Sunday, September 20, 2020

ଚନ୍ଦ୍ରଶେଖର ରାଓ

 

ଓଡ଼ିଶାର ପୁରପଲ୍ଲୀରେ କଣ୍ଢେଇ ତିଆରିହୁଏ। କିନ୍ତୁ, ଗଞ୍ଜାମ ଅନ୍ତର୍ଗତ ମଥୁରାର ଗୋବର କଣ୍ଢେଇ ନିର୍ମାଣ ଶୈଳୀ ଓ ଲାଳିତ୍ୟ ଅନ୍ୟଠୁଁ ନିଆରା। ସାମସମୟିକ ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ଶୈଶବରୁ କୈଶୋର ବିତିଥିଲା ଏହି ଗଁାରେ। ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଅଜାଣତରେ କେତେ ବେଳେ ମଥୁରାର ଗ୍ରାମ୍ୟ-କଳା ତାଙ୍କ ଭିତରେ ପ୍ରବେଶ କରିସାରିଥିଲା। ଆଉ ମାଆ ବୁଚାମ୍ମାଙ୍କ ଚିତା ଓ ଚୁଲି ପରା। ମାଆ ମୁରୁଜ ଓ ପିଠଉରେ ଚିତ୍ତାକର୍ଷକ ଚିତା ପକାଉଥିଲେ। ସୁନ୍ଦର ଚୁଲି ପାରୁଥିଲେ। ଚିକିଟା ମାଟିରେ ଇଣ୍ତା ତିଆରିକଲା ବେଳେ, ସେହି ମାଟିରେ ହାତୀଟିଏ ଗଢ଼ିଥିଲେ ଶିଶୁ ଚନ୍ଦ୍ରଶେଖର। ତାହା ପରେ ଚୁଲି, ହାଣ୍ତି, ମାଠିଆ, ଗଣେଶ ଗଢ଼ାରେ ମାତିଥିଲେ। ଧୂଳି ଖେଳ ଭିତରେ କଳା ପ୍ରତି ଆକର୍ଷଣ। ଘରର କାନ୍ଥ, ବାଲି ଉପରେ ଆଙ୍କୁଥିଲେ। ଉଚ୍ଚ ବିଦ୍ୟାଳୟକୁ ଉତ୍ତୀର୍ଣ୍ଣ ହେବା ପରେ କାଗଜ ଉପରେ କାଳିରେ ଚିତ୍ରାଙ୍କନ ଆରମ୍ଭ ହୋଇଥିଲା। ଚିତ୍ର ମନକୁ ନ ପାଇଲେ ଚିରିଦେଉଥିଲେ। ଆଉ ଯାହା ତାଙ୍କ ମନକୁ ପାଉଥିଲା, ସେଗୁଡ଼ିକୁ ଦେଖି ଶିକ୍ଷକ, ସହପାଠୀମାନେ ବିସ୍ମିତ ହେଉଥିଲେ। ବାପା ରାଜା ରାଓ ବିରୋଧ କରୁଥିଲେ। ହେଲେ, ବାପାଙ୍କ ବିରୋଧ ତାଙ୍କ ଭିତରେ ଥିବା ଶିଳ୍ପୀ ସତ୍ତାକୁ ଦୋହଲାଇପାରି ନ ଥିଲା। କ୍ରମଶଃ ଉନ୍ନତି ହୋଇଥିଲା।

ମାଆ ବାପ-ଧନ କହି, ତାଙ୍କ ହାତରେ ଚିତା ନ ପକାଇଲେ, ଘରର ଅଗଣା ସତେ ଯେପରି ପୂରୁ ନ ଥିଲା। ସବୁ ବେଳେ କହୁଥିଲେ- ଚନ୍ଦ୍ରର ଚିତା-ଚିତ୍ର ସବୁଠାରୁ ସୁନ୍ଦର। ଭଉଣୀମାନେ ମଧ୍ୟ ତାଙ୍କୁ ସାଙ୍ଗ ନ କଲେ କାର୍ତ୍ତିକ ପଞ୍ଚୁକ, ମାର୍ଗଶୀର ଗୁରୁବାର, ମକର ସ˚କ୍ରାନ୍ତି ଆଦିରେ ଚିତା ପକାଉ ନ ଥିଲେ। ଚନ୍ଦ୍ରଶେଖରଙ୍କ ନିଜ ଭାଷାରେ- ‘ଅନେକ ସରୁ ଧାର ଏକାଠିହୋଇ ନଦୀଟିଏ ଗଢ଼ିଦେଲା ଭଳି ଏ ସମସ୍ତେ ମତେ ପିଲାଦିନୁ, ମୋ ଅନ୍ତର ଭିତରେ ଶିଳ୍ପୀଟିଏ ହେବାର କାମନା ଜାଗ୍ରତ କରିଦେଇଥିଲେ।’(ଶିଳ୍ପୀଙ୍କ ଆତ୍ମଚରିତ ‘ଚନ୍ଦ୍ରାୟନ’ରୁ)। ‘ଚନ୍ଦ୍ରାୟନ’ ତାଙ୍କ ଶିଳ୍ପୀ ଜୀବନର ଅଭିଜ୍ଞତା। ଏଥିରେ ସେ ଲେଖିଛନ୍ତି- ‘ଶିଳ୍ପୀ ହେବା ଏତେ ସହଜ ନୁହେଁ। ଏହା ସହଜାତ ଓ ଦେବଦତ୍ତ ବୋଲି ମୋ’ର ବିଶ୍ବାସ। ନଚେତ୍‌ ସମସ୍ତ କଳା ଶିକ୍ଷାର୍ଥୀ ଶିଳ୍ପୀ ଓ ସମସ୍ତ ପାଠ ପଢ଼ାଳି ସାହିତ୍ୟିକ ହୋଇଯାଆନ୍ତେ।’

ପୂର୍ଣ୍ଣମୀଜନ୍ମ: ୧୬ ସେପ୍‌ଟେମ୍ବର୍‌ ୧୯୪୦; ମୃତ୍ୟୁ: ୪ ଫେବ୍ରୁଆରି ୨୦୦୪)ରେ ଜନ୍ମ ହୋଇଥିବାରୁ ମୂଳ ନାମ ଥିଲା ‘ପୂର୍ଣ୍ଣଚନ୍ଦ୍ର’। ପରେ ବଦଳିଥିଲା ‘ଚନ୍ଦ୍ରଶେଖର’କୁ। ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଚିତ୍ରକଳାରୁ ଉପାର୍ଜନ ପାଇଁ ଉଦ୍ୟମ କରି, ସଫଳ ହୋଇଥିଲେ ଚନ୍ଦ୍ରଶେଖର। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ବିଧାନସଭା ନିର୍ବାଚନ ଲଢ଼ୁଥାଆନ୍ତି। କାମ ଆଶାରେ, ତାଙ୍କୁ ଦେଖାକରିଥିଲେ ଚନ୍ଦ୍ରଶେଖର। ରାଜାଙ୍କ ନିର୍ବାଚନ ଚିହ୍ନ ଥାଏ ଯୋଡ଼ି ବଳଦ। ଗଁା-ଗଁା ବୁଲି କାନ୍ଥରେ ନିର୍ବାଚନ ଚିହ୍ନ ଆଙ୍କିବା କାର୍ଯ୍ୟ, ତାଙ୍କୁ ମିଳିଥିଲା ଏବ˚ ଏ ବାବଦକୁ ସେ ଅମଳରେ ପାଇଥିଲେ ଦୁଇ ଶହ ଟଙ୍କା। ଆର୍ଥିକ ପ୍ରତିବନ୍ଧ ସତ୍ତ୍ବେ ଚନ୍ଦ୍ରଶେଖର ଚିତ୍ରକଳାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ବିଭିନ୍ନ ସମୟରେ ବିଭିନ୍ନ ଚାକିରି କରିଥିଲେ ଏବ˚ ଛାଡ଼ିଥିଲେ। ଟ୍ୟୁସନ୍‌ କରିଥିଲେ। ୧୯୭୯ରେ ସେ ଡିଜାଇନର‌୍‌ ଭାବେ ରାଜ୍ୟ ଶିଳ୍ପ ବିଭାଗରେ ଯୋଗଦେଇଥିଲେ। ସେଠାରେ ଏଗାର ବର୍ଷର ଚାକିରି ଜୀବନରେ ତାଙ୍କ ପ୍ରତିଭା ଉଲ୍ଲେଖନୀୟ ଭାବେ ବିକଶିତ ହୋଇଥିଲା। ୧୯୯୦ରେ ସେ ହସ୍ତତନ୍ତ୍ର ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ। ‘ଗୀତ ଗୋବିନ୍ଦ’, ‘ଅନନ୍ତ ଶୟନ’, ‘ବିଷ ପୀୟୁଷ’, ‘ଚିତା’, ‘ବସ୍ତ୍ର ହରଣ’, ‘ଯୁଗଳ’, ‘କ୍ଷୁଧା’, ‘ମମତା’, ‘ବୃକ୍ଷ ପୂଜା’, ‘ଗଁା ପୋଖରୀ’ ଆଦି ତାଙ୍କର ଶ୍ରେଷ୍ଠ ଚିତ୍ର।

1 comment:

  1. ଚିର ସ୍ମରଣୀୟ ବ୍ୟକ୍ତିତ୍ଵ🌹🌹🙏🙏🙏

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy