✍ ଅମରନାଥ ବାରିକ୍
ବେଙ୍ଗୁଲି ରାଣୀ ଛାଡ଼ି ଯାଇଅଛି ବରଷା ପାଣି
ସାରୁ ଗଛ ମୂଳେ ବସିଛ କିଆଁ ?
ଆସ ବାହାରି ଯିବା ଆମେ ବୁଲି ସରଗପୁରି
ଆଉ ରାବ ନାହିଁ "କଟର କୁଆଁ" ।
ଡୋଳା ବୁଲେଇ ଭାବୁଛ କଅଣ ଜିହ୍ଵା ହଲେଇ
କର ନାହିଁ ଆଉ ମନକୁ ଊଣା ।
ଡରନି ମତେ ମୁଁ ତୁମ ସଙ୍ଗାତ କହୁଛି ସତେ
ବୁଲିବାକୁ ଯିବା ଆମ ଅଗଣା ।।
ଯେତେ ଖୋଜିଲେ ଭାଡ଼ି ତଳେ ପୁଣି ଗହନ ବିଲେ
ମିଳୁନାହିଁ ପରା ତୁମରି ଦେଖା ।
ବରଷା ହେଲେ ଫକଫକ କରି ଡ଼େଉଁଥା ଭଲେ
ସଙ୍ଗେ ସହଚରି ଧରିଣ ସଖା ।।
ଆଜି ଏଠାରେ ବସିଅଛ କାହିଁ ନଈ ପଠାରେ
ମଉନ ବରତ ପାଳନ କରି ?
ଚାଲ ପଳାଇ ଆମ ଘର ଆଡ଼େ ମନ ବଳାଇ
ମାଆ ଖୋଜୁଛନ୍ତି ତୁମକୁ ଭାରି ।।
ଆମରି ଘର ଘର ନୁହେଁ ସେ'ତ ସରଗପୁର
ଯେଉଁଠି ଅଛନ୍ତି ମୋ ବାପା ମାଆ ।
ଆମେ କାନ୍ଦିଲେ ଗେଲ କରୁଥାନ୍ତି ଆମକୁ ଭଲେ
ତୁମକୁ ଦେଖାଇ କୋଳରେ ମାଆ ।।
କୁହନ୍ତି ମତେ ବାଇଆ ମାରିବ କାନ୍ଦୁଛୁ କେତେ
ବୁଝିଯାଆ ବାବୁ ନକରି ଅଳି ।
ଚୁଚୁମା ଦେବି ବୁଝିଗଲେ ପୁଣି ଦେଖେଇ ନେବି
ବେଙ୍ଗ ସାଥେ କରେ ବେଙ୍ଗୁଲି କଳି।।
ସେ କଥା ଭାବି ହୋଇଅଛ ବୋଧେ ତୁମେ ଅରାଜି
ସେଇଥିପାଇଁ କି ଲୁଚିଛ ଏଠି ।
କୁହ ଲୋ କଥା ଆଉ ବସନାହିଁ ନୁଆଁଇ ମଥା
ବେଙ୍ଗ ରଜା କ'ଣ ମାରିଛି ଲାଠି !
____●◆●____
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment