ଜ୍ୟୋତିର୍ବିଦ୍ ମନୋଜ କୁମାର ପଟ୍ଟନାୟକ
ହିନ୍ଦୁ ନାରୀ ମାନେ ନିଜକୁ ଅଳଙ୍କୃତ କରିବାର ସାମଗ୍ରୀ ମଧ୍ୟରେ ମୁଖ୍ୟ ଶୃଙ୍ଗାର ହେଉଛି ଟୋପାଏ ସିନ୍ଦୁର । ସେତକ ପାଇଁ କିଏ ବହୁ ଆଡମ୍ଭର କରିଥାଏ ତ କିଏ ଅତି ସହଜରେ ମନ୍ଦିରକୁ ଯାଇ ଠାକୁର ଙ୍କୁ ସାକ୍ଷୀ ରଖି ଶିନ୍ଥି ରେ ସିନ୍ଦୁର ଗ୍ରହଣ କରେ। ହେଲେ ସେ ସ୍ଵଭାଗ୍ୟ ଛବି କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିଲା ନାହିଁ।
କାହିଁକି ନା ବାପ ଛେଉଣ୍ଡ ପିଲାଟା , ଆଗକୁ ପଛକୁ ବିଧବା ମା ଛଡ଼ା ଆଉ କେହି ନାହିଁ। ଝିଅ ର ବିବାହ ପାଇଁ ହାତରେ ଧନ ବୋଲି କିଛି ନାହିଁ । ତଥାପି କଣ ତାକୁ ଘରେ ରଖି ବୁଢ଼ୀ କରିବି? ଲୋକେ କଣ କହିବେ? ଏକଥା ଚିନ୍ତା କରି କରି ଛବି ର ମାଆ ରୋଗାକ୍ରାନ୍ତ ହୋଇଗଲାଣି । ରୋଜଗାର ର ପନ୍ଥା କିଛି ନାହିଁ। ସରକାରୀ ଚାଉଳ ଓ ବିଧବା ଭତ୍ତାଟାକୁ ମା ଝିଅ ଚାହିଁ ରହିଥାନ୍ତି । ଛବି କୁ ଦେଖିବାକୁ କେତେ ପିଲା ଆସି ଚାଲିଗଲେଣି । କେଉଁଠି ଛବିର ଇଛା ହେଲେ ପିଲାର ଇଚ୍ଛା ନାହିଁ,ଆଉ କେଉଁଠି ପିଲାର ଇଚ୍ଛା ହେଲେ ଛବି ର ମନ ବଳୁ ନାହି। ଏକଥା ବଡ ସମସ୍ୟା ହେବାକୁ ବସିଲାଣି। ଛବିର ବୟସ ବି ବଢ଼ି ବଢ଼ି ଗଲାଣି। ଏ ସବୁ ଚିନ୍ତା କରି କରି ଦିନେ ମାଆ ଟା ଆର ପାରି କୁ ଚାଲିଗଲା । କୌଣସି ମତେ ମା ର ଶୁଦ୍ଧ କାମ ସରିଲା।
ବର୍ତ୍ତମାନ ଛବି ଏକା ଓ ସମ୍ପୂର୍ଣ୍ଣ ଅସହାୟ ହୋଇ ରହିଗଲା। ବିଶ୍ଵ ନିୟନ୍ତାଙ୍କ କଣ ଇଚ୍ଛା ତାହା ତାଙ୍କୁ ହିଁ ଜଣା । ହେଲେ ଛବି ଏତେ ବଡ଼ ଦୁନିଆଁ ରେ ଏକା ହୋଇ କି ପ୍ରକାର ଚଳିବ? କାହା ଭରସାରେ ଦିନ କାଟିବ? ତାହା ସିଏ ଜାଣିପାରୁ ନଥିଲା । ଯଦି କାହା ହାତରୁ ଶଙ୍ଖା ଦିପଟ ଓ ଟୋପାଏ ସିନ୍ଦୁର ମିଳି ଯାଇଥାନ୍ତା ତେବେ ସେ ବାହାନାରେ ଅବଶିଷ୍ଟ ଜୀବନ କଟି ଯାଇଥାନ୍ତା । ତାହା ମଧ୍ୟ ବହୁ ଦୂରରେ । ଭାଗ୍ୟରେ ଅଛି କି ନାହିଁ ଭଗବାନଙ୍କୁ ଜଣା । ଏମିତି ଅନେକ ନୈରାଶ୍ୟ କୁ ନେଇ ଛବି ଦିନ ବିତାଉଥାଏ । ଦିନେ ଜଣେ ସମ୍ପର୍କୀୟ ଲୋକ ଦ୍ଵିତୀୟ ପକ୍ଷରେ ବିବାହ କରିବାକୁ ପ୍ରସ୍ତାବ ଟିଏ ନେଇ ଆସିଲା । ଛବିକୁ ସବୁ ପ୍ରକାର ବୁଝେଇ ରାଜି ମଧ୍ୟ କରାଇ ନେଲା । ଏହି ପ୍ରସ୍ତାବରେ ଛବି କୁଣ୍ଠିତ ଥିଲେ ବି ଭବିଷ୍ୟତର ଅସୁବିଧା କୁ ଚିନ୍ତା କରି ରାଜି ହୋଇଗଲା । ଜାନି ଯୌତୁକ, ଆଡମ୍ବର ପୂର୍ଣ୍ଣ ବିବାହ ନହେଲେ ବି ବିବାହ କାମ ସରିଲା । ଶିବାନନ୍ଦ ଙ୍କ ନାମରେ ଶିନ୍ଥିରେ ସିନ୍ଦୁର ଶୃଙ୍ଗାର କରି ଛବି ଶଶୁର ଘରକୁ ଗଲା । ସେଠାରେ ସମସ୍ତଙ୍କ ସାନ୍ନିଧ୍ୟ ପାଇ ଛବି ଭାରି ଖୁସି ଅନୁଭବ କଲା। ତାକୁ ଭଲ ପାଉଥିବା ସ୍ବାମୀ ଶିବାନନ୍ଦ ମଧ୍ୟ ପରିବାର ସହ ଆନନ୍ଦରେ ଦିନ କାଟିଲେ । ଶିବାନନ୍ଦ ଙ୍କ ପୂର୍ବ ସ୍ତ୍ରୀ ର ଗୋଟିଏ ଝିଅ ଅଛି । ସେ ଅତି ସୁନ୍ଦର ଓ ଗୁଲୁଗାଲିଆ ହୋଇଥିବାରୁ ଛବି ତାକୁ ପାଖେ ପାଖେ ରଖି ଥାଏ । ଦୁଇ ଅଢେଇ ବର୍ଷ ର ଝିଅଟିକୁ ପାଇ ଛବି ମଧ୍ୟ ଭାରି ଖୁସି ଥିଲା । ସେ ସମସ୍ତ ଖୁସିର ଅଧିକାରୀ ବୋଲି ନିଜକୁ ମନେ କରୁଥାଏ । କିନ୍ତୁ, ବିଧିର ବିଧାନ ଓଲଟା ହୋଇଗଲା । ଶିବାନନ୍ଦ ଦିନେ ନିଜ ମଟର ସାଇକେଲ ନେଇ ବଜାରକୁ ଯାଇଥାନ୍ତି, ସେତେବେଳେ ତାଙ୍କର ଦୁର୍ଘଟଣା ହୋଇଗଲା । ସେଇ ଦୁର୍ଘଟଣା ରେ ତାଙ୍କର ଦୁଇଟି ଯାକ ଗୋଡ କଟି ଯିବାରୁ ସେ ଅକାମି ହୋଇ ଘରେ ବସିଲେ । ପୁଣି ପୂର୍ବର ଅଭାବ ଓ ସମସ୍ୟା ଆସି ଛବି ଆଗରେ ଛିଡା ହେଲା । ଶିବାନନ୍ଦ ଙ୍କ ଭାଇ ମାନେ ତାଙ୍କୁ ଆଉ ଭଲ ପାଇଲେ ନାହିଁ। ତେଣୁ ଶିବାନନ୍ଦ ସହରକୁ ଯାଇ କିଛି କରିବାକୁ ଛବି ଆଗରେ ମତ ରଖିଲେ । ଶିବାନନ୍ଦ ଙ୍କ କଥା ଶୁଣି ଛବିକୁ ଟିକେ ଅଡ଼ୁଆ ଲାଗିଲା କିନ୍ତୁ, ଆଉ କିଛି ବିକଳ୍ପ ନଥିଲା । ଶିବାନନ୍ଦ ଓ ଝିଅ ଶ୍ରୀୟା କୁ ଧରି ଛବି ସହରକୁ ଯାଇ କିଛି କରିବାକୁ ମନସ୍ଥ କଲା । ତାହା ମଧ୍ୟ ଜଣେ ପରିଚିତ ଲୋକ ଦ୍ୱାରା କଥାହେଇ, ତା ଭରସାରେ ସେ ଗାଁ ରୁ ଯାଇ ସହରରେ ଫଳ ମୂଳ ଇତ୍ୟାଦି ବିକ୍ରି କରି ପେଟ ପୋଷିବା ଆରମ୍ଭ କଲା । ଛବି ବହୁ ପରିଶ୍ରମ କରି ଜୀବିକା ଅର୍ଜନ କରୁଥାଏ । ଦିନେ ଦୁଶ୍ଚିନ୍ତା ଗ୍ରସ୍ତ ଶିବାନନ୍ଦ ହୃଦରୋଗରେ ପୀଡ଼ିତ ହୋଇ ଆର ପାରି କୁ ଚାଲିଗଲେ । ବର୍ତ୍ତମାନ ଛବି ପୁଣି ଏକୁଟିଆ ହୋଇଗଲା । ଟୋପାଏ ସିନ୍ଦୂର ପାଇଁ ସେ ଦ୍ୱିପକ୍ଷରେ ବିବାହ କରିଲା ସତ, ହେଲେ ସେ ସିନ୍ଦୁର ର ବଳ ଆଉ ରହିଲା ନାହିଁ । ହଜିଗଲା ଶିନ୍ଥିର ସିନ୍ଦୁର, ବଢ଼ିଗଲା ମନର କୋହ । ତାତେଲା ବୟସକୁ ସାଙ୍ଗରେ ପାଞ୍ଚ ବର୍ଷର ଝିଅ ଶ୍ରୀୟା । ସେ କରିବ କଣ? କାହାକୁ ଭରସା କରିବ କିଛି ବୁଝି ପାରୁ ନଥାଏ । ବେପାରରେ ତାର ଦୁଇ ତିନି ବର୍ଷର ଅଭିଜ୍ଞତା ଆସିଯାଇଥାଏ । ତେଣୁ ମନକୁ ଦମ୍ଭ କରି ଅଣ୍ଟାରେ ଲୁଗା ଭିଡି ବେପାରରେ ମନ ଦେଲା । ତାର ବେପାର ମଧ୍ୟ ଭଲ ଚାଲିଲା । ଅଳ୍ପ ଦିନ ମଧ୍ୟରେ ସେହି ସହରରେ ଛବି ଭଲ ନାମ କମାଇଲା । ସାହୁକାର ମାନଙ୍କ ବିଶ୍ବାସ ଜିତିଲା । ତେଣୁ ବାହାର ସାହୁକାର ମାନେ ତାକୁ ସେଠାର ହୋଲସେଲ୍ କାରବାରର ଭାଗିଦାରୀ କଲେ । ସେଥିରେ ମଧ୍ୟ ସେ ଆଗକୁ ବଢିଚାଲିଲା । ତେଣୁ ସମସ୍ତ ସାହୁକାର ମିଶି ଅନ୍ୟ ଜଣେ ବେପାରୀ ବିକ୍ରମ ହାତରୁ ହୋଲସେଲ ଦାୟିତ୍ଵ ଛଡାଇ ଛବି କୁ ଦେଇଦେଲେ । ଛବି ସେ ଦାୟିତ୍ଵ ଗ୍ରହଣ କଲାପରେ ବିକ୍ରମ, ଛବିର ଛାଇରେ ଚାଲି ପାରିଲା ନାହିଁ । ସେ ଛବିର ବିରୁଦ୍ଧରେ ଷଡ଼ଯନ୍ତ୍ର ଆରମ୍ଭ କଲା ।କିନ୍ତୁ, ଛବିର କୌଣସି କ୍ଷତି କରିପାରିଲା ନାହିଁ।
ଏହା ଭିତରେ ଶ୍ରୀୟା ହାଇସ୍କୁଲ ସାରି କଲେଜରେ ନାମ ଲେଖାଇଲା । ସେଠାରେ ତାର ବିକ୍ରମର ପୁଅ ରାକେଶ ସହ ଦେଖା ହେଲା । ସେ ବଡ଼ ଖରାପ ପ୍ରକୃତି ପିଲା ହେଲେ ମଧ୍ୟ ଶ୍ରୀୟା କୁ ପଟାଇ ଭଲ ପାଇବାର ନାଟକ ଜାରି ରଖିଥାଏ ।ଶ୍ରୀୟା ତା ପ୍ରେମରେ ପାଗଳ ହୋଇ ମାଆ ରୋଜଗାର କରୁଥିବା ପଇସାକୁ ଉଡାଇବାରେ ଲାଗିଥାଏ । ପରିଶେଷରେ ବିକ୍ରମର ପୁଅ ସହ ବିବାହ କରିବ ବୋଲି ଜିଦ ଧରିଲା । ଛବି ତା କଥାକୁ ଟାଳି ନପାରି ଦୁହିଁଙ୍କୁ ବିବାହ କରିବା ପାଇଁ ମନସ୍ତ କରି ବିକ୍ରମ ନିକଟକୁ ଗଲା । ବିକ୍ରମ, ଛବିକୁ ଦେଖି କିଛି ଉତ୍କ୍ଷିପ୍ତ ବାକ୍ୟ କହିବା ପୂର୍ବରୁ ଛବି ପିଲା ମାନଙ୍କ ଭଲପାଇବା କଥା ବିକ୍ରମକୁ କହିଲା । ବିକ୍ରମ କିନ୍ତୁ ଛବି କଥାରେ ରାଜି ହେଲାନି । ସେହି ସମୟରେ ତା ପୁଅ ରାକେଶ ଆସି ପହଞ୍ଚିଲା । ଛବି, ରାକେଶ କୁ ସବୁ କଥା କହିବାରୁ ସେ ମଧ୍ୟ ବିବାହ କରିବାକୁ ମନା କରିଦେଲା । ଶ୍ରୀୟା ଗୋଟେ ଭଲ ଝିଅ ନୁହେଁ ବୋଲି କହିଲା । ମୋ ଭଳି ତାର କେତେ ଟୋକା ସହ ସମ୍ପର୍କ ଥିବ ।ଏହା କହି ରାକେଶ ସେଠାରୁ ଫଁ ଫଁ ହୋଇ ଚାଲିଗଲା । ବାପ,ପୁଅ ଦୁହିଁଙ୍କର ମୁହଁ ମୋଡ଼ା କଥା ଶୁଣି ଛବିର ପାଦ ତଳୁ ମାଟି ଖସି ଗଲା ଭଳି ଲାଗିଲା । ଉପାୟ ଶୂନ୍ୟ ହୋଇ ସେ ଘରକୁ ଚାଲି ଆସିଲା ।
ସେ ତା ଝିଅର ଟୋପାଏ ସିନ୍ଦୁର ପଛରେ ଏ କଳଙ୍କ ଯୋଡ଼ିବାକୁ ଚାହୁଁ ନଥିଲା । ସେ ବଞ୍ଚି ଥାଉ ଥାଉ ତା ଝିଅ ପ୍ରତି ଅବହେଳା କରି ପାରିବନି । ସେଥିପାଇଁ ରାକେଶ ର ଚରିତ୍ର ଓ କାର୍ଯ୍ୟକଳାପ ବିଷୟରେ ଶ୍ରୀୟା କୁ ସବୁ ବୁଝାଇ କହିଲା । ଏବଂ ତା ଠାରୁ ଦୁରେଇ ରହିବାକୁ ବାଧ୍ୟ କଲା । ହେଲେ ଆଜି କାଲିର ପିଲା ମାନେ ଏ ପ୍ରକାର କଥାକୁ ବିଶ୍ଵାସ କଲେ ସିନା କିଛି ଉପାୟ କରିବ ।ସେମାନେ ତ ଜିଦ୍ ଧରି ବସିବେ ।ଆମେ ଆଉ କଣ କରିପାରିବା । ଛବି ଅବସ୍ତା ମଧ୍ୟ ଆମଭଳି ଉପାୟ ଶୂନ୍ୟ । ଏମିତି କେତେ ଦିନ ମାଆ,ଝିଅ ମୁହଁ ଫୁଲା ଫୁଲି ହୋଇ ରହିଲେ । କିଛି ଦିନ ଗଲା ପରେ ଦିନେ ଗୋଟେ ଝିଅ ଆସି ଶ୍ରୀୟା କୁ ଦେଖା କଲା । ସେଦିନ ଛବି ବେପାର କଥା ବୁଝିବାକୁ ବାହାରକୁ ଯାଇ ଥାଏ । ସେ ଝିଅଟି ନିଜକୁ ମୋନିକା କହି ରାକେଶ ବିରୁଦ୍ଧରେ ବହୁତ ଆବେଗ ପୂର୍ଣ୍ଣ କଥା କହିଲା । ରାକେଶ ତାକୁ ଅନ୍ତସତ୍ତ୍ବା କରି ବିବାହ କରିବାକୁ ମନା କରିଦେବା କଥା ମଧ୍ୟ କହିଲା । ଶେଷରେ ଶ୍ରୀୟା କୁ ରାକେଶ ସହ ମିଳାମିଶା କରିବାକୁ ମାନାକଲା । ସେ ଗୋଟିଏ ଅୟାସ୍ କିସମର ପିଲା । ତେଣୁ ତା ଠାରୁ ଦୁରେଇ ରହିବା ଭଲ ବୋଲି କହି ବିଦାୟ ନେଇ ଚାଲିଗଲା । ମୋନିକା ନିକଟରୁ ସବୁ କଥା ଶୁଣି ଶ୍ରୀୟା ମନରେ ରାକେଶ ପ୍ରତି ଥିବା ବିଶ୍ବାସ ତୁଟିଗଲା । ତାକୁ ନେଇ ଗଢି ଥିବା ସ୍ଵପ୍ନ ଧୂଳିସାତ ହେଇଗଲା । ତା ମଥାର ଟୋପାଏ ସିନ୍ଦୁରକୁ ଜୀବନର ଦୋ ଛକିରେ ପ୍ରଶ୍ନବାଚୀ କରି ପିନ୍ଧିବା ଅପେକ୍ଷା ନ ପିନ୍ଧିବା ଭଲ ବୋଲି ସ୍ଥିର କଲା । ମାଆ କୁ ଭୂଲ ବୁଝିଥିବା ହେତୁ ତାକୁ କ୍ଷମା ମାଗିଲା ଓ ତାର ସହମତିରେ ସେ ଟୋପାଏ ସିନ୍ଦୁର ପିନ୍ଧି ଏକ ଆଦର୍ଶ ନାରୀ ର ଦର୍ଜା ପାଇବାକୁ ପ୍ରତିଶ୍ରୁତି ବଦ୍ଧ ହେଲା । ଛବି ମଧ୍ୟ ଭଲ ଘର ଓ ଭଲ ଜ୍ଵାଇଁ ଦେଖି ଶ୍ରୀୟା କୁ ଟେକି ଦେଲା ।
ସେହି ଟୋପାଏ ସିନ୍ଦୁର ପାଇଁ ଯେଉଁ ଦୃଢ ବିଶ୍ବାସ ହିନ୍ଦୁତ୍ଵ ରକ୍ତରେ ପ୍ରବାହିତ ହେଉଛି ତାକୁ ବ୍ୟର୍ଥ ନ କରି ଶ୍ରୀୟା ତା ପରିବାର ଭିତରେ ହଜିଯାଇଛି । ଶିନ୍ଥିରେ ସିନ୍ଦୁର ଥିବା ପର୍ଯ୍ୟନ୍ତ ସେ ଜୀବନକୁ ସାର୍ଥକ ମନେକରିବ ।ଯେହେତୁ ଶିନ୍ଥି ରେ ସିନ୍ଦୁର ଶୃଙ୍ଗାର ହେଲେ ହିଁ ସେ ଜଗତ ଜିତିବ ନଚେତ୍ ସିନ୍ଦୁର ଫରୁଆର ଶୋଭା ବଢାଇ ତାକୁ ରଙ୍ଗ ହୀନ କରିଦେବ । ସେଥି ପ୍ରତି ଶ୍ରୀୟା ୟତ୍ନଶୀଳ ମଧ୍ୟ ଥାଏ ।
ଶ୍ରୀୟା ର ବିବାହ ପରେ ଛବି ନିଜକୁ ବହୁତ ଏକା ମନେକରି ଦୁଃଶ୍ଚିନ୍ତା ଗ୍ରସ୍ତ ହେଇଗଲା । ବେପାର ବଣିଜ କରି ଯେଉଁ ସମ୍ବଳ କିଛି ରଖିଥିଲା ସବୁ ଝିଅ ଓ ଜ୍ଵାଇଁ କୁ ଦେଇ ସନ୍ୟାସ ନେଲା । ବାପା, ମାଆ ଛେମୁଣ୍ଡ ଗରିବ ଝିଅଟେ ବୋଲି ଟୋପାଏ ସିନ୍ଦୁର ପାଇଁ ଦ୍ୱି ପକ୍ଷରେ ବିବାହ କଲା ଯେ ସେଥିରେ ମଧ୍ୟ ବିଧାତା ଧୋକା ଦେଇ ସେତକ ନେଇଗଲା । କିନ୍ତୁ ସନ୍ୟାସ ନେଲା ପରେ ରାଧେ ମାଆ ସାଜି ସିନ୍ଦୁରରେ ଗାଧେଇଲା । ଏହା ହେଉଛି ବିଧିର ବିଧାନ ଆଉ ତାର ବିଡମ୍ବନା ।।
ହିଞ୍ଜିଳିକାଟୁ, ଗଞ୍ଜାମ
No comments:
Post a Comment