✍ଶିଶିର କୁମାର ସ୍ଵାଇଁ
ସର୍ବ ନରନାରୀ
ରାତ୍ରିର ଅନ୍ଧାରକୁ ଡରି,
ଅପେକ୍ଷା କରନ୍ତି
ସକାଳର ଆଗମନେ ,
ହସିବେ ସବିତା,
ହସିବ ସଂସାର
ଆଉ ଭାଙ୍ଗିଯିବ
ରାତ୍ରି ନୀରବତା II
କିନ୍ତୁ, ଛିଣ୍ଡା ପଲିଥିନର ଛାତ ତଳେ
ଗଭୀର ନିଦ୍ରାରେ ଶୋଇଥିବା
ଅର୍ଦ୍ଧ ଲଗ୍ନ ଗରୀବ ବାପ ଟା
ମନେ ମନେ ଈଶ୍ଵରଙ୍କୁ ଡାକେ
ନ ହଟୁ ଏ ଅନ୍ଧାର,
ଏ ଅନ୍ଧାର ପରା ତା'ର
ଅତି ନିଜର I
କାଗଜ କାର୍ଟୁନ୍ ର ତୂଳୀ ତଳ୍ପ ଶେଜରେ
ସ୍ତ୍ରୀ, ପିଲା ସବୁ
ଶୋଇଛନ୍ତି ଶାନ୍ତିରେ,
ନା ଭୋକର ପୀଡା,
ନା ଗରୀବର ବେଦନା,
ସବୁ କିଛି ଲୁପ୍ତ
ସେହି ମୁଦ୍ରିତ ଆଖିରେ I
କିନ୍ତୁ ଏ ରାତି ପାହିଲେ ,
ହଜିଯିବ ଗରୀବର ସୁଖ ,
ସୂର୍ଯ୍ୟଲୋକର ପ୍ରଖର ବେଗରେ
ମାଡ଼ି ଆସିବ
ଦୁଃଖ ହିଁ ଦୁଃଖ I
ଯୋଗାଡ଼ିବାକୁ ମୁଠାଏ ଆହାର
ପେଟ ପିଠି ଏକ କରି
ଲଢିବାକୁ ହେବ ମହା ସମର I
ପୁରୁଣା କସ୍ତାଟିକୁ ଦୁଇଭାଗ କରି
କଷ୍ଟେମଷ୍ଟେ ଦେହକୁ ଆବୃତ୍ତ କରି
ରାତିରେ ଶାନ୍ତିରେ ଶୋଇଥିବା
ସ୍ତୀ ଆଉ ଝିଅ
ରାତି ପାହିଲେ ହୋଇବେ ଶିକାର
କେତେ ଯେ ଲୋଲୁପ ଦୃଷ୍ଟିର I
ନିର୍ବିକାର ଶୋଇଥିବା
ଅବୁଝା ପୁଅ ଟା
ରାତି ପାହିଲେ ରାହା ଧରି କାନ୍ଦିବ
ବୋଉଲୋ ଭାରି ଭୋକ ହେଉଛି I
ଓଃ କି ଯନ୍ତ୍ରଣା ଦାୟକ
ଦିନର ସେ ପ୍ରତିଟି ମୁହୂର୍ତ୍ତ I
ନା ନା ନ ପାହୁ ଏ ରାତି,
ନ ହଜୁ ଗରୀବ ଶାନ୍ତି I
ଏ ରାତି ପରା
ତାର ନିଜର, ଅତି ନିଜର
ନିବିଡ ସମ୍ପର୍କର ସାଥୀ II
No comments:
Post a Comment