Thursday, September 17, 2020

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର ଦିପଟ ଶଂଖା । 

ଆଖିର ଲୁହରେ ଲେଖୁଛି ଲେଖା ।। 

କହିବାକୁ ଅଛି ଅନେକ କଥା । 

ତରୁଣୀ ହୃଦୟେ ଭରିଛି ବ୍ୟଥା ।।

କାନ୍ଦି କାନ୍ଦି କହେ ଦୁଃଖ କାହାଣୀ । 

କଣ୍ଠରୁ ତାହାର ନସ୍ଫୁରେ ବାଣୀ ।।

ବସିଥାଏ ଦିନେ ବୃକ୍ଷ ଛାଇରେ । 

କାନି ଭିଜି ଯାଏ ଆଖି ଲୁହରେ ।।

ପାଶେ ଯାଇ ଯେବେ ପଚାରେ ଧୀରେ ।

ଥରିଲା ଅଧରେ କହେ କାତରେ ।।

ଶୀର୍ଷକ - ଟୋପାଏସିନ୍ଦୂର (ଗଳ୍ପ)

                     ସେଦିନ ବୈଶାଖର ନିଦାଘ ଖରା, ଝାଞ୍ଜି ପବନରେ ଦେହ ସିଝି ଯିବ ବିନୟବାବୁ ଘରକୁ ଫେରୁଥାନ୍ତି ଅଫିସରୁ ।  ସମୟ ପାଖା ପାଖି ମଧ୍ୟାହ୍ନ ଦେଢ଼ଟାରୁ ଦୁଇଟା ହେବ ଅଦୂରରୁ ଶୁଣିଲେ ଏକ ତରୁଣୀର କ୍ରନ୍ଦନ ସ୍ଵର । ରାସ୍ତାକଡ ଏକ ଝଙ୍କାଳିଆ ଆମ୍ବଗଛ । ପାଚିଲା ଆମ୍ଵରେ ମହ ମହ ବାସ୍ନାୟୀତ କିଛି ଝଡି ପଡ଼ି ଥାଏ ।  ଅଧା ଖିଆ ମାଙ୍କଡ଼ ଏବଂ ପକ୍ଷୀ ଙ୍କ ଅଇଁଠା । ସେହି ବୃକ୍ଷମୂଳକୁ ଆଉଜି ବସିଥାଏ ତରୁଣିଟିଏ । ଖାଲି ବସିଛି କହିଲେ ଭୁଲ ହେବ । କୌଣସି ଅକୁହା ବେଦନାରେ ତାର ଛାତି ଫଟାଇ କନ୍ଦୁ ଥାଏ । ଅସହାୟ ନିସ୍ଵ ପରି ମନେ ହେଉଥିଲା । ଉଦୁଉଦିଆ ଉଦାସିଆ ଖରା ବେଳଟି । କ୍ରନ୍ଦନର ରୋଳ  ତା ସାଥିରେ ତାଳ ଦେଇ ପ୍ରତିଧ୍ଵନିତ ହେଉଥାଏ । ମନେ ହେଉଥିଲା  ସେବି ଧୈର୍ଯ୍ୟହରା ହୋଇ ସମବେଦନା ଦେଲାପରି । 

                    ପଥିକ ବିନୟବାବୁଙ୍କ ପ୍ରୌଢ଼ ବୟସ ପାଖା ପାଖି ଅବସର ସମୟ ତେଣୂ ଉଦାସ ମନ । ତଥାପି ତାଙ୍କ ହୃଥୟ ତନ୍ତ୍ରୀ ଥରିଉଠିଲା । ନିର୍ବିବେକ ହୋଇନ ପାରି ସ୍କୁଟିଟିକୁ ଗଛ ଛାଇ ତଳେ ରଖିକି ତା ପାଖକୁ ଗଲେ । ଧୀର ଉଦାର କଣ୍ଠରେ ପଚାରିଲେ କିଏରେ ଝିଅତୁ, କ'ଣ ହୋଇଛି,କାହିଁକି ଏପରି ଏକ ନିଛାଟିଆ ଖରା ବେଳଟାରେ ଏମିତି ଏଠି ଗଛ ଛାଇ ତଳେ ବସି କାନ୍ଦୁଛୁ ,କ'ଣ ହୋଇଛି ତୋର । ଏକା ଥରକେ ଅନେକ ପ୍ରଶ୍ନ, ଉଚ୍ଛୁକତା ହୋଇ ପଚାରି ଦେଲେ ବିନୟବାବୁ । ବିଚାରୀ ତରୁଣୀ କେଉଁଠୁ ଆରମ୍ଭ କରିବ ବୁଝିପାରିଲା ନାହିଁ ,କାରଣ ତାର ଦୁଃଖର ଆରମ୍ଭ ଯେଉଁ ଶେଷବି ସେଇଠି । କ୍ରନ୍ଦନରୁ ସାମାନ୍ୟ ବିରତି ନେଇ କହିଲା ବାବୁ ମୋ ଦୁଃଖ ଶୁଣିବା ପାଇଁ ଆପଣଙ୍କ ସମୟ ଏବଂ ଧୈର୍ଯ୍ୟ ଅଛି ଶୁଣି ପାରିବେ ? ।

                    ଆପଣତ ବଡ଼ ଲୋକ ବାବୁ ତଳେ ବସିପାରିବେନାହିଁ ତେଣୁ ଗାଡ଼ିଟିକୁ ପାଖକୁ ନେଇ ଆସନ୍ତୁ ତା ଉପରେ ବସନ୍ତୁ । ନିଶବ୍ଦ ନିଛାଟିଆ ଖରା ବେଳ । ଭୋକବି ହେଲାଣି କ'ଣ କରିବେ ବାଧ୍ୟ ହୋଇ ସେୟାହିଁ କଲେ । ଭାବିଲେ ନିତିତ ଖାଉଛି ଦିନେ କ'ଣ ଭୋକ ସମ୍ଭାଳି ପାରିବି ନାହିଁ ? । ପୁଣି ବୟସର ଆପରାହ୍ନରେ ଏକ ତରୁଣୀ ସହିତ ଆଳାପ । ଯେ ଯାହା ଭାବୁଛି ଭାବୁପଛେ ଅବିବେକୀ ହୋଇପାରିବେ ନାହିଁ । ତେଣୁ ଗାଡ଼ିଟି ନିକଟକୁ ନେଇ ଆସି ତା ଉପରେ ବସିଲେ । ଏବଂ କହିଲେ ବର୍ତ୍ତମାନ କୁହ ,ତରୁଣୀର ତୋଟି ଶୁଖି ଯାଉ ଥାଏ ପାଟି ଅଠା ମାରିଯାଉଥିଲା  ପାଟିରୁ ବଚନ ନସ୍ଫୁରିବାରୁ ପାଖରେ ଥିବା ପାଣି ବୋତଲଟି ପିଇବାକୁ ଦେଲେ । ଏକ ନିଶ୍ଵାସରେ ବୋତଲଟି ସାରି ଦେଲା । ଟିକେ ସାଷ୍ଟାମ ହେଲା ପରେ ଦୀର୍ଘ ନିଶ୍ଵାସ ମାରି କହିଲା ।

