✍ ଅମରନାଥ ବାରିକ୍
ଆସ ଆସ ହେ ଠେକୁଆ ଅଜା
ଖାଇବ ଯେବେ ମିଠାଇ ଖଜା
ମୋହ ପାଖରେ ବସ ।
ମଣ୍ଡା ଆରିସା ଚକୁଳି ଛେନା
ତା'ସଙ୍ଗେ ଦେବି ଲବଣି ଛେନା
ଆଉ ନଡ଼ିଆ ରସ ।।
ନେବିଟି ପୁଣି ବୁଲେଇ କେତେ
ଫୁଲର ଅଛି ଉଦ୍ୟାନ ଯେତେ
ଆମ ଘର ପାଖରେ ।
ନରମ ଘାସ ଲାଗିବ ଭଲ
ବୁଲିବା ପାଇଁ ଥରୁଟେ ଚାଲ
ଆଜି ମୋହ ସାଙ୍ଗରେ ।।
ଭାରି ଶୀତଳ ପବନ ବହେ
ପରଜାପତି ଫୁଲରେ ରହେ
ଭ୍ରମର ଗୀତ ଗାଏ ।
ସେ ମିଠା ସ୍ୱର ଶୁଣିବା ପାଇଁ
ଆମେ ସେଠାରେ ବସିବା ଯାଇ
ମନ ଉଛନ ହୁଏ ।।
ଯିବା ଚାଲ ହେ ସଅଳ ଏବେ
ଅଣ୍ଟା ତୁମର ସଳଖ ତେବେ
ଆଉ କାହିଁକି ଡେରି ।
ମଠ ମଠ କରି ଚାଲନା ଆଉ
ସେ ଚାଲି ତୁମ କାଲିକି ଥାଉ
ଦିନ ଯାଉଛି ସରି ।।
ଅସ୍ତର ବେଳ ରବିଙ୍କ ହେଲା
ସକାଳୁ ଆସି ସଞ୍ଜ ତ ହେଲା
ପାରୁନ କିଆଁ ଚାଲି ।
ରୂପଟା ତୁମ ଧବଳ ସିନା
ନଯିବ ଯଦି କରୁନ ମନା
ଫେରି ଯିବି ମୁଁ ଖାଲି ।।
. ସମାପ୍ତ
____●◆●____
No comments:
Post a Comment