ବୁଢିଆଣୀ ଜାଲର ଘର ସଂସାର ହେଇଗଲା ଦୁଇ ଫାଳ
ସଂସାର ଯାକର ଜଞାଳ ବୁହାଇ କରିଦେଲା ସାତପର ।।
ମାଇପି ଚିନ୍ତାରେ ଚେଇଁ ଶୋଇବାକୁ ଦିନ ତ ପଡଇ ସାନ
ସମୟର ଚକକୁ ହାତରେ ଧରି ଘୁରିବୁଲେ ଘୋର ବନ ।।
ନିଜ ଜଞାଳ ବାବୁ ନିଜେ ହିଁ ସମ୍ଭାଳ ନଶୁଣ ଅନାବନା
ରାମ ରାଇଜ ବି ଧୂଳିସାତ ହେବ ପର କଥାକୁ ଚାହାଁନା ।।
ମୁଣ୍ଡର ଝାଳ ତୁଣ୍ଡରେ ମାରି ମୁଁ ଅଟେ ସଭିଙ୍କ ଅଧିକାରୀ
ପେଟ ଚାଖଣ୍ଡକ ପାଇଁ କାହା ଆଗେ କରେନା ଯାଇ ଗୁହାରି ।।
ଦକ୍କା ପାଇ,ଧୋକା ଖାଇ ମହତ ଗୁଣ ଜୀବନେ ମୁଁ ଶିଖିଲି
କାତର ହୋଇ ସାଇକଲଟାକୁ ଘୋଡା ପରି ଦଉଡାଇଲି ।।
ଲକ୍ଷ ହୀନ ହୋଇ କରୁଛି ଯାତ୍ରା ଆଗକୁ ମୋ ଭାଗ୍ୟ ବିଧାତା
ବୃତ୍ତି ହୀନ ହୋଇ ଘୁରି ବୁଲୁଛି ସାହା ମୋର ପରମ ପିତା ।।
ଲଙ୍ଗଳା ଫୁଙ୍ଗୁଳା ଦେହରେ ପିଲାଏ ଅଛନ୍ତି ମୋ ସାଥିରେ
ଖାଇବା ବେଳ ଯେ ଗଡି ଯାଉଅଛି, ଗରିବ ଅଟେ ଜାତିରେ ।।
ନିଆଁ ଅଛି, ପାଣି ବି ଅଛି, ଭୋକିଲା ପବନ ସାଥେ ବହୁଛି
ଦିଇ ପହଣ୍ଡରେ ବେଳ ବୁଡି ଯିବ, ପିଲାଟା ଶୋଇପଡୁଛି ।।
ମୁଣ୍ଡକୁ ଛାତ ଦେହକୁ ଲୁଗା ନ ମିଳିଲେବି ଦୁଃଖ ଲାଗେନି
ଖାଲି ଟିକେ ପେଜ ବହଳ ହେଲେ ଅଭାବ ଦୂରେଇ ଯିବନି ।।
କଳି ଯୁଗକୁ ସାଇକଲ ସଜ ଘିଁ ଘିଁ ଗଡି ଯାଏ ସରସ
ଅଣ୍ଟା ଭିଡିଲେ ବି ସଜ ଲାଗେନା, ଥକିଗଲାଣି ଏ ମଣିଷ ।।
ପାଖ ପଡିଶାକୁ ଆସିଲା ରଜ ସଭିଏଁ ହୁଅ ସଜବାଜ
ମା’ ନଥିବା ପିଲା ମୋ ପିଠା ଖାଇବ,ତାପାଇଁ ଧୁଆ ସଜଡ ।।
ଅଭାବି ଲୋକ ମୁଁ ନାହିଁ ମୋ ଘର କାହୁଁ ଆଣିବି ମା’ ତୁମର
ଶୁଖିଲା ଚୂଡାକୁ ଭିଜାଇ ଦେବି, ଖାଇ ଶୋଇବ ପିଲା ମୋର ।।
ଝାଉଁ ବଣ ଦେଖି ଘର ତୋଳିବି,ମା’ ଚାହୁଁଥିବ ଆର ପୂରେ
ବର ଓହଳରେ ଦୋଲି କରିଦେବି ଖେଳୁଥିବ ଆନନ୍ଦରେ ।।
ଚାତକ ପରି ଅନାଇ ରୁହନି,ବଳ ନାହିଁ ମୋ ବାହୁରେ
କର୍ମକୁ ଆଦରି ସଂଘର୍ଷ କରୁଛି, ସାକ୍ଷୀ ମୋ ଚକାଡୋଳାରେ ।।
ଅଙ୍ଗି ପେଣ୍ଟ କୁ ନାହିଁ ପଇସା, ସାହୁକାରକୁ ନାହିଁ ଭରସା
ଗଡିଗଲେ ଚକ ବାରହାତ, ହାତରେ ନାହିଁ କିଛି ବେଉସା ।।
ଏମିତି କେତେ ରଜ ମଉଜ ସଜହୋଇ ଆସିବ ଜୀବନେ
ଦୋଳି ଖେଳ ସାଥି ସଙ୍ଗାତ ଏକା ଛାଡ଼ି ଚାଲିଯିବେ ଗୋପନେ ।।
ମନୋଜ କୁମାର ପଟ୍ଟନାୟକ
ହିଞ୍ଜଳିକାଟୁ, ଗଞ୍ଜାମ
No comments:
Post a Comment