Tuesday, September 15, 2020

🏡ମୋ ଗାଆଁ ବଦଳିଗଲାଣି 🏠

ଚାରିଆଡେ ଦେଖ ନୂଆ ନୂଆ ରୂପ 

ମୋ ଗାଆଁ ତ ବଦଳି ଗଲାଣି 

ଘରଚଟିଆ ଙ୍କ ବସା ଦିଶୁନାହିଁ 

କାଉ ତ ବିଦେଶ ଗଲାଣି l


ସକାଳୁ ସକାଳୁ ପୋଖରୀ ତୁଠରେ 

ଗାଁ ଭାଇଙ୍କର ଜମୁନି ଭିଡ଼ 

ଅନ୍ଧାରୁ ଅନ୍ଧାରୁ ତୁଠ ପଥରରେ 

ଗାଁ ଭୂଆସୁଣୀ ଘସୁନି ଗୋଡ଼ l


ଆଗପରି ଆଉ ଦୁଆର ଆଗରେ 

ଶୁଭୁନାହିଁ ଛୋଟ ପିଲାଙ୍କ ରୋଳ 

ପିଲିବାଡି, କବାଡି ଡାଳମାଙ୍କୁଡ଼ି 

ଦିଶୁନାହିଁ କାହିଁ ଧୂଳିର ଖେଳ  l


ଓମଫେଡ କ୍ଷୀର ହକର ଡାକରେ 

କେବେଠାରୁ ଅଣା ହେଲାଣି 

ବାଡ଼ି ଦୁଆରରେ ଗୋବର ଲିପିବା 

ଭାଉଜ ତ  ଭୁଲି ଗଲେଣି l


ଗାଁଆ ଜମି ଏବେ ହେଉନି ଫସଲ 

ନୀଳଗିରି ରୋପା ହେଲାଣି 

ବଛା ବଛା ଭେଣ୍ଡା ସୁରାଟ ଟିକଟ 

ଡିଜିଟାଲ ଯୁଗ ହେଲାଣି  l


ବଳଦର ହାଟ ହେଉନାହିଁ କାହିଁ 

ଶଗଡ଼ ଲଙ୍ଗଳ ଖୋଜା ପଡୁନି 

ଟ୍ରାକ୍ଟର ଟ୍ରିଲର ଦୋକାନରେ ଭିଡ଼ 

ଡ୍ରାଇଭର ଖୋଜା ହେଲାଣି  l


ଏନ୍ତୁଡ଼ିଶାଳରେ କୁଆଁକୁଆଁ ଆଉଶୁଭୁନି 

ଆମ୍ବୁଲାନ୍ସ ଆସି ଘର ଆଗେ ଠିଆ ହେଲାଣି  

ପିଲାସବୁ ହେବେ ହସ୍ପିଟାଲେ ଜନ୍ମ 

ଆଶା ଦିଦି ନୋଟ କଲାଣି l


କକା ଖୁଡ଼ୀ ଆଉ ମଉସା ମାଉସୀ 

ବାପାବୋଉ ମାଇଁ ଡାକ ଶୁଭୁନି 

ଅଙ୍କଲଆଣ୍ଟି ଆଉ ଡାଡିମମି ଡାକେ  

ଆତ୍ମୀୟତା ହଜି ଗଲାଣି l


ଦହି ଚୁଡ଼ା ଆଉ ଛତୁଆ ମୁଆଁ 

ପିଲାଙ୍କୁ ଅରୁଚି କଲାଣି 

ସୁପ, ନୁଡୁଲ ଚାଉମିନ ପାଇଁ 

କଣ୍ଟା ଚାମୁଚ ବରାଦ ହେଲାଣି l


ପାନବଟୁଆ ତ ପେଡ଼ିରେ ସାଇତା 

ପୁଡିଆ ପାଉଚ ଜାଗା ନେଲେଣି 

ଲେମ୍ବୁପାଣି ଅଟେ ପୁରୁଣା କାଳିଆ 

କୋଲଡଡ୍ରିଙ୍କସ ଢଳା ହେଲାଣି l


ଶଙ୍ଖ ହୁଳହୁଳି ଆଉ ଶୁଭୁନି 

ବ୍ରତଉପବାସ ବହିର କାହାଣୀ 

ବଜାର ବୁଲିବା ନୂଆଯେ ଫେସନ 

ଓଢଣା ତ ଉଡି ଗଲାଣି  l


ଦଣ୍ଡବତ ଏବେ ଏକହାତିଆ 

ଟିକଟକ ଯୁଗ ହେଲାଣି 

ଅତି ଆଧୁନିକ ଛାପ ଚାରିଆଡେ 

ମୋ ଗାଆଁ ତ ବଦଳି ଗଲାଣି l

              

✍ସନ୍ତୋଷ କୁମାର ସାହୁ 

ଚି଼ର୍ମl, ନବରଙ୍ଗପୁର

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy