✍ବିପିନ ବିହାରୀ ଗୌଡ଼
ଜୀବନର ପଥ
ଅଟଇ ବିଚିତ୍ର
କେତେ ମିଛ କେତେ ସତ
କଳନା କରିବା
ନୁହଁଇ ସହଜ
ନ ଜାଣନ୍ତି ସାଧୁ ସନ୍ଥ
ଜୀବନର ପଥ
ଅଟେ କଣ୍ଟକିତ
ଦୁର୍ଗମ ବନ୍ଧୁର ପୁଣି
ଘାତ ପ୍ରତିଘାତ
କେତେ ଯେ ସଂଘାତ
ଆସଇ ନହୁଏ ଜାଣି
ଜୀବନର ପଥ
ଅଟେ ବହୁଦୂର
ଉଠାଣି ଗଡା଼ଣି ହୋଇ
ଚାଲିବାକୁ ହେବ
ଅବିଶ୍ରାନ୍ତ ଭାବେ
କ୍ଲାନ୍ତ ନ ହୋଇଣ ଭାଇ
ଜୀବନଟା ଏକ
ଅଟଇ ସଂଘର୍ଷ
ପଛଘୁଞ୍ଚା ଦେବା ନାହିଁ
ହାରିବା ଜିତିବା
ଜୀବନର ଲକ୍ଷ୍ୟ
କେବେ ଅଵ୍ୟର୍ଥ ନୁହଁଇ
ସକାଳର ବେଳ
ସଞ୍ଜରେ ନଥାଏ
ସଞ୍ଜ ପରେ ଆସେ ରାତି
ଆପେ ଆପେ ଯାଏ
ଓଲଟି ଓଲଟି
ଜୀବନର ପୃଷ୍ଠା ଗୋଟି
ଜୀବନଟା ଏକ
ଅଟଇ ନାଟକ
ଆମେ ସବୁ କଳାକାର
ଅଭିନୟେ ଆମେ
ପ୍ରକଟିତ କଲେ
ବଦଳେ ଜୀବନ ସ୍ୱର
ଜୀବନରେ ସବୁ
ମିଛ ଯେ ଅଟଇ
ଜନମ ମରଣ ସତ
ଅଭିନୟ ଆମ
ମିଛିମିଛିକା ଯେ
ନିଜେ ନୋହୁଁ ନିଜେ ସତ
ଜୀବନଟା ନୁହେଁ
ଭୋଗର ସର୍ବସ୍ବ
ତ୍ୟାଗରେ ହୁଏ ସାର୍ଥକ
ସ୍ୱାର୍ଥନ୍ଧ ମାନବ
ସ୍ୱାର୍ଥ ପଛେ ଧାଇଁ
ଜୀବନେ ଲଭଇ ଦୁଃଖ
କେ କହେ ଜୀବନ
ମିଶାଣ ଫେଡାଣ
ଗୁଣନ ହରଣ ପୁଣି
ସରଳ ଜଟିଳ
ଜ୍ୟାମିତିକ ଚିତ୍ର
ଶିଡ଼ି ସାପ ଖେଳ ପରି
ବେଳେବେଳେ ଆସେ
ଜୀବନରେ ଝଡ
ଦୁଃଖ ସୁଖ ସବୁ ମିଶି
ଭାରି ଭାରି ଲାଗେ
ଜୀବନର ରୂପ
ଓଦା ହୋଇଯାଏ ଆଖି
ଜୀବନର ଦୁଃଖ
ଜୀବନର ସୁଖ
ଜୀବନ ସନ୍ଦର୍ଭ ଏହା
ଭାଷାତୀତ ଅଟେ
ଜୀବନ ଯନ୍ତ୍ରଣା
ଜୀବନର ଗାଥା ଯାହା
ଜୀବନଟା ଖାଲି
ନିରାଶାର ବାଲି
ମୃଗତୃଷ୍ଣା ମରୀଚିକା
ନିରାଶା ଅନ୍ଧାରେ
ଆଶାର ଆଲୋକ
କ୍ଷୀଣ ଆଲୋକ ବର୍ତ୍ତୀକା
ଭଞ୍ଜନଗର,
ଗଞ୍ଜାମ
No comments:
Post a Comment