ଦୁଇହଜାର ଅଠର ମସିହା ଆଶାଢ ମାସ ଥାଏ।ଆମେ ପ୍ରତିବର୍ଷ ପ୍ରାୟ ପୁରୀ ଯାଉ ଏ ସମୟରେ।ତା ଆଗବର୍ଷ ଯାଇଥିଲୁ ସ୍ନାନ ଯାତ୍ରା ଦିନ।ତାଆଗରୁ ଥରେ ଯାଇଥିଲୁ ସୁନାବେଶ ଦିନ।ଏ ଥରବି ଜଗନ୍ନାଥଙ୍କ ଶ୍ରଦ୍ଧା ଡୋରିରେ ବାନ୍ଧିହେଇ ବାହାରିଲୁ ଦର୍ଶନକୁ।ମୋ ସ୍ବାମୀଙ୍କ ଦେହ ଚେକ୍ଅପ୍ ଲାଗି ଆମକୁ ପ୍ରତି ଛଅମାସରେ ଥରେ ଭୁବନେଶ୍ବର ବା ଅନ୍ୟ କୋଉଠି ଆପୋଲୋ ହସପିଟାଲ ଯିବାକୁ ପଡେ।ଦୁଇହଜାର ସତରରେ ହାଇଦ୍ରାବାଦ ପୁଅ ପାଖକୁ ଯାଇଥିବାବେଳେ ସେଠି ଚେକ୍ଅପ୍ ପାଇଁ ଯାଇଥିଲୁ।ଚେକ୍ଅପ୍ ପରେ ଜଣା ପଡିଲା।ହାର୍ଟ ବ୍ଲକେଜ୍ ଅଛି ଅପରେସନ୍ ଲାଗିବ।ସେଠି ଏନ୍ଜିଓଗ୍ରାଫିହେଲା।ତାପରେ ଷ୍ଟେଣ୍ଟ ଲାଗିଲା।ତାପରଠୁ ମଝିମଝିରେ ଚେକ୍ଅପ୍ ପାଇଁ କହିଛନ୍ତି ଡାକ୍ତର।ସେଠି କାମକରୁଥିବା ଜଣେ ଡାକ୍ତର ପ୍ରତାପ ରଥ ମଝିମଝିରେ ଭୂବନେଶ୍ବର ଆସନ୍ତି ଏପୋଲୋ କୁ।ସେ ଆସିବା ଖବର ପାଇ ଆମେ ଯାଉ।ହସପିଟାଲ୍ ରେ ହେଉ ବା ତାଙ୍କ ନର୍ସିଂହୋମରେ ଥରେ ସବୁ ପରୀକ୍ଷା କରି ଆସୁ।ସେଥର ବି ବାହାରିଲୁ ଏକା ସାଂଗରେ ଦୁଇଟା କାମସାରି ଫେରିବୁ ବୋଲି।ରାତି ତପସ୍ବିନୀରେ ଯାଇ ଭେନସ୍ ଇନ୍ ହୋଟେଲରେ ରହି।ସକାଳୁ ହସ୍ପିଟାଲ ଗଲୁ ।ସେଠି ବ୍ଲଡ ସାମ୍ପୁଲ ଦେଲୁ।ରିପୋଟ ଆସିବାକୁ ପାଞ୍ଚ ବାଜିଯିବ ବୋଲି କହିଲେ।ଏତେ ବେଳଯା କିଛି ଖାଇନଥିଲୁ ବ୍ଲଡ ଦେବାକୁ ପଡିବ ବୋଲି।ତେଣୁ ସେଠି କେଣ୍ଟିନରେ କିଛି ଜଳଖିଆ ଖାଇଦେଲୁ।ଆମକୁ ଏକ ମେଡିସିନ କମ୍ପାନି ତରଫରୁ କାରଟେ ଯିବା ଆସିବା ପାଇଁ ସେଠି ମିଳିଥାଏ।ଡାକ୍ତର ହେଲେ ଏତିକି ସୁବିଧା ଭାରତର କୌଣସି ଜାଗାକୁ ଗଲେବି ମେଡିସିନ କମ୍ପାନି ମାନଙ୍କ ଆଡୁ ଗାଡିଓ ଡ୍ରାଇଭର ମିଳିଯାଏ।
ଡ୍ରାଇଭରକୁ ପୁରୀ ଯିବା ପାଇଁ କହିବାରୁ ସେ ଯିବାପାଇଁ ବାହାରିଲା।ଆମେ ଭାବିଲୁ ଗାଡିତ ଯିବ ତାହେଲେ ବୋହୁର ଭାଇ ଭାଉଜଙ୍କୁ ବି ସାଥିରେ ନେଇଯିବୁ।ଏକା ସାଂଗେ ଦର୍ଶନ ବି ହେଇଯିବଓ ସାଂଗ ମିଳିଗଲେ ସମୟ ବି କଥାବାର୍ତ୍ତହେଇ କଟିଯିବ।କହିବାକୁ ଭୂଲିଯାଇଛି ସେଦିନ ରାତିସାରା ବର୍ଷା ଜୋର୍ କାଚିଥିଲା।ଭୂବନେ ଶ୍ବର ର ରାସ୍ତାଘାଟ ଚାରିଆଡେ ପାଣି ଚାଲିଥିଲା।ଜାଗାଜଣି ଆଣ୍ଠୁଏ ପାଣି ଧାଉଁଥାଏ।ତଳିଆ ଅଞ୍ଚଳ ମାନଙ୍କରେ ଘରଭିତରେ ପାଣି ପଶିଯାଇଥାଏ।ଯୋଉ ଯାଗାରେ ଡ୍ରେନ ଜାମ୍ ଥିଲା ମଇଳପାଣି ସବୁ ଘରେ ପଶି ଯାଇଥିଲା।ଘର ମାନଙ୍କରେ ମାଛ ବେଙ୍ଗ ପଶି ଆସିଥିଲେ।ଏମିତି ଅବସ୍ଥାରେ ପୁରୀ ଜଗନନ୍ନାଥ ଦର୍ଶନର ଆଶା କ୍ଷୀଣ ଲାଗୁଥିଲା।ତଥାପି ଆମେ ଆଶାବାନ୍ଧି ଅଗ୍ରସର ହେଲୁ।ଶୈଳଶ୍ରୀ ବିହାର ଭିତରେ ବୋହୁର ଭାଇ ଭାଉଜ ରହୁଥିଲେ ପ୍ରଥମେ ତାଙ୍କ ପାଖକୁ ଗଲୁ।ସେ ରହୁଥିଲେ ଏଗାର ମହଲା ଉପରେ।ଯାହଉ ଲିପ୍ଟ ଚାଲୁଥିଲା।ଉପରେ ପହଞ୍ଚିଲା ବେଳକୁ ସେମାନେ ରେଡି ହେଇ ଯାଇଥିଲେ।ଆମେ ହସପିଟାଲରୁ ଫୋନକରି କହିଦେଇଥିଲୁ ବାହାରୁଛୁ ବୋଲି।ସମାନେ ଆମକୁ ମାନ୍ୟ କରିବାକୁ ବସିଲେ।ଜଳଖିଆ ପ୍ରଭୃତି କାଢିବାକୁ ଲାଗିଲେ।ଆମେ ମନାକଲୁ କିଛି ନକରିବାକୁ କେବଳ ଜୁସ୍ ଗ୍ଲାସେ ଲେଖା ନେଇ ଗାଡି ପାଖକୁ ଆସିଲୁ।ତାପରେ ଆମ ଯାତ୍ରା ଆରମ୍ଭ ହେଲା ପୁରୀ ଅଭିମୁଖେ।ରାସ୍ତା ବହୁତ ଖରାପ ଥିଲା।ରାସ୍ତାର ଦୁଇପଟେ ଥିବା ଧାନକ୍ଷେତସବୁ ଜଳମୟ ରେ ଏକାକାର ସମୁଦ୍ରଟେ ପରି ଲାଗୁଥାଲା।ଯୁଆଡେ ଦେଖିଲେ ପାଣି ଆଉ ପାଣି। ଏବେବି ବର୍ଷା ଚାଲିଥିଲା ଅବିରାମ ଗତିରେ ଅସରା ଅସରା ହେଇ।ଗାଡିର ଓ୍ବେପର ବି ଥରେ ଥରେ କାମ କରୁନଥାଏ।କାଚ ଧୂଆଁଳିଆ ଦିଶୁଥାଏ।ବେଚାରା ଡ୍ରାଇଭର କୌଣସିମତେ ଗାଡିକୁ ବଢାଉଥାଏ ଆଗକୁ।ଯାହଉ ଭଗବାନଙ୍କଦୟା ହେତୁ ଆମେଏଗାରଟା ବେଳକୁ ପହଞ୍ଚିଗଲୁ।ଏବେ ଜଗନ୍ନାଥ ଗୁଣ୍ଡିଚାମନ୍ଦିରରେ ଅବସ୍ଥାନ କରିଥିଲେ।ପୂର୍ବରୁ ଯେତେଥର ଯାଇଛୁ ଶ୍ରୀମନ୍ଦିରରେ ଦର୍ଶନ କରିଥିଲୁ।ଏହା ପ୍ରଥମଥର ଥିଲା ଗୁଣ୍ଡିଚା ମନ୍ଦିର ଯିବା।ଗାଡିରୁ ମନ୍ଦିର ଯାଏ ଯିବାବେଳେ ବର୍ଷା ଛାଡି ଯାଇଥି୍ଲା।ବୋଧହୁଏ ଭଗବାନ ଚାହୁନଥିଲେ ଆମେ ଭିଜି ଅବସ୍ଥା ହେବୁ ବୋଲି।ମୋ ପର୍ସରେ ସବୁବେଳେ ଛୋଟ ଫୋଲ୍ଡିଙ୍ଗ ଛତାଟେ ରଖିଥାଏ।ଛୋଟଛୋଟ ବୁନ୍ଦା ପଡୁଥାଏ ତେବେବି।ତେଣୁ ଛତାଟା ବହାାରକଲି।ମନ୍ଦିର ଦ୍ବାରରେ ଏ ବର୍ଷା ପାଗରେବି ବହୁତ ଭିଡ ଲାଗିଥାଏ। ଧାଡିରେ ଠିଆ ହେଇଥାନ୍ତି ସଭିଏଁ।ବୋହୁର ଭାଇ ଯାଇ କୋଉଠୁ ଟିକେଟ କରି ଆଣିଲା ଆମକୁ ସଟ୍କଟ୍ ରାସ୍ତାରେ ଆଗକୁ ନିଆହେଲା।ଏବେ ଭଗବାନଙ୍କ ଭୋଗ ସମୟ ହେତୁ ଦ୍ବାର ବନ୍ଦ ଥିଲା।ଲୋକସବୁ ବାହାରେ ଭିଡ କରିଥିଲେ।ଯେମିତି ଦ୍ବାର ଖୋଲାହେଲା ଲୋକେ ଏମିତି ପସିଲେ ଯେମିତି ବନ୍ଧ ଭାଙ୍ଗିଗଲେ ପାଣି ଯୋର୍ ରେ ବହିଯାଏ।ଲୋକମାନେ ଏମିତି ଠେଲି ନେଲେଯେ ମୋର ପାଦ ତଳେ ଲାଗୁନ ଥିଲା।ମତେ ଉଠାଇକି ଆଗକୁ ନେଇ ଯାଉଥିଲେ।ମୁଁ ସ୍ବାମୀଙ୍କ ପଛେ ପଛେ ଥିଲି।ଏବେ ଦୁଇ ଜଣ ଅଲଗା ହେଇ ସାରିଥିଲୁ।ମୋର ଚଷମା ଖୋଲି ଯାଉ ଥିଲା।ମୁଁ ତାକୁ ଆଖିରୁ ଖୋଲି ହାତମୁଠାରେ ଧରିଲି।ଏମିତି ମତେ ଠେଲି ଠେଲି ଭଗବାନଙ୍କ ସମ୍ମୁଖକୁ ପହଞ୍ଚାଇ ଦେଇଥାନ୍ତି।ମୁଁ ସେଠୁ ଥାଇ ଜୁହାର କଲି।ପୂଜ ଦ୍ରବ୍ୟ ମୋ ସ୍ବାମୀ ଧରିଥିଲେ ସେ ମୋ ଆଗରୁ ପହଞ୍ଚି ଚଢାଇ ସାରିଥିଲେ।ମୋର ଆଉ ଏକ କାମ ବାକିଥିଲା ମୋର ପ୍ରକାଶିତଭକ୍ତି କବିତା ସଂକଳନ କୁସୁମାଞ୍ଜଳି ର ପ୍ରଥମ କପିକୁ ଅର୍ଘ୍ୟରୂପେ ଜଗନ୍ନାଥଙ୍କ ପାଦତଳେ ଥୋଇବାର ଥିଲା।ହେଲେ ଏ ଭିଡ ଭିତରେ ସେ କାର୍ଯ୍ୟ ଅସମ୍ଭବ ଲାଗୁଥିଲା।କହାକୁ ଠିଆ ହେବାକୁ ଅବକାଶ ଦେଉନଥିଲେ। ପୋଲିସ ମାନେ ଆଗକୁ ବଢିବାକୁ ତାଗିଦ କରୁଥିଲେ।ଭଗବାନଙ୍କ ଆଗରେ ବାଉଁଶ ବନ୍ଧା ହେଇଥିବା ଜାଗାର ଏକ କଣରେ ମୁଁ ଠିଆ ହେଇ ରହିଲି।ଜଣେ ପୋଲିସ ଭାଇ ମୋ ଆଡେ ନଜର କରିବା ଦେଖି ମୁଁ ତାଙ୍କୁ ଡାକି ବହିଟିକୁ ଭଗବାନଙ୍କ ପାଦତଳେ ଦେଇଦେବେ ବୋଲି କହିଲି।ସେ ସମ୍ମତିରେ ମୁଣ୍ଡ ଟୁଙ୍ଗାରିଲେ ଓ ଏକ ବ୍ରାହ୍ମଣଙ୍କୁ ଦେଲେ ବହିଟା ପାଦତଳେ ରଖିବାକୁ।ମୋର କାର୍ଯ୍ୟ ସଫଳ ହେଇ ଯାଇଥିଲା।ମତେ ନପାଇ ମୋ ସ୍ବାମୀ ଭିଡ ଭିତରେ ପୁଣି ଫେରି ଆସୁଥିଲେ ଖୋଜିବାକୁ।ମୁଁ ହାତରେ ଇସାରା ଦେଲି ମୁଁ ଯାଉଛି ଆସନି ବୋଲି।ସେ ସେଠି ଅଟକି ଗଲେ।ମୁଁ ଫେରିବା ପରେ ବୋହୁର ଭାଇକହିଲେ ବଡମା ତୁମେ କୋଉଠି ହଜିଗଲ ବୋଲି ଆମେ ଚିନ୍ତା କରୁଥିଲୁ।ମୁଁ କହିଲି ମୁଁ ଯେଉଁ କାମ ପାଇଁ ଆସିଥିଲି ସେଇଟା କରୁଥିଲି।ସେ ପ୍ରଶ୍ନକଲେ କଣ କଲ।ମୁଁ କହିଲି ମୋର ଭକ୍ତିକବିତା ସଂକଳନର ପ୍ରଥମ ବହି ଜଗନ୍ନାଥଙ୍କୁ ଚଢାଇବି ଭାବିଥିଲି ଯାହଉ ଆଜି ସେ ଇଛା ପୂରା ହେଇଗଲା।
ଭଗବାନ ପ୍ରତି ମଣିଷର ଇଛା ଜାଣି ପୂରା କରିଥାନ୍ତି।ଆଉ ଗୋଟେ ଇଛାଥିଲା ଅବଢା ଖାଇବା ଓ ଗଜା ପ୍ରସାଦ ନେବା।ମନ୍ଦିରଭିତରେ ପ୍ରସାଦ ମିଳୁଥିଲା ଆମେ ସମସ୍ତେ ଗୋଟିଏ ଗୋଟିଏ ତାଳପତରଠୋଲା କିଣି ଆଣିଲୁ। ମୋସ୍ବାମୀ ଓ ବୋହୁର ଭାଇ ଅବଢାର ପ୍ରତିଜନିିଷରୁ ଗୋଟେ ଗୋଟେ ମାଟିକୁଡୁଆ ଧରି ଆସିଲେ।ଭାତପାଇଁ ବଡ ଆକାରର କୁଡୁଆ ଆଣିଥିଲେ।ବର୍ଷା ହେତୁ ସେଠି ଖାଇବାକୁ ଇଛା ହେଲାନି।ଗାଡିରେ ଭୁବନେଶ୍ବର ଫେରିବାକୁ ଘଣ୍ଟାଟେ ଲାଗିବ।ଆମେ ଘରେ ପହଞ୍ଚି ଖାଇବାକୁ ଭାବି ଚାଲି ଆସିଲୁ।ଏବେ ଆଉ କଛି ଅସୁବିଧା ହେଇନଥିଲା ଭଗବାନଙ୍କ ଦୟାରୁ।ଦୁଇଟା ଆଗରୁ ବୋହୁର ଭାଇ ଘରେ ପହଞ୍ଚି ଯାଇଥିଲୁ।ସେତେବେଳଯାଏ କୁଡୁଆ ଗରମ ଥିଲା।ତାପରେ ସେଠି ସମସ୍ତେ ମିଶି ଅବଢା ଖାଇଲୁ।ଭାତ ଡାଲି ଆମ୍ବିଲ ମିକ୍ସ ଭେଜ ତରକାରୀ ଓ ମିଠାଭାତ ଥିଲା।ସବୁ ଅମୃତ ପରି ସୁସ୍ବାଦୁ ଲାଗୁଥିଲା।କାଳିଆଙ୍କ ପ୍ରସାଦ ପରା ସ୍ବାଦିଷ୍ଟ ନ ଲାଗନ୍ତା କେମିତି।ତାଙ୍କଘରେ ବିଶ୍ରାମନେଇ ସନ୍ଧ୍ୟାରେ ନିଜ ହୋଟେଲଆସି ସାମାନଧରି ପୁଣି ସମଲେଶ୍ବରୀରେ ଫେରିବାର ଥିଲା।ହେଲେ ବର୍ଷାହେତୁ ଟ୍ରେନ୍ ଆସିପାରିଲାନି।ପ୍ଲାଟଫର୍ମରେ ଲୋକମାନେ ଟ୍ରେନ ଅପେକ୍ଷା କରିକରି ବିରକ୍ତ ହେଇ ଯାଉ ଥିଲେ।ମୁଁତ ଗୋଠିଏ ଖମ୍ବକୁ ଆଉଜି କେତେ ଘଣ୍ଟା ଶୋଇବିଗଲି।ମୋ ସ୍ବାମୀ ଜିନିଷ ଜଗି ବସିଥାନ୍ତି।ଅନେକ ବଡବଡ ଅଫିସର ଓ ଭଲ ପରିବାରର ଲୋକ ପ୍ଲାଟଫର୍ମରେ କପଡା ବିଛାଇ ଶୋଇଥିବାର ଦେଖିଲି।କେତେ ଆଉ ବସିକି ରହନ୍ତେ ଅଣ୍ଟା ପିଠି ବସିବସି ବିନ୍ଧିବା ଆରମ୍ଭ କରୁଥିଲା।ସେଦିନ ଧନୀ ଗରିବ ସମସ୍ତେ ମିଶି ଭୂଇଁରେ ଲୋଟୁଥିଲେ।ସମଲେଶ୍ବରୀ ଗଲାପରେ ଯାଇ ତପସ୍ବିନୀ ରାତି ଦୁଇଟାରେ ଆସିଲା।ମୋ ସ୍ବାମୀ ମତେ ଉଠାଇଲେ ଟ୍ରେନ ଆସୁଛିବୋଲି।ମୁ ତଡପଡ ହେଇ ଉଠି ବସିଲି।ସେଦିନ ଝାରସୁଗୁଡା ପହଞ୍ଚୁ ପହଞ୍ଚୁ ବହୁତ ଦେରି ହେଇଗଲା।ଯା ବି ହେଉ ଜଗନ୍ନାଥ ଦର୍ଶନ ଭଲରେ ହେଇଥିଲା।ସ୍ବାମୀଙ୍କ ରିପୋର୍ଟ ବି ସବୁ ନର୍ମାଲ ଥିବାରୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଲି। ଥରେ ନୁହେଁ ଅନେକ ଥର ଜଗନ୍ନାଥଙ୍କ କୃପା କୁ ଅନୁଭବ କରିଛି ପାଖରୁ।ମୁଁ ଶୋଇଥିଲାବେଳେ ଅର୍ଦ୍ଧ ରାତ୍ରିର କେହିଜଣେ ଆସି ଛନ୍ଦଦେଇ ଗିତ ଗାଇବାର ମୋ କାନରେ ବାଜେ ଓ ମୁ ଉଠି ଆଖି ମୁଦ୍ରିତ ଅବସ୍ଥାରେ ତାକୁ ଖାତାରେ ଉତାରି ପକାଏ।ସକାଳେ ଉଠି ତାକୁ ଟିକେ ସଜାଇଦିଏ।ତାଙ୍କରି କୃପାରେ ଯାହାକିଛି ମୁଁ ଲେଖି ପାରିଛି।ପ୍ରେରଣାଦାୟୀ ସିଏ ମୁଁ କେବଳ ନିମିତ୍ତ ସାଜି ଲେଖିଛି।
ତେଣୁ ଭଗବାନଙ୍କ ପ୍ରତି ମୋର ଅଖଣ୍ଡ ବିଶ୍ବାସ ରହିଛି।
ମାଧବୀପଟେଲ।।ଝାରସୁଗୁଡା।
No comments:
Post a Comment