ଯୁବକଟିଏ କ୍ଳାନ୍ତ ଅବଶ ହେଇ ଚା ଦୋକାନ ସାମନାରେ ପଡିଥିବା ବେଞ୍ଚରେ ଆସି ଲଥ୍ କରି ବସିପଡିଲା।ଜଣା ପଡୁଥିଲା ଯୁବକଟି ଜୀବନ ରେସ୍ ରେ ଦଉଡି ଦଉଡି ହାରି ଯାଇଛି।ଥଳକୂଳ ପାଉନି ବେଚାରା।ମନରେ ସରସତା ନାହିଁ।ଚେହେରା ଶୁଖି ଯାଇଛି।ପେଟରେ ଭୋକ ଶୋଷଙ୍କ ଉତ୍ପାତ ଚାଲିଛି।ଆଖି ଜ୍ୟୋତିହିନ ଦିଶୁଥାଏ।ଆଣ୍ଠୁ ଉପରେ ହାତଦୁଇଟା ଛନ୍ଦି ମୁଣ୍ଡକୁ ହାତ ଉପରେ ରଖି ଚକ୍ଷୃ ମୁଦ୍ରିତ କରି ନିଶ୍ଚଳ ବସିଥାଏ ସେ।କାଚଘେରା ଏସି କୋଠରି ଭିତରେ ବସି ଏସବୁୁ ଲକ୍ଷ କରୁଥିଲା ଚା ଦୋକାନୀ ରମେଶ।କେତେ ବର୍ଷ ଅତୀତକୁ ଚାଲି ଯାଉଥିଲା ରମେଶ।ଦିନେ ସେବି ଏମିତି ହତାଶ ନିରାଶ ହେଇ ପଡିଥିଲା।କିଛି କାମ ମିଳୁନଥିଲା ତାକୁ।ଭୋକରେ ପେଟ ଆଉଟୁ ପାଉଟୁ କରୁଥାଏ।ହେଲେ ସେତେବେଳେ କେହି ତାକୁ ଚା କପଟେ ଦେବାକୁ ନଥିଲେ। ସେ ନଳକୂଅରୁ ପାଣି ମାରି ପିଇଥିଲା।
ଆଜି ତାରି ସାମ୍ନାରେ ଏଇ ଯୁବକ ଠିକ ସେମିତି ଅବସ୍ଥାରେ ପଡିଛି।ହେଲେ ସେ ଏହାକୁ ଅଣଦେଖା କରିବନି।ସେ ଟ୍ରେରେ ଚା କପେ ବିସ୍କୁଟ ଓ ଟୋଷ୍ଟ କିଛି ଧରି ତା ପାଖେ ପହଞ୍ଚିଲା।ଯୁବକଟି ସେମିତି ସ୍ଥିର ନିଶ୍ଚଳ ହେଇ ମୁଣ୍ଡପାତି ବସିଥାଏ।ରମେଶ ତାର କାନ୍ଧକୁ ଧରି ଟିକେ ହଲାଇଦେଲା ।ଯୁବକଟି ଚମକି ଉଠିଲା ଅଜଣା ସ୍ପର୍ଶ ପାଇ।ତା ସାମନାରେ ଦୋକାନୀକୁ ଚା ଟ୍ରେ ଧରି ଠିଆ ହେଇଥିବାର ଦେଖିଲା।ଦୋକାନୀ ଚା ନେବାପାଇଁ ଇସାରାରେ କହିଲେ।ଯୁବକଟି ମୁଣ୍ଡ ହଲାଇ ମନାକଲା।ଆଉ ଥରେ ନିଅ ବୋଲି ଆଗ୍ରହ କଲେ ଦୋକାନୀ ରମେଶ।ଏବେ ଯୁବକଟି ପାଟି ଖୋଲିଲା।କହିଲା ମୋ ପାଖେ କିଣିବାକୁ ପଇସା ନାହିଁ।ରମେଶ କହିଲେ ମୁଁ ମାଗଣା ଦେଉଛି ଖାଇନିଅ।ଦେହରେ ଶକ୍ତି ଆସିଯିବ।ବଡ ଦୁର୍ବଳ ଦେଖାଯାଉଛ।ଯୁବକଟି କହିଲା ମୋର ନାମ ଆନନ୍ଦ।ହେଲେ ଆପଣ ଦୋକାନ କରି ମତେ କାହିଁକି ମାଗଣାରେ ଚା ଦେଉଛନ୍ତି।ରମେଶ କହିଲେ ମୁଁ ତୁମ ଭିତରେ କିଛି ବର୍ଷ ତଳର ରମେଶ କୁ ଦେଖି ପାରୁଛି।
ମୁଁ ବି ଏମିତି ଅବସ୍ଥାରେ ଏ ସହରକୁ ଆସିଥିଲି।କିଛି କାମ ମିଳୁନଥିଲା।ନିରାଶ ହତାଶ ହେଇ ତୁମପରି ବସିଥାଏ।ଭୋକ ହେଲେ ନଳକୂଅର ପାଣି ପିଇନିଏ।ତାପରେମାଆର ସନ୍ତକ ସୁନାଚେନ୍ କୁ ବିକି ଛକରେ ଚା ର ଠେଲା କଲି।ହେଲେ ପ୍ରଥମେ ପ୍ରଥମେ ମୋର ଚା ବିକ୍ରି ହେଉନଥିଲା।ତିଆରିଥିବା ଚାକୁ ମୁଁ ଛକରେ ଗାଡିକୁ ଅପେକ୍ଷା କରିଥିବା ଲୋକ ମାନଙ୍କୁ ମାଗଣାରେ ପିଇବାକୁ ଦେଉଥିଲି।ସେମାନେ ମନାକରୁଥିଲେ ମାଗଣା ପିଇବେନି ବୋଲି।ହେଲେ ଥରେ ପିଇଲାପରେ ଚା ସୁସ୍ବାଦୁ ଗୁଣ ଜାଣିପାରୁଥିଲେ।କେହି କେହି ମାଗଣା ପିଇବାକୁ ଭଲ ନ ପାଇ ତା ବଦଳରେ ଘରୁକିଛି ଜିନିଷ
ଆଣି ଦେଉଥିଲେ।ଯେମିତି ଚାଷିଟିଏ କିଛି ପରିବା ଆଣିଦେଉଥିଲା।କପଡା ଦୋକାନୀ ଗାମୁଛା ଖଣ୍ଡେ ଦେଇ ଯାଉଥିଲା।ଧିରେ ଧିରେ ଚା ସ୍ବାଦ ଲୋକଙ୍କୁ ଟାଣି ଆଣିଲା ତା ଦୋକାନକୁ।ତାର ବ୍ୟବସାୟ ବଢିବାକୁ ଲାଗିଲା।ଏବେ ଚା ସହ ସେ କଫି ବି ବିକିବାକୁ ଲାଗିଛି।ଛୋଟ ଠେଲା ବଦଳରେ ଏବେ ଏ ରମେଶ କେଫେ ରେଷ୍ଟୁରାଣ୍ଟ ତିଆରି।ସହରରେ ତା ଚା ର ନାମ ଅଛି।ହେଲେ ସେ ଅଭାବି ଲୋକ ଦେଖିଲେ ଆଜିବି ମାଗଣାରେ ଚା କଫି ଦିଏ।ରମେଶର କଥାଶୁଣି ଆନନ୍ଦର ମନରେ ଏକ ଉତ୍ସୁକତା ଭାବ ସୃଷ୍ଟି ହେଉଥିଲା।ଏ କଥା ଜାଣି ରମେଶ କହିଲା ମୁଁ ତୁମକୁ କିଛି ସାହାଯ୍ୟ କରିବି ଯଦି ତୁମେ ଚାହିଁବ।ତୁମେ ଅନ୍ୟ କୋଉଛକ ଜାଗା ଦେଖି ଚା ଠେଲାଟିଏ ଆରମ୍ଭକର।ଯେମିତି ମୁଁ କରିଥିଲି।ଏଠି ଚାକିରି ପଛରେ ଗୋଡେଇଲେ ଭୋକରେ ମରିବ।ଆନନ୍ଦକୁ ତା କଥା ମନକୁ ପାଇଲା।ସେ ପ୍ରଥମେ କିଛିଦିନ ତା କେଫେରେ କାମ ଶିଖିଲା ଓ ପରେ ଅନ୍ୟ ଏକ ଜାଗାରେ ନିଜ ଦୋକାନ ଖୋଲିଲା।ସେ ରମେଶକୁ ତାର ଗୁରୁ ମାନିନେଇଛି।ତାରିପରି ପ୍ରଥମେ ଲୋକଙ୍କୁ ମାଗଣା ଚା ଦେବାକୁ ଲାଗିଛି।ଏବେ ସେବି ତା ଆୟରେ ସୁରୁଖୁରୁରେ ପରିବାର ଚଳାଇ ପାରୁଛି।ରମେଶ ପ୍ରତି ତାର ପ୍ରଗାଢ ଗୁରୁଭକ୍ତ ରହିଛି କାରଣ ସେହିଁ ବିପଦବେଳେ ତାକୁ ମାର୍ଗଦର୍ଶନ କରିଥିଲା।ତା ସମସ୍ୟାର ସମାଧାନ ଖୋଜିଦେଇଥିଲା।
✍ମାଧବୀ ପଟେଲ।
No comments:
Post a Comment