✍ଡ.ଗୁରୁ ମୂର୍ତ୍ତି ନାୟକ
ବସି ଭାବୁଥିଲି ଦିନେ
ଅହି ବକ ମୀନ ଗଲିଲା ଯେସନେ
ବୟସ ଋତୁରାଜ ଗିଳେ ଦେହ
ହୃଦୟ,ମନ ମୀନ ଛଟପଟ
ଶୈଶବ ହଜିଲା
ଜୀବନ ସାଗରରେ ନଈ ସମାନ
ପ୍ରେମ ଜାଲ ଧରି
ବୟସ ଧୀବର ଉପଗତ
ପ୍ରୀତି ବାରି ଭିଜା କରି
ଦେହେ ଶିହରଣ ଆବେଗ, ପୁଲକ
ହୃଦୟ ସିନ୍ଦୁକେ ଭରି
ନିର୍ମଳ ମନ ନୋହିଲା ସନ୍ତୋଷ
ଧର୍ମ, ବଚନେ କିବା ସୁଖ
ପ୍ରତିଟି ମୁହୂର୍ତ୍ତ ଲାଗିଲା ବିମୁଖ
ଘରଦ୍ୱାର, ପିତା ,ପରିଜନ
ଝଡା ପତ୍ର ପରି ଛାଡି ଦେଲି
ଭାବିଲି ସ୍ୱପ୍ନ ସାଥେ
ଥୂଣ୍ଟା ମନ_ବୃକ୍ଷେ
ପ୍ରେମ_ପତ୍ର କଅଁଳିବ ।
ସ୍ୱାଧୀନ ଜୀବନ ବନ୍ଧି ମୋ ହୋଇଛି
ସମାଜର ଲାଲ ଆଖି ଡୋରେ
କାହିଁକି କେଜାଣି ଉଦାସେ
ମନ ମୋ ଗାଉଛି ଗୀତ
ମୁଖୁଡା ଧରିଛି ବୟସ ମୋର
ଶିହରଣ ପ୍ଳାବି କଳେବର
କାଲି କିଏ ସପନରେ ଆସି
ଚୋରାଇ ନେଲା ମନ
ବିଷ ପ୍ରାୟ ଆଜି
ଲାଗୁଛି ଜୀବନ
ମୁଁ କି ମୋହର ନୁହ
ଭାବିଲେ କେବଳ ଜାଗିଉଠେ
ନିରାଶ, ଯନ୍ତ୍ରଣା
ଲୁହ ବତୁରା କୋହ ।
ଅପ୍ରାପ୍ତି ପ୍ରାପ୍ତିର ଚର୍ବିତ ଚର୍ବଣ
ଚାଲିଥାଏ ଅନୁକ୍ଷଣ
କୋମଳ ଅଙ୍ଗ ମୋ
ପିଚୁ ରାସ୍ତା ଆଜି
ସଭିଏଁ ଯାଆନ୍ତି ଚାଲି
ପ୍ରେମ ପିଚୁ ତରଳିଲେ କ୍ଷଣେ
ସ୍ମୃତି ପାଦ ଚିହ୍ନ ଟିକେ ରହେ
ଧର୍ମ ନଷ୍ଟ ନାମେ
ନିର୍ବିକାର ଚିତ୍ତେ
ଅନ୍ତରେ ପ୍ରେମ ବିଦ୍ରୋହ ଜାଗେ
ମୁଖରେ ନଥାଏ ଭାଷା
ବିରୋଧ ଭାବପନ୍ନେ
ହେବ କି ସମାଧାନ
ଆକାଶ ପାତାଳ ଭାବନା
କେବଳ ବ୍ୟାପ୍ତ ।
ଭଂଜନଗର, ଗଂଜାମ
No comments:
Post a Comment