ଲଷ୍ମୀ ପେରୀ ରାଓ । ଭାରି ଦବଙ୍ଗ ଝିଅଟିଏ । ଅଶୀ କିଲୋମିଟର ବେଗରେ ମିନି ମାରୁତି କାରଟିକୁ ଦୌଡାଇ ଆଣି ଗତି ଅବରୋଧକ ଆଗରେ ଅକସ୍ମାତ ବ୍ରେକ ଲଗାଇବ - ଗାଡି ଘୁଷୁଡି ଯିବ କେଇ ଫୁଟ ଧୂଳି ଉଡାଇ ଆଉ ଅବରୋଧକ ଆଗରେ ନିର୍ଭୁଲ ନଖ ପରିମାଣର ବ୍ୟବଧାନ ରଖି ରୋକି ଯିବ ।
ଏଇଟା ଥରକର କଥା ନୁହେଁ । ନିତି ନିତି ଏହି ଦେଖିବା ଭଳି ରୋମାଞ୍ଚକ କାର ଚାଳନା
ମଧ୍ୟାହ୍ନ ସମୟରେ ହୋଇଥାଏ, ଯେତେବେଳେ ମୋଠୁଁ ବହୁତ ସିନିୟର ରାଓ ସାରଙ୍କ ସାନ ଝିଅ ଲକ୍ଷ୍ମୀ ଅଫିସରେ ଲଞ୍ଚ ବକ୍ସ ନେଇ ତା ବାପାକୁ ମିଳିବାକୁ ଆସିଥାଏ । ସେ ନିର୍ବିବାଦ କାର ଚାଳନାରେ ଜଣେ ସର୍କସ ଆର୍ଟିଷ୍ଟ ପରି ନିପୁଣା ଥିଲା । କାର ଚଳାଇଲା ବେଳେ ଟାଇଟ ଜିନ୍ସ ଆଉ ଚିପା ସାର୍ଟ ଟିଏ ପିନ୍ଧିଥାଏ । ବଡ ଆକର୍ଷଣୀୟ ଥିଲା ତାର ସ୍ପୋର୍ଟସଗାର୍ଲସୁଲଭ ସୁଢଳ ଶରୀର ।
ଏଭଳି ସୁନ୍ଦର ଆଉ ଦବଙ୍ଗ ଝିଅଟିଏକୁ ଦେଖିଲେ କିଛି ଆଜେ ବାଜେ ଭାବନା ଆସିବା ସ୍ୱାଭାବିକ । କିନ୍ତୁ ସେତକ ଭାବନା ଆସିବା ପୂର୍ବରୁ ଅନ୍ତର ଭିତରୁ କେହି ଯେମିତି ତାଗିଦ କରି ଦିଏ - ତୁମେ ତାର ସମକକ୍ଷ ତ ? ସତ କହିବାକୁ ଗଲେ, ଲକ୍ଷ୍ମୀର କାରଚାଳନା ଦେଖିଲା ପରେ ମନେ ମନେ ମୁଁ ଲଜ୍ଜିତ ହୁଏ ମୋ ନିଜ କାରଚାଳନା କୁ ନେଇ । ଡ୍ରାଇବିଙ୍ଗ ମାମଲାରେ ଯେତେବେଳେ ସିଏ ନିହାତି ପାରଙ୍ଗମ ଥିଲା, ସେତେବେଳକୁ ମୋର କାର ଷ୍ଟିଅରିଂରେ ହାତ ସ୍ଥିର ହୋଇ ନ ଥାଏ । କାରଟିଏ ଥିଲେ ବି ଭଲ ଭାବରେ ନ ଶିଖିଥିବା କାରଣରୁ ଅଧିକାଂଶ ସମୟ କାରକୁ ଘର ଆଗରେ ପଲିଥିନ କଭରରେ ଘୋଡ଼ାଇ ରଖିଥାଏ । ଆଉ ମୁଁ ଅଫିସ ସ୍କୂଟରରେ ଯିବା ଆସିବା କରୁଥାଏ ।
ଆଗରୁ ନିଜକୁ ବହୁକ୍ଷମତା ଵିଶିଷ୍ଟ ବ୍ୟକ୍ତିତ୍ୱଟିଏ ବୋଲି ବହୁବାର ନୀରବ ଆତ୍ମପ୍ରଶଂସା କରି ଥାଏ। କିନ୍ତୁ ସେହି ବ୍ୟକ୍ତିତ୍ୱର ନିହାତି କମଜୋର ଏହି ଦିଗକୁ ଏବେ ଆବିଷ୍କାର କଲାପରେ ଏବେ ତାକୁ ସୁଧାରିବା ପାଇଁ ସ୍ଥିର କଲି । ସେଥିପାଇଁ ମୋ ବସାଠାରୁ ଦୁଇ କିଲୋମିଟର ଦୂର ଗୋଟିଏ ବିରାଟ ଖୋଲା ପଡ଼ିଆକୁ ପ୍ରଥମେ ବାଛିଲି , ଆଉ ଏହା କଲାବେଳେ ଲକ୍ଷ୍ମୀକୁ ମୋ ମନଚୈତନ୍ୟରେ ଦ୍ରୋଣାଚାର୍ଯ୍ୟ ଭାବରେ ସ୍ଥାପିତ କରି ଛୁଟିଦିନ ଗୁଡିକରେ ମୁଁ ଏକଲବ୍ୟ ସାଧନା କରିବାକୁ ଆରମ୍ଭ କରିଦେଲି । କେବେ ଟପ ଗିୟର, କେବେ ବ୍ୟାକ ଗିୟର, କେବେ ଦ୍ରୁତ ତ ଆଉ କେବେ ଅଚାନକ ବ୍ରେକ - ଏମିତି ଅନେକ ବିବିଧତା ସହ ନିଜ ମର୍ଜି ଆଉ ଷ୍ଟାଇଲରେ ଗାଡି ଚଳାଇବା ଅଭ୍ୟାସ କରି ନେଉଥିଲି। ଗୋଟିଏ
ମାସର ମେହନତ ପରେ ନିଜର ସନ୍ତୁଷ୍ଟ ଅହଂଭାବ କହି ହେଉଥିଲା -"ଗାଡି ଯାନ୍ତ୍ରିକ ଅଶ୍ଵଟିଏ, ସେ ପୁଣି କଥା ମାନିବ ନାହିଁ !"
ମୋ ସିନିୟର ରାଓ ବାବୁଙ୍କର ଗୋଟିଏ ଭଲ ଗୁଣ ହେଲା ସେ ତାଙ୍କ ଘରର ଟିକି ନିଖି ସବୁକଥା ସ୍ତ୍ରୀ ଆଉ ପିଲା ମାନଙ୍କ ଆଗରେ କୁହନ୍ତି । ବୋଧେ ସେଇଥିପାଇଁ ହିଁ ମୋ ବିଷୟରେ ତାଙ୍କଠୁଁ ଲଷ୍ମୀ ଶୁଣିଥିଲା । ମୁଁ ତା ବାପାଙ୍କର ବହୁତ ଜୁନିୟର ହେଲେ ବି ଅଫିସରେ ବହୁତ ଲୋକପ୍ରିୟ ଥିଲି । ଆଉ ଜଣେ ଭଲ ଫୋଟୋଗ୍ରାଫର ହିସାବରେ ସେ ମୋର ପରିଚୟ କରାଇଥିଲେ । ଯେତେବେଳେ ସେ ତା ବାପାଙ୍କ ପାଇଁ ଲଞ୍ଚ ବକ୍ସ ଧରି ଆସେ, ମୋ ପାଇଁ ବି କେବେ କେମିତି ସୁସ୍ୱାଦୁ ବ୍ୟଞ୍ଜନରେ ଭରା ଅତିରିକ୍ତ ବକ୍ସଟିଏ ଧରି ଆସେ । ମୁଁ ଖାଇଲା ବେଳେ ସେ ମୋ କମ୍ପ୍ୟୁଟର ପାଖରେ ବସି ମୋ କ୍ୟାମେରାରେ ଉଠାଇଥିବା ଫୋଟୋ ସବୁ ଗୋଟି ଗୋଟି ଦେଖେ । ମଝିରେ ମଝିରେ କହି ଉଠେ,
" କୁହନ୍ତୁ ତ, ମତେ କେବେ ଶିଖାଇବେ ଫୋଟୋଗ୍ରାଫି ? ମୁଁ ଫୋଟୋଗ୍ରାଫି ଉପରେ ସୁନାମଧନ୍ୟ ଲେଖକ ମାନଙ୍କ ଦ୍ୱାରା ଲେଖା ଯାଇଥିବା ବହିଗୁଡିକର ଗୋଟିଏ ଲିଷ୍ଟ କାଗଜରେ ଲେଖି ଦେଇଦିଏ । ସେସବୁ ପଢି ଆସିଲା ପରେ ଚର୍ଚ୍ଚା କରିବା ଉଚିତ ହେବ ବୋଲି କହେ । ବହି ପଢିବା ପ୍ରତି ତାର ଆଦୌ ସ୍ପୃହା ନ ଥିଲା । ନିଜ ମନ କଥାକୁ ମୋ ଆଗରେ ସ୍ପଷ୍ଟ କରିଦେଇ କହେ, " ଫୋଟୋଗ୍ରାଫିର ପ୍ରାକ୍ଟିକାଲ ପଏଣ୍ଟ ଗୁଡିକ ଯାହା ଆପଣ ଯେମିତି ବୁଝେଇ ଦେବେ ସେତିକି ମୋର ଯଥେଷ୍ଟ - କୌଣସି ବହି ନାଁ ନ ନେଲେ ଭଲ
!" । ଫୋଟୋଗ୍ରାଫି ବିଷୟରେ ଅନୌପଚାରିକ ଚର୍ଚ୍ଚା ଅନେକ ଥର ହୋଇଥିବ ଆମ ଦୁହିଁଙ୍କ ଭିତରେ । ସେ କିଛି ଶିଖୁଥିଲା, ସଠିକ କହି ପାରିବିନି । ମୁଁ ଗମ୍ଭୀରତା ସହ ସୂକ୍ଷ୍ମ ବିନ୍ଦୁ ଗୁଡିକୁ ଛୁଇଁଲା ବେଳେ ସେ ସ୍ମିତ ହସି ମୋ ମୁହଁକୁ ଚାହିଁ ରହେ । ବୋଧେ ମୋ ପ୍ରଗଳ୍ଭତାକୁ ଚାହାଣୀରେ ଟାଣିଦେଇ ଉପଭୋଗ କରୁଥାଏ ତା ମନ ଭିତରର କେଉଁ ଅଜଣା ଅଗଣାରେ ।
ସେଦିନ ମୁଁ ରାତ୍ରି ଭୋଜନ ପାଇ ରାଓ ସାହେବଙ୍କ ଘରକୁ ଯାଇଥିଲି । ମୁଁ ଦେଖୁଥିଲି ରାଓ ବାବୁଙ୍କର ଫ୍ୟାମିଲି ଫୋଟୋ ଆଲବମ । ଗୋଟିଏ ଫୋଟୋ ପାଖରେ ମୋର ଦୃଷ୍ଟି ଅଟକି ଗଲା । ପାରମ୍ପରିକ ଢଙ୍ଗରେ ସମ୍ପନ୍ନ ହେଉଥିବା ଜଣେ ନୈଷ୍ଠିକ ତେଲେଙ୍ଗା ବ୍ରାହ୍ମଣ ବିବାହର । ଶ୍ୱେତ ଆଉ ଶ୍ୟାମ ଫୋଟୋଗ୍ରାଫ ଟି ବଡ ଅସାଧାରଣ ଆଉ ଆକର୍ଷକ ଥିଲା ।ମୋର ଅତ୍ୟଧିକ ରୁଚି ଦେଖି ମିସେସ ରାଓ
ସେହି ଅମୂଲ୍ୟ ଫୋଟୋଟିକୁ ଏଡ଼େ ସହଜରେ ଆଲବମରୁ ବାହାର କରି ମତେ ଦେଇ ଦେବେ, ମୋର ବିଶ୍ୱାସ ନ ଥିଲା । ବାହାଘର ସମୟରେ ଏଇ ଫୋଟୋଟି ସେମାନଙ୍କ ପାଇଁ ନିଃସନ୍ଦେହ ବହୁମୂଲ୍ୟ ଥିଲା । କିନ୍ତୁ ଉଭୟ ପତି ଆଉ ପତ୍ନୀ ମୋ ଖୁସି ପାଇଁ ମୋତେ ସେଇଟିକୁ ଦେଇ ଦେଲେ ।
ଆଲବମରେ ଲକ୍ଷ୍ମୀର ଛୁଆ ସମୟର ଗୋଟେ ଫୋଟୋ ମତେ ଦେଖିବାକୁ ମିଳିଲା । ସାଙ୍ଗରେ ତା ବଡ଼ ଭଉଣୀ ପୂଜା ଠିଆ ହୋଇଥିଲା । ପୂଜା ଏବେ ବିବାହିତା । ଦୁଇ ବର୍ଷ ତଳେ ତାର ବାହାଘର ହୋଇ ସାରିଛି । ସ୍ୱାମୀ ବାଙ୍ଗାଲୋରରେ କୌଣସି ସଫ୍ଟୱେର କମ୍ପାନୀରେ କାମ କରୁଛନ୍ତି । ଫୋଟୋଟି କାଶ୍ମୀରରେ ଅବସ୍ଥିତ ଗୁଲମାର୍ଗର ଥିଲା । ସେଠି ବରଫ ସହ ଦୁଇ ଭଉଣୀ ଫୋଟୋ ଉଠାଇଥିଲେ । ଲକ୍ଷ୍ମୀର ଛୁଆ ବେଳର ଫୋଟୋ ମୁଁ ଦେଖୁଥିଲା ବେଳେ ମୁହଁରେ ହାଲକା ହସଟିଏ ଲାଗି ରହିଥିଲା । ତାକୁ ଫ୍ରକରେ ଦେଖି ଠୋ ଠୋ ହସିବାକୁ ଇଚ୍ଛା ହେଉଥିଲା । କିନ୍ତୁ ମୁଁ ତାହା ରାଓ ବାବୁଙ୍କ ଆଗରେ କରିପାରିବିନି । ଓଠଟା ସେଥିପାଇଁ କିଛି ଅଧିକ ଚୌଡା ହୋଇଗଲା ଜୋରରେ ଆସୁଥିବା ହସଟିଏ ର ସଙ୍କେତ ଦେଇ । ଲକ୍ଷ୍ମୀ ଟିକିଏ ଦୂରରେ ସୋଫା ଉପରେ ବସି ମୋତେ ଲକ୍ଷ୍ୟ ରଖିଥିଲା । ତା ଫ୍ରକ ପିନ୍ଧା ଫୋଟୋ ଦେଖି ମୁହଁରେ ମୋର ଯେଉଁ ଭାବ ଭଙ୍ଗୀ ଜନ୍ମ ନେଲା, ସେଥିରେ ତାର ମୁହଁ ଲାଜରେ ଲାଲ ହୋଇ ଆସୁଥିଲା । ହଠାତ ଦୌଡ଼ିଆସି ଆଲବମ ମୋ ହାତରୁ ଛଡେଇ ନେଇ ତା ବଦଳରେ ପୂଜାର ଦୁଇ ବର୍ଷ ତଳର ବିବାହ ଆଲବମ ଦେଖିବାକୁ କହିଲା ।
ସେତେବେଳକୁ ରାଓ ବାବୁ ସ୍ୱତଃ କହିବାକୁ ଲାଗିଥିଲେ ତାଙ୍କର କାଶ୍ମୀର ଯାତ୍ରା ବିଷୟରେ । କହିଲା ବେଳେ ବହୁତ ଭାବୁକ ହୋଇ ଯାଉଥିଲେ ସେ । ସେତେବେଳେ ସେ ବିଜୁଳି ବିଭାଗରେ ଛୋଟ ଚାକିରୀଟିଏ କରିଥିଲେ । ଗୋଟିଏ ଗ୍ରୁପ ସହ ଯାଇଥିଲେ କାଶ୍ମୀର ବୁଲିବାକୁ । ବହୁତ ବରଫ ପଡିଥିଲା ସେ ସେଠାରେ ଥିବା ସମୟରେ । ବରଫ ପଡିବା ଯୋଗୁଁ କେତେ ଗୁଡିଏ ମାର୍ଗ ବନ୍ଦ ହୋଇ ଯାଇଥିଲା । ସେଥିପାଇଁ ପୂର୍ବରୁ ଯୋଜନା କରାଯାଇଥିବା ସମାୟାବଧି ଠାରୁ ଅଧିକ କିଛି ଦିନ ରହିବାକୁ ପଡିଲା । ସେତେବେଳକୁ ପଇସା ସରି ଯାଇଥିଲା ତାଙ୍କ ପାଖରୁ । ଗ୍ରୁପର ଅନ୍ୟ ସାଥି ମାନେ ନିଜ ନିଜର ସାଙ୍ଗ ସାଥୀଙ୍କୁ ଫୋନ କରି କୌଣସି ମତେ ପଇସା ଯୋଗାଡ଼ କରି ନେଇଥିଲେ । ଆତ୍ମଭିମାନୀ ରାଓ ବାବୁ କାହାକୁ ପଇସା ମାଗି ନ ଥିଲେ । ତାଙ୍କ ପାଇଁ ଏତିକି ଖୁସିର ବିଷୟ ଥିଲା ଯେ ଛୋଟ ଚାକିରୀଟିଏ କରି ବି ଶ୍ରୀନଗର ପର୍ଯ୍ୟନ୍ତ ବୁଲି ଆସି ପାରିଛନ୍ତି ବୋଲି । ବରଫ ଦ୍ୱାରା ଅବରୁଦ୍ଧ ମାର୍ଗ ସବୁ ଖୋଲିଲା ପରେ ସମସ୍ତେ ଯେତେବେଳେ ପହଲଗାମ ଆଉ ସୋନମାର୍ଗ ପରି ଜାଗା ସବୁ ବୁଲି ବାକୁ ଚାଲିଗଲେ, ରାଓ ବାବୁ ତାଙ୍କର ପତ୍ନୀ ଆଉ ଦୁଇ ଝିଅଙ୍କୁ ନେଇ ଶ୍ରୀନଗର ଲାଲଚୌକର ହୋଟେଲକୁ ଲାଗିଥିବା ଗୋଟିଏ ଦୋକାନରେ ବସି ରହୁଥିଲେ । ଯେତେବେଳେ ରାଓ ବାବୁ ଆଉ ତାଙ୍କ ପତ୍ନୀ ସେଇଠି ବସି ରହି ସ୍ଥାନୀୟ ଲୋକ ମାନଙ୍କର ବେଶଭୁଷା ଆଉ ଜୀବନ ପ୍ରଣାଳୀ ଲକ୍ଷ୍ୟ କରୁଥିଲେ, ସେତିକି ବେଳେ ସାନ ଝିଅ ଲଷ୍ମୀ ଦୋକାନର କାଚ ସୋ କେସ୍ ପଛରେ ଥିବା କାଶ୍ମୀରୀ ଖେଳନା ଆଉ ଅଖରୋଟର ପ୍ୟାକେଟ ଗୁଡିକୁ ବାହାରୁ ହାତ ମାରି ଦେଖୁଥିଲା । ଦୋକାନର ମାଲିକ ମୁସଲମାନ ବ୍ୟବସାୟୀ ଜଣଙ୍କ ବଡ଼ ସହୃଦୟ ବ୍ୟକ୍ତିତ୍ୱ ଥିଲେ । କୁନି କୁନି ପାଦରେ ଦୋକାନର ଏ କୋଣରୁ ସେ କୋଣ ବୁଲୁଥିବା ସେ ଲକ୍ଷ୍ମୀକୁ ବହୁତ ସମୟ ଧରି ଲକ୍ଷ୍ୟ କରୁଥିଲେ । ତାପରେ ପାଖକୁ ଡାକି ଧରେଇ ଦେଇଥିଲେ ବଡ଼ ବଡ଼ ଦୁଇ ପ୍ୟାକେଟ ଅଖରୋଟ ଲକ୍ଷ୍ମୀ ଆଉ ତା ଭଉଣୀ ପୂଜା ହାତରେ । ତା ଛଡା ଦୁଇଟି କାଶ୍ମୀରୀ କାଠ ଖେଳନା ବି । ମତେ ଫୋଟୋ ଆଲବମ ଦେଖାଇଲା ବେଳେ ରାଓ ବାବୁଙ୍କ ଆଖିରୁ ଲୁହ ବୁନ୍ଦାଏ ଝରି ଗଲା ସେହି ଅଜ୍ଞାତ ବ୍ୟବସାୟୀଙ୍କୁ ସ୍ମରଣ କରି । ଯେମିତି ସେ ସେହି ସମୟରେ ତାଙ୍କୁ ଧନ୍ୟବାଦ ଦେଲେ ମୁହଁରେ ଶବ୍ଦ କିଛି ଉଚ୍ଚାରଣ କରି ।
ଫୋଟୋ ଆଲବମ ଦେଖୁଥିବା ସମୟରେ ରାଓ ବାବୁ ଲକ୍ଷ୍ମୀର ବାହାଘର କଥା ମୋ ଆଗରେ ପକାଇଲେ । ଇଷ୍ଟ ଗୋଦାବରୀ ଜିଲ୍ଲାର ପ୍ରଖ୍ୟାତ ନଡ଼ିଆ ବ୍ୟବସାୟୀ ସଦାଶିବ ରାଓ ତାଙ୍କ ପୁତ୍ର ପାଇଁ ଏହି ପ୍ରସ୍ତାବ ପଠାଇଥିଲେ । ବ୍ୟବସାୟ ଏତେ ବଡ ଯେ କଳ୍ପନା କରି ହେବନି । ତାଙ୍କ ଦ୍ବାରା ରାଜମହେନ୍ଦ୍ରୀ ସହରରୁ ପଚାଶ ଟ୍ରକ ନଡ଼ିଆ ପ୍ରତିଦିନ ବିଭିନ୍ନ ରାଜ୍ୟକୁ ପଠା ଯାଏ । ପୁଅ ନାମ ମାତ୍ର ଡାକ୍ତରୀ ପାସ କରିଛି । କିନ୍ତୁ ପରିଶେଷରେ ନଡ଼ିଆ ବ୍ୟବସାୟ ହିଁ ସମ୍ଭାଳିବ । ରାଓ ବାବୁ ବଡ଼ ଗର୍ବର ସହ ଦେଖାଉଥିଲେ ସେହି ନଡ଼ିଆ ବ୍ୟବସାୟୀଙ୍କ ବ୍ୟବସାୟର କାନ୍ଥ କ୍ୟାଲେଣ୍ଡର ଆଉ ଡାଏରି ସବୁ । ସବୁଥିରେ ଅଙ୍କିତ ଥାଏ ବ୍ୟବସାୟର ଟେଲିଗ୍ରାମ କୋଡ଼ -
"କୋକୋନଟ କିଙ୍ଗ" । ରାଓବାବୁ କହୁଥିଲେ ଲଷ୍ମୀ ଯଦି ହଁ କରି ଦିଅନ୍ତା ପ୍ରସ୍ତାବଟି ଆଗକୁ ବଢନ୍ତା ।
ମୁଁ ରାଓ ବାବୁଙ୍କ କଥାକୁ ବେଶୀ ମନଯୋଗ ଦେଇ ଶୁଣୁ ନ ଥିଲି । କାରଣ ମୁଁ ଏହି ପ୍ରସ୍ତାବ ବିଷୟରେ କିଛି ତ ଆଗରୁ ଶୁଣି ରଖିଥିଲି ଲକ୍ଷ୍ମୀ ଠାରୁ । ଛୋଟ ମୋଟ ସମସ୍ୟା ଆସିଲେ ରାଓ ବାବୁ ମୋର ପରାମର୍ଶ ଲୋଡନ୍ତି ବୋଲି ସେ ଭଲ ଭାବେ ଜାଣିଥିଲା । ରବିବାର ଦିନ ଅର୍ଥାତ ଯେଉଁ ଦିନ ଏ ବିବାହ ପ୍ରସ୍ତାବ ଆସିଥିଲା ସେଦିନ ସନ୍ଧ୍ୟାରେ ଲକ୍ଷ୍ମୀ କାର ନେଇ ମୋ ବସାକୁ ଆସିଥିଲା ପ୍ରଥମ ଥର ପାଇଁ ତା ପର୍ସନାଲ ମାମଲାରେ ମତେ ସାମିଲ କରାଇ। ବୈଠକ ରୁମର ସୋଫାରେ ବସୁ ବସୁ କହିଲା,
"କେବଳ ଆପଣ ହିଁ ମତେ ବଞ୍ଚାଇ ପାରିବେ । କିଛି ଗୋଟିଏ କରନ୍ତୁ ।"
ମୁଁ କଥାଟା ପ୍ରକୃତରେ କଅଣ ସେ ପର୍ଯ୍ୟନ୍ତ ବୁଝି ପାରି ନ ଥିଲି । ତେଣୁ ପଚାରି ବସିଲି, "କଥା କଣ ?"
ଲକ୍ଷ୍ମୀ ଆସିଥିବା ବିବାହ ପ୍ରସ୍ତାବ ବିଷୟରେ ଆମୂଳଚୂଳ କହିଦେଲା ଡଗ ଡଗ ହୋଇ । ମୁଁ ତା ପିତାଙ୍କ ଅଫିସରେ ତାଙ୍କ ସହକର୍ମୀ ହୋଇଥିଲେ ବି ସେ ସଂଭ୍ରମତା ହରାଇ ସାରିଥିଲା । ଜିଦ ମିଶା ସ୍ୱରରେ କହିଲା,
"ମୋ ବାହାଘର ବାପାଙ୍କୁ କହି ଆପଣ ହିଁ ରୋକି ପାରିବେ ।"
-"ଅସୁବିଧା କେଉଁଠି ? ତୁମ କହିବା ହିସାବରେ ସେମାନେ ବହୁତ ପୈସା ବାଲା ଲୋକ ତ - ନଡ଼ିଆରେ ଏତେ ବଡ଼ କାରବାର"
ଏଥର ସେ ତା କାର ଚାବିକୁ ଟି ପୟର କଠିନ ପୃଷ୍ଠତଳକୁ ସିଧା ବିଦ୍ଧ କରିବାକୁ ଚେଷ୍ଟା କରି କହିଲା,
"ନଡ଼ିଆ - ନଡ଼ିଆ - ନଡ଼ିଆ ! ନଡ଼ିଆ ନାଁ ଶୁଣିଲେ, ମୋ ମୁଣ୍ଡକୁ ପିତ୍ତ ଯେମିତି ଚଢି ଯାଉଛି ।"
-"ଆଉ କାହାକୁ ଭଲ ପାଉଛ?"
-"ଭଲ ପାଇବା ମନା କି
?", ଏତକ ମୁଣ୍ଡ ଉଠାଇ କହିଲା ମୋ ଆଡେ । ଏପରି କରି ପ୍ରେମ ମାମଲାରେ ସେ ତାର ସତସାହସର ପ୍ରଦର୍ଶନ କରାଇବାକୁ ଚାହୁଁଥିଲା ମୋ ଆଗରେ ।
ପୁଣି ତା ରାଗକୁ ଚେହେରାର ଭଲ ଭାବେ ଲିପିବଦ୍ଧ କରିବାକୁ ଯାଇ କହିଲା,
" ଯଦି ନଡିଆ ବାଲା ଆପଣଙ୍କୁ ଏତେ ପସନ୍ଦ ଆପଣ ବାହା ହୋଇ ପଡୁ ନାହାନ୍ତି !"
ହସିଲି ତା କଥାରେ । ତା ପରେ କହିଲି,
-"ମୁଁ ପୁଅଟେ, ଆଉ ଗୋଟିଏ ପୁଅକୁ ବାହା ହେବି କେମିତି
?"
-" ଆପଣ ଙ୍କୁ କଣ ଫରକ ପଡିବ ! ବାପା ଆଉ ଆପଣ, ଦୁଇ ଜଣଙ୍କ ପାଇଁ ପଇସା ତ ସବୁ କିଛି" ମୁହଁରେ ତାତ୍ସଲ୍ୟ ଭାବ ଫୁଟାଇ ସେ ଉଠି ଚାଲିଗଲା ।
ସିଏ ଗଲାପରେ ମୁଁ ତା ଜାଗାରେ ନିଜକୁ ରଖି କଳ୍ପନା କରିବାକୁ ଚେଷ୍ଟା କରୁଥିଲି ତା ମନକୁ ଆଲୋଡିତ କରୁଥିବା ଚିନ୍ତନ ପ୍ରକ୍ରିୟାକୁ। ଆରେ ସତରେ ତ ! ଏମିତି ମୁକ୍ତ ବିହଙ୍ଗିନୀ ହୋଇ ଉଡୁଥିବା ଝିଅଟି ପାଇଁ ଜୀବନଟା କେବଳ ନଡ଼ିଆମୟ ହୋଇ ଯିବ ଯାହା । ଘର ଅଫିସ ଚାରି ଆଡ଼େ ଟ୍ରକ ଟ୍ରକ ନଡ଼ିଆ । ତା ହନୀମୁନଠୁଁ ମରଣ ପର୍ଯ୍ୟନ୍ତ । ସରକାରୀ ଚାକିରୀ କରିଥିବା କର୍ମଚାରୀର ଝିଅ । ଗୋଟିଏ ବ୍ୟବସାୟୀ ପରିବାରରେ ଖାପ ପକାଇ ଚାଲିବା କଷ୍ଟକର ହୋଇପାରେ। ଭାବିଲି, ଏହି ମାମଲାରେ ହସ୍ତକ୍ଷେପ କରିବା ଜରୁରୀ । ମୋ ପାଇଁ ଲଷ୍ମୀର ଇଚ୍ଛା ସର୍ବୋପରି, ଏଇନେ ।
ସୋମ ବାରକୁ ଯେବେ ଅଫିସ ଖୋଲିଲା ରାଓ ବାବୁ ମୋ କ୍ୟାବିନକୁ ପଶି ଆସିଲେ । ଯେତେବେଳେ ସେ ଶୁକ୍ରବାର ତାଙ୍କ ଘରେ ସଂକ୍ଷେପରେ ଚର୍ଚ୍ଚା ହୋଇଥିବା ଲଷ୍ମୀର ବିବାହ ପ୍ରସ୍ତାବ ବିଷୟରେ ରାୟ ଜାଣିବାକୁ ଚାହିଁଲେ, ମୁଁ ସଫା ମନା କଲି ଏହା ଲଷ୍ମୀ ପାଇଁ ଠିକ ପ୍ରସ୍ତାବ ନୁହେଁ ବୋଲି କହି । ରାଓ ବାବୁଙ୍କର ଅବଶୋଷ ହେଉଥିଲା ଏତେ ବଡ଼ ପ୍ରସ୍ତାବ ହାତ ଛଡା ହେବ ବୋଲି । ସେଠି ବାହା ହୋଇଥିଲେ ସେ ରାଜରାଣୀ ହୋଇ ପଇସା ଉପରେ ଶୋଇଥାନ୍ତା ।
ରାଓ ବାବୁଙ୍କର ଆଉ ଗୋଟିଏ ଚିନ୍ତା ଥିଲା ।ସେ କହୁଥିଲେ ଆଜିକାଲି ଯାହା ପ୍ରସ୍ତାବ ଦେଲେ ବି ଘରର ସମସ୍ତଙ୍କ ଉପରେ ଚିଡି ହେଉଛି; ଆସବାଵ ପତ୍ର ଫୋପଡା ଫୋପଡ଼ି କରୁଛି । ସ୍ୱଗତୋକ୍ତି କରିବା ଢଙ୍ଗରେ ଦୀର୍ଘ ନିଶ୍ଵାସଟିଏ ଟାଣି ନେଇ କହିଲେ,
"ଜିଦ ଆଉ ମୂର୍ଖତା ଯୋଗୁଁ ଲକ୍ଷ୍ମୀ ତା ମ୍ୟାରେଜ କୁ ନିଜେ ଜାଣିଶୁଣି ସାବୋଟେଜ କରୁଛି ଯାହା। "
ମତେ ଧନ୍ୟବାଦ ଜଣାଇ ସେ ଦିନ ଅପରାହ୍ନରେ ଲକ୍ଷ୍ମୀର ଫୋନ ଆସିଥିଲା । ଭାରି ଖୁସି ଥିଲା ସେ ମୁଁ ବିବାହର ପ୍ରସ୍ତାବକୁ କାର୍ଯ୍ୟକ୍ଷମ ରୂପ ନେବା ପୂର୍ବରୁ ଉଚିତ ସମୟରେ ରୋକି ପାରିଥିବା ଯୋଗୁଁ । ମୋ କହିବା ପରେ ରାଓ ବାବୁ ନିଜର ଅସମ୍ମତି ଜଣାଇ ପୁଅ ପକ୍ଷକୁ ଖବର କରି ସାରିଥିଲେ । ମୁଁ ତାର ଖୁସି ଦେଖି କହିଲି,
"ବଧାଇ ତାହେଲେ ତୁମକୁ"
-"ଆପଣ ନିଜକୁ ବଧେଇ ଦିଅନ୍ତୁ",
ହସି କହିଲେ ଲଷ୍ମୀ । ଏଇ ଶେଷ ପଦକର ଭାବାର୍ଥ ମୁଁ ସେଦିନ ବୁଝି ପାରି ନ ଥିଲି । ବୋକା ଭଳି ଫାଙ୍କା ଦୃଷ୍ଟିରେ ଚାହିଁ ରହିଥିଲି ତା ମୁହଁକୁ ।
"ବୁଦ୍ଦୁ" ଏତକ ନିମ୍ନ ସ୍ବରରେ କହି ସେ ଦ୍ରୁତ ପଦ କ୍ଷେପରେ ମୋ ରୁମରୁ ବାହାରକୁ ଯାଇ ସାରିଥିଲା ।
କେଇ ଦିନ ଭିତରେ କେନ୍ଦ୍ର ସରକାରଙ୍କ ଗୋଟିଏ ଗୋପନୀୟ ଉପକ୍ରମରେ ଡେପୁଟେସନରେ ମତେ ମଧ୍ୟପ୍ରଦେଶ ଛାଡି ନୂଆଦିଲ୍ଲୀ ଯିବାକୁ ପଡିଲା । ପାଞ୍ଚ ବର୍ଷ ବିତିଗଲା । ଡେପୁଟସନ ସମାପ୍ତ ହେବା ପରେ ମୁଁ ମୋ ପ୍ୟାରେଣ୍ଟ ସଙ୍ଗଠନକୁ ଫେରିଥିଲି । ମାତ୍ର ଦୁଇ ମାସ ତଳେ । ପୋଷ୍ଟିଂ ପୁଣି ସେହି ଭୋପାଳରେ ।
ଡେପୁଟେସନ ସମୟରେ କାର୍ଯ୍ୟର ବିଶେଷ ପ୍ରକୃତି କାରଣରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଫୋଟୋଗ୍ରାଫି ସମ୍ବନ୍ଧିତ କୌଣସି ପ୍ରଦର୍ଶନୀ କିମ୍ବା କାର୍ଯ୍ୟାଶାଳାରେ ମୁଁ ଯୋଗ ଦେଇ ନ ଥିଲି । ଏଇ କାଲି ମାତ୍ର ଭୋପାଳ ବାହାରକୁ ଆସିଛି । ହାଇଦ୍ରାବାଦର ବଂଜାରା ହିଲସରେ ଅବସ୍ଥିତ ହ୍ୟାଟ୍ ପଞ୍ଚ ତାରକା ହୋଟେଲରେ ଛାୟାଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥାଏ । ନେଚର ଫୋଟୋଗ୍ରାଫି ଶ୍ରେଣୀରେ ମୋତେ ଥାର୍ଡ ପ୍ରାଇଜ଼ ମିଳିଥାଏ ଆଉ ତାହା ଛଡ଼ା ମୋର ତିନୋଟି ଫୋଟୋ ପ୍ରଦର୍ଶନୀରେ ସମ୍ମିଳିତ ହେବା ପାଇଁ ଚୟନିତ ହୋଇଥିଲା । ଗ୍ୟାଲେରୀରେ ରଖା ଯାଇଥିବା ଫୋଟୋ ଗୁଡିକ ଦେଖିଲା ବେଳେ
"ଫେସନ ଆଉ କଷ୍ଟୟୁମ" ବର୍ଗରେ ଦ୍ଵିତୀୟ ପୁରସ୍କାର ପାଇଥିବା ଫୋଟୋ ତଳେ ଲଷ୍ମୀ ପେରୀ ରାଓ ନାଁ ଦେଖି ଚମକି ପଡିଲି । ସିଏ ପାଞ୍ଚ ବର୍ଷ ତଳେ ଭୋପାଳରେ ମୋ ଅଫିସକୁ ଆସୁଥିବା ରାଓ ବାବୁଙ୍କ ଝିଅ ଲଷ୍ମୀ ତ ନୁହେଁ ? ବିଶ୍ୱାସ ହେଉ ନ ଥିଲା ଦୁଇଟି କାରଣରୁ। ଭୋପାଳରେ ଶେଷଥର ପାଇଁ ଯେତେବେଳେ ଲଷ୍ମୀକୁ ଦେଖିଥିଲି ସେତେବେଳେ ସେ ଫୋଟୋଗ୍ରାଫିର ପି ଅକ୍ଷର ବି ଜାଣି ନ ଥିଲା । ତା ଛଡ଼ା ଲଷ୍ମୀ ଦକ୍ଷିଣ ଭାରତରେ ଗୋଟିଏ ବହୁ ପ୍ରଚଳିତ ସାଧାରଣ ନାମ । ହାଇଦ୍ରାବାଦ ସହରରେ ଅନେକ ଲଷ୍ମୀ ପେରୀ ରାଓ ଯେ ନ ଥିବେ ଏ କଥା କହି ହେବନି । ସେ ଯାହା ହେଉ, କାଲି ଉଦଯାପନ ସମାରୋହ ବେଳେ ସବୁ କଥା ସଫା ହୋଇଯିବ । କିନ୍ତୁ ମନ ମାନିଲା ନାହିଁ - ମୋ ଭିତରେ ଉଠିଥିବା ପ୍ରଶ୍ନ ଆଉ ଅନୁମାନକୁ ସେମିତି ବିଶ୍ରାମ ଦେବାକୁ ।
ହୋଟେଲ ହ୍ୟାଟ ହୋଟେଲରେ ରହିବା ପାଇଁ ସମସ୍ତ ଡେଲିଗେଟ ମାନଙ୍କର ବ୍ୟବସ୍ଥା ହୋଇଥାଏ । ମୁଁ ରିସିପ୍ସନ କାଉଣ୍ଟରରେ ବସିଥିବା ମ୍ୟାନେଜର ଠାରୁ ଲଷ୍ମୀ ପେରୀ ରାଓର ରୁମ ନମ୍ବର ସଂଗ୍ରହ କଲି । ତାହା ରୁମ
K-703 ଥିଲା ଯାହା ମୋ ରୁମ K- 704 ର ଏକଦମ ପାଖକୁ ଲାଗି ଥିଲା । ବୋଧେ ଦୁଇଟି ଯାକ ରୁମର ବାଲକୋନି ପରସ୍ପରକୁ ଲାଗିକରି ଥିବ । ମୁଁ ଆଗାମୀ ତିରିଶ ଘଣ୍ଟାର ରହଣି କେତେ ଯେ ସୁନ୍ଦର ହେବ ତାହା ନେଇ ଆଶାୟୀ ହୋଇ ପଡ଼ିଥିଲି ।
ରୁମ ଭିତରେ ଥାଇ
K-703 ରୁମକୁ ଫୋନ ସଂଯୋଗ କଲାପରେ ମହିଳା କଣ୍ଠ ଶୁଣି ପଚାରିଲି, " ଇଜ ଇଟ ଲକ୍ଷ୍ମୀ ଦେୟର? ଦିସ ଇଜ ଅର୍ଣ୍ଣବ ଫ୍ରମ ଭୋପାଲ"
ଦୁଇ ସେକେଣ୍ଡର ନୀରବତା ଭାଙ୍ଗି ମହିଳା କଣ୍ଠରେ ଜବାବ ଆସିଲା,
"ସରି, ଅର୍ଣ୍ଣବ ...ଆଇ ଆମ ହର ରୁମମେଟ ..ସି ଶାଲ ଜଏନ ଅସ ଟୁମରୋ । ବଟ ମେ ଆଇ ନୋ ହାଓ ୟୁ ନୋ ହର?"
-" ସି ଇଜ ମାୟ ଫ୍ରେଣ୍ଡ । ବାଇ ଦ ୱେ, ଆର ୟୁ ଅ ଫୋଟୋଗ୍ରାଫର?"
- " ଓଃ ୟେସ୍....ଜଷ୍ଟ ଆନ ଆମାଚେର ..ଷ୍ଟିଲ ଲରନିଙ୍ଗ ଦ ଆର୍ଟ"
ତା ପରେ କଥା ବଦଳାଇ କହିଲା,
" ଆର ୟୁ ଦ ସେମ ଅର୍ଣ୍ଣବ, ଦ ଥର୍ଡ ପ୍ରାଇଜ ଆୱାର୍ଡି ଇନ ନେଚର କାଟେଗରୀ?"
- "ୟେସ୍
.."
ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଗୋଟିଏ ସୌକିଆ ଫୋଟୋଗ୍ରାଫର ହୋଇ ବି ମୋ ବିଷୟରେ ଏତେ ତଥ୍ୟ ରଖିଥିବା ଯୋଗୁଁ । ମୁଁ କଥାରେ ଅଧିକ ରୁଚି ଦେଖାଇ କହିଲି,
"ମେ ଆଇ ନୋ ୟୋର ନେମ ପ୍ଲିଜ
"
-" ଦିସ ଇଜ ବୈଜୟନ୍ତୀ ଫ୍ରମ ମଦୁରାଇ"
-" ହୋପ ୟୁ ୱଣ୍ଟ ମାଇଣ୍ଡ ହାବିଙ୍ଗ ଅ ଡ୍ରିଙ୍କ ଟୁଗେଦର"
-"ଓଃ, ସିୟୋର ..ଗିବ ମୀ ଫାଇବ ମିନିଟସ"
ପାଞ୍ଚ ମିନିଟ ଅପେକ୍ଷା କଲା ପରେ ବୈଜୟନ୍ତୀ ମୋ ରୁମ୍ ବାହାରୁ କଲ ବେଲ ଦବାଇଲା । କବାଟ ଖୋଲିବା ପୂର୍ବରୁ ଆଇ ହୋଲ ରେ ଆଖି ଲଗାଇ ତାକୁ ଥରୁଟିଏ ଦେଖି ନେଲି । ସେ ଉଚ୍ଚା ଥିଲା ଆଉ ଦେଖିବାକୁ ବହୁତ ସୁନ୍ଦର । ହାତରେ ବଡ଼ କ୍ୟାମେରା ବ୍ୟାଗ ଟିଏ ଧରିଥିଲା । ମୁଁ ତାର ସମ୍ଭାବିତ ରୂପ ନେଇ କଳ୍ପନାରେ ଯେଉଁ ଛବି ଆଙ୍କିଥିଲି ତାକୁ ସମ୍ପୂର୍ଣ୍ଣ ବିପରୀତ ପ୍ରମାଣିତ କରି ସେ ଶାଢ଼ୀ ପିନ୍ଧିଥିଲା । କେତେକାଂଶରେ ଲକ୍ଷ୍ମୀ ପରି ଲାଗୁଥିଲେ ବି ଏପରି ବେଶରେ ଲକ୍ଷ୍ମୀ ପେରୀ ରାଓକୁ କଳ୍ପନା କରିବା ଅସମ୍ଭବ ।
ମୋର ସନ୍ଦେହ ଉପରେ ପୂର୍ଣ୍ଣଛେଦ ଟାଣିଦେଇ ବୈଜୟନ୍ତୀ ଗୋଟିଏ ଫୋଟୋ ପ୍ରସ୍ତୁତ କଲା ଯେଉଁଥିରେ ସିଏ ଆଉ ଲକ୍ଷ୍ମୀ ପାଖାପାଖି ଛିଡା ହୋଇଥିଲେ । ବୈଜୟନ୍ତୀ ଶାଢ଼ୀ ପିନ୍ଧିଥିବା ବେଳେ ଲଷ୍ମୀ ଜିନ୍ସ ପିନ୍ଧିଥିଲା । ମୁଁ କିଛି ପଚାରିବା ପୂର୍ବରୁ ସିଏ ଆଗତୁରା ପ୍ରଶ୍ନ କରିନେଲା,"ବହୁତ ସୁନ୍ଦର ଯୋଡି ଆମ ଦୁହିଁଙ୍କର ନା ?"
- "ହଁ"
ସେତେବେଳକୁ ଆମେ ଦୁହେଁ ଚେୟାର ଟାଣି ବସି ସାରିଥିଲୁ । ମୁଁ ଦୁଇ ଗ୍ଲାସ ବିୟର ରେଡି କରି ସାରିଥିଲି । ଦୁହେଁ କଥା ହେଉ ହେଉ ପିଇ ନେଲୁ ଏଇ ପ୍ରଥମ ଗ୍ଲାସ । ମୁଁ ଶାଢ଼ୀ ପିନ୍ଧିଥିବା କେଉଁ ମହିଳାଙ୍କୁ ବିୟର ପିଉଥିବା ଅବସ୍ଥାରେ ଜୀବନରେ ପ୍ରଥମ ଥର ପାଇଁ ଦେଖୁଥିଲି । ବୈଜୟନ୍ତୀ ତାର ଦ୍ଵିତୀୟ ଗ୍ଲାସ ରେଡି କରିବାକୁ ମନା କଲା । ସିଏ ମୋ ପାଖରେ ବସି ରହି କମ୍ପାନୀ ଦେଉଥିଲା ଯାହା । ତାହା ଭିତରେ ସେ ତାର ଅଧା ରହି ଯାଇଥିବା କୌତୁହଳ ଦୂର କରି ପଚାରିଲା,
- "ଆପଣ ଲଷ୍ମୀର ସାଙ୍ଗ ବୋଲି କହୁଛନ୍ତି, ହେଲେ ଲଷ୍ମୀ ଏ ବିଷୟରେ ମୋତେ କେବେ କହିନି"
-"ମୁଁ ପାଞ୍ଚ ବର୍ଷ ବାହାରେ ଥିଲି । ତେଣୁ ତା ପରିବାର ସହ ସମ୍ପର୍କ ରଖି ପାରି ନ ଥିଲି"
-"ବାହାରେ ମାନେ?"
-"ନୂଆ ଦିଲ୍ଲୀରେ
"
ଜୋର ଜୋରରେ ହସିଲା ବୈଜୟନ୍ତୀ । ତାପରେ କହିଲା,"ମୁଁ ଭାବିଥିଲି, ଦେଶ ବାହାରେ ...କିନ୍ତୁ ଦିଲ୍ଲୀରେ ରହି ବି କଥା ହୋଇ ପାରିଲେନି
?"
ଏହା ଗୋଟିଏ ତର୍କସଙ୍ଗତ ପ୍ରଶ୍ନ ଥିଲା ।
ମୋ ପାଖରେ ଏ ପ୍ରଶ୍ନର ବି ଉତ୍ତର ଥିଲା । କିନ୍ତୁ ଲକ୍ଷ୍ମୀ ବିଷୟରେ କୌଣସି କଥା ବୈଜୟନ୍ତୀକୁ କହି କି ଲାଭ ? ମଝିରେ ମଝିରେ ମତେ ଲାଗୁଥିଲା ଏ ପ୍ରଶ୍ନ ଯେମିତି ଲଷ୍ମୀ ନିଜେ ପଚାରୁଛି । ବିୟରର ଚଢି ଆସୁଥିବା ହାଲକା ନିଶା ଆଉ ବୈଜୟନ୍ତୀ ମୁହଁରେ ଲାଗି ରହିଥିବା କୁହୁକ ହସ ଟିକକ ମତେ ଅଧିକ କିଛି ଭାବିବାକୁ ଦେଉ ନ ଥିଲା ।
ସେଦିନ ଅପରାହ୍ନରେ ବୈଜୟନ୍ତୀ ଆଉ ମୋ ଭିତରେ ବହୁତ କଥା ହେଲା । ମୁଁ ମୋର ସମସ୍ତ ପୃଷ୍ଠଭୂମି ତା ଆଗରେ ରଖି ଦେଇଥିଲି । ଲକ୍ଷ୍ମୀର ପରିବାର ବିଷୟରେ ସେ ବି ଅନେକ କଥା ଜାଣିଥିଲା । ଏପରି କି ଧନାଢ୍ୟ କୋକୋନଟ କିଙ୍ଗ ପରିବାର ସହ ତାର ବିବାହ ପ୍ରସ୍ତାବ ପଡି ଭାଙ୍ଗି ଯାଇଥିବା କଥା ବି । ତାହାରି ଭିତରେ ସେ ରାଓ ବାବୁଙ୍କ ମରି ଯାଇଥିବାର ଖବର ବି ଶୁଣାଇଲା ଆଉ ମୁଁ ଯେତେବେଳେ ସମବେଦନା ଜଣାଇଲି, ଲକ୍ଷ୍ମୀର ପ୍ରକୃତ ସାଙ୍ଗ ପରି ମୋ ମୁହଁକୁ ଚାହିଁ ରହିଥିଲା । ଲକ୍ଷ୍ମୀ ମୋ ଠାରୁ ଫୋଟୋଗ୍ରାଫି ଶିଖିବାକୁ ଚାହୁଁଥିଲା ବୋଲି କହିବା ପରେ , ବୈଜୟନ୍ତୀ ହଠାତ ପ୍ରଶ୍ନ କରି ଉଠିଲା,
"କଣ ଶିଖାଇଥିଲେ ଆପଣ ? ଆପଣ ନେଚର ଫୋଟୋଗ୍ରାଫି କରୁଛନ୍ତି, କିନ୍ତୁ ଲଷ୍ମୀର ଆଉ ଏକ ଭିନ୍ନ ଧାରାର । ସେ ଫେସନ ଆଉ ଟ୍ରିକ ଫୋଟୋଗ୍ରାଫିରେ ଇଣ୍ଟରନ୍ୟାସନାଲ ଫେମର ଆର୍ଟିଷ୍ଟ"
-"ସତ, ସେମିତି କିଛି ଶିଖାଇ ତ ନ ଥିଲି । ସେ କିନ୍ତୁ ମୋ ଫୋଟୋଗ୍ରାଫି ଦେଖି ଆକର୍ଷିତ ହୋଇଥିଲା । ଭିଜୁଆଲ ମିଡିୟମ କେଡେ ମହତ୍ତ୍ୱପୂର୍ଣ୍ଣ ସେ ମୋ ଫୋଟୋସବୁ ଦେଖି ଅନୁଭବ କରିଥିଲା ...ସମ୍ଭବତଃ, ତା ଜୀବନରେ ପ୍ରଥମ ଥର ।
"
-"ହଁ, ହୋଇ ଥାଇପାରେ",
ବୈଜୟନ୍ତୀ ସମ୍ମତି ସୂଚକ ମୁଣ୍ଡ ହଲାଇଲା ।
ମୋ କଥା ବୈଜୟନ୍ତୀ ଦ୍ୱାରା ଗ୍ରହଣୀୟ ହେଉଥିବାର ଦେଖି ଉତ୍ସାହିତ ହୋଇ ମୁଁ କହିଲି,
"ଏହା ଛଡା ପଢିବା ପାଇଁ କେତୋଟି ଭଲ ଫୋଟୋଗ୍ରାଫି ବହିର ନାଆଁ ତାକୁ ସଜେଷ୍ଟ୍ କରିଥିଲି "
ଏଇ ପଦକ ବୈଜୟନ୍ତୀକୁ ରୁଚିଲା ନାହିଁ ଯେପରି । ମତେ ହଠାତ ରୋକି ଦେଇ କହିଲା,
"ମୋ ଜାଣିବାରେ ଲଷ୍ମୀ ଯେପରି ଝିଅ ସେ କୌଣସି ବହି ପଢିଥିବ, ତାହା ଅନୁମାନ କରି ହୁଏନି !"
ଶବ୍ଦ କରି ହସିଲି ମୁଁ । ବୈଜୟନ୍ତୀ କହୁଥିବା କଥାରେ ଅନେକ ସତ୍ୟତା ଥିଲା । ଯେଉଁ କାଗଜରେ ମୁଁ ଫୋଟୋଗ୍ରାଫି ବହିଗୁଡିକର ସୂଚୀ କେତେଥର ଲେଖିକରି ଦେଇଥିଲି, ସବୁଥର ଲକ୍ଷ୍ମୀ ତାହା ନ ନେଇ ମୋ ଟେବୁଲ ଉପରେ ଛାଡି ଚାଲି ଯାଉଥିଲା ।
ବୈଜୟନ୍ତୀ ଆଉ ମୋ ଭିତରେ ନିକଟତା ଟିକିଏ ବଢି ସାରିଥିଲା। ଏଇଟା ଏତେ ବଡ଼ କଥା ନୁହେଁ । ଏହିପରି ସମାରୋହକୁ କଳାକାରମାନେ ଆସିଥିଲା ବେଳେ କିଛି ଘନିଷ୍ଠତା ସାଥି କଳାକାରଙ୍କ ସହ ହୋଇଥାଏ । ସମସ୍ତେ ଜାଣି ଥାଆନ୍ତି, ଗୋଟିଏ ଦୁଇଦିନ ପରେ ସମସ୍ତେ ନିଜ ନିଜ ରାସ୍ତାରେ ଚାଲିଯିବେ ।
କଥାରେ କଥାରେ ଲକ୍ଷ୍ମୀ ପ୍ରତି ମୋର ଯେଉଁ ଦୁର୍ବଳତା ଥିଲା ତାହା ବୈଜୟନ୍ତୀ ଆଗରେ ପ୍ରକାଶ କଲି । ତାର କାର ଚଲେଇବା ନେଇ କେତେ ମୁଁ ଆକର୍ଷିତ ହୋଇଥିଲି ତାକୁ ସେ କଥା ବି କହିଲି । ବୈଜୟନ୍ତୀ ଠୋ ଠୋ ହୋଇ ହସି ଉଠିଲା । କହିଲା,
" ଭଲ ହୋଇଛି କାର ଡ୍ରାଇଭିଂକୁ ଆପଣ ନିଜର ଗମ୍ଭୀର ଅଭିରୁଚି ହିସାବରେ ନେଇନାହାନ୍ତି ...ଆପଣ ଜାଣିଛନ୍ତି , ଲକ୍ଷ୍ମୀ ପରି ମୋର ବି ଡ୍ରାଇଭିଂରେ ବଡ଼ ସୌକ ଥିଲା । ଏହି ଗଲା ବର୍ଷ ବହୁତ ବଡ଼ ଆକ୍ସିଡେଣ୍ଟ କରିଥିଲି ହାଇଦ୍ରାବାଦରେ । ଏବେ ରଡ଼ଟିଏ ପଶିଛି ମୋ ଗୋଡ଼ ଭିତରେ ।"
ମୁଁ ଆଶ୍ଚର୍ଯ୍ୟ ହେଲି । ବୈଜୟନ୍ତୀର ହସରେ ଭୟର ଲେଶ ମାତ୍ର ସଂକେତ ନ ଥିଲା ।
ବୈଜୟନ୍ତୀ ବାହା ହୋଇଛି କି ନା ପଚାରିବାକୁ ସଂକୋଚ ହେଉଥିଲା । ପରୋକ୍ଷ ପ୍ରଶ୍ନଟିଏ ପଚାରି ଦେଲି,
"କେତୋଟି ପୁଅ ଝିଅ ତୁମର ?"
ସିଏ ଜୋର କରି ହସି ଉଠିଲା । କହିଲା, "ମୋର ଗୋଟିଏ ପୁଅ ଅଛି । ତା ନାଁ ଡେ଼କ୍ସଟର ।" ମୋ ମୁହଁରେ ଆବା କାବା ଭାବ ଦେଖି ସେ ଆହୁରି ଜୋରରେ ହସି କହିଲା, "ନା, ସେଇଟା ମୋ ପୋଷା ଅଣ୍ଡିରା ବିଲେଇର ନାଁଆ "
ଏଥର ମୁଁ ସିଧା ପ୍ରଶ୍ନ କଲି,
"ତୁମେ ବାହା ହୋଇ ନାହଁ ?"
"ନା, ଏଇ ଫୋଟୋଗ୍ରାଫି କରିବାର ପାଗଳାମିରେ ସମୟ କେଉଁଠି ମିଳିଲା ବାହା ହେବା ପାଇଁ
"
"ସତ କୁହ । ଏତେ ସୁନ୍ଦର ହୋଇ
....."
ମୋ କଥାକୁ ମଝିରେ କାଟି କହିଲା,
"ଆରେ ସବୁ ଗୁଡାକ ପ୍ରୋପୋଜାଲ ଘଟିଆ ଥିଲା ...ଭିକାରୀ ଥିଲେ ସବୁ । ଲକ୍ଷ୍ମୀ ପରି ଯଦି ସେହି "କୋକୋନଟ କିଙ୍ଗ"ର ପ୍ରସ୍ତାବ ଆସିଥାଆନ୍ତା ମୁଁ ଏକା ଥରକେ ହଁ କରି ଥାଆନ୍ତି "
ନିଶାରେ ଥିଲେ ବି ବୈଜୟନ୍ତୀ କଥା କହିଲା ବେଳେ ସୁନ୍ଦର ହସଟିଏ ମୁହଁରେ ଫୁଟାଇ ରଖୁଥିଲା । ମୁଁ କିନ୍ତୁ ବୈଜୟନ୍ତୀର ଆକ୍ସିଡେଣ୍ଟ ପାଇଁ ଟିକେ ଦୁଃଖିତ ଥିଲି । ତା ହସରେ ଲୁଚି ରହିଥିବା ତା ଗୋଡ଼ରେ ପଶିଥିବା ଷ୍ଟିଲ ରଡର ପୀଡାକୁ ଅନୁଭବ କରୁଥିଲି ।
ସଂଜ ହୋଇ ଆସୁଥିଲା । ବଂଜାରା ହିଲସରେ ଅବସ୍ଥିତ ହୋଟେଲର ଏକାଦଶ ମହଲାର ବାଲକୋନିରୁ ଆମେ ଦୁହେଁ ଧୂଆଁଳିଆ ଚକ୍ରବାଳ ଆଡେ ଲକ୍ଷ୍ୟ ରଖିଥିଲୁ। ଅସ୍ତଗାମୀ ସୂର୍ଯ୍ୟର ବର୍ଣ୍ଣଛଟା ତଳେ ହାଇଦ୍ରାବାଦ ସହରର ଗୋଟିଏ ପାନୋରାମିକ ଫୋଟୋ ପାଇଁ ବୈଜୟନ୍ତୀରର ବହୁମୂଲ୍ୟ କ୍ୟାମେରା ଉଠାଇନେଇ ଜୂମ କରୁଥିଲି ଦିଗନ୍ତ ଆଡେ । ବୈଜୟନ୍ତୀ ମୋ କାନ୍ଧରେ ହାତ ରଖି ଛିଡା ହୋଇଥିଲା ପଛରେ । କହୁଥିଲା
"ଏତେ ଦାମୀ କ୍ୟାମେରା ତୁମ ପରି ଫୋଟୋଗ୍ରାଫର ହାତରେ ଶୋଭା ପାଉଛି । ମୁଁ ମୂର୍ଖ ଗୋଟିଏ ଅହେତୁକ ଜିଦ ନେଇ ଏତେ ବଡ ହାତୀକୁ କିଣିଛି ଯାହା "
ବୈଜୟନ୍ତୀ ସହ କଥା ହେଉଥିଲା ବେଳେ ଅଦିତିର ଫୋନ ଆସିଲା । ତା ଆଡ଼କୁ ଲକ୍ଷ୍ୟ କରି
"ମାୟ ୱାଇଫ ଅଦିତି' କହି ଫୋନ ଉଠାଇଲି । ଅଦିତି ମୋର ଭୋପାଳ ଫେରିବାର ସମୟ ଜାଣିବାକୁ ଚାହୁଁଥିଲା । ଟିକିଏ ଯେମିତି ହତପ୍ରଭ ହୋଇପଡିଲା ବୈଜୟନ୍ତୀ । ନିଜ କ୍ୟାମେରାକୁ ଗୋଟାଇବା ବେଳେ ତାର ଅନ୍ୟମନସ୍କତା ବାରି ହେଉଥିଲା । ଡ୍ରିଂକ୍ସ ପାଇଁ ଧନ୍ୟବାଦ ଜଣାଇ ଏଥର ବୈଜୟନ୍ତୀ ମୋ ଠାରୁ ବିଦାୟ ମାଗିଲା । ଅଧଘଣ୍ଟା ପରେ ଡିନରରେ ଯୋଗ କରିବା ପାଇଁ କହିବାରୁ ନିଜର ଅନିଚ୍ଛା ପ୍ରକାଶ କଲା । ଏତିକି କହିଦେଲା ଯେ ସେ ରୁମକୁ ମଗାଇ କିଛି ଖାଇନେବ ।
ସେଦିନ ରାତିରେ ମୁଁ ଇଣ୍ଟରକମ ଦ୍ୱାରା ବୈଜୟନ୍ତୀକୁ ପଚାରିଥିଲି ଲକ୍ଷ୍ମୀ ବିଷୟରେ ।
ଆଖିରେ ଆଖିଏ ନିଦ ଥିବା କଣ୍ଠରେ ସେ କହିଥିଲା "ଡୋଣ୍ଟ ୱରୀ ମ୍ୟାନ, ସି ଶାଲ ଜଏନ ଅସ ଟୁମରୋ । ଗୁଡ଼ ନାଇଟ"
ଦ୍ଵିତୀୟ ଦିନର ଫୋଟୋଗ୍ରାଫିକ ସମାରୋହ ଯଥା ସମୟ ଆରମ୍ଭ ହେଲା । ମୋ ଆଖି ଖୋଜି ବୁଲୁଥିଲା ଲକ୍ଷ୍ମୀ ନାମ୍ନୀ ମହିଳା ଜଣକୁ । ନିଶ୍ଚିତ ରୂପରେ ପୁରା ହଲରେ ବସିଥିବା ମହିଳା ମାନଙ୍କ ଭିତରେ ମୋ ଜାଣିଥିବା ଲକ୍ଷ୍ମୀ ନ ଥିଲା। ସ୍ଥିର କରିନେଲି, 'ଫେସନ ଆଣ୍ଡ ଟ୍ରିକ ଫୋଟୋଗ୍ରାଫି' ଶୃଙ୍ଖଳାରେ ଦ୍ଵିତୀୟ ପୁରସ୍କାର ଜିତିଥିବା ଲକ୍ଷ୍ମୀ ପେରୀ ରାଓ ଆଉ କେଉଁ ମହିଳା ହୋଇଥିବେ । ହଲ ଭିତରେ ବୈଜୟନ୍ତୀକୁ ଖୋଜିଲି ତା ବିଷୟରେ ପଚାରିବାକୁ। ସେ ନ ଥିଲା । ମନେ ପଡ଼ିଲା ତାକୁ ଦିନ ତିନିଟା ବେଳର ଅପରାହ୍ନ ଫ୍ଲାଇଟ ଧରିବାର ଥିଲା ।
ଏକ ପୁରୁଣା ସ୍ମୃତି ସହ ସାକ୍ଷାତକାର ହେବାର ଯେଉଁ ଅବୈଧ ରୋମାଞ୍ଚ ମୋ ମନରେ ଜନ୍ମ ନେଇ ସାରିଥିଲା ତାକୁ ଏବେ ଶୁଷ୍କ ବିସର୍ଜନ କରିବାର ବେଳ ଆସଯାଇଥିଲା । ମୁଁ ମୋ ପୁରସ୍କାର ବଡ଼ ନିରସ ମନରେ ଗ୍ରହଣ କଲି ।ଭାବୁଥିଲି ଲକ୍ଷ୍ମୀ ଥିଲେ ଖୁସି ହୋଇଥାନ୍ତା ନିଶ୍ଚୟ । ଏବେ 'ଫେସନ ଆଣ୍ଡ ଟ୍ରିକ ଫୋଟୋଗ୍ରାଫି' ର ପୁରସ୍କାର ବିତରଣ ହେବ ।ପ୍ରଥମ ପୁରସ୍କାର ପରେ ତା ନାଆଁ ଆସିବ ।ଦୁଇ ମିନିଟରେ ଜଣା ପଡିଯିବ ସବୁକିଛି ।ଯେତେବେଳେ ପୁରସ୍କାର ବିତରଣ ପାଇଁ ଲକ୍ଷ୍ମୀର ନାଆଁ ଘୋଷଣା ଆରମ୍ଭ ହେଲା, ସେତେବେଳେ ପ୍ରଦର୍ଶନୀ ହଲର ମୂଖ୍ୟ ଦରୱାଜା ଦେଇ ସୁଦର୍ଶନା ମହିଳା ଜଣେ ପ୍ରବେଶ କଲେ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ପରି ଟାଇଟ ଜିନ୍ସ ଆଉ ଚିପା ଡ୍ରେସ ପିନ୍ଧିଥିଲେ ଦେହରେ -ଠିକ ବୈଜୟନ୍ତୀ ଦେଖାଇଥିବା ଫୋଟୋରେ ଥିବା ଲକ୍ଷ୍ମୀ ପରି । ହାଇ ହିଲ ଜୋତାର ଠକ ଠକ ଶବ୍ଦ ଅନାବଶ୍ୟକ ରୂପରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ନ କରୁ ସେଇଥିପାଇଁ ନିୟନ୍ତ୍ରିତ ଢଙ୍ଗରେ ହଲ ଭିତରେ ଚାଲୁଥିଲେ ସେ ।
"ଇଏ, ଲକ୍ଷ୍ମୀ ନୁହେଁ ତ ?"
ଏଥର ମତେ ନ ପଚାରି ମନରେ ଏକ ଅଦ୍ଭୁତ ପ୍ରତ୍ୟୟ ଜାଗି ସାରିଥିଲା । ବିସର୍ଜିତ ହେବାକୁ ବସିଥିବା ରୋମାଞ୍ଚ ପୁଣି ଜିଇ ଉଠିଥିଲା ମନର ଅଲୋଡା କୋଣରୁ । ଯେମିତି ଲକ୍ଷ୍ମୀ ଆଗରୁ ସବୁ କିଛି ଜାଣିଥିଲା । ଡେଲିଗେଟମାନେ ବସିଥିବା ଧାଡି ଗୁଡିକୁ ଅତିକ୍ରମ କରି ସିଧା ପହଞ୍ଚି ଗଲା ମୋ ପାଖରେ । ସ୍ମିତ ହସି ହ୍ୟାଣ୍ଡ ସେକ ପାଇଁ ହାତ ବଢ଼ାଇ ଦେଲା ମୋ ଆଡେ । ନିଜର ଲମ୍ବା ଜ୍ୟାକେଟ ଆଉ ଭ୍ୟାନିଟି ବ୍ୟାଗ ମୋ ପାଖ ସିଟରେ ରଖିଦେଇ ସେ ତରବର ହୋଇ ଚାଲିଗଲା ଷ୍ଟେଜ ଆଡେ - ପୁରସ୍କାର ନେବା ପାଇଁ।
ଲକ୍ଷ୍ମୀ ଆଉ ଆଗ ଲକ୍ଷ୍ମୀ ନ ଥିଲା । ସୁନ୍ଦର ପରିପୂର୍ଣ୍ଣ ଯୌବନ ସଜେଇ ଦେଇଥିଲା ତା ଦେହକୁ । ତା ହସରେ କେମିତି କିଛି ଅଧୁରା ରହିଯାଇଥିବାର ଭାବ ସ୍ପଷ୍ଟ ପଢି ହେଉଥିଲା ଯାହା ତାକୁ ଏତେ କମନୀୟ କରି ତୋଳିଥିଲା । ମୁଁ ଆଶ୍ଚର୍ଯ୍ୟ ହେଉଥିଲି, ବିଗତ ପାଞ୍ଚ ବର୍ଷ ଭିତରେ କେତେ ପରିବର୍ତ୍ତନ ହୋଇ ସାରିଥିବ । କୌଣସି ପ୍ରକାର ଭାବର ଆଦାନ ପ୍ରଦାନ ନ ହୋଇ ମଧ୍ୟ ଆତ୍ମୀୟତା ବଞ୍ଚି ରହିଥିଲା ଆମ ଭିତରେ । ଖରାପ ଲାଗୁଥିଲା, ମୋ ବାହାଘରରେ ରାଓବାବୁଙ୍କ ପରିବାରର କାହାକୁ ବି ନିମନ୍ତ୍ରିତ କରି ଡାକି ନ ଥିଲି ଦିଲ୍ଲୀକୁ । ମିନିଷ୍ଟ୍ରୀ ରେ କାମ କରୁଥିବା ସୀମିତ ଲୋକ ହିଁ ସେହି ବାହାଘରରେ ସମ୍ମିଳିତ ହୋଇଥିଲେ । ସବୁଠୁଁ ବଡ଼ ଭୁଲଥିଲା ଦିଲ୍ଲୀରୁ ଫେରିବା ପରେ ଦୁଇମାସ ହୋଇ ଯାଇଥିଲେହେଁ ମୁଁ ଫୋନଟିଏ ବି କରି ନ ଥିଲି ରାଓ ପରିବାରକୁ ।
ଷ୍ଟେଜ ଆଡେ ଚାହିଁଲି । ଲକ୍ଷ୍ମୀ ଜିତିଥିବା ଟ୍ରଫିକୁ ଉପରକୁ ଉଠାଇ ଫୋଟୋଗ୍ରାଫ ପାଇଁ ପୋଜ ଦେଉଥିଲା । ମୁଁ ଜିତିଥିବା ଟ୍ରଫି ପାଖ ଚେୟାରରେ ଅଲୋଡା ଅର୍ଥହୀନ ବସ୍ତୁଟିଏ ମାତ୍ର ହୋଇ ପଡ଼ିଥିଲା । ମୁଁ ଅପଲକ ନୟନରେ ଚାହିଁ ରହିଥିଲି ମୋର ସେହି ସ୍ମିତ ହସ ହସୁଥିବା ଜିଅନ୍ତା ଟ୍ରଫିଟି ଆଡେ । ବହୁତ କଥା ହେବାର ଅଛି ତା ସହ ।
ଲକ୍ଷ୍ମୀର ଫୋଟୋଗ୍ରାଫିକ କମ୍ୟୁନିଟିରେ ବହୁତ ସାଙ୍ଗଥିଲେ । ସେ ସେମାନଙ୍କ ସହ କଥା ହେଉଥିଲା ହସି ହସି । ମୁଁ ଚେୟାରରେ ବସି ରହିଥିଲି - ଯେମିତି ତାର ଭ୍ୟାନିଟି ବ୍ୟାଗ ଆଉ ଜ୍ୟାକେଟ ଜଗିବାର ଅଯାଚିତ ବନ୍ଧୁସୁଲଭ ସେବା ଦେଉଥିଲି ।
ଏଥର ଲକ୍ଷ୍ମୀ ତାର ସେହି ପୂର୍ବ ପରିଚିତ ହସ ହସି ମୋ ଆଡ଼କୁ ଆସିଲା । ତା ଜ୍ୟାକେଟ ଉଠାଇଲା ବେଳେ ଲାଗିଲା ପାଞ୍ଚ ବର୍ଷ ପୂର୍ବର ସେହି ଲକ୍ଷ୍ମୀ । ତା ଭିତରେ କ୍ଷଣିକ ପାଇଁ ସେହି ପୁରୁଣା ଦିନର ଚଞ୍ଚଳତା ଆଉ ଉତ୍ସାହ ଫେରି ଆସିଥିଲା ଯେମିତି ।
"ଚେନ୍ନାଇ ଫୋଟୋଫେଷ୍ଟ ରେ ଦେଖା ହେବ", କହି ସେ ହୋଟେଲର ବାହାର ଖିଲାଣ ଆଡକୁ ଅଗ୍ରସର ହେଲା । ମୁଁ ପଛରେ ଅନୁସରଣ କରୁଥିବା ଜାଣି ପାରି ଚାଲୁ ଚାଲୁ ପାଞ୍ଚ ସେକେଣ୍ଡ ପାଇଁ ଠିଆ ହୋଇଗଲା ସେ । ମୁଁ ତା ମୁହଁକୁ ଦେଖିଲି । ଟିକିଏ ଆଗରୁ ଦେଖିଥିବା ଚଞ୍ଚଳତା ଆଉ ଉନ୍ମାଦ ଭାବ ଯେମିତି ଉଭେଇ ଯାଇଥିଲା ସେ ଆଖିରୁ । ତା ଆଖି ପରଦାର ସାତଟି କାନ୍ଥ ପଛରେ ଯେମିତି ବନ୍ଧ ଭାଙ୍ଗିବାକୁ ଉଦ୍ୟତ ହେଉଥିଲା ଲୁହର ହୀରାକୁଦଟିଏ । ତା ପାପୁଲିକୁ ସ୍ନେହରେ ଜାବୁଡି ଧରିବା ପୂର୍ବରୁ ସେ କାରରେ ବସି ସାରିଥିଲା । ବସୁ ବସୁ କହିଲା, "ମୁଁ ଆପଣଙ୍କ ବିଲ କ୍ଲିଅର କରିଦେଇଛି" । ଏବେ ବଡ଼ ଅସମ୍ଭବ ଲାଗୁଥିଲା ଲକ୍ଷ୍ମୀ - ମୃତ ରାଓବାବୁଙ୍କ ଲାଗି ତାକୁ ସମବେଦନା ଜଣାଇବାକୁ ମୌକା ବି ଦେଲାନି ।
ଲକ୍ଷ୍ମୀ ଗଲା ପରେ ମତେ ଲାଗୁଥିଲା - ଜୀବନ ଯେମିତି କେବଳ ରଙ୍ଗର ଭ୍ରମ । ମୋ ପାଇଁ ଲକ୍ଷ୍ମୀ ଚିତ୍ରଟିଏ ହୋଇ ଆସିଥିଲା ତାର ପରିଚୟ ଦେବାକୁ । ଗୋଟିଏ କାହାଣୀକୁ ରଙ୍ଗରେ ପୋତିଦେଇ ସତରେ କେଡେ ସହଜରେ ଆଙ୍କିହେବ ନୂଆ ଚିତ୍ରଟିଏ ଏଇ ଜୀବନର ବିରାଟ କାନଭାସ୍ ଉପରେ ! କେହି ଦେଖିବାକୁ ନ ଥିବେ ତା ଭିତରେ ଛୁପି ଯାଇଥିବା ଲୁହର ଅନେକ ବ୍ରଶ ଷ୍ଟ୍ରୋକ ସବୁକୁ । ଭଲ ଭାବରେ ଲୁଚି ନ ଥିବା ଚରିତ୍ରମାନେ ରଙ୍ଗତଳେ ପୋତି ହୋଇ ବୁକୁଫଟା ଚିତ୍କାର କରୁଥିବେ ଆଉ କେହି ବି ଶୁଣିବାକୁ ନ ଥିବେ ସେ ସବୁକୁ ।
ରିସିପ୍ସନକୁ ଫେରି ଆସି ଲଷ୍ମୀର ରୁମମେଟ ବୈଜୟନ୍ତୀର କଣ୍ଟାକ୍ଟ ନମ୍ବର ମ୍ୟାନେଜରଠୁଁ ମାଗିଲି । କ୍ଲାଏଣ୍ଟ ମାଷ୍ଟର ଡାଟାରେ ସେଭଳି କୌଣସି ନାଆଁ ନ ଥିଲା । ମୋ ସନ୍ଦେହ ଦୂର କରିବା ପାଇଁ ମ୍ୟାନେଜର ହୋଟେଲ ଗେଷ୍ଟ ରେଜିଷ୍ଟର ମୋ ଆଡକୁ ପେଲି ଦେଇ ଚାଆ ପିଇବାକୁ ଲାଗିଗଲେ । ମୁଁ ଦେଖିଲି,
K-703 ରୁମ ଆଗରେ କେବଳ ଲକ୍ଷ୍ମୀ ପେରୀ ରାଓଙ୍କ ନାଆଁ ଲେଖା ଥିଲା ।
ଖୋଲି ଦେଖୁଥିଲି ଲଷ୍ମୀ ମୋ ପାଇଁ ଛାଡି ଯାଇଥିବା ପ୍ୟାକେଟଟିକୁ ।
"ଏହା କେବଳ ତୁମ ପାଇଁ - ଛୋଟ ଗୁରୁ ଦକ୍ଷିଣା ଭାବି ରଖି ନେବ" - ହୋଟେଲ ଷ୍ଟେସନେରୀରୁ ଷ୍ଟିକରଟିଏ ନେଇ ତା ଉପରେ ଲଗା ଯାଇଥିଲା । ପ୍ୟାକେଟ ଭିତରେ ଲକ୍ଷ୍ମୀ କିଛି ଘଣ୍ଟା ପୂର୍ବରୁ ଜିତିଥିବା ଟ୍ରଫିଟି ଥିଲା । ଆଉ ତା ସହ ବୈଜୟନ୍ତୀ ଆଉ ତାର ଯୁଗଳ ଫୋଟୋଟି । ନିଜ ଭିତରେ କ୍ଷୁଦ୍ରରୁ କ୍ଷୁଦ୍ରତର ହେବାକୁ ଲାଗିଥିଲି ମୁଁ । ଅନ୍ତରାତ୍ମା ମତେ ପ୍ରଶ୍ନ କରିବାକୁ ଭୁଲୁ ନ ଥିଲା
" ତୁମେ ବି ତ ତା ଠାରୁ କିଛି ଶିଖିଥିଲ ?"
ହ୍ୟାଟ ହୋଟେଲର ଆଲୋକିତ ଲବି ଏରିଆରେ ଯେମିତି ନିଜ ବୁଢା ଆଙ୍ଗୁଠିକୁ ସୁରକ୍ଷିତ କରି କୁଣ୍ଠିତ ଏକଲବ୍ୟଟିଏ ହୋଇ ଠିଆ ହୋଇଥିଲି ମୁଁ । କୋଣରେ ସ୍ୟାଣ୍ଡଷ୍ଟୋନ ବୁଦ୍ଧଙ୍କ ବିଶାଳ ମୂର୍ତ୍ତି ସୌମ୍ୟ ହସ ହସୁଥିଲେ । କାରକୁ ପୋର୍ତିକୋରେ ପ୍ରତୀକ୍ଷା କଲାବେଳେ ଚାହିଁଲି ସହର ଆଡେ । ଦୂରତା ରକ୍ଷା କରି ବତୀଖୁଣ୍ଟ ଗୁଡିକରେ ଶୁଭ୍ର ଆଲୋକ ପୁଷ୍ପ ଗୋଟେ ପରେ ଗୋଟେ ଫୁଟି ସାରିଥିଲେ ; ଯେମିତି ଲକ୍ଷ୍ମୀଙ୍କ ଲେଉଟା ପାଦ ଚିହ୍ନ ପଡି ପଡି ଯାଇଥିଲା ହାଇଦ୍ରାବାଦ ମହାନଗର ଭିତରକୁ - ଆଖି ପାଇବା ପର୍ଯ୍ୟନ୍ତ।
No comments:
Post a Comment