ସ୍ବପ୍ନ ସାଜେ ଏଠି ମରୀଚିକା ପୁଣି
ଆଶା ବଲୁରୀର ବସା
ସ୍ୱାର୍ଥର ଜୁଇରେ ପାଉଁଶ ହୋଇଛି
ବଞ୍ଚି ରହିବାର ନିଶା
ରାଜନୀତି ଲୋକହସା
ରାମ ରାଜ୍ୟେ ନିତି ଚାଲିଅଛି ପୁଣି
ପ୍ରଗତିର ଅଙ୍କକଷା
ଶାନ୍ତି ଶୋଇଅଛି ଗଭୀର ନିଦରେ
ମୁକ୍ତି ସାଜେ ପ୍ରଶ୍ନବାଚୀ
କଷଣ କାଗଜେ ଲେଖା ହୁଏ ଆଜି
ଗରିବର ଭାଗ୍ୟ ସୂଚୀ
ପ୍ରଗତି ଯାଇଛି ଲୁଚି
ରାମ ରାଜ୍ୟ ଆଜି ଗମ୍ଭୀରେ କହୁଛି
ଆଉ କିଛି ବାକି ଅଛି
ହିଂସାର କୁହୁଡି ଯାଇଅଛି ମାଡି
ଅହିଂସା ଆକାଶ ସାରା
ନୂଆ ସୂର୍ଯ୍ୟୋଦୟ ପରିହାସ ଏଠି
ସାତ ସପନ ଯେ ଖରା
ରାମ ରାଜ୍ୟର ନାଗରା
ସକାଳରୁ ସଞ୍ଜ ନିତି ବାଜୁଅଛି
ବିଶ୍ୱାସ ଯେ ବାସହରା
ଶୋଷଣର ଶୋଷ ଦିନୁଁ ଦିନ ବଢେ
ସର୍ବଗ୍ରାସୀ ଲକ୍ଷ୍ୟ ନେଇ
ଭୋକର ଭୂଗୋଳ ଚାହିଁ ବସିଅଛି
ନୂଆ ମାନଚିତ୍ର ପାଇଁ
ସତ୍ୟ ଚାଲେ ଡେଇଁ ଡେଇଁ
ପ୍ରତିଶୃତି ଆଉ ପ୍ରତୀକ୍ଷା କଣ୍ଟାରେ
ପ୍ରତିକ୍ରିୟା ହୀନ ଭୂଇଁ
ଶେଷ ଦୃଶ୍ୟ ହୀନ ନାଟକ ତ ଇଏ
ଅନ୍ତ କିଏ ପାରେ କହି
ଅସ୍ପଷ୍ଟ ଅକ୍ଷରେ ରାମାୟଣ ଏଠି
ନନା ଗୋସେଇଁଙ୍କ ବହି
ରାମ ରାଜ୍ୟ ଏଠି କାହିଁ
ତଥାପି ଅନ୍ତର ସାଜିଛି ଅଯୋଧ୍ୟା
ନୂଆ ରାମ ରାଜ୍ୟ ପାଇଁ
ବାଲେଶ୍ୱର
No comments:
Post a Comment