ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ | ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ | ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ | ତଥାପି, ମଳିନ ପଡିନି ଓଡିଆ ଭାଷା | ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି | ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା | ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ |
ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ | ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା | ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ | କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ | ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ | ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ?
ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା | ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା |
ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ | ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି | କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ |
ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ | ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ |
No comments:
Post a Comment