                    "ବାବୁ, ଦୀର୍ଘ କୋଡିଏ ବର୍ଷ ତଳର କଥା ମୋତେ ସେତେବେଳେ ଚାରି ପାଞ୍ଚ ବର୍ଷ ହୋଇଥିବ ମା' ଅଜଣା ରୋଗରେ ଚାଲିଗଲା । ବାପା ଜଣେ ଶ୍ରମଜୀବୀ ଦୈନିକ ଖଟି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ମା' ଯେହେତୁ ରୁଗ୍ଣ ଥିଲା ତାର ଦେଖାଶୁଣା ଓଷ,ମସ୍ତି ପାଇଁ ପଇସା କାହିଁ ଯେ ଡାକ୍ତରକୁ ଦେଖେଇବୁ । ସେ ଯାହା ହେଉ ତାରତ ଆୟୁଷ କମଥିଲା ଆମେ ଅବା କିଏ ତାକୁ ରଖିବାକୁ । ମୁଁ ଏକ ମାତ୍ର ଝିଅ କ'ଣ କରିବେ ବାପା ଗୋଡ ନଚଳିଲେ ପେଟ ଚଳିବନି । ଯାହାଥିବ ଖାଇ ଖୁଆଇ ସେ କାମକୁ ଚାଲିଯାଆନ୍ତି । ମୁଁ ବି ଯାଏ ସ୍କୁଲକୁ ସମସ୍ତେ କହନ୍ତି ମୋର କୁଆଡେ ଭଲ ପାଠ ହେଉଥିଲା, ଅତି ଅଳ୍ପ ଦିନରେ ବର୍ଣ୍ଣମାଳା ସାରି ଯୁକ୍ତାକ୍ଷର,ଅଙ୍କ ଗଣତି ଏବଂ ଲେଖା ପଢା ସହ ପଚିଶ ଖେନ୍ଦା ପଣକିଆ ଅନର୍ଗଳ ଗାଇ ଯାଉଥିଲି । ଗୁରୁ ମାନେ ଆଉ ସାହି ପଡିଶା, ଗାଁ'ଲୋକେ ବଡ଼ ଆଦର ସ୍ନେହ କରୁଥାନ୍ତି । 

                   ଏହିପରି କିଛି ଦିନ ବିତିଗଲା । ଘର ଅଚଳ ବାପାଙ୍କ ଉପରେ ସବୁ କାମ ପଡ଼ିଲା କ'ଣକରିବେ । ସମସ୍ତେ ବାଧ୍ୟ କରିବାରୁ ଦ୍ଵିତୀୟ ବିବାହକଲେ । ସାବତ ମା' ପ୍ରଥମେ ପ୍ରଥମେତ ଆଦର ସ୍ନେହ କଲା  । ପରନ୍ତୁ କିଛିଦିନ ପରେ ମୋର ଭାଇଟିଏ ହେଲା । ତାପରେ ମୋ ଦୁଃଖର ସମୟ ଆସିଗଲା ମୋର ସବୁ ଦମ୍ଭ ଭାଙ୍ଗିଗଲା । ମାକୁ ହରାଇବାର ଦୁଃଖ ଠାରୁ ସାବତ ମା'ର ଅତ୍ୟାଚାର ଅତ୍ୟଧିକ ହେଲା । ପାଞ୍ଚ ଛଅ ବର୍ଷର ଛୋଟ ଶିଶୁଟିଏ । ମା' ପରେ ବାପା ସମସ୍ତ କାମ କରୁଥିଲେ କୂଟା ଖଣ୍ଡକ ବି ଦିଖଣ୍ଡ କରାଇ ଦେଇନଥିଲେ । କିନ୍ତୁ ଏଇ ସାବତ ମା'........ ଡାହାଣୀଠାରୁ ମଧ୍ୟ ବଳି ପଡ଼ିଲା ନିର୍ଯ୍ୟାତନାର ସୀମା ସରହଦ ଲଙ୍ଘନ କରି ଝାଡୁ ପ୍ରହାରରୁ ଆରମ୍ଭ କରି ନିଆଁ ଖୁଣ୍ଟା ଚେଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦଣ୍ଡ ଯାହାଥିଲା ସାରି ଦେଲା । ବୋଧ ହୁଏ ହିରଣ୍ୟ କଶ୍ୟପୁ ମଧ୍ୟ ପ୍ରହଲାଦକୁ ଏତେ ଦଣ୍ଡ ଦେଇନଥିବ । 

                    ମୋର ଗୋଟିଏ ଭୁଲଥିଲା ସମସ୍ତ କାମ ସତ୍ତ୍ଵେ ଲୁଚି ଲୁଚି ଯାଇ ପାଠ ପଢେ । ମୋ ଗୁରୁ ମାନେ ମୋତେ ବହୁତ ଭଲ ପାଉଥିଲେ । ମୋ ପାଠପଢା ସମସ୍ତ ଖର୍ଚ୍ଚ ସେମାନେ ତୁଲାଉଥିଲେ ଯେହେତୁ ମୋର ଭଲ ପାଠ ହେଉଥିଲା । ଶ୍ରେଣୀରେ ମଧ୍ୟ ପ୍ରଥମ ହେଉଥିଲି,ବୃତ୍ତି ବି ପାଉଥିଲି । କଷ୍ଟେ ମଷ୍ଟେ ହାଇସ୍କୁଲ ପଢା ସରିଲା  । ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେଲି ବୋର୍ଡ ପରୀକ୍ଷାରେ । କଲେଜରେ ପଢ଼ିବାର ପ୍ରବଳ ଇଚ୍ଛା ଥିଲା ବାପାଙ୍କ ଅଭାବ । ପରିବାରରେ ଦୁଇ ଭାଇ,ମାର ନିର୍ଯାତନା ପୁଣି କଲେଜ ଦୂରରେ । ଏତିକିରେ ମୋ ପାଠପଢ଼ାରେ ଡୋରୀ ବାନ୍ଧି ଦେଲି । ଗାଁ ପିଲାଙ୍କୁ ନେଇ ଟିୟୁସନ କଲି ଦୁଇ ପଇସା ରୋଜଗାର କଲି । ଘରୋଇ ଭାବେ ନିଜେ ପଢି, ପିଲାଙ୍କୁ ପଢାଇ ଯୁକ୍ତଦୁଇ ମଧ୍ୟ ସରିଗଲା । କିଛିଦିନ ପରେ ଏକ ଜହ୍ଲାଦ ଠକ୍ କେଉଁଠି ଥିଲା ଆମଗାଁ'ରେ ଆସି ଆଶ୍ରୟ ନେଲା ଆମ ପଡ଼ିଶା ଘରେ ରହିଲା । ମୋ ମା'କୁ ମିଛ ଛଳନାରେ ବଶିଭୂତ କରି ସହାନୁଭୂତି ଦେଖାଇ କିଛି ଆର୍ଥିକ ସାହାୟତାକଲା ।  ଆମ ଘରର ମୁରବି ସାଜି ଏତେ ବିଶ୍ଵସ୍ତ ହୋଗଲାଯେ କୋଉ ମା ତା ନିଜ ପୁଅକୁ ଏତେ ବିଶ୍ଵାସ କରିବନି । ମୋପାଇଁ ଚାକିରୀ କରେଇଦେବାର ବାହାନା କଲା । ମୋତେ ବିବାହ କରିବାର ମିଥ୍ୟା ପ୍ରତିଶ୍ରୂତି ଦେଇ ଶେଷରେ ସଫଳ ବି ହେଲା ।  ମୋ ମଥାର ଶିନ୍ଥାରେ ଟୋପାଏ ସିନ୍ଦୂର  ଏବଂ ଦିପଟ ଶଂଖା ନାଇ ଦେଲା । ସବୁଦିନ ପାଇଁ ପତ୍ନୀ ରୂପେ ରଖିବାକୁ ପ୍ରତିଜ୍ଞା କଲା । ମୋ ମା'ବି ସେୟା ଚାହୁଁଥିଲା ବିନା ଯୌତୁକ ,ବିନା ଖର୍ଚରେ ବିବାହ କାର୍ଯ୍ୟ ଶେଷ ହୋଇଗଲା  ।

                    ମୋତେ ସାଥରେ ନେଇ ତାଙ୍କ ଘରକୁ ଯିବାକୁ କହି  ମା ହାତରେ କିଛି ଟଙ୍କା ଧରେଇ ଦେଲା । ମୋ ମନରେ ଟିକେ ସନ୍ଦହ ଜାତ ହେଲା ,କିନ୍ତୁ କରିବି କ'ଣ । ସାତ ଜନମ ପାଇଁତ  ହୋମାନଳକୁ ସାକ୍ଷୀରଖି ବିବାହ କରିଛି । ମୋତେ ତାଙ୍କ ଗାଁକୁ ନନେଇ ଅନ୍ୟ ଏକ ଗାଁରେ ଭଡା ଘର ନେଇ ରହିଲା । ମନ ଭରି ମୋତେ ଉପଭୋଗ କଲା । ମୁଁ ଯେବେ ପଚାରିଲି ବିଭିନ୍ନ ବାହାନା କରି ମୋତେ ଭୁଲେଇବାକୁ ଚେଷ୍ଟା କଲା । ମୋତେ କାଳେ ତାଙ୍କ ଘର ଲୋକେ ଗ୍ରହଣ କରିବେ ନାହିଁ ତେଣୁ ଗାଁ କୁ ନଯାଇ ଏଇଠି ରହିବା । ମୁଁ କାହିଁକି ବୁଝିବି ତା ମନରେ ଏକ ବିରାଟ ଷଡ଼ଯନ୍ତ୍ର ଦାନା ବାନ୍ଧୁଛି ବୋଲି । 

                    କିଛି ଦିନ ପରେ ସେ ପ୍ରଚୁର ମଦ ପିଇ । ସାଥିରେ ତିନିଜଣ ଯୁବକ ସହ ଘରେ ପହଞ୍ଚିଲା । ରାତ୍ରି ସମୟ ମାଂସ ଆଣିଥିଲା ରୋଷେଇ କରିବାକୁ କହିଲା । ସମସ୍ତେ ଖାଇବେ ଏବଂ ଆଜି ରାତି ଏଇଠି ରହିବେ । କ'ଣ କରିବି ନିର୍ବୋଧ ଶିଶୁଟେ ପରି ସମସ୍ତ ଆଜ୍ଞା ପାଳନ କଲି । ଖାଇ ପିଇ ଶୋଇବାକୁ ଗଲେ । ଏଇଠୁ ଆରମ୍ଭ ହେଲା । ପ୍ରତାରଣା,ଛଳନା ଟୋପାଏ ସିନ୍ଦୂରର ମୂଲ୍ୟ,କେତେ କଳଙ୍କିତ । ତାର ଆସଲ ସ୍ଵରୂପ ଜାଣିବାକୁ ମୋତେ ବହୁତ ସମୟ ଲାଗିଲା ନାହିଁ । ରାକ୍ଷସ ମାନଙ୍କ ଲୋଲୁପ ଦୃଷ୍ଟି ମୋ ଉପରେ ପଡ଼ିଲା । ମୁଁ ଜାଣି ପାରିଲି ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ସେମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କଲି । ଅନେକ କାକୁତି ମିନତି ହେଲି ଗୋଡହାତ ଧରି ନେହୁରା ହେଲି କିନ୍ତୁ କିଛି ଲାଭ ହେଲା ନାହିଁ । ସିଂହର ପଞ୍ଝାରେ ନିରୀହ ହରିଣୀଟି ଛଟପଟ ହେଲା ପରି ସେମାନଙ୍କ ଶକ୍ତ ବାହୁ ବଳୟରେ ମୁଁ ଆବଦ୍ଧ ହୋଇଥାଏ । ସେଇଦିନ ରାତି ମଦ୍ୟପ ଲମ୍ପଟ କାମାତୁର ପିଶାଚ ମାନେ ଜଣେ ଜଣେ କରି ମତେ ଉପ ଭୋଗକଲେ ।  ମୁ ମୂର୍ଚ୍ଛା ଗତ  ଆଖି ଖୋଲି ଦେଖି ଲା ବେଳକୁ । ଏକ ବିଶାଳ ଅଟ୍ଟାଳିକା ସେ ଭିତରେ ଅନେକ ନିସ୍ଵ ଅସହାୟ ନାରୀ  ଥାନ୍ତି । କିନ୍ତୁ ଜଣେ ପ୍ରୌଢା ସେ ହିଁ ସମସ୍ତ କାମର ମୁଖ୍ୟ କାର୍ପଟଦାର ଥିଲା । ସତେ ଯେପରି ନିଜ ମା' ପରି ବ୍ୟବହାର  କଲା । ଖାଇବା ପିଇବାକୁ ଦେଲା  ପିନ୍ଧିବାକୁ ବି ଲୁଗା ଦେଲା । ମୁଁ ଯେବେ ପଚାରିଲି ଏଠାକୁ କିପରି ଆସିଲି । ସେ ମୋତେ ଆଶ୍ଵାସନା ଓ ଛଳରେ କହିଲା ତୁ ରାସ୍ତା କଡରେ ପଡ଼ିଥିଲୁ ଅସହାୟ ଅବସ୍ଥାରେ । ତୋତେ ଦେଖି ମୋତେ ଭାରି ଦୁଃଖ ଲାଗିଲା ତେଣୁ ଘରକୁ ନେଇଆସିଲି । ଏମିତି ତୋ ପରି ଅନେକ ଝିଅଙ୍କୁ ମୁଁ ଏଠି ଆଶ୍ରୟ ଦେଇଛି ,ଏହା ଏକ ଅନାଥାଶ୍ରମ । ଆଜିଠାରୁ ମୁଁ ତୋର ସମସ୍ତ କଥା ବୁଝିବି । ତୁ ଭୁଲିଜା ତୋର ଅତୀତକୁ । ମୁଁ ତୋର ମା' ତୁ ମୋର ଝିଅ ପରି । ତୋର ସମସ୍ତକଥା ମୁଁ ବୁଝିବି । ପରନ୍ତୁ କାହିଁକି କେଜାଣି ତାର ବ୍ୟବହାର ଏବଂ ତୋଷାମଦ ଭିତରେ କିଛି ସ୍ଵାର୍ଥର ଗନ୍ଧ ବାରି ହେଉ ଥିଲା । ଦିନେ ସେଠି ରହିବା ପରେ ମନରେ ସନ୍ଦେହ ହେବାରୁ ସେଠି ରହୁଥିବା ଜଣେ ସହୃଦୟା ନାରୀକୁ ଆପଣାର କରି କୌଶଳ କ୍ରମେ ପଚାରିଲି । ତାହାଠାରୁ ଯାହା ଶୁଣିଲି ଆଶ୍ଚର୍ଯ୍ୟ ହୋଇଗଲି ।

                     ସେ ମୋତେ କହିଲା ଇଏ ମା' ନୁହଁ,ଏକ ପିଶାଚୀ ଟିଏ । ତାର କାମ ଗରାଖ ନିକଟକୁ ତାର ମନ ମୁତାବକ ସୁନ୍ଦରୀ ମାନଙ୍କୁ ଯୋଗାଇବା ।  ତା ନିକଟକରୁ ପ୍ରଚୁର  ମୋଟା ଅଙ୍କ ଆଦାୟକରିବା ,ଏହା ହେଉଛି ତା କାମ । ସେ ଏକ ଦଲାଲ ଯିଏ ତୋତେ ବିବାହର ପ୍ରତିଶ୍ରୂତି ଦେଇ ରାତି ଅଧରେ ଏଠି ଛାଡ଼ି ଦେଲା ।  ବର୍ତ୍ତମାନ ସେଠାରୁ କିପରି ମୁକୁଳିବି ସେଇ ଯୋଜନାରେ ଥାଏ ସୁଯୋଗ ପାଇ ସେଠୁ ଖସି ଆସିଲି  ।  ଆଜି ମନ ଭରି କାନ୍ଦିବାର ସୁଯୋଗ ପାଇ ଏଠି ବସି କାନ୍ଦୁଥିଲି 


                    ସେଇଦିନ ଠାରୁ ମଥାର ସିନ୍ଦୂର ଟୋପାକ ଉପରୁ ଭରସା ତୁଟିଗଲା ତାକୁ ଏଇ ହାତରେ ପୋଛିଦେଲି । ସେହି ଶଙ୍ଖାକୁ ମଧ୍ୟ ଭାଙ୍ଗି ଦେଲି  ତାର ପ୍ରତିଶୋଧ ଅପେକ୍ଷାରେ ଚାହିଁ ବସିଛି" । 

                   ତାର ସେଇ ଦୁଃଖଦ ଜୀବନର ସମସ୍ତ କାହାଣୀ ଶୁଣୁ ଶୁଣୁ ଭୋକ ଶୋଶ ଏବଂ ସମୟର ଜ୍ଞାନ ଭୁଲିଗଲେ । ବିନୟ ବାବୁ ଏକନିଷ୍ଟ ସାଧକ ପରି ଧ୍ୟାନ ମଗ୍ନ ହୋଇ ବସି ଥାନ୍ତି ସେହିପରି  । ଯେତେବେଳେ ପ୍ରକୃତିସ୍ଥ ହେଲେ ସେତବେଳେ ଘଣ୍ଟା ଦେଖିଲା ବେଳକୁ ଚାରିଟା ବାଜିଲାଣି । ବର୍ତ୍ତମାନ ଧର୍ମ ସଙ୍କଟରେ ପଡିଗଲେ । କ'ଣ କରିବେ କିଛି ବୁଝିପାରିଲେ ନାହିଁ । ପରନ୍ତୁ ବଡ ସରଳ ଉଦାର ଏବଂ ପରୋପକାରୀ ବ୍ୟକ୍ତି ଥିଲେ । ତେଣୁ ତାକୁ ଝିଅ ରୂପେ ସମ୍ଵୋଧନ କରି କହିଲେ । ଝିଅ ତୋର ଯଦି କିଛି ଆପତ୍ତି ନାହିଁ ମୋ ସାଥିରେ ଆମ ଘରକୁ ଯିବୁ ? । ତାକୁ ବୁଝାଇ ସୁଝାଇ ନିଜ ଘରକୁ ନେଇ ଆସିଲେ । ପତ୍ନୀ ସଚଳା ଦେବୀ ନିକଟରେ ସମସ୍ତ କଥା ପ୍ରକାଶ କଲେ । ସେବି ମଧ୍ୟ ସେପରି ସରଳ ଏବଂ ଉଦାର ପ୍ରକୃତିର ଥିଲେ । ତେଣୁ ନିଜ ଝିଅ ରୂପେ ଗ୍ରହଣ କଲେ । ଯେହେତୁ ତାଙ୍କର ଦୁଇ ପୁଅ ଥିଲେ କିନ୍ତୁ ଝିଅ ନଥିଲା । ସୁତରାଂ ତାକୁ ଆଦର ସତ୍କାର କରି ନିଜ ଘରେ ଝିଅର ମାନ୍ୟତା ଦେଲେ । ପୁଣି ନୂଆ କରି ପିନ୍ଧେଇବା ପାଇଁ ଟୋପାଏ ସିନ୍ଦୂର ଦିପଟ ଶଙ୍ଖାର ସନ୍ଧାନରେ ରହିଲେ ବିନୟ ବାବୁ ।

************

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧





No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy