✍ସୁକାନ୍ତ ଖଣ୍ଡା
ବାପାମାଆ ଚାଲିଗଲେ ଆର ପାରି
ହୁଡହୁଡ ବାତ୍ଯାରେ
ଯିଏ ଚଳାଉ ଥିଲେ ଘର ପରିବାର
ସବୁ ଆବଶ୍ଯକତା ବୁଝୁଥିଲେ
ଆମ ସଭିଙ୍କର।
ଆଜି ପଡ଼ି ରହିଛୁ
ଜେଜେବାପା ଓ ମୁଁ
ନା ବାଳକ ହେତୁ କୁଆଡ଼େ ଯିବା ମନା
ଗଲେ ହିଁ ବିପଦ
ଜେଜେବାପା ପୁରୁଷ ପୁଣି ବୁଢ଼ା ଲୋକ
ରୋଜଗାର କରି
ଆସି ରୋଷେଇ କରିବା କାଠିକର ପାଠ
କିନ୍ତୁ କରେ କ'ଣ?
ନ କଲେ ନ ଚଳେ
ନିଜ ଲୁହ ନିଜେ ପିଇ ପଡ଼ି ରହିଛନ୍ତି
ଦୁଃଖ କହିବେ କାହାକୁ
ଯାହାକୁ କହନ୍ତେ କାହିଁ କେତେ କାଳୁ
ଦୂରେ ବହୁଦୂରେ।
ମୁଁ ଅଷ୍ଟମ ଶ୍ରେଣୀର ଛାତ୍ର
ଖାଇବା ଖେଳିବା ବିନା ଅଜଣା ଦୁନିଆଁ
ତଥାପି ଲୁଚିଲୁଚି ଜେଜେବାପାଙ୍କ
କାନ୍ଦିବା ଦେଖିଛି,ଶୁଣିଛି
ଲୁହ ପୋଛି ପଚାରିଲେ କହନ୍ତିନି କିଛି।
ମୁଁ ସିଦ୍ଧାନ୍ତ ନେଲି
ଜେଜେବାପାଙ୍କୁ ସାହାଯ୍ୟ କରିବି
ଚକୋଲେଟ୍ ବିସ୍କୁଟ ଖାଇବା ଅର୍ଥକୁ
ସଂଚିଥିଲି ଗୋଟେ ଗୋଟେ କରି
ଦିନେ ଶୋଇବା ବେଳେ
ଗୋଡ଼ ମୋଡୁମୋଡୁ କହିଲି
ଜେଜେବାପା ମୁଁ କଟକ ଯିବି
ଜେଜେବାପା ନାହିଁ ନ କରି ହଁ ଭରିଲେ
ଭାବିଲେ ବୋଧେ ପିକନିକ ଯିବ
ସ୍କୁଲ ପିଲାଙ୍କ ସାଥିରେ
ସେ ସକାଳୁ ଧରାଇ ଦେଲେ
ପନ୍ଦର ଶହ ଟଙ୍କା
ଯାହାକୁ ଭତ୍ତା ପାଇ ସଂଚିଥିଲେ।
ମୁଁ ପ୍ରଣାମ କରି ଚାଲିଲି କଲିକତା
କିଛି ବି କହିଲିନି
ସତ୍ଯତା ନିଜର
ମୁଁ ଯାଉଛି ତ ଯାଇଛି ମାସେ ପରେ ତିନି ହଜାର ପଠେଇ ଫୋନରେ କହିଲି
ଜେଜେବାପା ଭୁଲ ବୁଝିବନି
ତୁମର ନାତି ଦାଦନ ଖଟୁଛି
ମିଛ କହିଥିବାରୁ କ୍ଷମା କରିଦେବ
ଏବେ କଟକ ନୁହେଁ,କଲିକତାରେ।
ଜେଜେବାପା ଆଖିର ଲୁହରେ ଗାଧୋଇ କହିଲେ
ତୋ'ର ଭବିଷ୍ୟତ ହେଲା ଅନ୍ଧକାର
ପାଠ ଆଗକୁ ନେଇଥାନ୍ତା
କାହିଁ କେତେ ଦୂର
ହେଲେ କରିଲୁ କ'ଣ
ସବୁ ଦୋଷ ଲଦି ମୋ' ଉପରେ।
ହସିକି କହିଲି ତୁମ ଦୁଃଖ ସହି ପାରିଲିନି
ଲୁଚିଲୁଚି ଯେବେ ଲୁହକୁ ବୁହାଅ...
ଚୁଲିକୁ ଯାଉ ପାଠ ଭବିଷ୍ୟତ ଯେଉଁଠି ମୁଠାଏ
ଖାଇବା ବିନା କଲବଲ
ବସିବା ଲୋକ ଖଟିବ କାଳେକାଳେ
ଜେଜେବାପା ଏ ଟଙ୍କା ପଠେଇଲି
ଭଲକି ମୁଠାଏ ଫୁଟାଇ ଖାଇବ
ଆର ବରଷକୁ ଯିବି
ଆଉ ପ୍ରତି ମାସରେ ଟଙ୍କା ପଠାଇବି
ଫୋନ କାଟି ଦେଲି
ଅନ୍ତର ମୋର ଧିକ୍କାରୁ ଥିଲା ବୁଢ଼ାଟାକୁ ଏକଲା
ଛାଡି ଦାଦନରେ ଖଟି ଦୁଃଖ ଦେବାରୁ।
କୁହ !
ହେ ଭାଇମାନେ
କ'ଣ ଭୁଲ କରିଛି କି?
ନ ଖାଇ ନିତି ମରିବାଠୁ
ଦାଦନକୁ
ଶ୍ରେୟ ମୁଁ ମଣିଛି।
*
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment