Tuesday, July 5, 2022

ଓଡି଼ଆ ସାହିତ୍ୟର ଅଶ୍ଳୀଳତା

ଉପକ୍ରମ : ଭାଷା ସାହିତ୍ୟର କ୍ରମବର୍ଦ୍ଧିଷ୍ଣ ବିକାଶ ଧାରାରେ ସାହିତ୍ୟରେ ଅଶ୍ଳୀଳତା ଏକ ଅଭିଶାପ ରୂପେ ଦଣ୍ଡାୟମାନ। ସାହିତ୍ୟର ପ୍ରକୃତ ମୂଲ୍ୟବୋଧକୁ ଶହେରୁ ୭ ଭାଗ ସାହିତ୍ୟ ମନସ୍କ ବୁଝିଥିବା ବେଳେ ବାକି ୯୩ ଭାଗ ସାହିତ୍ୟରେ ବ୍ୟତିକ୍ରମ ସଦୃଶ ମନେହୁଏ। ତେବେ ସାରଗର୍ଭକ ଶୀର୍ଷକଟିଏ ଆଜି ଆଲୋଚ୍ୟ ପ୍ରସଙ୍ଗର ବିଷୟବସ୍ତୁ ହୋଇଥିବାରୁ ମୋତେ ଲେଖିବାର ସୁଯୋଗ ମିଳୁଛି ସେଥିପାଇଁ ମୁଁ ନିଜକୁ ଧନ୍ୟ ମଣୁଛି।

ଉପକ୍ରମଣିକା : ଆଜିର ପ୍ରସଙ୍ଗକୁ ତ ବିସ୍ତୃତ ଭାବେ ବର୍ଣ୍ଣନା କଲେ ସମୟ ନିଅଣ୍ଟ ପଡିବ। ତଥାପି ଚୁମ୍ବକେ ଚୁମ୍ବକେରେ ଠାର ମାରି ଆଗକୁ ବଢିବା କଥା।

ବିଷୟବସ୍ତୁ : ଊଣା ଅଧିକେ ସାହିତ୍ୟ କଣ ଆଜିର ସାରସ୍ବତ ସ୍ରଷ୍ଟାଟିଏ ଜାଣିଛି। କିନ୍ତୁ ଅଧିକାଂଶ ସ୍ରଷ୍ଟା ଆଜି ସାହିତ୍ୟକୁ ସୋରିଷ ପେଷ୍ଟ ବୋଲି ଭାବୁଛନ୍ତି। ଯଦି କେଉଁ ସାହିତ୍ୟ ଅନୁଷ୍ଠାନରେ ଲେଖାଟିଏ ଆହ୍ବାନ କରାଗଲା। କିଛି ସ୍ରଷ୍ଟା ଅନେଇକି ବସିଥିବେ। ଯାହାହେଉ ଆଜି ଗୋଟେ ମାନପତ୍ର ମିଳିବ। ତେଣିକି ତାଙ୍କ ଲେଖାକୁ ମାଆ ଗଙ୍ଗେଇ ବି ପଢିବାକୁ ଇଛ୍ଛାକରିବେ ନାହିଁ। କିଛି ସ୍ରଷ୍ଟା ଶୀର୍ଷକ ଲେଖି ନଥିବେ। ଯଦିବି ଲେଖିଥିବେ ଭୁଲ ଥିବ। ନାମ ଠିକଣା ଠିକରେ ଲେଖି ନଥିବେ। ଅନୁଷ୍ଠାନ ଦ୍ବାରା ଦିଆଯାଇଥିବା ସୂଚନାକୁ ଠିକ୍ ରେ ପଢିବେ ନାହିଁ। ଅଧିକନ୍ତୁ ଫୋନ୍ କରି ଓ ମେସେଜ ଦେଇ ସଂପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବିଚଳିତ କରିବେ। ଖାଲି କେମିତି ଲେଖାଟିଏ ଦେଇ ମାନପତ୍ର ହାତେଇବେ,ଏଇଟା ତାଙ୍କର ନିଶା। ଆଉ ଏହି କ୍ଷେତ୍ରରେ ଶହେ ଭାଗ ନାରୀରୁ ୯୮ ଭାଗ ସିଦ୍ଧହସ୍ତ। ଠିକ୍ ସେମିତି ଯୁବପିଢିଙ୍କୁ ଯଦି ଶହେ ଭାଗ ଧରାଯିବ ୮୪ ଭାଗ ଯୁବପିଢି ଏଥିରେ ସଂପୃକ୍ତ। ନିଜକୁ ବଡ ବଡ ମାନ୍ୟଗଣ୍ୟ ବ୍ୟକ୍ତିବୋଲି ପରିଚୟ ଦେଉଥିବେ। କିନ୍ତୁ ଡିଜିଟାଲ ମାନପତ୍ର ପଛରେ ଗୋଡାଉଥିବେ। ପ୍ରତିଯୋଗିତା ସମୟରେ ଲେଖାଟିଏ ଦେବେ ଅନ୍ୟବେଳେ ଲେଖିବାକୁ ତାଙ୍କ ପାଖରେ ସମୟ ନାହିଁ। ଏହିଭଳି ନକାରାତ୍ମକ ମାନସିକଧାରୀମାନେ ହିଁ ସାହିତ୍ୟ ପାଇଁ କଳଙ୍କ ଏବଂ ଏହିମାନେ ହିଁ ସାହିତ୍ୟର ଅଶ୍ଳୀଳତାର ମୁଖ୍ୟ ପୃଷ୍ଟପୋଷକ। ଗୋଟିଏ ଲେଖାରେ ହଜାରେ ଭୁଲ ଥିବ,ଯଦି କହିଦେବେ ଏହି ଜାଗାରେ ସଂଶୋଧନ ଆବଶ୍ୟକ,ଯେମିତି ତାଙ୍କ ମୁଣିରୁ କିଏ ଟଙ୍କା ଛଡେଇନେଲା। ପୁରାପୁରି ଛାତିମୁର୍ଦ୍ଧନା ଫାଟିଯିବ। କଣ ହେଲା ମୋ ଠାରୁ ତୁମେ ଏତେ ପଣ୍ଡିତ କହି ନାଲିଆଖି ଦେଖେଇବେ। ତେବେ ଏହିଭଳି ମାନସିକଧାରୀ ବ୍ୟକ୍ତିତ୍ବର ସାହିତ୍ୟ ସାଧନା କେବେ ସଫଳ ହେବ ନାହିଁ। ଯେତେ ଲୋକଦେଖାଣିଆ ସାହିତ୍ୟ କରନ୍ତୁ ନା କାହିଁକି ଶେଷରେ ସମାଲୋଚନାର ଶରବ୍ୟ ହେବେ। 
                ଆଜିକାଲି ଅଧିକାଂଶ ସାହିତ୍ୟ ନାମରେ ଗଢି ଉଠିଥିବା ଅନୁଷ୍ଠାନ ଗୁଡିକ ସାହିତ୍ୟ କମ୍ ଅଶ୍ଳୀଳତାକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। କେଉଁଠି ଫଟୋ ସେସନ ଚାଲୁଛି ତ କେଉଁଠି ଅନ୍ତାକ୍ଷରୀ ଚାଲୁଛି,କେଉଁଠି ଅଭୁଲା ସ୍ମୃତି ଚାଲୁଛି ତ କେଉଁଠି ମାନବ ସେବା ନାମରେ କାହାକୁ ପ୍ରେମ ନିବେଦନ ଚାଲିଛି। କିଛି ସାହିତ୍ୟ ଅନୁଷ୍ଠାନ ୨୫ ରୁ ୩୦ ଗୋଟି ଗ୍ରୁପ କରିଦେଉଛନ୍ତି, କିନ୍ତୁ ନାତି ନାତୁଣୀ ଦେଖୁଥିବା ବିଧବା ମହିଳାଙ୍କୁ ସଂପୃକ୍ତ ଅନୁଷ୍ଠାନର ଆଡମିନ ମହୋଦୟ କମ୍ ବୟସ୍କ ହୋଇ ପ୍ରେମ ନିବେଦନ କରି ବିବାହ କରିବାର ପ୍ରସ୍ତାବ ବି ଦେଉଛନ୍ତି। ଯୁବପିଢି ମେଞ୍ଚାଏ ପୁଅଝିଅ ସଂଗଠିତ ହୋଇ ସମ୍ବର୍ଦ୍ଧନା ଉତ୍ସବକୁ ଯିବେ କିନ୍ତୁ ସଭାରେ ନରହି କେଉଁ ଗଛମୂଳେ,ଝରକା ପଛପାଖେ ପ୍ରେମାଳାପ କରୁଥିବେ। ତେବେ ଏଠି ସାହିତ୍ୟ ଗଲା କୁଆଡେ ? ସାହିତ୍ୟ ସଭାକୁ ଯାଇ ଆଲୋଚନା ନଶୁଣି ପ୍ରେମାଳାପ କରିବା କଣ ସାହିତ୍ୟର ଅଶ୍ଳୀଳତା ନୁହଁ କି ? ଆଉ କିଛି ପୁରୁଣା ବୁଢା ନିଜକୁ ବଡବଡ ସାହିତ୍ୟିକ ବୋଲି କୁହନ୍ତି । ଅନୁଷ୍ଠାନ ଦ୍ବାରା ହେଉଥିବା ଫଟୋ ସେସନରୁ ସୁନ୍ଦରୀ ଝିଅ ଓ ସ୍ତ୍ରୀ ଲୋକଙ୍କ ଫଟୋ ନେଇ ତାଙ୍କୁ ପ୍ରଥମେ ନିଜ ଅନୁଷ୍ଠାନର ସମୀକ୍ଷା ପର୍ବଠାରୁ ଆରମ୍ଭ କରି ପତ୍ରିକା ସମ୍ପାଦିକା ହେବାର ଲୋଭ ଦେଖାଇ ନିମନ୍ତ୍ରଣ କରିବେ। ପରମୁହୂର୍ତ୍ତରେ ସେମାନଙ୍କ ସହିତ ପ୍ରଣୟବହ୍ଲରୀ ଚାଟିଂ ଚାଲିବ ମେସେଞ୍ଜର ଠାରୁ ଆରମ୍ଭ କରି ହ୍ବାଟ୍ସ ଆପ୍ ଫେସବୁକ୍ ପର୍ଯ୍ୟନ୍ତ। ତେବେ ଏଠି ସାହିତ୍ୟ କାହିଁ ? ଏହିଭଳି କିଛି ଲୋକ ବିଭିନ୍ନ ଅନୁଷ୍ଠାନରୁ ଟଙ୍କା ଦେଇ ତୋଷାରପାତ ମୂଳେ ସମ୍ବର୍ଦ୍ଧନା ପତ୍ର ହାତେଇ କିଛି କିଛି ବି ଓଡିଶା ସାହିତ୍ୟ ଏକାଡେମୀରେ ଯାଇ ପହଞ୍ଚିଗଲେଣି। ସେଥିପାଇଁ ସାହିତ୍ୟର ମୂଲ୍ୟବୋଧ ହ୍ରାସ ହେବା ସହିତ ସାହିତ୍ୟରେ ଅଶ୍ଳୀଳତା ବଢିଚାଲିଛି।
                ଆଉକିଛି ସାହିତ୍ୟ ଅନୁଷ୍ଠାନ ପତ୍ରିକା ଓ ସଂକଳନ ବ୍ୟାପାରରେ ଖୁବ୍ ସିଦ୍ଧହସ୍ତ। କେବଳ ସେତିକି ନୁହେଁ ଆନ୍ତର୍ଜାତୀୟ ସ୍ତରରେ କିଛି ସାହିତ୍ୟ ଅନୁଷ୍ଠାନ କରି ମାନପତ୍ର ପାଇବାକୁ ହେଲେ ତାଳିମାରି ଭୋଟ ହାତେଇବାକୁ କହୁଛନ୍ତି। ଆଉ ଆଜିର ସାହିତ୍ୟିକ/ସାହିତ୍ୟିକାମାନେ ଏସବୁର ସର୍ବାଗ୍ରେ ଆଗୁଆ। ଜଣେ ସାରସ୍ବତ ସ୍ରଷ୍ଟା ହୋଇ ତାଳିମାରି ମାନପତ୍ର ମାଗିବ। କହିଲେ ଦେଖି କି ଲଜ୍ଜାକର କଥା। ଏହା କଣ ସାହିତ୍ୟରେ ଅଶ୍ଳୀଳତା ସୃଷ୍ଟି କରୁନାହିଁ କି ? କିଛି ନାରୀ କବି ଅଛନ୍ତି,ତାଙ୍କ ଲେଖାକୁ ନବମ ଶ୍ରେଣୀ ଛୁଆ ପଢିକି ହସରେ ଉଡାଇ ଦେଉଛନ୍ତି। ସେମାନେ ବିଭିନ୍ନ ଅନୁଷ୍ଠାନରେ ମୁଖ୍ୟ ଅତିଥି ହୋଇ ମଞ୍ଚ ଆବୁଡି ବସୁଛନ୍ତି। କାରଣ ଏହାର ଅନ୍ତରାଳେ ପରକୀୟା ପ୍ରୀତି ଲୁଚି ରହିଛି। ଆଉକିଛି ନାରୀକବି ନିଜକୁ ସୁନ୍ଦରୀ ଦେଖାଇହେବା ଆଳରେ ମଞ୍ଚ ଉପରେ ସମ୍ବର୍ଦ୍ଧିତ ଅତିଥିଙ୍କୁ ଏମିତି ଫୁଲ ପକାଇବେ ଯେ ଯେମିତି ଉର୍ବଶୀ ଇନ୍ଦ୍ରଙ୍କ ଉପରକୁ ଫୁଲ ଛାଟୁଛି। ସାହିତ୍ୟରେ ଶୃଙ୍ଖଳା,ସୃଜନାଶୀଳତା,ସାଧନା,ଧୈର୍ଯ୍ୟ,ସହନଶୀଳତା,ଆଦି ପ୍ରଜୁଯ୍ୟ ଜିନିଷମାନ ଧିରେଧିରେ ଲୋପପାଇ ଅଶ୍ଳୀଳତା ଆଡକୁ ଆଗ୍ରସର ହେଉଛି ସାହିତ୍ୟକୁ କଳୁଷିତ କରି। ଏଣୁ ଆଜିର ସାହିତ୍ୟ ବିକାଶୋନ୍ମୁଖୀ ହେବା ପରିବର୍ତ୍ତେ ବାଟବଣା ହୋଇ ଅଶ୍ଳୀଳତାକୁ ଆପଣେଇ ନଷ୍ଟ ଆଡକୁ ଅଗ୍ରସର ହେଉଛି।

ସିଦ୍ଧାନ୍ତ : ସାହିତ୍ୟର ସ୍ରଷ୍ଟାଟିଏ ପ୍ରଥମେ ନିଜକୁ ଚିହ୍ନିବାକୁ ପଡିବ ସେ କଣ। ସ୍ରଷ୍ଟାଟିଏ ଯଦି ଠିକ୍ ହୋଇନପାରିଲା,ତେବେ ସେ ସାହିତ୍ୟ ସର୍ଜନା କରିପାରିବ ନାହିଁ କି ତା ସାହିତ୍ୟର ସାଧନା ଯଥୋଚିତ ହୋଇପାରିବ ନାହିଁ। ଏଣୁ ହେ ଦିବ୍ୟ ଆତ୍ମନ୍,ସାରସ୍ବତ ସ୍ରଷ୍ଟା,ଦ୍ବିତୀୟ ଈଶ୍ବର, ଆପଣମାନେ ପ୍ରଥମେ ନିଜକୁ ସଂସ୍କାର କରନ୍ତୁ। ନିଜ ଭିତରେ ଥିବା ରୁଗ୍ଣ ବା ନକାରାତ୍ମକ ମାନସିକତାକୁ ହତ୍ୟା କରନ୍ତୁ। ସାରସ୍ବତ ସାଧନାରେ ବ୍ରତୀ ହୁଅନ୍ତୁ। ତେବେ ଯାଇ ସାହିତ୍ୟର ବାଲିରେଣୁଟିଏ ପାଇବାକୁ ହକଦାର ହେବେ ଓ ଆପଣମାନଙ୍କ ସାଧନାର ଫଳପ୍ରାପ୍ତ ହେବ। ଶେଷରେ ଏତିକି କହିବି ସାହିତ୍ୟର ଜୟ ହେଉ।

ଶ୍ରୀକାନ୍ତ ପଣ୍ଡା,ବସନ୍ତିଆ, ଭଦ୍ରକ।

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy