✍ସନ୍ତୋଷ କୁମାର ସାହୁ
ବେଳେ ବେଳେ ତାଳି
ସଭା ମଧ୍ୟେ ମିଳେ
ଶୀତଳ ଲେପନ ଭଳି
ବେଳେ ବେଳେ ତାଳି
ବେକରେ ଜୁଆଳି
ପଛରେ ହୁଅନ୍ତି ଭାଳି l
ତାଳି ମାଡ ଶୁଣି
ମୁରୁକି ହସଇ
କପଟୀ ହୃଦୟ ମନ
ତାଳି ମାଡ଼େ ପୁଣି
ପଣ୍ଡିତଙ୍କ ମଧ୍ୟେ
ହୁଏ ମୃଦୁ ଭୁକୁଞ୍ଚନ l
ତାଳିରେ ମିଶିଛି
କି ଦରବ ସତେ
ଉଛୁଳୁଥାଏ ତ ମନ
ପହିଲେ ପହିଲେ
ଶୁଣିଲେ ତାଳିକୁ
ଆନନ୍ଦିତ ହୁଏ ଜନ l
ନେତା ଦାତା ଙ୍କର
ତାଳିମାଡ଼ ପରା
ମିଶିଛି ରକତ ମଧ୍ୟେ
ତାଳିମାଡେ ଯଦି
ବିରତି ଆସିଲା
ଧମନୀ ଡିଅଁଇ କ୍ରୋଧେ l
ବେଳେ ବେଳେ ତାଳି
ଆଗରୁ ବରାଦି
ଦୁଲୁକି ଯାଏତ ମଞ୍ଚ
ତାଳି ମାଡେ ସଦା
ହୃଦୟ କୁରୁଳେ
ଫିତାକାଟେ ପରପଞ୍ଚ l
ଦର୍ଶକ ନର୍ତ୍ତକ
ଉଭୟଙ୍କ ମଧ୍ୟେ
ତାଳି ଅଟେ ସଂଯୋଜକ
ଏକୁ ଆରକରେ
ବିରକ୍ତି ଆସିଲେ
ସଜମାଛେ ପଡେ ପୋକ l
ତାଳିପକା ଯୁଗ
ଦିଅ କରତାଳି
ହେବାଟା ମୁସ୍କିଲ ଟାଳି
ତଳିପ୍ରାୟେ ତାଳି
ବିଞ୍ଚିହୁଏ ଯେବେ
ନଥାଏ ହାତର କଳି l
ଉପହାସେ ତାଳି
ପ୍ରଶଂସାରେ ତାଳି
ତାଳିରେ ନଲାଗୁ କାଳି
ଉସୁକାଏ କେବେ
ଉତ୍ସାହିତ ସର୍ବେ
ଉନ୍ମାଦନା ଭରେ ତାଳି l
ରୋଗର ନିଦାନ
ଲୁଚିଛି ତାଳିରେ
ରୋଗ ହୁଏ ଉପଶମ
ଭକତ ତାଳିରେ
ଭାବଗ୍ରାହୀ ପ୍ରୀତ
ମୋକ୍ଷ ପାଏ ଧ୍ରୁବ ଜନ୍ମ l
ଚାଟୁକାର ଯେବେ
ତାଳିମାଡ଼ କରେ
ମୂର୍ଖ ହୁଏ ହସେ ବଶ
ତାଳିମାଡ ପରା
ଦେହଘଷା ଅଟେ
କେବେବି ହେବନି ଶେଷ l
No comments:
Post a Comment