ଶିଶିର କୁମାର ସ୍ଵାଇଁ
ଚାଲ ଭାଇ ବନ୍ଧୁ ରଘୁ କୃପାସିନ୍ଧୁ
ମଦ ଦୋକାନକୁ ଯିବା
ଅରଜିବା ଧନ ସେଠି କରି ଦାନ
ମୁନ୍ଦେ ମୁନ୍ଦେ ପିଇ ଦେବା II
ଆମରି ଓଡ଼ିଶା ହେବାକୁ ସରସା
ଆମେ ପିଇବା ଜରୁରୀ,
ଘରେ ସିନା ଛୁଆ ରହୁ ଉପାସିଆ
ପିଇବା ଆମେ ନ ଡରି II
ବଢେ ରାଜକୋଷ ଭରିଲେ ଟିକସ
ଜାଣି ଥାଅ ସବୁ ବନ୍ଧୁ ,
ସରକାରୀ ଖାତା କହୁଥାଏ କଥା
ମଦ ରାଜସ୍ୱର ସିନ୍ଧୁ II
ମଦ ପିଇ ଗାଡ଼ି ଧରି ଯିବା ମାଡ଼ି
ପୋଲିସ୍ ବାବୁ ଡାକିବ ,
ମୁରୁକି ହସିବା ଜୋରିମନା ଦେବା
ରାଜ୍ୟ ଗଠନେ ଲାଗିବ II
ଯଦି କେତେବେଳେ ପଡିଯିବା ତଳେ
ପ୍ରାଣ ବାୟୁ ଉଡିଯିବ ,
ଜନ ସଂଖ୍ୟା ହ୍ରାସ ହୋଇବ ଅବଶ୍ୟ
ରାଜ୍ୟ ପ୍ରଗତି କରିବ II
ମଦ ପିଇ ଦେଲେ ବୋତଲ ଫିଙ୍ଗିଲେ
ଅନାଥ ଛୁଆ ଗୋଟାଏ,
ତାକୁ ବିକିଦେଇ ନିଜ ପେଟ ପାଇଁ
ଦାନା ମୁଠେ ତ ଜୁଟାଏ II
ଯଦି ରାଜନେତା ହୁଏ ମଦ ଦାତା
ରାଷ୍ଟ୍ରର ଉନ୍ନତି ନିଶ୍ଚେ,
ପ୍ରଚାର ପ୍ରସାର ନାହିଁ ଦରକାର
ଅର୍ଥ ସମୟ ତ ବଞ୍ଚେ II
ମଦ ପିଇକରି ଯଦି ଯିବା ମରି
ସ୍ତୀରୀ ଯେ ବିଧବା ହେବ,
ମିଳିବ ବ ଯେ ଭତ୍ତା ଦେବେ ରାଜ ନେତା
ଖ୍ୟାତି ତାଙ୍କ ବଢ଼ିଯିବ II
ଆମ ପିଲାଛୁଆ ହେବେ ଅପାଠୁଆ
ଗୁଣ୍ଡା ବଦମାସ ହୋଇ,
ଗାଆଁର ଗରବ ନିଶ୍ଚୟ ବଢିବ
ସେମାନଙ୍କ ପାଇଁ ଭାଇ II
ପିଇଦେଇ ମୁନ୍ଦେ ଗଡ଼ି ଯିବା ଦାଣ୍ଡେ
ଦୁଃଖ ସବୁ ଭୁଲିଯିବା ,
ଆମ ଘର ଲୋକେ ମରିଯା'ନ୍ତୁ ଭୋକେ
ସେକଥା କାହିଁ ଜାଣିବା II
ମଦର ମହତ୍ତ୍ଵ କେତେ ଯେ ବିସ୍ତୃତ
ତାକୁ କେ ବର୍ଣ୍ଣି ପାରିବ,
କହଇ ଶିଶିର ଶୁଣ ସରକାର
ମଦର ଟେକ ରଖିବ II
ଗାଙ୍ଗପୁର
ଗଞ୍ଜାମ
No comments:
Post a Comment