🖊କବିରତ୍ନ ନୂତନ କୁମାର ବେହେରା
ଉଡିଗଲେ ପକ୍ଷୀ ଛାଡି ଯାଏ ବସା
ସଂଜକୁ ଆସଇ ଫେରି,
ଯେତେ ଦୂରେ ଉଡୁ ଖୋଜି ବୁଲୁଥାଏ
ଖାଦ୍ୟକୁ ନଜର କରି।
ଦୂର ଆକାଶର ସୀମାରେଖା ଡେଇଁ
ଉଡିଯାଏ ପରଦେଶ,
ପ୍ରବାସରେ ରହି ପେଟ ପୋଷୁଥାଏ
କରେନା କେବେ ଅଳସ।
ଋତୁ ଅନୁଯାୟୀ କରି ପରିକ୍ରମା
ପାଉଥାଏ ସେ ଆନନ୍ଦ,
ଜନମ ମାଟିକୁ ଫେରି ଆସେ ଯେବେ
ଦୂର ହୁଏ ଅବସାଦ।
ମଣିଷ ଜୀବନ ପକ୍ଷୀର ସମାନ
ସ୍ଥାୟୀ ନୁହେଁ ଏକ ସ୍ଥାନେ,
ନିଜର ଜୀବିକା ନିର୍ବାହ କରି ସେ
ଭ୍ରମୁ ଥାଏ ଅନୁକ୍ଷଣେ।
ଯିଏ ଥାଉ ଯେତେ ଦୂରେ କି ନିକଟେ
ଆପଣାର ପ୍ରିୟଜନ,
ମମତାର ଡୋରେ ବନ୍ଧା ହୋଇ ଥିଲେ
ହୃଦେ ଥାଏ ତାର ସ୍ଥାନ।
ଉଡିଗଲା ପକ୍ଷୀ ହୁଏ ସିଏ ଯିଏ
ଫେରି ଆସେ ନାହିଁ କେବେ,
ନିଜ ସ୍ଵାର୍ଥ ପାଇଁ ଭୁଲି ଯାଇ ସବୁ
ପର ହୋଇ ଯାଏ ଭବେ।
ଏ ଶରୀର ଘଟେ ମନ ଅଟେ ପକ୍ଷୀ
କାମନା ଆକାଶେ ଉଡେ,
ମୋହମାୟା ବଶେ ହେଲେ ସିଏ ଦାସ
ସଂପର୍କ ସବୁ ଉଜାଡେ।
ଜୀବାତ୍ମା ରୂପରେ ମନ ଉଡା ପକ୍ଷୀ
ସଂସାର ବନ୍ଧନେ ରହେ,
ଚାଲି ଗଲେ ପ୍ରାଣ ଫେରି ଆସେ ନାହିଁ
କେବେ ଆଉ ଏଇ ଦେହେ।
ଶରୀର ପଞ୍ଜୁରୀ ରଖି ତାର ଶିରୀ
ଆତ୍ମାର କରେ ସଂସ୍କାର,
ଜୀବନ ସାର୍ଥକ କରିବାକୁ ବସା
ବାନ୍ଧେ ଜନ୍ମ ଜନ୍ମାନ୍ତର।
-=- -=- -=- -=- -=-
ବାରିପଦା,
No comments:
Post a Comment