ଅକ୍ଷୟ କୁମାର ବେହେରା
ମନେ ପଡିଯାଏ "ସେଇ ରାତି କଥା"
ଥିଲା ଅତି ଭୟଙ୍କର
ଦେହ ଥରିଯାଏ ଭାବିଲା ବେଳକୁ
ଲାଗୁଛି ବହୁତ ଡର ।
ଯାଇଥିଲି ବୁଲି ଯମପୁର ଦିନେ
ରାଜା ସେଠି ଯମରାଜ,
ପାଖେଥିଲେ ତାଙ୍କ ଚିତ୍ରଗୁପ୍ତ ଠିଆ
ପାଞ୍ଜିଧରି ସଜବାଜ ।
ତିନିପୁର ଲୋକ ବାନ୍ଧି ଆଣୁଥାନ୍ତି
ଯମଦୂତ ହୋଇ ସାଥୀ,
ବିଚାର ହେଉଛି ସବୁ ବେଳେ ଏଠି
ଦିନ ହେଉ ଅବା ରାତି ।
ପାପ ପୁଣ୍ୟ ଫଳ ଧର୍ମ ନିକିତିରେ
ତଉଲୁ ଥାନ୍ତି ଏ ସତ,
ପୁଣ୍ୟର ଫଳରେ ସ୍ବର୍ଗ ପ୍ରାପ୍ତି ହୁଏ
ପାପ ଫଳେ ହନ୍ତସନ୍ତ ।
କାହାକୁ ନେଇଣ ତେଲେ ଛଣାହୁଏ
କାହାକୁ ଗରମ ଜଳେ,
ବାନ୍ଧି ପିଟୁଥାନ୍ତି କାହାକୁ ସେଠାରେ
ମାରନ୍ତି ଧରିଣ ଚୂଳେ ।
ପୋକ ଜୋକ କାହା ରକତ ଶୋଷନ୍ତି
ଖାଆନ୍ତି ଶାଗୁଣା ଚିଲ,
ଗଣ୍ଡିରୁ ମୁଣ୍ଡକୁ ଅଲଗା କରନ୍ତି
ଉତାରନ୍ତି କାହା ଛାଲ ।
କୁମ୍ଭିପାକ ନର୍କେ କାହାକୁ ପକାନ୍ତି
ନିଆଁରେ ପୁଣି ଦିଅନ୍ତି,
କରତେ କାଟନ୍ତି କାହାର ଶରୀର
କେତେ ଫାଶିରେ ଚଢ଼ାନ୍ତି ।
ଭୋକ ବିକଳରେ କାନ୍ଦୁଥାଏ କିଏ
ଶୋଷରେ କେ ଯାଏ ମରି,
ଶୁଖି କଣ୍ଟା ହେଲା କାହାର ଶରୀର
କଲା କର୍ମ କଥା ଝୁରି ।
କର୍ମ ଫଳଠାରୁ ନୁହେଁ କେ ବଞ୍ଚିତ
ଭୋଗିବ ଆସିଲେ ବେଳ,
ଚାଷ କରିଥିବୁ ଯେଉଁ ଫସଲକୁ
କରିବୁ ତାହା ଅମଳ ।
କାଉ ରାବିଲାଣି ବୋଉ ଡାକ ଦେଲେ
ଭାଙ୍ଗିଲା ସପନ ମୋର,
ଏ କଳିକାଳ ରେ ଧର୍ମ ପଥେ ନେଇ
ମହାପ୍ରଭୁ ରକ୍ଷାକର ।
ଦୀନହୀନ ଜନ ଅକ୍ଷୟ ବଚ଼ନ
ସାଧୁ ନ ଧରିବ ଦୋଷ,
ଅଜ୍ଞାନୀ ଅଧମ ବିନମ୍ରେ ମାଗଇ
ଦିଅ ଗୋ ସ୍ନେହ ଆଶିଷ ।
କେନ୍ଦୁଡିହା ବଡସାହି ମୟୂରଭଞ୍ଜ
ଜୟ ଜଗନ୍ନାଥ ସାର୍,, ଆନ୍ତରିକ ଧନ୍ୟବାଦ ।।
ReplyDelete