Saturday, April 3, 2021

କବିତାଟିଏ

 ଡ. ଶ୍ୟାମା ପ୍ରସାଦ ମିଶ୍ର

କବିତାଟିଏ-
ତାରାଙ୍କ ଆଖି ମିଟିକାରେ 
ଛନ୍ଦାଇତ
କୁନି ଝିଅର ହସଟିଏ,
କବିତାଟିଏ-
ଜହ୍ନ ଦେହେ ଭର୍ତ୍ତି ଭର୍ତ୍ତି
ଯୌବନ ପ୍ରାପ୍ତି ଝିଅଟିର
ସ୍ବପ୍ନ ଭରା ରାତିଟିଏ ।
କବିତାଟିଏ-
ମହାଶୂନ୍ୟର ପେଟଚିରି
ଉଙ୍କି ମାରୁଥିବା ବାଦଲର 
ନିସଙ୍ଗ ଜୀବନର
ଛନ୍ଦାଇତ କାହାଣୀଟିଏ,
କବିତାଟିଏ-
ଅଦିନିଆ ବର୍ଷାର
କମାଣ ଗର୍ଜନ ଭିତରେ
ମଉଳି ଯାଉଥିବା
ଶ୍ୱାସରୁଦ୍ଧ ଜୀବନର 
ଛନ୍ଦହୀନ ଗୀତଟିଏ ।
କବିତାଟିଏ-
ପ୍ରତିଧ୍ୱନୀ ହୋଇ
ଫେରି ଆସୁଥିବା ଜୀବନର
ଅଦୃଶ୍ୟ କାହାଣୀଟିଏ,
କବିତାଟିଏ-
ଆକାଶର ନିରବ ଛାତିରେ
ହଜି ହଜି ଯାଉଥିବା
ସ୍ମୃତିର କାନଭାସଟିଏ ।
             🔅
                  ବ୍ରହ୍ମପୁର, ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy