାଉଜଙ୍କ ଡାକରେ ଭାବନା ରାଜ୍ୟରୁ ଫେରି ଆସିଲା ସେ। କାଲି ତାକୁ ଦେଖିବାକୁ ଆସିବେ। ଦୁଇଟା ପ୍ରସ୍ତାବ ଯୌତୁକ ପାଇଁ ଭାଙ୍ଗି ଯାଇଛି। ବହୁ ଦୂରରେ ଥିବା ଆଉ ଜଣେ ଭାଇ ଓ ଭାଉଜ ନିଜ କଥା ଛଡା ମାଆ ଭଉଣୀଙ୍କ କଥା ବୁଝିବା ପାଇଁ ସମୟ ପାଆନ୍ତି ନାହିଁ ସତ,କିନ୍ତୁ ସେମାନଙ୍କ ପାଇଁ କିଛି କରିବାର ଆଗ୍ରହ ଦେଖାନ୍ତି ନାହିଁ। ଠାକୁର ଘରୁ ଉଠିଲା ପ୍ରଭାତୀ। ବିନା ଯୌତୁକ ରେ ଏ ପ୍ରସ୍ତାବ ଟା ଆସିଛି। ତାକୁ କାଲି ପାଇଁ ପ୍ଲେଟ୍ କପ୍ ଗ୍ଲାସ୍ ଇତ୍ୟାଦି ସବୁ ସଜାଡି ରଖିବାକୁ ପଡିବ। ନିଜେ ସଜବାଜ ହେବା କଥା ସେ କେବେ ଭାବେନି। ତା ପାଇଁ ଏ ସବୁର ଆବଶ୍ୟକତା ସେ କେବେ ଅନୁଭବ କରିନି। ବାପ ନ ଥିବା ପିଲାର ଷଠି ପଞ୍ଚୁଆତି ନ ଥାଏ ବୋଲି ସେ ଶୁଣିଥିଲା। ଏବେ ଅଙ୍ଗେ ନିଭାଉଛି। ଯାହାହେଉ ପରଦିନ ତାକୁ ଦେଖିବାକୁ ଆସିଲେ। ସେଇଠି ବି ତାର ବାହାଘର ସ୍ଥିର ହେଇଗଲା। ଅନ୍ୟ ଭାଇ ଭାଉଜ ବି ଆସିଲେ। ବାହାଘର ଖର୍ଚ୍ଚ ପାଇଁ ମହାଭାରତ ଯୁଦ୍ଧ ହୋଇଗଲା, ଦୁଇ ଭାଇ ଭାଉଜଙ୍କ ମଧ୍ୟରେ। ମାଆର ଶଙ୍ଖା ଶୂନ୍ଯ ହାତରେ କିଛି କରିପାରିବାର କ୍ଷମତା ନ ଥିଲା ବଡଝିଅ ପ୍ରଭାତୀ ପାଇଁ। ନିଜର ଏକମାତ୍ର ସମ୍ବଳ ଲୁହ ଓ କୋହକୁ ଧରି ବଞ୍ଚୁଥିବା ମଣିଷ କଣ ବା କରିପାରିବ। ଯାହା ହେଉ ବହୁ ଝଡ ଝଞ୍ଜାକୁ ସାମ୍ନାକରି ପ୍ରଭାତୀ ବେଦୀ ରେ ବସିଲା। ବିକାଶ ଙ୍କ ସହିତ ତାର ବାହାଘର ହେଇଗଲା। ଧନରେ ଗରିବ ନ ଥିବା ଭାଇମାନେ ମନରେ କିନ୍ତୁ ଖୁବ୍ ଗରିବ ଥିଲେ। ଯାହା ପ୍ରଭାତୀକୁ ସବୁବେଳେ କଷ୍ଟ ଦେଉଥିଲା। ଜୀବନ ସାଥି ରୂପେ ପାଇଥିବା ବିକାଶଙ୍କ ସହିତ ପ୍ରଭାତୀ ଲୁହ ଢାଳି ଢାଳି ବାପ ନ ଥିବା ବାପଘର ଛାଡିଲା। ବାଟରେ ସାନ ଭଉଣୀଟି କଥା ଭାବୁଥାଏ। ତା ଭାଗ୍ଯରେ କଣ ଅଛି? ସେ ତ ଆଉ ଗୋଟିଏ ବୋଝ ଭାଇ ଭାଉଜଙ୍କ ପାଇଁ। ଭଗବାନ ତାକୁ ଭଲ ବର ଓ ଘର ଦିଅନ୍ତୁ। ଅନ୍ତତଃ ମାଆ ଟିକେ ଶାନ୍ତିରେ ମରିପାରିବ। ଆଉ କି ସୁଖ ବା ମାଆର ଅଛି। ନିଜେ ତ ତାଆରି ପରି ପିଲା ବେଳୁ ବାପ ଛେଉଣ୍ଡ ବିକାଶଙ୍କ ହାତ ଧରିଛି। ଶାଶୁ ଘରେ କଣ ତା ପାଇଁ ଅପେକ୍ଷା କରିଚି, ସେ କଥା ଭଗବାନଙ୍କୁ ଜଣା। ପ୍ରଭାତୀର ଭାବନାରେ ପୂର୍ଣ୍ଣଛେଦ ପଡିଗଲା। ଶାଶୁ ଘର ଦାଣ୍ଡରେ ଗାଡି ଅଟକି ଗଲା। ନିଜକୁ ସଜାଡି ନେଲା ପ୍ରଭାତୀ। ହିନ୍ଦୁ ଘରର ରୀତି ନୀତି ଅନୁସାରେ ସେ ଶାଶୁ ଘରେ ବା ନିଜ ଘରେ ପାଦ ଦେଲା। ଝିଅଟିଏର ପରିଚୟ ରେ ବଞ୍ଚୁଥିବା ପ୍ରଭାତୀ ଆଜି ଜଣଙ୍କର ସ୍ତ୍ରୀ, କାହାର ଖୁଡୀ, କାହାର ଭାଉଜ, ଆଉ କାହାର ବୋହୂ, ଏହିପରି ଅନେକ ପରିଚୟ ପାଇଲା ସେ ଘରେ। ବାହାଘର ର ଗହଳି ଧୀରେ ଧୀରେ କମି ଗଲା। ବନ୍ଧୁ ବାନ୍ଧବ ଯେ ଯାହା ଘରକୁ ଫେରି ଗଲେ। ଘରେ କେବଳ ଘର ଲୋକମାନେ ଥିଲେ। ଖରାବେଳେ ବାହାଘରର ସବୁ ଦାୟିତ୍ବ ତୁଲାଇଥିବା ବଡ ଯାଆ ଆସି ପ୍ରଭାତୀ ପାଖରେ ବସିଲେ। ଖୁବ୍ ଆଦର ଯତ୍ନରେ ମୁଣ୍ଡ ଆଉଁସି ଦେଲେ। କହିଲେ, ଜାଣିଚୁ - ଶଶୁରଙ୍କ ଦେହାନ୍ତ ପରେ ମୁଁ ବିକାଶକୁ ପଚିଶ ବର୍ଷ ଧରି ଲାଳନପାଳନ କରିଛି। ବାହାକରି ତତେ ଆଣିବା ପରେ ମତେ ଲାଗୁଛି ମୁଁ  ପୁଅ ବାହାକରି ବୋହୂ ଆଣିଛି। ତୁ ମୋର ଯାଆ ନୁହେଁ, ବୋହୂ ବା ଝିଅ। ପ୍ରଭାତୀ ଆଖିରେ ଆନନ୍ଦରେ ଅଶ୍ରୁ ଭରିଗଲା। ବିକାଶଙ୍କ ଭାଉଜ ଓ ନିଜ ଭାଉଜଙ୍କ ମଧ୍ୟରେ କେତେ ଫରକ ସତେ!

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy